STORYMIRROR

Bidyadhar Mantry

Drama Classics Inspirational

4  

Bidyadhar Mantry

Drama Classics Inspirational

ଜୀବନର ଧାରା ପ୍ରଚାର ପ୍ରସାର ଧାରେ

ଜୀବନର ଧାରା ପ୍ରଚାର ପ୍ରସାର ଧାରେ

3 mins
7


ସଭ୍ୟ ସମାଜରେ ଗଣ ମାଧ୍ୟମର

ରହିଛି ଗୁରୁ ଦାୟିତ୍ୱ 

ସମ୍ବାଦ ପ୍ରଚାର ପ୍ରସାର କାର୍ଯ୍ୟରେ

ରହିଛି ପ୍ରଚ୍ଛନ୍ନ ହାତ

ଖବର ପରିବେଷଣ ସହିତ

ସାମାଜିକ ମୂଲ୍ୟବୋଧ

ସମାଜ କଲ୍ୟାଣ ଉଦ୍ଦେଶ୍ୟରେ କରେ

ଅନ୍ୟାୟର ପ୍ରତିରୋଧ

ଜନ ସଚେତନତାର ଭବ୍ୟ କ୍ଷେତ୍ର

ଭାବେ ହୁଏ ବ୍ୟବହୃତ

ପ୍ରତ୍ୟେକ କ୍ଷେତ୍ରରେ ବହୁଳ ମାତ୍ରାରେ

ପ୍ରାୟ ସଭିଏଁ ଅଭ୍ୟସ୍ତ ।


ସମ୍ବାଦ ପ୍ରଚାର ପ୍ରସାର ପ୍ରାୟତଃ

ଅଛି ସୃଷ୍ଟି ଆରମ୍ଭରୁ

ବହୁ ବିଧ କାର୍ଯ୍ୟ ହୁଏ ସମ୍ପାଦନ

ତ୍ୱରାନ୍ୱିତ ସମ୍ବାଦ ରୁ

ପୌରାଣିକ କଥାବସ୍ତୁ ଅନୁସାରେ

ନାରଦ ଆଦ୍ୟ ସେବକ

ସାମ୍ବାଦିକତା କୁ ସେବା ଭାବି ହୃଦେ

ସଦା ଦକ୍ଷ ସାମ୍ବାଦିକ

ସତ୍ୟ ଧର୍ମ ନ୍ୟାୟ ରକ୍ଷା ସହିତରେ

ଅସହାୟ କୁ ସହାୟ

ତିନି ପୁରେ ଯୋଗ-ସୁତ୍ର ରକ୍ଷା କରି

ସ୍ଵୟଂ ପ୍ରାୟତଃ ଅଥୟ


ସଭ୍ୟତାର କ୍ରମ ବିକାଶ ଧାରାରେ

ପ୍ରତି କ୍ଷେତ୍ରରେ ବିକାଶ

ବିଜ୍ଞାନର ଅବଦାନ ବଳେ ବଳୀୟାନ

ଦ୍ରୁତ ଓ ଧୃତ ମଣିଷ

ସମ୍ବାଦ ପ୍ରଚାର ପ୍ରସାର ଶୈଳୀରେ

ଅଦ୍ଭୁତ ପରିବର୍ତ୍ତନ

ମିଥ୍ୟା ଖବର ବି ସତ୍ୟ ରୂପ ସହ

ହେଉଛି ପରିବେଷଣ

ସମୟର ତାଳେ ଚାଲୁଛି ମଣିଷ

ପରିବର୍ତ୍ତନ ଧାରାରେ 

ସମାଜର ରୂପ ରେଖ ବଦଳୁଛି 

ମଣିଷ ସ୍ବଭାବ ଧାରେ

ରଥ ଅଖ ଚକ ପରି ଗତିଶୀଳ

ପ୍ରାୟ ମଣିଷ ଜୀବନ 

ଗତିଶୀଳ ପଥେ ମଣିଷ ସମାଜ

