ପରିବର୍ତ୍ତିତ ଧାରାରେ
ପରିବର୍ତ୍ତିତ ଧାରାରେ
ସମୟର ତାଳେ ଚାଲୁଛି ମଣିଷ
ପରିବର୍ତ୍ତନ ଧାରାରେ
ସମାଜର ରୂପ ରେଖ ବଦଳୁଛି
ମଣିଷ ସ୍ବଭାବ ଧାରେ
ରଥ ଅଖ ଚକ ପରି ଗତିଶୀଳ
ପ୍ରାୟ ମଣିଷ ଜୀବନ
ଗତିଶୀଳ ପଥେ ମଣିଷ ସମାଜ
ପ୍ରତ୍ୟୟ ପରିବର୍ତ୍ତନ
ମଣିଷ ସଭ୍ୟତା ବିକାଶ ପଥରେ
ସମୟର ଆହ୍ଵାନରେ
ପରିବର୍ତ୍ତନ ର ଛାପ ସ୍ପଷ୍ଟ ଭାବେ
ଅନୁମେୟ ସମାଜରେ ।
ସଂସ୍କାର ସଂସ୍କୃତି ଶିକ୍ଷା ପରମ୍ପରା
ଭକ୍ତି ଭାବ ପ୍ରେମ ପ୍ରୀତି
ପ୍ରତ୍ୟେକ କ୍ଷେତ୍ରରେ ଭିନ୍ନ ରୂପ ରେଖ
ପରିବର୍ତ୍ତନ ସମ୍ପ୍ରତି
ଜୀବନ ଶୈଳୀରେ ପାରମ୍ପରିକତା
ପରିବର୍ତ୍ତନ ଦୌଡ଼ରେ
ବ୍ୟର୍ଥ ଓ ଅପ୍ରାସଙ୍ଗିକତା ପରମ୍ପରା
ବଦଳେ ପୂର୍ଣ୍ଣ ମାତ୍ରାରେ
ସମାଜରେ ପରିଚିତ ପ୍ରଥା ଆଜି
ହଜିଛି ପ୍ରତି ପାଦରେ
ଆଧୁନିକ ଭୌତିକ ବସ୍ତୁ ସହିତ
ଆକର୍ଷଣ ଜୀବନରେ
ଏ ପରିବର୍ତ୍ତନଶୀଳ ଦୁନିଆରେ
ପରମ୍ପରା ବଦଳିଛି
ବିକାଶ ନାମରେ କଳାର ବିକୃତ
ହୋଇଅଛି ଓ ହେଉଛି ।
ପରିଚିତ ଦୃଶ୍ୟ ପୁଣି ପରିବେଶ
ପରିବର୍ତ୍ତନ ଧାରାରେ
ପ୍ରତି କ୍ଷେତ୍ରେ ନୂଆ ରୂପ ନୂଆ ବେଶ
ଭୁଲ୍ ହୁଏ ଚିହ୍ନିବାରେ
ସାମାଜିକ ପରମ୍ପରା ଓ ସଂସ୍କାର
ରହିଛି ନାମକୁ ମାତ୍ର
ଆଢ଼ୁଆଳେ ଆଧୁନିକ ପରିଚର୍ଯ୍ୟା
ପ୍ରତ୍ୟୟ ହୁଏ ପ୍ରାୟତଃ
ପ୍ରତି କ୍ଷେତ୍ରରେ ନୂତନତ୍ବର ଧାରା
ସବୁ କିଛି ନୂଆ ନୂଆ
ବଦଳି ଯାଇଛି,ପୁରାତନ ଦୃଶ୍ୟ
ମନରେ ଜାତ ଛାନିଆ
ପିଲାଦିନ ଖେଳ କୁଦ ଯାତ୍ରା ମେଳା
ପର୍ବ ପର୍ବାଣୀ ଉତ୍ସବ
ଆକର୍ଷଣ ହରାଇଛି ପରମ୍ପରା
ଆଧୁନିକ ହାବ ଭାବ
ପାର୍ବଣ ରେ ଥିଲା ଖୁସିର ଲହରୀ
ନୂଆ ବସ୍ତ୍ର ପରିଧାନ
ମେଳ ହୋଇ ମେଳା ଦେଖା ହେଉଥିଲା
ପୁଣି ରାବଣ ଦହନ ।
