ତୁମ ନୀରବତା
ତୁମ ନୀରବତା
ପଦ୍ମ ପତ୍ର ପ୍ରାୟ ପ୍ରଶସ୍ତ ବକ୍ଷ ରେ
ମୁଁ କେଇ ବୁନ୍ଦା ଜଳ ରାଶି
ଆଶାର ଆକାଶେ ଚିକ୍ ମିକ୍ ଦିଶେ
ସତେ ଶରଦ ପୁନେଇଁ ଶଶୀ ।
କେତେ ବା ସମୟ ଆବୋରି ବସିବି
ଚିଇଁକି ଉଠୁଛି ମନ
ଢଳ ଢଳ ଦେହ କାଳେ ଢଳିଯିବ
କ୍ଷଣକେ ହୋଇବି ଲୀନ ।
ସ୍ନେହର ବନ୍ଧନ ହୁଗୁଳି ଗଲା କି
ପାଦ ଯାଉଛି ତଳକୁ ଖସି
ପଦ୍ମ ପତ୍ର ପ୍ରାୟ ପ୍ରଶସ୍ତ ବକ୍ଷ ରେ ।
ସରାଗେ ସୋହାଗେ ହୃଦୟ ରେ ତୁମ
ଲଟକି ଯାଇଛି ଚିତ୍ତ
ବାହୁ ଝୁଲଣା ରେ ଦୋଳି ଖେଳେ ତନୁ
ଲଭି ତୁମ ପ୍ରେମ ସ୍ପର୍ଶ ।
କଥା ଦେଇଥିଲ ସାଥି ହୋଇ ପରା
ବାକି ଜୀବନ ଟା ଦେବା କାଟି
ପଦ୍ମ ପତ୍ର ପ୍ରାୟ ପ୍ରଶସ୍ତ ବକ୍ଷ ରେ ।
କୋଳକୁ ଆଉଜି ଶୁଣେଇଛ କେତେ
ଦେଶ ବିଦେଶର ଗପ
ହସର ଫରୁଆ ଅଜାଡି ଦେଇଛ
ଦେଖି ମୋ ଶୁଖିଲା ଓଠ ।
କାହିଁକି ଆଜି ସେ ମମତା ର ସିନ୍ଧୁ
ଅବେଳରେ ଗଲା ଶୁଖି
ପଦ୍ମ ପତ୍ର ପ୍ରାୟ ପ୍ରଶସ୍ତ ବକ୍ଷ ରେ ।
ଆଖି ବୁଜି ଦେଲେ ଲାଗେ ତୁମ ଓଠ
ଛୁଇଁଛି ମୋ ଆଖିପତା
ପ୍ରତି ବଦଳରେ ଚୁମିଛି ମୁଁ କେତେ
ତୁମ ସେ ପ୍ରଶସ୍ତ ମଥା ।
ତକିଆ ରେ ମୁହଁ ଗୁଞି ହସିଦିଏ
ଭାବି ତୁମ ଖୋଲା ଛାତି
ପଦ୍ମ ପତ୍ର ପ୍ରାୟ ପ୍ରଶସ୍ତ ବକ୍ଷ ରେ ।
ଅଳି ଥିଲା ମୋର ସକାଳ ସୂରୁଜ
ସାଜି ଜଗେଇବ ନିତି
ହଉ ! କହିଥିଲ ଦେଲ କି ପାଶୋରି
ଅବା ମେଘ ଦେଲା ଢାଙ୍କି ।
ନିଦ ମଳା ଆଖି ଧିରେ ଖୋଲି ଦେଖେ
ଯାଏ ତୁମ ମୁହଁ ଦିଶି
ପଦ୍ମ ପତ୍ର ପ୍ରାୟ ପ୍ରଶସ୍ତ ବକ୍ଷ ରେ ।
ହାତେ ହାତ ଛନ୍ଦି ଚାଲିଛନ୍ତି କେତେ
ରାସ୍ତା ଘାଟେ ନଦୀ ତୀରେ
ଆଜି ବି ଚାଲୁଛି ତୁମ ହାତ ଧରି
କଳ୍ପନାର ପରିସରେ ।
ଭ୍ରମ ରେ ପଡି ମୁଁ ଆଲିଙ୍ଗନ କରେ
ତୁମ ଛାଇ କୁ ମୋ ପାଶେ ଦେଖି
ପଦ୍ମ ପତ୍ର ପ୍ରାୟ ପ୍ରଶସ୍ତ ବକ୍ଷରେ ।

