ବଞ୍ଚି ବଞ୍ଚାଅ ଏ ପ୍ରାଣ
ବଞ୍ଚି ବଞ୍ଚାଅ ଏ ପ୍ରାଣ
ଚଳନ୍ତି ଅବସ୍ଥା ବର୍ଣ୍ଣନା କରିବା
ଏକ ଦୁରୁହ ବ୍ୟାପାର
ଯନ୍ତ୍ରଣାରେ ମୋର ଜର୍ଜରିତ ପ୍ରାଣ
ନାହିଁ କି ତା' ପ୍ରତିକାର !
ତୁମ ପ୍ରୀତି ପୁର୍ଣ୍ଣ କଥା ଓ ସାନିଧ୍ୟ
ସବୁବେଳେ ଉଜ୍ଜୀବିତ
ପ୍ରତି ମୁହୂର୍ତ୍ତରେ ମନରେ ଉତ୍କଣ୍ଠା
ମିଳନ ଆଶା ଜୀବିତ
ଅବ୍ୟକ୍ତ ବେଦନା ଜୀବନ ଯାତ୍ରାରେ
ଦିନେ ନୁହଁ ପ୍ରତିଦିନ
କେମିତି ଭୁଲିବି କେଉଁ ଉପାୟରେ
ତନ ମନ ଅବସନ୍ନ
ହୃଦୟେ ଜଡ଼ିତ ପ୍ରେମ ଉପହାର
ପ୍ରତି ମୁହୂର୍ତ୍ତେ ମହକେ
ଦିନ ପରେ ରାତି,ରାତି ପରେ ଦିନ
ଭାବନା ମୋ ନ ଅଟକେ
ରୁଣୁଝୁଣୁ ଶବ୍ଦ ହେଲେ ଆଖ-ପାଖ
ତୁମ ପାଉଁଜିର ଭ୍ରମ
ବ୍ୟଥିତ ହୃଦୟ ଭାବନାରେ ମଗ୍ନ
ହେବ କି ମୋ ମତିଭ୍ରମ !
କାହାକୁ କହିବି ମନର ଯନ୍ତ୍ରଣା
କିଏ ବା ଦେବ ସାନ୍ତ୍ଵନା
ଯନ୍ତ୍ରଣା ଭୋଗୁଛି ତୁମରି ବିହୁନେ
ବେଳେବେଳେ ଆନମନା
ଅଲଗା ଅଲଗା ରହିବା ଯନ୍ତ୍ରଣା
ପ୍ରତି ମୁହୂର୍ତ୍ତରେ ଜାଗି
ବୁଝି ବି ଅବୁଝା ହେଉଛି ଏ ମନ
ତୁମ ଅଙ୍ଗ ସଙ୍ଗ ଲାଗି
ଦୂରତା ଜନିତ ବିଚ୍ଛେଦ ଯନ୍ତ୍ରଣା
ସନ୍ତାପିତ ହୁଏ ପ୍ରାଣ
ହୃଦୟ କୋଣରୁ ଝରୁ ଅଛି ଲୁହ
ଲୁହ ଭର୍ତ୍ତି ଆଖି କୋଣ
ତୁମ ବିନା ସବୁ ଲାଗେ ଫିକା ଫିକା
ମିଳନ ପାଇଁ ଲାଳସା
ସାଥୀ ହୋଇ ଦୁହେଁ ବଞ୍ଚିବା ମରିବା
ଏହି ମୋର ଶେଷ ଆଶା
ଭୟ ଜାତ ହୁଏ ହୃଦୟ ଭିତରେ
ଦେଖି ଉଦାସ ସ୍ବଭାବ
ଯେଉଁ ଦିନୁ ସ୍ପଷ୍ଟ ନୀରବତା ଭାବ
ପ୍ରାଣ କଲା ଅନୁଭବ
ମାତ୍ର ନିରିମାଖି ନୟନରେ ଚାହିଁ
ଦେଖୁଥିଲ ଦୂରେ ରହି
ବୁଝିବା ଆଗରୁ ସରଳ ମନରେ
କଷ୍ଟ ହୁଏ ରହି ରହି
ସାମାନ୍ୟ ନିରବତା ର ଯନ୍ତ୍ରଣା
ବଞ୍ଚି ମରିବା ସମାନ
ଯଦି ଯୁଦ୍ଧ କଲେ ହଟିବ ବିଷାଦ
ପ୍ରସ୍ତୁତ ବି ପ୍ରତି କ୍ଷଣ
ପ୍ରେମ ଭାବ ପରିପ୍ରକାଶ ଆଶାରେ
ମନ ଖୋଜେ ତୁମ ଆଖି
ଉଦାସୀନତା ର ଭାବ ଜାଣି ହୃଦେ
ନିଜକୁ ଲାଗେ ଏକାକୀ
ପ୍ରତ୍ୟେକ ସ୍ୱପ୍ନର କହିଛି ଭାବାର୍ଥ
ଯାହା ନିହାତି ଗୋପନ
ତୁମର ଭାବନା ସହିତ ସମ୍ମତ
ତୁମେ ହୃଦୟ ସ୍ପନ୍ଦନ
ପ୍ରାୟ କ୍ଷୀଣ ହୃଦୟର ଆବେଗତା
ତୁମ ନୀରବତା ଦେଖି