ପରମ୍ପରା କିଛି ମାତ୍ରାରେ ରହିଛି
ଗାଁ ଓ ପଲ୍ଲୀ ଅଞ୍ଚଳରେ
ସେହିପରି କୌଳିକ ମୌଳିକ କଳା
ଅଛି କଛପ ଗତିରେ
ପରମ୍ପରା ଯାହା ଥିଲା ସମାଜରେ
ଯଦି ହୁଏ ଆଲୋଚିତ
କିଛି ପାର୍ଥକ୍ୟ ଅବା ପରିବର୍ତ୍ତନ
ବୁଝି ହୋଇବ ତ୍ୱରିତ
ଶ୍ରୀମନ୍ଦିରେ ଦିଅଁ ଦରଶନ ପରେ
ଫେରୁଥିଲେ ସ୍ୱ ଗୃହକୁ
ପାଖା ପାଖି ଭକ୍ତ ପ୍ରଣାମ ଜଣାଇ
ଧନ୍ୟ ମଣନ୍ତି ନିଜକୁ
ଦୋଳ ପଡ଼ିଆରେ ଠାକୁର ମେଳଣ
ରଙ୍ଗ ପିଚକାରୀ ଖେଳ
ରାତି ଉଜାଗର ରହି ଯାତ୍ରା ଦେଖା
ହୃଦେ ଥିଲା କୁତୁହଳ
ଗୁରୁଜନ ପ୍ରତି ସଦା ଭୟ ଭକ୍ତି
ମନରେ ଥିଲା ବିଚାର
ଉତ୍ତର ଦେବାକୁ ସାହସ ନ ଥିଲା
ଭୁଲ୍ ହେଲେ ବେଶି ଡର
ବିଦ୍ୟାଳୟେ ଦଣ୍ଡ ବିଧାନ ବ୍ୟବସ୍ଥା
ଥିଲା ରହି,ଥିଲା ଡର
ପ୍ରଶ୍ନର ଉତ୍ତର କହି ନ ପାରିଲେ
ଦଣ୍ଡ ମିଳେ ପ୍ରତି ଥର
ମାଆ ହାତ ରନ୍ଧା ଅମୃତ ସମାନ
ନ ଥିଲା କା' ପ୍ରତିବାଦ
ଆତ୍ମୀୟ ସ୍ୱଜନ ବିପଦେ ଆପଦେ
ରଖୁଥିଲେ ପାଦେ ପାଦ
ନୂଆ ବୋହୁ ଅବଗୁଣ୍ଠନ ଭିତରେ
ଭୟ ଗୁରୁଜନ ପ୍ରତି
ବାପା-ମା ଙ୍କ ପସନ୍ଦର ସାଥୀ ଖୋଜା
ଆଖିବୁଜି ସହମତି
ପ୍ରେମିକା ଦର୍ଶନ ଉତ୍କଣ୍ଠା ମନରେ
ଅପେକ୍ଷା ଚାତକ ସମ
ଦେଖା ହେଲେ ଥରେ ମନେ ରହେ ନାହିଁ
ଅବସ୍ଥା ଯଦି ବିଷମ
ଗୁଆ-କାତି ଆଉ କଜ୍ଜ୍ଵଳ-ପାତି ର
ପ୍ରଥା ଥିଲା ପ୍ରଚଳିତ
ବର ଓ କନ୍ୟାର ବିବାହ ବେଶରେ
ହେଉଥିଲା ବ୍ୟବହୃତ
ଖଳା ହେଉଥିଲା ଶୁଖିଲା ଜମିରେ
ଧାନ ଅମଳ ବେଳରେ
ଶୀତ କୁ ନିହାତି ଅନୁଭବ ହୁଏ
ପାଳ ଘେରା କୁଡ଼ିଆରେ
ଏକତ୍ର ବିଚାର ବିମର୍ଷ ଭାବନା
ସଭା ସମିତି ନିଦାନ
ନିଜ ନିଜ ବିଚାର ଓ ଚିନ୍ତାଧାରା
ହୁଏ ଆଦାନ ପ୍ରଦାନ
ଗାଆଁ ପରିବେଶ ଭୌଗଳିକ ଚିତ୍ର
ବଦଳୁଛି ପ୍ରତି କ୍ଷଣେ
