କଙ୍କାଳର ଉକ୍ତି
କଙ୍କାଳର ଉକ୍ତି
ସଂସ୍କାରବିହୀନ ମଣିଷ ଜାତିଟା
ହୋଇଛି କଙ୍କାଳସାର,
ଦେହେ ରକ୍ତ ମାଂସ ଚର୍ମ ଥାଇ ମଧ୍ୟ
ହୁଅଇ ମଣିଷ ଛାର ।
ସଦବୁଦ୍ଧି ସଦଜ୍ଞାନ ହରାଇଛି
ନରମାଂସକୁ ଭକ୍ଷଣ,
ପିଶାଚ ସାଜିଛି ଆଜିର ଯୁଗରେ
ନିଜକୁ କରେ ଦଂଶନ ।
ଭୟଙ୍କର ଦୃଶ୍ୟ ନିଜେ ସୃଷ୍ଟିକରେ
ନିଜେ ମଣିଷ କଙ୍କାଳ,
ସମାଧି ଭିତରୁ କଙ୍କାଳ କହଇ
ମୁହିଁ ଏ ଯୁଗର କାଳ ।
କଙ୍କାଳ ଦୁର୍ଦ୍ଦଶ କର୍କଶ କଣ୍ଠରେ
କହଇ ଉଚ୍ଚ ସ୍ବରରେ,
ରେ ମଣିଷ ଜାତି ଆସିଛି ଅରାତି
ମୋହଠାରୁ ରୁହ ଦୂର ।
କଙ୍କାଳର ଶବ୍ଦ ଦୂରୁ ଦୂରେ ଶୁଭେ
ତାଚ୍ଛଲ୍ୟ ଭାବକୁ ଧରି,
ସମସ୍ତ ଦେଖଇ ନର ପିଶାଚଙ୍କୁ
ଅକାଳେ ମାରିବି ଧରି ।
>
ଅନୀତିର ସେହି ଦୃଢ଼ ଶୃଙ୍ଖଳକୁ
କାଟି କରିଦେବି ଧ୍ବଂସ,
ମୁହିଁରେ କଙ୍କାଳ କରି ଧ୍ବଂସଲୀଳା
ପାପ କରିଦେବି ନାଶ ।
ମଣିଷ ଜାତିର ଧ୍ବଂସ କରିଦେଇ
ଦେଖାଅ ବଡ଼ିମା ରୀତି,
କେତେବେଳେ କେଉଁ ରୂପରେ ଆସିବ
ଦିନ ହୋଇଯିବ ରାତି ।
କଙ୍କାଳର ପାଇଁ ଦିନରାତି ଏକା
ମୋର ବଳ ଦୁଇଗୁଣ,
ଏକା ନିମିଶକେ ମାରି ପକାଇବି
ହୋଇବ ତୁମ୍ଭେ ନିଉନ ।
ସାରା ସଂସାରରେ ରାଜତ୍ବ କରିବ
କଙ୍କାଳ ସାର ଶାସନ,
ମଣିଷ ଜାତିକୁ ଏକ କରିଦେବି
ଏକ କରି ଦୁଇ ମନ ।
କଙ୍କାଳର ଉକ୍ତି କାନ ଡେରି ଶୁଣ
ହୁଅ ତୁମ୍ଭେ ସାବଧାନ,
ବେଳ ଥାଉ ତୁମ୍ଭେ ସୁଧୁରି ଯାଅରେ
ନହେଲେ ହେବ ନାଶନ ।