କ୍ରମଶଃ ପରିବର୍ତ୍ତନ 

ମଣିଷ ସଭ୍ୟତା ବିକାଶ ପଥରେ

ସମୟର ଆହ୍ଵାନରେ 

ପରିବର୍ତ୍ତନ ର ଛାପ ସ୍ପଷ୍ଟ ଭାବେ

ସମ୍ବାଦ ପ୍ରଚାର ଧାରେ ।


ସଂସ୍କାର ସଂସ୍କୃତି ଶିକ୍ଷା ପରମ୍ପରା 

ଭକ୍ତି ଭାବ ପ୍ରେମ ପ୍ରୀତି

ପ୍ରତ୍ୟେକ କ୍ଷେତ୍ରରେ ଭିନ୍ନ ରୂପ ରେଖ 

ପରିବର୍ତ୍ତନ ସମ୍ପ୍ରତି

ଜୀବନ ଶୈଳୀରେ ପାରମ୍ପରିକତା 

ପରିବର୍ତ୍ତନ ଦୌଡ଼ରେ

ବ୍ୟର୍ଥ ଓ ଅପ୍ରାସଙ୍ଗିକତା ପରମ୍ପରା

ବଦଳେ ପୂର୍ଣ୍ଣ ମାତ୍ରାରେ

ସମାଜରେ ପରିଚିତ ପ୍ରଥା ଆଜି

ହଜିଛି ପ୍ରତି ପାଦରେ

ଆଧୁନିକ ଭୌତିକ ବସ୍ତୁ ସହିତ

ଆକର୍ଷଣ ଜୀବନରେ

ଏ ପରିବର୍ତ୍ତନଶୀଳ ଦୁନିଆରେ

ବଦଳିଛି ପରମ୍ପରା

ବିକାଶ ନାମରେ କଳାର ବିକୃତ

ଚଳନ୍ତି ଜୀବନ ଧାରା ।


ସାମାଜିକ ପରମ୍ପରା ଓ ସଂସ୍କାର

ରହିଛି ନାମକୁ ମାତ୍ର

ଆଢ଼ୁଆଳେ ଆଧୁନିକ ପରିଚର୍ଯ୍ୟା

ପ୍ରତ୍ୟୟ ହୁଏ ପ୍ରାୟତଃ

ପ୍ରତି କ୍ଷେତ୍ରରେ ନୂତନତ୍ବର ଧାରା

ସବୁ କିଛି ନୂଆ ନୂଆ 

ବଦଳି ଯାଇଛି,ପୁରାତନ ଦୃଶ୍ୟ

ମନରେ ଜାତ ଛାନିଆ 

ପରମ୍ପରା କିଛି ମାତ୍ରାରେ ରହିଛି

ଗ୍ରାମ୍ୟ ଜୀବନ ଯାତ୍ରାରେ

ସେହିପରି କୌଳିକ ମୌଳିକ କଳା

ଅଛି କଛପ ଗତିରେ

ପରମ୍ପରା ଯାହା ଥିଲା ସମାଜରେ

ଯଦି ହୁଏ ଆଲୋଚିତ

କିଛି ପାର୍ଥକ୍ୟ ଅବା ପରିବର୍ତ୍ତନ

ବୁଝି ହୋଇବ ତ୍ୱରିତ 

ଶ୍ରୀମନ୍ଦିରେ ଦିଅଁ ଦରଶନ ପରେ

ଫେରୁଥିଲେ ସ୍ୱ ଗୃହକୁ

ପାଖା ପାଖି ଭକ୍ତ ପ୍ରଣାମ ଜଣାଇ

ଧନ୍ୟ ମଣନ୍ତି ନିଜକୁ

ଦୋଳ ପଡ଼ିଆରେ ଠାକୁର ମେଳଣ

ରଙ୍ଗ ପିଚକାରୀ ଖେଳ

ରାତି ଉଜାଗର ରହି ଯାତ୍ରା ଦେଖା

ହୃଦେ ଥିଲା କୁତୁହଳ 

ଗୁରୁଜନ ପ୍ରତି ସଦା ଭୟ ଭକ୍ତି

ମନରେ ଥିଲା ବିଚାର

