ତୁମ ନୀରବତା
ତୁମ ନୀରବତା
ମୁଁ ତ ଏକା ଭଲଥିଲି
ତୁମେ କାହିଁଆସୁଥିଲ
ମୋ ହୃଦୟ କୁଞ୍ଜବନେ?
ବାନ୍ଧିଦେଇ ପ୍ରୀତିର ସୂତାଟିଏ
ମୋ ମନ କଦମ୍ବରେ
ଚିହ୍ନଟିଏ ରଖିଦେଲ
ଯେପରି ମୁଁ ତୁମକୁ
କେବେ ଭୁଲି ନପାରେ।
ମୁଁ ତ କେବେ ମାଗିନାହିଁ କିଛି
ପାଇବାର ଆଶା ବି ରଖିନି କେବେ ବି
ତୁମେ ଆସିଲ ଯେପରି
ଅଜାଣତେ ମୋର
ଚୁପଚାପ ଚାଲିଗଲ ସେପରି
କିଛି ବି ନ କହି।
ତୁମର ଏଇ ନକହିବାର ଭାଷା
ଅନେକ କିଛି କହିଯାଏ
ମୁଁ ପଢି ପଢି ପଡିଯାଏ ଥକି
ତୁମେ କି କେଉଁ ଯାଦୁର କୁହୁକ
ମୋ ଆଖିକୁ ଏବେଯାଏଁ
ରଖିଅଛ ବାନ୍ଧି।
ତୁମର ସେ ସ୍ମିତହାସ୍ୟ
ବାରମ୍ବାର ମୋତେ ପକାଏ ଦ୍ବନ୍ଦରେ
ତୁମକୁ ନ ଭାବି
ବହୁତ କିଛି ଭାବିନିଏ
ସତରେ ତୁମେ ମୋର
ଅଛିଣ୍ଡା ହରଣଟିଏ।
କ'ଣ ଯେ କୁହ ତୁମେ ନୀରବ ଭାଷାରେ
ଜହ୍ନପରି ଭାରି ଅବୁଝା ତୁମେ
କେବେ ଗୁମ୍ ସୁମ୍
ରହି ରହି ଅଧା ଅଧା
ଉଙ୍କିମାର ମୋ ମନଆକାଶରେ।
କେବେ ଖେଳ ଲୁଚକାଳି
ମୋ ଆଖିର ଭସା ଭସା
ବାଦଲ ସାଙ୍ଗରେ
କେବେ ପୁଣି ହସି ହସି ଘୁରିବୁଲ
ନୀଳଆକାଶର
ସଫେଦ ଚାଦର ଦେହରେ।
ତୁମ ନୀରବତା
ଦିଏ ଅନେକ ଯନ୍ତ୍ରଣା
ମନ ଘାଣ୍ଟିହୁଏ
ଅଡୁଆା ପ୍ରଶ୍ନଗୁଡିକରେ
ସମାଧାନ ତ ମିଳେନା
ତୁମକୁ ପଚାରିବି ପଚାରିବି ବୋଲି
ପଚାରିପାରେନା।
ତଥାପି ଭାରି ଭଲଲାଗେ
ଖୋଜିବାକୁ
ତୁମ ଆଖିର ଭାଷାକୁ
ତୁମ ହସର କଥାକୁ
ତୁମର ସେ ମିଛ ଅଭିମାନସବୁ
ଧରି ରଖିବାକୁ।
ତୁମେ ରୁହ ଏମିତି ନୀରବରେ
ମୋ କବିତାରେ
ସାରାରାତି ମୁଁ ଖୋଜୁଥିବି
ତୁମ ନୀରବତାର ରହସ୍ୟକୁ
ତୁମେ ପ୍ରେମ ହୋଇ ଝରୁଥାଅ
ମୋ କଲମ ମୁନରେ।