ଆତ୍ମୀୟତା ର ଭାବନା ପ୍ରାୟ ଲୁପ୍ତ
ଭୟ ଭକ୍ତି ନାହିଁ ମନେ
ଗାଆଁ କିଟି ମିଟି ଅନ୍ଧାର ବିଲୋପ
ଚାରି ପାଖ ଆଲୋକିତ
ସଞ୍ଜ ଓ ସକାଳ ଆସୁଛି ଯାଉଛି
କେହି ନୁହେଁ ଅନୁରୁକ୍ତ
ସନ୍ଧ୍ୟା ଦୀପ ଘଣ୍ଟ ଧ୍ଵନି ହାମ୍ବା ରଡ଼ି
ହରାଇଛି ଆକର୍ଷଣ
ବୟୋଜ୍ୟେଷ୍ଠ ଏକତ୍ରିତ ଗାଆଁ ମୁଣ୍ଡେ
ହେଉନାହିଁ ପ୍ରୟୋଜନ
ମୁକ୍ତ ଆକାଶ ତଳେ ଖୋଲା ପଡିଆ
ଦିଶୁ ନାହିଁ ପାଦ ଚିହ୍ନ
ଦୈନନ୍ଦିନ ଜୀବନର ଦିନ ଚର୍ଯ୍ୟା
ଘର ଭିତରେ ପାଳନ
ଲଣ୍ଠନ-ଡିବିରି ଝାପ୍ସା ଆଲୁଅରେ
ପ୍ରିୟା ପାଇଁ ଚିଠି ଲେଖା
ଆଉ ଆବଶ୍ୟକ ହେଉନାହିଁ ପ୍ରାୟ
ସଞ୍ଜ ଓ ସକାଳେ ଦେଖା
ଗାଆଁ ମୁଣ୍ଡ ମଶାଣି ବି ଆଲୋକିତ
ପ୍ରମୋଦ ଉଦ୍ୟାନ ପରି
ସ୍ଵର୍ଗ ପରି ସ୍ଵର୍ଗ ଦ୍ଵାର ନାମ ସହ
ମଶାଣି ପ୍ରିୟ ସବୁରି
ନାହିଁ ମେଳ ବାନ୍ଧି ଭୋଜି ଖିଆ ପର୍ବ
ଧାଡ଼ି ବାନ୍ଧି ଥାଳୀ ଧରି
ଠିଆ ଠିଆ ରେ ସବୁ କାମ ହୁଏ
ସମୟ ନାହିଁ କାହାରି
ଗାଆଁ ରେ ସନ୍ଧ୍ୟା ହେଉଛି ଯଥା ବିଧି
ଆଧୁନିକତା ଛାପ ରେ
ଭାଗବତ ଟୁଙ୍ଗି ଢ଼ିଅରେ ଯୁବକ
ମୋବାଇଲ୍ ଟିପିବାରେ
ବାପା କୁ ଡାଡି ମାଆ କୁ ମମି ଡାକ
ଆଣ୍ଟି ମାଉସୀ ଓ ମାଇଁ
ଦାଦା ମଉସା ଚିହ୍ନା ଅଚିହ୍ନା ସବୁ
ଅଙ୍କଲ୍ ଡାକ ଶୁଭଇ
ନମସ୍କାର ପ୍ରଣାମ ସବୁ ପୁରୁଣା
ନୂଆ ଟା ଟା ବା ଏ ବା ଏ
ଅଧା ଲଙ୍ଗଳା ବେଶରେ ଝିଅ ବୋହୁ
ସବୁରି ମୁଖେ ହା ଏ ଏ
ମାଣବସା ଗୁରୁବାର ହେଉଅଛି
ପୁରାଣ ପଢ଼ୁନି କେହି
କ୍ୟାସେଟ୍ ଗୀତରେ କାମ ଚଳୁ ଅଛି
ହୁଳହୁଳି ଆଉ ନାହିଁ
ସଙ୍କୀର୍ତ୍ତନ ହେଉଛି ସନ୍ଧ୍ୟା ବେଳରେ
ସିନେମା ଗୀତ ଧୂନ୍ ରେ
ବର ଯାତ୍ରୀ ଆସୁଛନ୍ତି ମୁହଁ ସଞ୍ଜେ
ଉଦଣ୍ଡ ନୃତ୍ୟ ତାଳ ରେ
ଘରେ ନାହିଁ ଜେଜେ ମା ଓ ଜେଜେ ବାପା
