ହଜିଗଲା ମୋ ବାଲିଘର
ହଜିଗଲା ମୋ ବାଲିଘର
କିଏ କିଣିନେଲା
ମୋ ନଡ଼ିଆ ଖପରି ଖେଳ
କେବେ ଭଙ୍ଗା ଚୁଡ଼ି ଆଉ ଧଳା କଉଡ଼ି
ହେଳେ ସାଙ୍ଗ ସାଥେ ଗଢ଼ିଥିଲି ବାଲି ଘର
ଶଢ଼େଇରେ ମିଛମିଛ ରାନ୍ଧଣା,
ପୁଣି କଇଁକଇଁ କାନ୍ଦଣା
ଆଉ ହାତେଧରି ରାଜା ରାଣୀ
କଣ୍ଢେଇର କରୁଥିଲୁ ବାହାଘର ।
କିଏ ବୋଳିଦେଲା
ମୋ ଦେହେ ଷୋଳ ଫଗୁଣ,
ଫୁଟିଉଠେ ଯଉବନ ଋପ ସମ୍ଭାର
ଗଧୁଆ ତୁଠକୁ ନିଏ ମୁଁ ରଙ୍ଗ ହଳଦୀ
ନୁଆଁ ଶାଢ଼ୀ ପିନ୍ଧା, ପୁଣି କାଞ୍ଚଲା ବନ୍ଧା
କାଖରେ କଳସୀ,ଆଉ ଚାଲି ମୋ ଅଳସି
ହାତେ ମଞ୍ଜୁଆତି ନାଇ
କବରିରେ ମାରିଛି ମୁଁ ମଲ୍ଲି ମାଳ
ରଜ ମଉଜରେ ଖାଇ ଖିଲିପାନ
ପାଣିରେ ମୋ ମୁହଁ ଦେଖେ ବାରବାର ।
କିଏ ବଦଳେଇଦେଲା
ମୋ ଦେହର ଓଢ଼ଣୀ
କରିଲା ମୋ ଓଢ଼ଣା ମଥାର
ପାଦେ ବାନ୍ଧିଦେଲା ବେଡି଼ ପାଉଁଜିର
କପାଳେ ସିନ୍ଦୁର ଚି଼ତା ହାତରେ କଙ୍କଣ
ମୁହଁରେ ଲାଜ ଗହଣା
ପାଦରେ ମୋ ନାଲିନାଲି ଅଳତା ଗାର
ମନ ହଜିଯାଏ ନିତି ସାତ ସପନ ରେ
ହଜିଲା ଦିନକୁ ରଖି ଗୋପନରେ
ଗଢ଼ିଥିଲି ରହିବାକୁ ଦିନେ କୁହୁଡିରେ ଘର ।
କିଏ ନେଇଗଲା
ମୋ ଅସରନ୍ତି ସକାଳ
ମୁଦା ଆଖିତଳେ ଥାଇ ଅନେକ ସପନ
ଏକାଏକା ଲାଗେ ଏ ବ୍ୟସ୍ତ ଜୀବନ
ଅଣ ନିଶ୍ୱାସି ଲାଗେ ଲୋକ ଗହଳିରେ
ଏଇ ସମାଜରେ ପୁଣି
ଯୋଗଦିଏ ଜୀବନ ଯୁଧ୍ୟରେ
ଛନ୍ଦିହୋଇ ଯାଏ ଆଜି କାହା ବନ୍ଧନରେ
ହଜିଯାଏ ମୁଁ ଯେ ନିତି ଘରକରଣାରେ ।
ମିଛ ଦୁନିଆରେ
କେହି ନୁହଁନ୍ତି କାହାର
ଧୁଆଁ ଧୁଆଁ ଦିସେ ଏ ଦାଣ୍ଡ ଦୁଆର
ଦିନେ ଯେଉଁ ସକାଳରେ ମୁଁ ହସି ଉଠୁଥିଲି
ସେ ହସକୁ ଖୋଜୁ ଖୋଜୁ ସଞ୍ଜ ନଇଁଯାଏ
ଗଦାଗଦା ବାଲି ଦିଶେ ରାସ୍ତା ଚାରିଆଡ଼େ
ଖୋଜେ ମୁଁ ସେଇଠି ମୋ ପିଲାବେଳ
ଖାଁ ଖାଁ ରାସ୍ତା ଏଠି ଧୋକା ମିଳେ ସସ୍ତା
କୁଆଡ଼େ ବି ଦେଖାନାଇଁ ସୁ ସମ୍ପର୍କର
ଅତୀତରେ ସେଇ ମୋର ହାତଗଢ଼ା
ଗୋଡ଼ି ମାଟି ମିଶା ମୋ ବାଲି ଘର ।
