ଦାଦନକୁ କାହିଁ ବାଦ
ଦାଦନକୁ କାହିଁ ବାଦ


ଆହାରେ ଦଇବ ହେଉ କି ଗରଦ
ଦାଦନକୁ କାହିଁ ବାଦ
ଦେଖିକି ପାରୁନୁ ଭୋକିଲା ପେଟକୁ
ଖନ୍ଦାଳର କେତେ ଖେଦ ।
ନାହିଁ ତାର କିଛି ