ମାୟାବିନୀ ଶୀତରାତି
ମାୟାବିନୀ ଶୀତରାତି
କବିତା - ମାୟାବିନୀ ଶୀତରାତି
ରଚନା - ପଞ୍ଚାନନ ଜେନା
ତାରିଖ -୦୭-୧୨-୨୦୨୫
++++++++++++++++++++
ଏହି ଯେ ମାୟାବିନୀ ଶୀତରାତି
ଏହି ଯେ କୁହୁକିନି ଶୀତରାତିର ମାଂସଳ ଛାତି
ଏହି ଯେ ମନସ୍ୱିନୀ ଶୀତରାତିର ଛାତି ତଳେ
ଖେଳେ ଥାକ ଥାକ କାନ୍ତ ଶାନ୍ତ ପ୍ରଶାନ୍ତ କାତି
ଏହି ଯେ ମାୟାବିନୀ ଶୀତରାତି .....୧
ଏହି ଯେ ମାୟାମୋହିନୀ ଶୀତରାତି ଲମ୍ବେଇଲାଣି
ପିଢ଼ା ଉପରେ ପାଣିକଖାରୁ ଡଙ୍କ ପରି
ଡଙ୍କେଇଲାଣି
ଏହି ଯେ କାୟାବିସ୍ତାରିଣୀ ଶୀତରାତି
ପାରଦ ଖସିଲାଣି ଥଣ୍ଡା ବଢିଲାଣି
ନିର୍ଜନତା ଉପରେ ଗାଢ଼ଅନ୍ଧାର
ବେତାଳ ପରି
ପିଠିରେ ଓହଳିଲାଣି ଏମିତି ସେମିତି
ଏହି ଯେ ମାୟାବିନୀ ଶୀତରାତି ....୨
ଏହି ଯେ ଛାୟା ପ୍ରଦାୟିନୀ ଶୀତରାତି ବଢିଲାଣି
ବହଳ ଅନ୍ଧାର ଭିତରେ କାୟା ଜମେଇଲାଣି
ଏହି ଯେ କାୟାପ୍ରକ୍ଷାଲିଣି ଶୀତନିଶିଥିନୀ ମାଡିଲାଣି
ଶୀତଳ ଜହ୍ନ ଆଲୁଅରେ ରୂପସୀ ଉର୍ବଶୀ ସାଜିଲାଣି
ଯାତନାର ଯତୁଗୃହେ ଅତୀତର ସ୍ମୃତିଫର୍ଦ୍ଧ ସବୁ
ତରଳି ବହିଗଲେଣି ନିଇତି ନିଇତି
ଏହି ଯେ ମାୟାବିନୀ ଶୀତରାତି.....୩
ଏହି ଯେ ସ୍ବପ୍ନସଙ୍ଗିନୀ ଶୀତରାତି ଅତି ନିଜର
ବିଛଣାରେ ଶୋଉ ଶୋଉ ଦେଖେଇ ଦିଏ
ତୁମ
ହଁସୁଲି ମୁଁହ ପଲକର ଜ୍ୟୋତି
ଏହି ଯେ ପ୍ରେମବନ୍ଧିନୀ ଶୀତରାତି ଅତି ସୁନ୍ଦର
ସପନରେ ଗୋପନରେ ଭେଟ କରି ଦିଏ
ତୁମ
ମଖମଲି ଶରୀର ଝଲକରେ ମାଳ ମାଳ ମୋତି
ଏହି ଯେ ମାୟାବିନୀ ଶୀତରାତି .....୪
ଏହି ଯେ ମାୟାବଲ୍ଲରୀ ଶୀତରାତିର ଜ୍ବଳନ
ମନ ହୃଦୟ ଆତ୍ମା ଡେଇଁ ଅନବରତ ବ୍ୟାପୁଥାଏ
ଏହି ଯେ ଛାୟାକୁତୁରୀ ଶୀତରାତିର ପଳାୟନ
ନୀରବ ନୀଥର ନିରୁତ୍ତର ଭାଷାରେ କହୁଥାଏ
ତୁମେ ଭାବନାରେ ଚେତନାରେ ଅନାବନା ଘାସଫୁଲ ପରି
ଜ୍ୟୋତିମୟୀ କିର୍ତ୍ତିମୟୀ ଦେହାତୀତ ପ୍ରୀତି
ଏହି ଯେ ମାୟାବିନୀ ଶୀତରାତି ....୫
