ସ୍ୱାର୍ଥପରତାର ରଙ୍ଗୀନ ଚାଦର
ସ୍ୱାର୍ଥପରତାର ରଙ୍ଗୀନ ଚାଦର
ବଡ ବିଚିତ୍ର ଏ ସୃଷ୍ଟି ସମ୍ଭାର
ବଡ ବିଚିତ୍ର ବି ସ୍ରଷ୍ଟା ତାହାର।
ସ୍ନେହ ପ୍ରେମ ଦୟା କ୍ଷମା ଗୁଣକୁ
ମିଶାଇ ଗଢିଲେ ନର ଗଣକୁ।
ଯେତେ ବୁଦ୍ଧି ବିଦ୍ୟା ବିବେକ ଦେଇ
ମଣିଷ ଜାତିକୁ ରଚିଲେ ସେହି।
ସାରା ବିଶ୍ୱରେ ଶ୍ରେଷ୍ଠ ଜୀବ ସିଏ
ସରି ତାର ଆଉ ହେବ କି କିଏ।
ବିବେକ ହରାଇ ବସିଛି ନର
ଭୁଲିଛି ତାହାର ସବୁ ସଂସ୍କାର।
ପ୍ରେମର ଆଳେ କରେ ପ୍ରତାରଣା
ସ୍ନେହ ରୂପେ ପୁଣି କରେ ଛଳନା।
ବିଶ୍ଵର ଅମୃତ ସନ୍ତାନ ଆଜି
ବିଷ ଭରେ ବିଶ୍ଵେ ଭୁଜଙ୍ଗ ସାଜି।
ଯେଉଁ ବସୁଧାରେ ଜନମ ଲଭିଛି
ଧ୍ଵଂସ କରି ତାର ମୃତ୍ୟୁ ଡାକୁଛି।
ବିଶ୍ୱକୁ କ୍ଷଣେ ଦିଏ ବଦଳେଇ
ସ୍ୱାର୍ଥପରତାର ଲକ୍ଷଣ ଏଇ।
ଭୁଲାଇ ଦିଏ ସେ ସବୁ ସମ୍ପର୍କ
ଜଣା ପଡେନାହିଁ ସ୍ଵର୍ଗ କି ନର୍କ।
ସ୍ୱାର୍ଥପରତା ରଙ୍ଗୀନ ଚାଦର
ରଙ୍ଗ ଅନେକ ତା ରୂପ ହଜାର।
ମଣିଷ ମନକୁ ଏମିତି ଢାଙ୍କେ
ପାପର ଛବି ତା ମନରେ ଆଙ୍କେ।
ଭୁଲି ଯାଏ ସିଏ ଆପଣା ପର
ନିଜ ପାଇଁ କରେ ସଭିଙ୍କୁ ଦୂର।
ଏକଛତ୍ରବାଦୀ ସମ୍ରାଟ ହୁଏ
ସ୍ୱାର୍ଥ ପାଇଁ ପ୍ରଜା ଅହିତେ ଥାଏ।
ଅନ୍ୟାୟ ଅନୀତି ଅତ୍ୟାଚାରକୁ
ଶସ୍ତ୍ର କରି ଚାଲେ ସ୍ଵାର୍ଥ ଯୁଦ୍ଧକୁ।
ଅସମ୍ଭାଳ ଯେବେ ହୁଅଇ ମହୀ
ଆସ ବିଭୁ ପାପୀ ବିନାଶ ପାଇଁ।
ସ୍ଵାର୍ଥପରତା ରଙ୍ଗୀନ ଚାଦର
ଖୋଲିଦେଇ କର ଅନ୍ଧାର ଦୂର।
ସମୁଚିତ ମାର୍ଗ ଦିଶଇ ଯେବେ
ଶାନ୍ତି ମୈତ୍ରୀ ପ୍ରୀତି ବିରାଜେ ତେବେ।