ଉତ୍ତର ଦେବାକୁ ସାହସ ନ ଥିଲା

ଭୁଲ୍ ହେଲେ ବେଶି ଡର

ବିଦ୍ୟାଳୟେ ଦଣ୍ଡ ବିଧାନ ବ୍ୟବସ୍ଥା

ଥିଲା ରହି,ଥିଲା ଡର

ପ୍ରଶ୍ନର ଉତ୍ତର କହି ନ ପାରିଲେ

ଦଣ୍ଡ ମିଳେ ପ୍ରତି ଥର 

ମାଆ ହାତ ରନ୍ଧା ଅମୃତ ସମାନ

ନ ଥିଲା କା' ପ୍ରତିବାଦ

ଆତ୍ମୀୟ ସ୍ୱଜନ ବିପଦେ ଆପଦେ

ରଖୁଥିଲେ ପାଦେ ପାଦ

ନୂଆ ବୋହୁ ଅବଗୁଣ୍ଠନ ଭିତରେ

ଭୟ ଗୁରୁଜନ ପ୍ରତି

ବାପା-ମା ଙ୍କ ପସନ୍ଦର ସାଥୀ ଖୋଜା

ଆଖିବୁଜି ସହମତି

ପ୍ରେମିକା ଦର୍ଶନ ଉତ୍କଣ୍ଠା ମନରେ

ଅପେକ୍ଷା ଚାତକ ସମ

ଦେଖା ଦେଖି କଥା ଜାଣି ଘର ଲୋକ

ଅବସ୍ଥା ହୁଏ ବିଷମ

ଏକତ୍ର ବିଚାର ବିମର୍ଷ ଭାବନା

ସଭା ସମିତି ନିଦାନ

ନିଜ ନିଜ ବିଚାର ଓ ଚିନ୍ତାଧାରା

ହୁଏ ଆଦାନ ପ୍ରଦାନ 

ଗାଆଁ ପରିବେଶ ଭୌଗଳିକ ଚିତ୍ର

ବଦଳୁଛି ପ୍ରତି କ୍ଷଣେ

ଆତ୍ମୀୟତା ର ଭାବନା ପ୍ରାୟ ଲୁପ୍ତ

ଭୟ ଭକ୍ତି ନାହିଁ ମନେ

ଗାଆଁ କିଟିମିଟି ଅନ୍ଧାର ବିଲୋପ

ଚାରି ପାଖ ଆଲୋକିତ

ସଞ୍ଜ ଓ ସକାଳ ଆସୁଛି ଯାଉଛି

କେହି ନୁହେଁ ଅନୁରୁକ୍ତ

ସନ୍ଧ୍ୟା ଦୀପ ଘଣ୍ଟ ଧ୍ଵନି ହାମ୍ବା ରଡ଼ି

ହରାଇଛି ଆକର୍ଷଣ

ବୟୋଜ୍ୟେଷ୍ଠ ଏକତ୍ରିତ ଗାଆଁ ମୁଣ୍ଡେ

ହେଉନାହିଁ ପ୍ରୟୋଜନ

ମୁକ୍ତ ଆକାଶ ତଳେ ଖୋଲା ପଡିଆ

ଦିଶୁ ନାହିଁ ପାଦ ଚିହ୍ନ

ଦୈନନ୍ଦିନ ଜୀବନର ଦିନଚର୍ଯ୍ୟା

ଘର ଭିତରେ ପାଳନ

ଲଣ୍ଠନ-ଡିବିରି ଝାପ୍ସା ଆଲୁଅରେ

ପ୍ରିୟା ପାଇଁ ଚିଠି ଲେଖା

ଆଉ ଆବଶ୍ୟକ ହେଉନାହିଁ ପ୍ରାୟ

ସଞ୍ଜ ଓ ସକାଳେ ଦେଖା

ଗାଆଁ ମୁଣ୍ଡ ମଶାଣି ବି ଆଲୋକିତ

ପ୍ରମୋଦ ଉଦ୍ୟାନ ପରି

ସ୍ଵର୍ଗ ପରି ସ୍ଵର୍ଗ ଦ୍ଵାର ନାମ ସହ

ମଶାଣି ପ୍ରିୟ ସବୁରି

ନାହିଁ ମେଳ ବାନ୍ଧି ଭୋଜି ଖିଆ ପର୍ବ

