ଦେବାରେ କ'ଣ ଆନନ୍ଦ ନ ଥାଏ
ଦେବାରେ କ'ଣ ଆନନ୍ଦ ନ ଥାଏ
ଚନ୍ଦ୍ରକୁ ମାଗିଲି ଶୀତଳ ଜୋଛନା
କଇଁରାଣୀ କରେ ନାଇଁ
ସାଗରକୁ ନୀଳ ଢେଉଟା ମାଗିଲି
ମୁହଁ ମୋଡି ଦେଲା ନଈ
ଦେବାରେ କି ସୁଖ ନାହିଁ,
ଯିଏ ଯାହାପାଇଁ ତା ପାଇଁ |
ରାତିକୁ ମାଗିଲି ନିଦ ଟିକେ ଦେ
ଯିବି ନିଃଶବ୍ଦ ରେ ଶୋଇ
ସପନ ଟା ତାକୁ ଚୋରାଇ ନେଲାଣି
. ନିଦ ହଜିଗଲା କାହିଁ !
ଦେବାରେ କି ସୁଖ ନାହିଁ,
ଯିଏ ଯାହାପାଇଁ ତା ପାଇଁ |
ଘୁଙ୍ଗୁର ଛନ୍ଦ ରେ ତାଳ ମୁଁ ମାଗିଲି
ପାଉଁଜି ଯାଏ ଲାଜେଇ
ବଇଁଶୀ ର ସ୍ୱର ରାଧା କୁ ଅଡୁଆ
କୁଞ୍ଜବନେ ଯାଏ ଧାଇଁ
ଦେବାରେ କି ସୁଖ ନାହିଁ,
ଯିଏ ଯାହାପାଇଁ ତା ପାଇଁ |
ହାତପାତି ଧରା ମାଗେ ଆକାଶ କୁ
ଦେବାକୁ ବାରି ଝରାଇ
ପବନ ମଉନେ ଗୁମାନ କରିଛି
ରହୁଛି ମୁହଁ ଶୁଖାଇ
ଦେବାରେ କି ସୁଖ ନାହିଁ,
ଯିଏ ଯାହାପାଇଁ ତା ପାଇଁ |
ଫୁଲ କୁ କହିଲି ପାଖୁଡା ବିଛେଇ
ଦେବାକୁ କୋଳେ ଶୁଆଇ
ଅଳି ସୁକୁମାରୀ ଭାବୁଛି ମୁଁ କାଳେ
ନେବି ତା ମଧୁ ଚୋରାଇ
ଦେବାରେ କି ସୁଖ ନାହିଁ,
ଯିଏ ଯାହାପାଇଁ ତା ପାଇଁ |
ମୁଁ ମାଗିଥିଲି ତୋ ମନ ଠିକଣା
ମାଗି ମାଗି ଦେଲୁନାହିଁ
ମୁଁ କିନ୍ତୁ ଦେବାକୁ ଚାହିଁବସିଅଛି
ମୋ ପ୍ରେମ ର ଠିକଣା ସହି
ଦେବାରେ ତ ସୁଖ ଏଇ,
ତୁହି ମୋପାଇଁ ମୁଁ ତୋପାଇଁ |
