ସରଗ ରାଇଜ
ସରଗ ରାଇଜ
ସପନରେ ଦିନେ ସରଗ ରାଇଜେ
ଗୋପନରେ ପହଞ୍ଚିଲି
ନନ୍ଦନ ବନର ଚନ୍ଦନଗନ୍ଧରେ
ଆମୋଦିତ ହୋଇଗଲି |
ପାରିଜାତ ଫୁଲ ମଞ୍ଜୁଳ ବଞ୍ଜୁଳ
ଜୁଇ ଯାଇ ବଣ ମଲ୍ଲୀ
ମଧୁପ ଗୁଞ୍ଜନ ବିହଙ୍ଗମ ସ୍ଵନ
ଚାରୁ ଚନ୍ଦ୍ରାତପ ବଲ୍ଲୀ |
କୁଳୁକୁଳୁ ହୋଇ ସୁରଧୁନୀ ତହିଁ
ବହୁଥିଲା କଳକଳ
ସ୍ୱଚ୍ଛ ନୀଳନୀର ଘାଟ ମନୋହର
ସ୍ନାନରତ ପରୀ ଦଳ |
ଦେବ ଦେବନାରୀ ବନରେ ବିହରି
କେଳିରତ ମୁଁ ଦେଖିଲି
ଲତା ଉହାଡ଼ରେ ଲାଜେ ଆଉ ଡରେ
ନିଜ ତନୁ ଲୁଚାଇଲି |
ଦେଖେ ଦେଵଗଣ ସକଳେ ତରୁଣ
କି ସୁନ୍ଦର ମନୋହର
କାହାରି ପୟର ଛୁଇଁନାହିଁ ତଳ
ଅପଲକ ନୟନର |
ଗୌରବର୍ଣ୍ଣ କାୟା ନାହିଁ କାର ଛାୟା
ଵିଲୋକି ବିସ୍ମିତ ହେଲି
ନାଗର ନାଗରୀ ଶଙ୍କା ପରିହରି
ରମଣ ରତ ଦେଖିଲି |
ଏତିକି ବେଳରେ ପ୍ରହରୀ ନଜରେ
ସହଜେ ମୁଁ ପଡ଼ିଗଲି
ଧରିନେଇ ଖରେ ନୃପ ସମୀପରେ
ନେଇଯାଉ ଡରିଗଲି |
ଅମରଭୁବନ ଶୋଭାର ଭଵନ
ରଜତ ସ୍ଵର୍ଣ୍ଣେ ନିର୍ମିତ
ରାଜରାସ୍ତାମାନ ସ୍ପଟିକେ ନିର୍ମାଣ
ରୂପେଲି କୋଟାଚ୍ଛାଦିତ |
ଶ୍ୱେତବର୍ଣ୍ଣ ହସ୍ତୀ ଅଶ୍ୱ ପନ୍ତି ପନ୍ତି
ସଶସ୍ତ୍ର ସଇନଗଣ
ଖୋଲା ରଙ୍ଗମଞ୍ଚେ ବସିଥିଲେ ଉଚେ
ଇନ୍ଦ୍ର ମଣ୍ଡି ସିଂହାସନ |
ହେଉ ଉପଗତ ସକଳ ସାମନ୍ତ
ଅଗ୍ନି କୁବେର ତପନ
ମହିଷ ବାହନ ସେ ଯମ ରାଜନ
ଦେଖି ତନୁ ବିକମ୍ପନ |
ପୁଛିଲେ ବାସବ ରେ ମୁଢ଼ ମାନବ
ନନେଇ ମୋ ଅନୁମତି
ଆସିଅଛୁ ଯେଣୁ ଦଣ୍ଡ ଭୋଗ ତେଣୁ
କୁଦା ଐରାବତ ହସ୍ତୀ |
ଭୟରେ ଚିହିଳି ନିଦରୁ ଉଠିଲି
ଥରୁଥିଲି ଗୋଟାପଣେ
ସେହି ଅନୁଭୂତି ଏବେ ବି ସ୍ମରୁଛି
ନଆସୁ ଆଉ ସପନେ |
