STORYMIRROR

Binapani Tripathy

Romance

3  

Binapani Tripathy

Romance

ପଟ୍ଟଚିତ୍ର

ପଟ୍ଟଚିତ୍ର

1 min
319


ରାଗ ରୋଷ ତେଜି ପ୍ରୀତି ରଂଗେ ମଜ୍ଜି 

ପ୍ରିୟା ଆଙ୍କୁଛି ହଜିଲା ପ୍ରିୟ ଛବି 

ଅମା ଅଂଧକାରେ ପ୍ରକଟିଲା ଆଭା 

ଅବେଳରେ ଉଇଁଲେ କି ରବି !

ସୀମନ୍ତରେ ଖେଳେ ଲାଲିମାର ବନ୍ୟା 

ଚୂର୍ଣ୍ଣ କୁନ୍ତଳରୁ ଝରେ ସ୍ବର୍ଣ୍ଣ ରେଣୁ 

ଅପଲକ ନେତ୍ରେ ପାନ କରୁଥାଏ 

ପ୍ରିୟ ପୁରୁଷ ପୀୟୁଷ ଅଙ୍ଗରାଶି ।।


କୁଞ୍ଚି କୁଞ୍ଚି କେଶ ଘଞ୍ଚ ପରବତ 

ଟଣା ଟଣା ପଦ୍ମ କଳି ଆଖି 

ପ୍ରଶସ୍ତ କପାଳେ କି ସୁନ୍ଦର ଦିଶେ 

ବିନ୍ଦୁ ବିନ୍ଦୁ ଶ୍ରମାର୍ଜିତ ମୋତି ।

ସାଗରୁ ଗଭୀର ନୟନର ନୀଳ 

ଦୃଷ୍ଟି ସୀମାହୀନ ଶାନ୍ତ ନଭ

ବଧୂଲି ଫୁଲର ରକ୍ତିମ ଅଧରୁ 

ଅଧା ଅଧା ହସ ପଡେ ଖସି ।।


ଉଚ୍ଚ ଉଚ୍ଚ ସ୍କନ୍ଧ ସୁବିସ୍ତୀର୍ଣ ବକ୍ଷ

ବିଶାଳ ହୃଦୟ ବିଶ୍ବେ ଗୋଟେ 

ପ୍ରେମ ଦୟା କ୍ଷମା ପୁଣ୍ୟ ପୂଜାର୍ଚ୍ଚନା 

ଯହିଁ ପାରିଜାତ ପୁଷ୍ପ ଫୁଟେ ।

ନାଭି ମଣ୍ଡଳର କସ୍ତୁରୀ ମହକେ 

ବିମୋହିତ ପାନ୍ଥ ପଥଭ୍ରଷ୍ଟ 

ଚନ୍ଦନ ବନର ମହମହ ବାସ୍ନା 

ମନ ଅରଣ୍ୟରୁ ଆସେ ଭାସି ।।


ନବଘନ ପ୍ରାୟ ଉଜ୍ଜଳ ଶ୍ୟାମଳ 

ତେଜଦୀପ୍ତ ରୂପ କାନ୍ତି ତନୁ 

ସୁମିଷ୍ଟ ବଚନ ସତେ ବଂଶୀସ୍ବନ 

କର୍ଣ୍ଣେ ପ୍ରାପ୍ତ, କ୍ଳାନ୍ତି ହରେ ମନୁ ।

ପ୍ରିୟତମ ରୂପେ ପ୍ରଭୁ ହେଲେ ଉଭା 

ଅବା ପ୍ରଭୁ ରୂପେ ପ୍ରିୟତମ 

ଷୋଳ ଶୃଙ୍ଗାରରେ ଆଭୁଷିତା ପ୍ରିୟା

ନୃତରତା ସାଜି ଦେବଦାସୀ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Binapani Tripathy

Similar oriya poem from Romance