ନାରଦଙ୍କ ଅସ୍ଥିରତା
ନାରଦଙ୍କ ଅସ୍ଥିରତା
ନାରାୟଣ ନାରାୟଣ ନାରାୟଣ
ନାମ କରି ଉଚ୍ଚାରଣ
ସମ୍ବାଦ ବାହକ ଦେବର୍ଷି ନାରଦ
ସଦା କରନ୍ତି ଭ୍ରମଣ
ଜ୍ୟେଷ୍ଠ କୃଷ୍ଣ ପ୍ରତିପଦ ତିଥି ସ୍ଥିର
ନାରଦ ଜୟନ୍ତୀ ଭାବେ
ପାଳନ ହେଉଛି ପ୍ରାୟତଃ ସର୍ବତ୍ର
ଯଥା ବିଧି ବଦ୍ଧ ଭାବେ
ଦେବତାଙ୍କ ସହ କଥୋପକଥନ
ଭିନ୍ନ ଭିନ୍ନ ପ୍ରସଙ୍ଗରେ
ପୁରାଣ ପୃଷ୍ଠାରେ ହୋଇଛି ବର୍ଣ୍ଣିତ
ନାରଦଙ୍କ ବିଷୟରେ
ପୁରାଣ ପୃଷ୍ଠାରେ ରହିଛି ପ୍ରାୟତଃ
ନାରଦ ଉବାଚ ଉକ୍ତି
ପଠନ ଶ୍ରବଣ ବେଳେ ନାରଦଙ୍କ
ଖ୍ୟାତି ଜ୍ଞାତ ବି ସମ୍ପ୍ରତି
ନାରଦଙ୍କ ବିଷ୍ଣୁ ଭକ୍ତି ଭାବ ପ୍ରାୟ
ସହଜରେ ଅନୁମେୟ
ନାରାୟଣ ଉଚ୍ଚାରଣ ସହ ଧ୍ୟାନ
ବିଷ୍ଣୁ ପାଦେ ରଖି ଲୟ ।
ଗୀତା ମାଧ୍ୟମରେ ଶ୍ରୀକୃଷ୍ଣ ମୁଖରେ
ନାରଦଙ୍କ ମହାନତା
ଦେବର୍ଷି-ମାନଙ୍କ ମଧ୍ୟରେ ନାରଦ
ନାମେ ହିଁ ଅଛି ଶ୍ରେଷ୍ଠତା
ବ୍ରହ୍ମାଙ୍କର ମାନସ ପୁତ୍ର ଭାବରେ
ନାରଦଙ୍କ ପରିଚୟ
ଅସରନ୍ତି କାହାଣୀ ଧର୍ମ ଗ୍ରନ୍ଥରେ
ନାରଦ ନାମରେ ଥୟ
ବ୍ରହ୍ମା ଦ୍ଵାରା ପ୍ରଜା ସୃଷ୍ଟି ସନ୍ତାନଙ୍କୁ
ନାରଦ ଜ୍ଞାନ କହିଲେ
ନାରଦଙ୍କ ତତ୍ତ୍ଵ ଉପଦେଶ ବଳେ
ସଂସାର ବିରାଗୀ ହେଲେ
କ୍ରୋଧିତ ବ୍ରହ୍ମାଙ୍କ ଅଭିଶାପ ବଳେ
ନାରଦଙ୍କ ଅସ୍ଥିରତା
ସ୍ଵର୍ଗ ମର୍ତ୍ତ୍ୟ ପାତାଳ ପରିଭ୍ରମଣ
ସମ୍ପ୍ରତି ହେଲା ମାନ୍ୟତା
ମନ ପବନ ଯାନ ସହ ବୀଣା ହାତେ
ନାରଦ କଲେ ଭ୍ରମଣ
ତିନି ଲୋକ ଦେବ ଦାନବ ଙ୍କ ବାର୍ତ୍ତା
କ୍ରମେ କଲେ ପ୍ରସାରଣ ।
ବାର୍ତ୍ତା ଯୋଗାଣ ଓ ପ୍ରଚାର ପ୍ରସାର
ବଳେ ଘଟିଲେ କଳହ
କଳହ ର ସୂତ୍ରଧର ପଦବୀର
ସହଜେ ହେଲା ପ୍ରତ୍ୟୟ
ଅନେକ କାହାଣୀ ତଥ୍ୟ ସହ ସୁତ୍ର
ନାରଦ ନାମେ ଜଡ଼ିତ
ପ୍ରଥମ ସମ୍ବାଦ ବାହକ ଭାବରେ
ନାରଦ ହିଁ ପରିଚିତ
ନାରାୟଣ ନାରାୟଣ ନାରାୟଣ
ଉଚ୍ଚାରଣ ଶୁଣି କର୍ଣ୍ଣେ
ନାରଦଙ୍କ ଏହି ଉକ୍ତି ଯଥାର୍ଥତା
ଅଛି ଭଜନ କୀର୍ତ୍ତନେ
ତୋଷାମଦିଆର ଭାବନା ସହିତ
ସାମ୍ବାଦିକ ଓ ସମ୍ବାଦ
ଯୁଗ ଯୁଗ ପାଇଁ କଥା ରହିଯିବ
ପ୍ରତି ପାଦରେ ବିପଦ
ନାରଦଙ୍କ ପରି ସତ୍ୟ ସମ୍ବାଦର
ହେଉ ସଦା ପ୍ରସାରଣ
ନିର୍ଭୀକତା ଓ ସାଧୁତା ହେଉ ଲକ୍ଷ୍ୟ
ଜୀବନରେ ଏକ ପଣ ।