ତୁମ ଠୁ ଦୂରେଇ କିମିତି ରହିବି
ଛବି ହୃଦେ ଅଛି ଲାଖି
ପ୍ରତି ମୁହୂର୍ତ୍ତରେ ଅତୀତର ସ୍ମୃତି
ଭାବନାରେ ଉଜ୍ଜୀବିତ
ତୁମ ଉପସ୍ଥିତି ସର୍ବଦା ପ୍ରତ୍ୟୟ
ମନ ପ୍ରାଣ ବ୍ୟାକୁଳିତ
ଭ୍ରମ ଓ ସନ୍ଦେହ ଘେରରେ ହୃଦୟ
ଅଯଥା ନ ହେଉ ଦୁଃଖୀ
ହୃଦୟ ବେଦନା ଖୋଲି କହୁଅଛି
ଯେଣୁ ତୁମେ ମନଲାଖି
ହୃଦୟ ଭିତରେ ଲୁଚିଥିବା କଥା
ଯାହା ରହିଛି ଅକୁହା
ତୁମ ନୀରବତା ଭାବ ଅନୁଭବେ
ଆପେ କହି ହେଲା ତାହା
ଯେବେ ଦେଖା ହୁଏ, ହସୁ ଥିଲ ତୁମେ
ସେ' ହସରେ ସବୁକିଛି
ସେଇ ହସ ଧାରେ ତୁମ ଅଙ୍ଗଭଙ୍ଗି
ଅତି ନିକଟେ ଦେଖିଛି
ସେଇ ଅଙ୍ଗଭଙ୍ଗି ଧାରେ ହିଁ ଇଶାରା
ମିଶୁ ଥିଲା ଯେବେ ଆଖି
ଆଖିରେ ଇଙ୍ଗିତ ଇଶାରା ସ୍ବରୂପ
ହୃଦୟ ହୁଏ ପରଖି
କେବେ ପୁଣି ଥିଲା ହାତରେ ଇଶାରା
ସତେ ଅବା ଆନ ମନା
ପୁଣି କେବେ ହାତେ ଓଢ଼ଣୀ ଦେଖେଇ
ସାଜସଜ୍ଜା ର ବାହାନା
ରୁଣୁଝୁଣୁ ସେହି ପାଉଁଜି ଶବ୍ଦରେ
ଆକର୍ଷିତ ଥିଲା ଧ୍ୟାନ
ହସର ଝଲକ ଦର୍ଶନ ମାତ୍ରେକ
ନାଚୁ ଥିଲା ମନ ପ୍ରାଣ
ଅଭିମାନ ଥିଲା,ଅଲଗା ଇଶାରା
ମୁହଁ ଫୁଲା ସହ ରାଗ
ନାକ ଅଗେ ରାଗ ସେହି ସମୟରେ
ହୃଦେ ଅଲଗା ଆବେଗ
ମାନଭଞ୍ଜନ ର ଉପାୟ ସନ୍ଧାନେ
ମନ ପ୍ରାଣ ଯେବେ ବ୍ୟସ୍ତ
ହସି ଦେଲେ ଥରେ ଲିଭି ଯାଏ ରାଗ
ଅଭିମାନ ବି ପରାସ୍ତ
ବେଳେବେଳେ ଦକ୍ଷ କଳାକାର ପରି
ଆଦୌ ନ ଥାଇ ସୂଚନା
ବିନା ଇଶାରା ରେ ଆଖି ସାମନାରେ
ପ୍ରତ୍ୟୟ ହୁଏ ବାହାନା
ସ୍ଵପ୍ନ ପରି ଲାଗେ ସତ ଅବା ମିଛ
ଦ୍ୱିଧା ଥାଇ ଏଇ ମନେ
ହସ ରୁ ହିଁ ବାରି ହୁଏ ସହଜରେ
ସାଥୀ ଅଛି ଏଇ କ୍ଷଣେ
ଏକାଠି ହେବାର ସ୍ବପ୍ନ ଥିଲା ହୃଦେ
ସ୍ବପ୍ନ ହେଉ ଚରିତାର୍ଥ
ଯନ୍ତ୍ରଣା ସହିବା ପଣ ଥିଲା ପ୍ରାଣେ
ଅଛି ସମ୍ପୂର୍ଣ୍ଣ ସମର୍ଥ
ପ୍ରାଣ ପ୍ରିୟା ତୁମେ ,ମୋ' ଜୀବ ଜୀବନ
କିମ୍ପା ମାନ ଅଭିମାନ
ମାନଭଞ୍ଜନ ଉପାୟ ଅନ୍ୱେଷଣେ
ଅଥୟ ହୃଦ ସ୍ପନ୍ଦନ
ହୃଦୟ ଭିତରେ ଲୁଚିଥିବା କଥା
ଯାହା ରହିଛି ଅବ୍ୟକ୍ତ
ତୁମ ଅଭିମାନ ଭାବ ଅନୁଭବେ
ପ୍ରାଣ ଚାହେଁ ହେଉ ବ୍ୟକ୍ତ
ମାଦକତା ଭରା ଆଖି-ସାଗର ରେ
ବୁଡ଼ି ଅଛି ମନ ପ୍ରାଣ
ପ୍ରେମ ସାଗର ରେ ସନ୍ତରଣ କରି
ପୁଣି କିମ୍ପା ଅଭିମାନ!