ଠିକଣା ବୃଦ୍ଧାଶ୍ରମରେ
ବାପା କଥା ହୁଏ କେଉଁ ଆଣ୍ଟି ସହ
ଘଣ୍ଟାଏ ଧରି ଫୋନ୍ ରେ
ମାଆ ତ ସଜେଇ ହେଉଛି ମିଛ ରେ
ପ୍ରାୟତଃ ପାର୍ଲର ରେ ।
ସନ୍ଧ୍ୟା ହରାଇଛି ସତ୍ତା ଆଧିପତ୍ୟ
ପୁଣି ନିଜ ମୌଳିକତା
କୋହ ସମ୍ଭାଳି ନ ପାରି କହୁଅଛି
ପ୍ରାୟ ଲୁପ୍ତ ନୈତିକତା
ଗାଆଁ ଅଛି ,ସନ୍ଧ୍ୟା ନିତି ଆସୁଅଛି
ଅଭିଯୋଗ ସହିତରେ
ସନ୍ଧ୍ୟା କଷ୍ଟ ଅନୁଭବ କରେ ନିତି
ନିଜ ଗାଆଁ ଚିହ୍ନିବାରେ ।
ନୃତ୍ୟ ସଙ୍ଗୀତରେ ହୃଦୟ ମିଳନ
ଥିଲା ଚେତନା ଓ ପ୍ରାଣ
ସମ୍ପର୍କ ର ଯୋଗସୂତ୍ର ଆକାରରେ
ହୁଅଇ ପ୍ରତିପାଦନ
ନୃତ୍ୟରେ ମନର ଭାବନା ପ୍ରକାଶ
ଈଶ୍ୱରଙ୍କ ଉପାସନା
ଶାସ୍ତ୍ରୀୟ ସଙ୍ଗୀତ ମାଧ୍ୟମରେ କଳା
ଥିଲା ପ୍ରାୟ ଆରାଧନା
ସଭ୍ୟତା ର କ୍ରମ ବିକାଶ ହୋଇଛି
ପରମ୍ପରା ପ୍ରାୟ ଲୁପ୍ତ
ଚଳନ୍ତି ଯୁଗର ଯୁବ ପୀଢ଼ି ହୃଦେ
ନାହିଁ ଭାବ ଅନୂରୁକ୍ତ
ରାସ୍ତାଘାଟ ପରିବେଶ ଶୁନଶାନ୍
ହେଲେ ନାହିଁ ଡର ଭୟ
ମୋବାଇଲ୍ ପ୍ରେମ ହୃଦୟେ ଜଡ଼ିତ
ତନ ମନ ବି ଅଥୟ
ପରିବେଶ ପର୍ଯ୍ୟାବରଣ ଆନନ୍ଦ
ନାହିଁ ହୃଦେ ଆକର୍ଷଣ
କଳା ସଂସ୍କୃତି ମନ୍ଦିର ମସଜିଦ
ଭକ୍ତି ହୀନ ମନ ପ୍ରାଣ
ପୁସ୍ତକ ପୃଷ୍ଠାରେ ଗଦ୍ୟ ପଦ୍ୟ ଶବ୍ଦ
ରହି ଅଛି ଘେରି ଧୂଳି
ଆଧୁନିକ ଭୌତିକତା ଆଢ଼ୁଆଳେ
ସବୁ ଯାଇଛି ବଦଳି
ଆଧୁନିକ ନାରୀ ଅଙ୍ଗ ସାଜ ସଜ୍ଜା
ଛୋଟ ଛୋଟ ପୋଷାକରେ
ସଂସ୍କାର ନାମକୁ ମାତ୍ର ସମାଜରେ
ଭାଷଣ ଗୀତ ଗପରେ ।
କୌଳିକ ମୌଳିକ ପରମ୍ପରା କଳା
କାବ୍ୟ କବିତା ପୃଷ୍ଠାରେ
ବଞ୍ଚି ରହି ଅଛି ,ବଞ୍ଚି ବି ରହିବ
ସନ୍ଦେହ ନାହିଁ ଏଥିରେ
ସମୟର ଆହ୍ଵାନରେ ମଣିଷର
ଜୀବନେ ପରିବର୍ତ୍ତନ
ସମାଜ ବି ପରିବର୍ତ୍ତିତ ଧାରାରେ
ରୀତି ନୀତି ପ୍ରାୟ ଭିନ୍ନ ।
