ସ୍ମୃତି ଧୋଇଯାଏ
ସ୍ମୃତି ଧୋଇଯାଏ
ସ୍ମୃତି ଯେବେ ଝରେ ମନ ଉପବନେ
ପ୍ରୀତି ର ମହକ ନେଇ,
ନୀରବିତ ମନେ ଗହନ କାନନେ
ସପନ ସମ୍ଭାର ଛାଇ ।
ନୀରବତା ସ୍ବପ୍ନ ନିଃସଙ୍ଗ ସ୍ମୃତିରେ
ଭାବନା ନଦୀ ର ତୀରେ,
ଜଳିଜଳି ଯେବେ ଆଲୋକ ଦେଖାଏ
ହତାସରେ ମନ ଭରେ ।
ମନକୁ ସମର୍ପି ହୃଦୟେ ସାଇତି
ସ୍ମୃତିରେ ଯାହାକୁ ଝୁରେ,
ଆତ୍ମୀୟତା ଦେଇ ମନକୁ ଭୁଲାଇ
ବିଶ୍ବାସ ରେ ବିଷ ଭରେ ।
ଆସେ ବାଧା ବିଘ୍ନ ମାନ ଅପମାନ
ଶବ୍ଦ ର କଟାକ୍ଷ ବାଣ,
ଲୁହ ପିଇ ପାରେ ସତ୍ୟ ସିତ୍କାରରେ
ତଲ୍ଲୀନ ତନ୍ମୟ ପଣ ।
ଜିଇଁ ରହିଛି ମୁଁ ସିକ୍ତ ପାହାଚରେ
କବିତାର ସାହାରାରେ,
ସାଇତା ସପନେ କିଛି ଅବଶୋଷ
ଶବ୍ଦର ବର୍ଣ୍ଣ ବିଭାରେ ।
ବୁକୁଫଟା କୋହ ଅଜାଡି ଦେବାକୁ
ନୀରବରେ ଇଛା ହୁଏ,
ଆଖି କୋଣେ ଜମି ରହିଥିବା ଲୁହ
ନିଃଶବ୍ଦ ରେ ଝରିଯାଏ ।
ନୀରବିତ ମନ ବାହୁନି ଉଠଇ
ଏକାନ୍ତରେ କାନ୍ଦିବାକୁ,
ଧୈର୍ଯ୍ୟ ପରବତ ନିମଗ୍ନା ଚାଲିବ
ଛୁଇଁ ସାଗର ବକ୍ଷ କୁ ।
କାହିଁକି ଏ ମନ ବାର ବାର ଝୁରେ
ଅସୁମାରୀ ଲୁହ ତଳେ,
ଭୂମିରୁ ଆକାଶ ଆତ୍ମା ପରମାତ୍ମା
ନିରୁପିତ ଲକ୍ଷ୍ୟସ୍ଥଳେ ।
ଭାବର ଆବେଗେ ନୀରବତା ଖେଳେ
କେହି ନପାରନ୍ତି ଜାଣି,
ଆଖି ଲୁହ ପୋଛି କର୍ତ୍ତବ୍ୟ ପଥରେ
ମନ କୁ ଭୁଲାଏ ପୁଣି ।
ସ୍ମୃତି ଯେବେ ହଜେ ବିସ୍ମୃତି ଗର୍ଭରେ
ଆତ୍ମାରୁ ଆତ୍ମା କୁ ଛୁଇଁ,
ଆଖି ଭିଜି ଯାଏ ହୃଦୟ ବାହୁନେ
ଝରିଯାଏ ଲୁହ ହୋଇ ।
ଅବ୍ୟକ୍ତ ଯନ୍ତ୍ରଣା ଅକୁହା ବେଦନା
ଝରିଯାଉ ଲୁହ ହୋଇ,
ଝରା ଲୁହ ସାଥେ ସ୍ମୃତି ଧୋଇ ଯାଏ
ଭିଜା ପଲକକୁ ଛୁଇଁ ।