ଭୟ ଜାତ ହୁଏ ହୃଦୟ ଭିତରେ
ଦେଖି ଅଭିମାନ ଭାବ
ଯେବେ ଅଭିମାନ ଭାବ ସ୍ପଷ୍ଟ ରୂପେ
ପ୍ରାଣ କରେ ଅନୁଭବ
ମାନ ଅଭିମାନ ଜନିତ ଯନ୍ତ୍ରଣା
ସନ୍ତାପିତ ହୁଏ ପ୍ରାଣ
ହୃଦୟ କୋଣରୁ ଝରି ଅଛି ଲୁହ
ଲୁହ ଭର୍ତ୍ତି ଆଖି କୋଣ
ତୁମ ବିନା ସବୁ ଲାଗେ ଫିକା ଫିକା
ମିଳନ ପାଇଁ ଲାଳସା
ସାଥୀ ହୋଇ ଦୁହେଁ ବଞ୍ଚିବା ମରିବା
ହୃଦେ ଅଛି ମୋର ଆଶା
ତୁମେ ଜହ୍ନ ଠାରୁ ସୁନ୍ଦର ଶୀତଳ
ପୁଣି ଶୀତଳ ପବନ
ଉଦିତ ସୂର୍ଯ୍ୟର ଆଲୋକ ସମାନ
ସୁଗନ୍ଧ ଭରା ଚନ୍ଦନ
ପ୍ରାଣ ବାୟୁ ରୂପେ ପ୍ରତି ମୁହୂର୍ତ୍ତରେ
ତୁମେ ଶ୍ୱାସ-ପ୍ରଶ୍ୱାସ ରେ
ତୁମେ ମୋ ଦୁନିଆ ପୁଣି ଚାରି ଦିଗ
ଅଛ ହୃଦ ସ୍ପନ୍ଦନ ରେ
ଆମ ବିଷୟରେ ଯିଏ ଯାହା କହୁ
ସମ୍ପର୍କ ଆମ ମଧୁର
ମାନ ଅଭିମାନ ଅଳଙ୍କାର ରୂପେ
କରୁଛ କି ବ୍ୟବହାର!
ଅଭିମାନୀ ଲକ୍ଷ୍ମୀ ଠାକୁରାଣୀ ପରି
ଯଦି ତୁମ ଅଭିମାନ
କାଳିଆ ସାଆନ୍ତ ପରି ରସଗୋଲା
ଅବଶ୍ୟ ହେବ ପ୍ରଦାନ
ପ୍ରେମିକା ଶ୍ରୀରାଧା ପାଦୁକା ପାଣିରେ
କାହ୍ନା ସୁସ୍ଥ ହେଲା ପରି
ତୁମ ମାନଭଞ୍ଜନ ରୂପକ ପାଣି
ବଳେ ଖୁସି ସର୍ବୋପରି
ମୋ ଜୀବ ଜୀବନ ନ କର ତୁ ମାନ
ତୁମେ ମୋର ସବୁ କିଛି
ହୃଦୟ ର କଥା ଗ୍ରହଣ ସହିତ
ଅଭିମାନ ଯାଉ ଘୁଞ୍ଚି
ବଞ୍ଚି ପାରିବିନି ତୋ ବିନା ସାଥିରେ
ତୁମେ ମୋ ହୃଦ ସ୍ପନ୍ଦନ
ହୃଦୟର ତନ୍ତୁ ମଧ୍ୟେ ରହି ସଦା
ବଞ୍ଚି ବଞ୍ଚାଅ ଏ ପ୍ରାଣ ।।

