ଜନ୍ମ ଜନ୍ମ ପାଇଁ ଋଣି
ଜନ୍ମ ଜନ୍ମ ପାଇଁ ଋଣି
କିଛି ମନ କଥା
ହୃଦୟର ଅବ୍ୟକ୍ତ ବେଦନା
ଆଜି, ମାଆ କୁ କହିବାର ଇଚ୍ଛା
ଜୀବନ-ଦାତ୍ରୀ ଙ୍କୁ ଜୀବନର କଥା
ଜୀବନ ଯିବା ଆଗରୁ , ଜୀବନ ନାଟକର କଥା
ଆଉ ଯୌବନର ନାହିଁ ଉଦାମତା
ନାହିଁ ରସିକ ପଣିଆ
ନାହିଁ ସ୍ତନ୍ୟ ପ୍ରତି ଦୁର୍ବଳତା,ନାହିଁ ଆକର୍ଷଣ
ପିଲାଳିଆମି ବୁଦ୍ଧି ପୁଣି ହୃଦେ ଉଜ୍ଜୀବିତ
ମାତୃ ସ୍ତନ୍ୟ ଅମୃତ କଳସୀ ତୃଷ୍ଣା
ମନରେ ଥିଲା ଓ ରହିବ
ଗୃହସ୍ଥ ଜୀବନ ର ତିକ୍ତ ଅନୁଭୂତି
କେମିତି , ମାଆ ତୁ ସହି ଗଲୁ ସବୁ!!
କାହ୍ନୁ ପରି ଅଝଟ ପଣିଆ ଦେଖିଛୁ
ଯଶୋଦା ପରି ତୁ ଆକଟ କରିଛୁ
ଘରୁ ବାହାରକୁ ଗଲେ,ବାଟ ଚାହିଁ ରହୁ ଥିଲୁ
କାଳେ ରାମ ପରି ଘର ଛାଡ଼ି ଯିବି..!!
ବୁଦ୍ଧି ଜ୍ଞାନ ଦେଖି ଗର୍ବିତ ହୋଇଛୁ
ସତେ ଅବା ମୁଁ ଥିଲି ପାର୍ବତୀ ନନ୍ଦନ!
ବାଇଗଣ ଡେମ୍ଫ ପରି ଚୁଟି ବାନ୍ଧି
କପାଳ ର ଆଖ ପାଖେ କଳା ଟୋପା
ନଜର ନ ଲାଗୁ ବୋଲି
କୋଳରେ ଥିଲା ବେଳେ ପରିସ୍ରା କରିଛି
ଅବା ଶୋଇବା ଶେଯରେ
ପିଲା ଟା,ବଡ ହେଲେ ଜାଣି ଯିବୁ!
ସେଇ କଥା ଆଜି ବି ଭାବୁଛି
ବହୁତ ବଡ ବି ହେଲି
ଦୁନିଆ-ଦାରୀ ବି ଦେଖିଲି
ମା କୋଳ ଛାଡ଼ି ମାୟା କୋଳରେ ରହିଲି
ନୂଆ ନୂଆ ସ୍ତନ୍ୟ ପାନ କଲି
କିନ୍ତୁ, ସେଇ ଅମୃତ ନାହିଁ ଲୋ ମାଆ !!
ଯେଉଁ ଅମୃତର ଆସ୍ୱାଦନେ ଥିଲା ଶକ୍ତି
ଥିଲା ସ୍ନେହ ମମତାର ବାସ୍ନା !
ଶରୀର ର ପ୍ରତି ରକ୍ତ ବିନ୍ଦୁ
ମସ୍ତିଷ୍କର ସ୍ନାୟୁ ,ହୃଦୟର ତନ୍ତୁ,ପୁଣି ଧମନୀ ସମୂହ
ଏକ ସ୍ୱରେ କହୁଛନ୍ତି, ମାଆ ହିଁ ମହାନ
ମାଆ କୋଳେ ଥିଲା ସ୍ନେହ ପ୍ରେମ ଧାରା
ସେଇ ସ୍ନେହ ମମତାର ଋଣ
ସୁଧ ସହ ସୁଧ ମିଶି ବଢ଼ୁ ଅଛି
ଅନ୍ୟ ଅର୍ଥେ ଚକ୍ର ବୃଦ୍ଧି ସୁଧ ହାରେ
ଆଉ କିଛି ନାହିଁ ଲୋ , ମାଆ
ସବୁ ଥାଇ ବି କାଙ୍ଗାଳ
ବରଂ,ଲଙ୍ଗଳା ବେଳରେ ଥିଲି ସୌଦାଗର
ଜନ୍ମ ଜନ୍ମ ପାଇଁ ଋଣି
ଯଦି କେବେ ପୁଣି ଜନ୍ମ ହେବାକୁ ହେବ
ମୋତେ ନେବୁ ମା କୋଳେଇ,ପୁଣି ଥରେ
ମୁଁ ପରା ଋଣୀ ତୋ ପାଖେ!!
ଜନ୍ମ ଜନ୍ମ ପାଇଁ ଋଣି! ।।