STORYMIRROR

Bidyadhar Mantry

Drama Classics Others

4  

Bidyadhar Mantry

Drama Classics Others

ରଖ ହେ ଦଶ ଦିଗପାଳ

ରଖ ହେ ଦଶ ଦିଗପାଳ

1 min
19


ଦିଗପାଳ ରୂପେ ଦେବତାଙ୍କ ସ୍ଥିତି

ଦଶ ଦିଗେ ବିରାଜିତ

ପ୍ରତି ଶୁଭ ଅନୁଷ୍ଠାନ ଆରମ୍ଭରେ

ବିଧି ବିଧାନେ ପୂଜିତ

ଚାରି ଦିଗ ସହିତରେ ଚାରି କୋଣ

ଅଷ୍ଟ ଦିଗ ନାମେ ଜ୍ଞାତ

ଉର୍ଦ୍ଧରେ ଆକାଶ ଓ ଅଧଃ ସହିତ

ଦଶ ଦିଗରେ ବିଦିତ

ପୂର୍ବ ଦିଗେ ଇନ୍ଦ୍ର,ପଶ୍ଚିମେ ବରୁଣ

କୁବେର ଉତ୍ତର ଦିଗେ 

ଦକ୍ଷିଣରେ ଯମ ଦେବଙ୍କ ଆସ୍ଥାନ

ଚାରି ଦେବ ଚାରି ଦିଗେ

ଐଶାନ୍ୟ ରେ ଶିବ ଆଗ୍ନେୟରେ ଅଗ୍ନି

ବାୟୁ ଦେବ ବାୟବ୍ୟ ରେ 

ସୂର୍ଯ୍ୟଙ୍କ ଆସ୍ଥାନ ସହଜେ ପ୍ରତ୍ୟୟ

ମାତ୍ର ନୈଋତ ଦିଗରେ

ଉର୍ଦ୍ଧ ଦେଶେ ବ୍ରହ୍ମ ଦେବଙ୍କ ଆସ୍ଥାନ

ଅନନ୍ତ ଅଧଃ ଦେଶରେ 

ଦଶ ଦିଗେ ଦଶ ଦିଗପାଳ ବ୍ୟସ୍ତ

ସକଳ ପ୍ରାଣୀ ହିତରେ ।


ମଧୁ ଓ କୈଠଭ ଦୈତ୍ୟଙ୍କ ମେଦ ରୁ

ମେଦିନୀ ଉତ୍ପତ୍ତି ପରେ

ସ୍ଥିର ଓ ଅଚଳ ରହିବା ପ୍ରସଙ୍ଗ

ବିଷ୍ଣୁଙ୍କ ଯୋଜନା ଧାରେ

ଯୋଗ ଶକ୍ତି ବଳେ ସୃଷ୍ଟି ଅଷ୍ଟ ଚଣ୍ଡୀ 

ଅଷ୍ଟ ଦିଗେ ନିୟୋଜିତ

ଅଷ୍ଟ ଦିଗପାଳ ସହ ଅଷ୍ଟ ଚଣ୍ଡୀ

ଅଷ୍ଟ ଦିଗେ କାର୍ଯ୍ୟରତ

ଏକ ସୂତ୍ରେ ଗୁନ୍ଥା ଭିନ୍ନ ଭିନ୍ନ ସୂତା 

ଯେପରି ଏକ ବସନ

ସବୁ ପିଣ୍ଡ ମିଶି ହୋଇଛି ବ୍ରହ୍ମାଣ୍ଡ

ସଭିଏଁ ବ୍ରହ୍ମରେ ଲୀନ 

ସବୁ ଦେବ ଦେବୀ ଚାଳିତ ହୁଅନ୍ତି

ପରଂବ୍ରହ୍ମ ଯୋଜନାରେ

ଦଶ ଦିଗପାଳ ସେଇ ଆଧାରରେ

କାର୍ଯ୍ୟରତ ନିରନ୍ତରେ


ଜ୍ଞାନର ଅନନ୍ତ ସମୁଦ୍ର ମନ୍ଥନ

ଋଷି ମୁନି ଦ୍ଵାରା କୃତ

ବ୍ୟାବହାରିକ ଓ ତତ୍ତ୍ଵ ଜ୍ଞାନ ସବୁ

ବିଭିନ୍ନ ଶାସ୍ତ୍ରେ ଲିଖିତ

ତନ୍ମଧ୍ୟରୁ ବାସ୍ତୁ ଶାସ୍ତ୍ର ଅନ୍ୟତମ

ଦିଗ ସହିତ ଜଡ଼ିତ

ବାସ ଗୃହ ତଥା ବୃତ୍ତି ବ୍ୟବସାୟେ 

ଦଶ ଦିଗ ଆଧାରିତ

ଶାସ୍ତ୍ର ପ୍ରଣୋଦିତ ସୁତ୍ର ଆଧାରରେ

ଦଶ ଦିଗର ଗୁରୁତ୍ବ 

ଦଶ ଦିଗ ସହ ଦଶ ଦିଗପାଳ 

ବିଧି ବିଧାନେ ପୂଜିତ ।


ମନ୍ଦିର ପ୍ରତିଷ୍ଠା ତଥା ହୋମ ଯଜ୍ଞ 

ଯେବେ ହୁଏ ଆୟୋଜନ

ଦଶ ଦିଗପାଳ ଆବାହନ ସହ

ହୁଏ ବିଧାନେ ପୂଜନ

ପ୍ରଜ୍ଜ୍ଵଳିତ ହୋମ ଅଗ୍ନି ଚାରିପଟେ

ବିବାହ ବେଦୀ ପାଖରେ

ଦଶ ଦିଗପାଳ ସାକ୍ଷୀ ରଖି ବର 

ସିନ୍ଦୂର ଦିଏ ମଥାରେ

ଜୀବନର ଶେଷ ଦୃଶ୍ୟ ଶ୍ମଶାନରେ

ଶରୀରେ ନ ଥାଏ ଦମ୍ଭ

"ରଖ ହେ ଦଶ ଦିଗପାଳ" ଉଚ୍ଚାରି 

ଶବ ଦାହ କାର୍ଯ୍ୟାରମ୍ଭ ।


ଅଷ୍ଟ ଦିଗପାଳ ସହ ବ୍ରହ୍ମା ବିଷ୍ଣୁ

ମାନ୍ୟ ଦିଗପାଳ ଦଶ 

ଶ୍ରୀମନ୍ଦିରେ ସ୍ପଷ୍ଟ ଭାବେ ଅନୁମେୟ

ଦଶ ଦିଗପାଳ ଦୃଶ୍ୟ ‌



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama