ସୁନାପିଲା
ସୁନାପିଲା
ମଥାକୁ ସୁନ୍ଦର କେଶ,
ଓଠକୁ ସୁନ୍ଦର ହସ,
ସକାଳୁ ସକାଳୁ ଶେଯ ଛାଡି ଆଗେ,
ଭଲଭାବେ ଦାନ୍ତଘଷ |
ନଈକୁ ସୁନ୍ଦର ଜଳ,
ଗଛକୁ ସୁନ୍ଦର ଫଳ,
ବାଛିବାଛି ଖାଅ ସବୁଜ ପରିବା,
ଦେହରେ ବଢିବ ବଳ |
ପାଦକୁ ସୁନ୍ଦର ଜୋତା,
ଖରା ବରଷାକୁ ଛତା,
ମନ୍ଦକଥା କହି ମନରେ କାହାର,
ଦିଅ ନାହିଁ କେବେ ବ୍ୟଥା |
ହାତୀକୁ ସୁନ୍ଦର ଛତି,
ମାଛକୁ ସୁନ୍ଦର କାତି,
ପଢା ବେଳେ ପଢ଼,
ଖେଳ ବେଳେ ଖେଳ,
ମିଳିମିଶି ସାଙ୍ଗସାଥୀ |
ଅଜାଙ୍କୁ ସୁନ୍ଦର ବାଡ଼ି,
ରାସ୍ତାକୁ ସୁନ୍ଦର ଗାଡି,
ସତକୁହ ସଦା ମିଛ କୁହନାହିଁ,
କେବେ କା କଥାରେ ପଡି |
ଦେଶକୁ ସୁନ୍ଦର ରାଜା,
ବାହାକୁ ସୁନ୍ଦର ବାଜା,
ଗୁରୁ, ଗୁରୁଜନ ଦେବତା ସମାନ,
କର ତାଙ୍କୁ ଭକ୍ତି ପୂଜା |
ଦିଅଁଙ୍କୁ ସୁନ୍ଦର ରଥ,
ରଥକୁ ସୁନ୍ଦର ନେତ,
ସୁନାପିଲାଟିଏ ହେବ ଯଦି ତୁମେ,
ମୁଁ ହେବି ତୁମର ମିତ ||