ଧାଡ଼ି ବାନ୍ଧି ଥାଳି ଧରି 

ଠିଆ ଠିଆ ରେ ହିଁ ସବୁ କାମ ହୁଏ

ସମୟ ନାହିଁ କାହାରି

ଯଥା ବିଧି ସନ୍ଧ୍ୟା ହେଉଛି ଗାଆଁରେ 

ଆଧୁନିକତା ଛାପ ରେ

ଭାଗବତ ଟୁଙ୍ଗି ଢ଼ିଅରେ ଯୁବକ

ମୋବାଇଲ୍ ଟିପିବାରେ

ବାପା କୁ ଡାଡି ମାଆ କୁ ମମି ଡାକ

ଆଣ୍ଟି ମାଉସୀ ଓ ମାଇଁ

ଦାଦା ମଉସା ଚିହ୍ନା ଅଚିହ୍ନା ସବୁ

ଅଙ୍କଲ୍ ଡାକ ଶୁଭଇ

ନମସ୍କାର ପ୍ରଣାମ ସବୁ ପୁରୁଣା

ନୂଆ ଟା ଟା ବା ଏ ବା ଏ

ଅଧା ଲଙ୍ଗଳା ବେଶରେ ଝିଅ ବୋହୁ

ସବୁରି ମୁଖେ ହା ଏ ଏ

ମାଣବସା ଗୁରୁବାର ହେଉଅଛି

ପୁରାଣ ପଢ଼ୁନି କେହି

କ୍ୟାସେଟ୍ ଗୀତରେ କାମ ଚଳୁ ଅଛି

ହୁଳହୁଳି ଆଉ ନାହିଁ

ସଙ୍କୀର୍ତ୍ତନ ହେଉଛି ସନ୍ଧ୍ୟା ବେଳରେ

ସିନେମା ଗୀତ ଧୂନ୍ ରେ

ବର ଯାତ୍ରୀ ଆସୁଛନ୍ତି ମୁହଁ ସଞ୍ଜେ

ଉଦଣ୍ଡ ନୃତ୍ୟ ତାଳ ରେ

ଘରେ ନାହିଁ ଜେଜେ ମା ଓ ଜେଜେ ବାପା 

ଠିକଣା ବୃଦ୍ଧାଶ୍ରମରେ

ବାପା କଥା ହୁଏ କେଉଁ ଆଣ୍ଟି ସହ

ଘଣ୍ଟାଏ ଧରି ଫୋନ୍ ରେ

ସନ୍ଧ୍ୟା ହରାଇଛି ସତ୍ତା ଆଧିପତ୍ୟ

ପୁଣି ନିଜ ମୌଳିକତା 

କୋହ ସମ୍ଭାଳି ନ ପାରି କହୁଅଛି

ପ୍ରାୟ ଲୁପ୍ତ ନୈତିକତା

ଗାଆଁ ଅଛି ,ସନ୍ଧ୍ୟା ନିତି ଆସୁଅଛି

ଅଭିଯୋଗ ସହିତରେ

ସନ୍ଧ୍ୟା କଷ୍ଟ ଅନୁଭବ କରେ ନିତି

ନିଜ ଗାଆଁ ଚିହ୍ନିବାରେ ।


ନୃତ୍ୟ ସଙ୍ଗୀତରେ ହୃଦୟ ମିଳନ

ଥିଲା ଚେତନା ଓ ପ୍ରାଣ

ସମ୍ପର୍କ ର ଯୋଗସୂତ୍ର ଆକାରରେ

ହୁଅଇ ପ୍ରତିପାଦନ

ନୃତ୍ୟରେ ମନର ଭାବନା ପ୍ରକାଶ

ଈଶ୍ୱରଙ୍କ ଉପାସନା

ଶାସ୍ତ୍ରୀୟ ସଙ୍ଗୀତ ମାଧ୍ୟମରେ କଳା

ଥିଲା ପ୍ରାୟ ଆରାଧନା 

ସଭ୍ୟତା ର କ୍ରମ ବିକାଶ ହୋଇଛି

ପରମ୍ପରା ପ୍ରାୟ ଲୁପ୍ତ

ଚଳନ୍ତି ଯୁଗର ଯୁବ ପୀଢ଼ି ହୃଦେ

