ଦେଖି ଅଭିମାନ ଭାବ
ଦେଖି ଅଭିମାନ ଭାବ
ପ୍ରାଣ ପ୍ରିୟା ତୁମେ ,ମୋ' ଜୀବ ଜୀବନ
କିମ୍ପା କରି ଅଛ ମାନ
ମାନଭଞ୍ଜନ ଉପାୟ ଅନ୍ୱେଷଣେ
ଅଥୟ ହୃଦ ସ୍ପନ୍ଦନ
ହୃଦୟ ଭିତରେ ଲୁଚିଥିବା କଥା
ଯାହା ରହିଛି ଅବ୍ୟକ୍ତ
ତୁମ ଅଭିମାନ ଭାବ ଅନୁଭବେ
ପ୍ରାଣ ଚାହେଁ ହେଉ ବ୍ୟକ୍ତ
ଭ୍ରମ ଓ ସନ୍ଦେହ ଘେରରେ ହୃଦୟ
ଅଯଥା ନ ହେଉ ଦୁଃଖୀ
ହୃଦୟ ବେଦନା ଖୋଲି କହୁଅଛି
ଯେଣୁ ତୁମେ ମନଲାଖି
ମାଦକତା ଭରା ଆଖି-ସାଗର ରେ
ବୁଡ଼ି ଅଛି ମନ ପ୍ରାଣ
ପ୍ରେମ ସାଗର ରେ ସନ୍ତରଣ କରି
ପୁଣି କିମ୍ପା ଅଭିମାନ!
ଭୟ ଜାତ ହୁଏ ହୃଦୟ ଭିତରେ
ଦେଖି ଅଭିମାନ ଭାବ
ଯେବେ ଅଭିମାନ ଭାବ ସ୍ପଷ୍ଟ ରୂପେ
ପ୍ରାଣ କରେ ଅନୁଭବ
ହୃଦୟର ଆବେଗତା ପ୍ରାୟ କ୍ଷୀଣ
ତୁମ ଅଭିମାନ ଦେଖି
ଜୀବନରୁ ହରେଇବା ଅସମ୍ଭବ
ହୃଦେ ଅଛ ପରା ଲାଖି!
ଚଳନ୍ତି ଅବସ୍ଥା ବର୍ଣ୍ଣନା କରିବା
ଏକ ଦୁରୁହ ବ୍ୟାପାର
ଯନ୍ତ୍ରଣାରେ ମୋର ଜର୍ଜରିତ ପ୍ରାଣ
ନାହିଁ କି ତା' ପ୍ରତିକାର !
ମାନ ଅଭିମାନ ଜନିତ ଯନ୍ତ୍ରଣା
ସନ୍ତାପିତ ହୁଏ ପ୍ରାଣ
ହୃଦୟ କୋଣରୁ ଝରି ଅଛି ଲୁହ
ଲୁହ ଭର୍ତ୍ତି ଆଖି କୋଣ।
ତୁମ ବିନା ସବୁ ଲାଗେ ଫିକା ଫିକା
ମିଳନ ପାଇଁ ଲାଳସା
ସାଥୀ ହୋଇ ଦୁହେଁ ବଞ୍ଚିବା ମରିବା
ହୃଦେ ଅଛି ମୋର ଆଶା।
ତୁମେ ଜହ୍ନ ଠାରୁ ସୁନ୍ଦର ଶୀତଳ
ପୁଣି ଶୀତଳ ପବନ
ଉଦିତ ସୂର୍ଯ୍ୟର ଆଲୋକ ସମାନ
ସୁଗନ୍ଧ ଭରା ଚନ୍ଦନ
ପ୍ରାଣ ବାୟୁ ରୂପେ ପ୍ରତି ମୁହୂର୍ତ୍ତରେ
ତୁମେ ଶ୍ୱାସ-ପ୍ରଶ୍ୱାସ ରେ
ତୁମେ ମୋ ଦୁନିଆ ପୁଣି ଚାରି ଦିଗ
ଅଛ ହୃଦ ସ୍ପନ୍ଦନରେ
ଆମ ବିଷୟରେ ଯିଏ ଯାହା କହୁ
ସମ୍ପର୍କ ଆମ ମଧୁର
ମାନ ଅଭିମାନ ଅଳଙ୍କାର ରୂପେ
କରୁଛ କି ବ୍ୟବହାର!
ଅଭିମାନୀ ଲକ୍ଷ୍ମୀ ଠାକୁରାଣୀ ପରି
ଯଦି ତୁମ ଅଭିମାନ
କାଳିଆ ସାଆନ୍ତ ପରି ରସଗୋଲା
ଅବଶ୍ୟ ହେବ ପ୍ରଦାନ
ପ୍ରେମିକା ଶ୍ରୀରାଧା ପାଦୁକା ପାଣିରେ
କାହ୍ନା ସୁସ୍ଥ ହେଲା ପରି
ତୁମ ମାନଭଞ୍ଜନ ରୂପକ ପାଣି
ବଳେ ଖୁସି ସର୍ବୋପରି
ମୋ ଜୀବ ଜୀବନ ନ କର ତୁ ମାନ
ତୁମେ ମୋର ସବୁ କିଛି
ହୃଦୟ ର କଥା ଗ୍ରହଣ ସହିତ
ଅଭିମାନ ଯାଉ ଘୁଞ୍ଚି ।।

