ପ୍ରଭାତ ଦର୍ଶନ
ପ୍ରଭାତ ଦର୍ଶନ
ପ୍ରାଚୀତୁଠେ ବଧୂ ଗୋଟେ ପ୍ରାତଃ ସ୍ନାନ ସାରି
ଗୃହେ ଚଳେ ବେଗି ବେଗି ପିନ୍ଧି ନାଲି ଶାଢୀ
କପାଳରେ ନାଲି ବିନ୍ଦୁ ହସେ କିରି କିରି
କୁନ୍ତଳରୁ ସ୍ବର୍ଣ୍ଣ ରେଣୁ ପଡୁଛି ବିଛୁଡି ।
ଘାସ ଦେହେ ନେସା ଯେତେ କାକରର ଟୋପା
ଝଲସୁଛି ସତେ ମଣି ମାଣିକ୍ୟର ଛଟା
ତରଳ ସୁବର୍ଣ୍ଣ ପ୍ରାୟ ତରଙ୍ଗିଣୀ ଦିଶେ
ତରୁଡାଳେ ବିହଙ୍ଗମ କୂଜନ୍ତି ହରଷେ ।
ଲାଜେ ଜର ଜର ସଦ୍ୟ ପ୍ରସ୍ଫୁଟିତ ପୁଷ୍ପ
ପ୍ରମତ୍ତ ଭ୍ରମର ପ୍ରେମ ନିବେଦନେ ରତ
ମୃଦୁ ସମୀରଣେ ଡାଳ ନାଚେ ପୁଲକରେ
ଫୁଲ ସାଥେ ପ୍ରଜାପତି ହସି ଦୋଳି ଖେଳେ ।
ମନ୍ଦିରରୁ ଭାସି ଆସେ ମଙ୍ଗଳ ଆଳତୀ
କୁଳ ଭୁଆଷୁଣୀ ପୂଜେ ସତୀ ବୃନ୍ଦାବତୀ
ହରିବୋଲ ଶବଦରେ ଉଛୁଳେ ଗଗନ
ଭକ୍ତି ରସେ ବିମୋହିତ ତନୁ ମନ ପ୍ରାଣ ।
ଶକ୍ତି ଜାଗରଣେ ନବ ଉଦ୍ଦୀପନା ସୃଷ୍ଟି
ନୂଆ ଆଶା ଭରସାର ହେଉଛି କି ବୃଷ୍ଟି
ଆନନ୍ଦ ଉଲ୍ଲାସେ ପୁର ପଲ୍ଲୀ କୋଳାହଳ
ପ୍ରଭାତ ର ଆଗମନେ ପ୍ରକୃତି ଚଞ୍ଚଳ ।