ନାହିଁ ଭାବ ଅନୂରୁକ୍ତ 

ରାସ୍ତାଘାଟ ପରିବେଶ ଶୁନଶାନ୍

ହେଲେ ନାହିଁ ଡର ଭୟ

ମୋବାଇଲ୍ ପ୍ରେମ ହୃଦୟେ ଜଡ଼ିତ

ତନ ମନ ବି ଅଥୟ

ପରିବେଶ ପର୍ଯ୍ୟାବରଣ ଆନନ୍ଦ

ନାହିଁ ହୃଦେ ଆକର୍ଷଣ

କଳା ସଂସ୍କୃତି ମନ୍ଦିର ମସଜିଦ

ଭକ୍ତି ହୀନ ମନ ପ୍ରାଣ

ପୁସ୍ତକ ପୃଷ୍ଠାରେ ଗଦ୍ୟ ପଦ୍ୟ ଶବ୍ଦ

ରହି ଅଛି ଘେରି ଧୂଳି

ଆଧୁନିକ ଭୌତିକତା ଆଢ଼ୁଆଳେ

ସବୁ ଯାଇଛି ବଦଳି

ଆଧୁନିକ ନାରୀ ଅଙ୍ଗ ସାଜ ସଜ୍ଜା

ଛୋଟ ଛୋଟ ପୋଷାକରେ

ସଂସ୍କାର ନାମକୁ ମାତ୍ର ସମାଜରେ

ଭାଷଣ ଗୀତ ଗପରେ ।

କୌଳିକ ମୌଳିକ ପରମ୍ପରା କଳା

କାବ୍ୟ କବିତା ପୃଷ୍ଠାରେ

ବଞ୍ଚି ରହି ଅଛି ,ବଞ୍ଚି ବି ରହିବ

ସନ୍ଦେହ ନାହିଁ ଏଥିରେ ।


ସମୟର ଆହ୍ଵାନରେ ମଣିଷର

ଜୀବନେ ପରିବର୍ତ୍ତନ

ସମାଜ ବି ପରିବର୍ତ୍ତିତ ଧାରାରେ

ରୀତି ନୀତି ପ୍ରାୟ ଭିନ୍ନ 

ଗଣ ମାଧ୍ୟମର ଅପବ୍ୟବହାର

ହେଉଛି ପ୍ରତି କ୍ଷେତ୍ରରେ

ମିଥ୍ୟା ସମ୍ବାଦ ବି ପ୍ରଚାର ପ୍ରସାର

ସତ ରୂପ ରେଖ ଧାରେ

ପକ୍ଷପାତିତା ର ସମ୍ବାଦ ପ୍ରଚାର 

ଧାରା ପ୍ରାୟ ଅବ୍ୟାହତ

ସାମ୍ବାଦିକ କର୍ମୀ ନେତା ଅଧୀନରେ

ନିର୍ଭୀକତା ସମର୍ପିତ

ଗୁଗୁଲ୍ ,ଫେସ୍ ବୁକ୍ ଓ ଇନଷ୍ଟା-ଗ୍ରାମ 

ଟ୍ୟୁଟର , ୱାଟସ୍ -ଆପ୍ 

ଆଜି କାଲି ଛାଇ ପରି ଘେରି 'ଛନ୍ତି 

ସିମାହିନ ଓ ଅମାପ

ମନ ଦିଆ ନିଆ ଅତି ସହଜରେ

ଗଣ ମାଧ୍ୟମ ଧାରାରେ

ନକଲି ଅସଲି ସବୁ କିଣା ବିକା

ପ୍ରଚାର ପ୍ରସାର ଧାରେ

ସମ୍ବାଦ ପ୍ରଚାର ପ୍ରସାର ସର୍ବସ୍ୱ 

ଜନ ହିତେ ଲାଗି ରହୁ

ଜୀବନର ଧାରା ଯେମିତି ବା ହେଉ

ମାନବିକତା ହିଁ ଥାଉ ।



Rate this content
Log in

Similar oriya poem from Drama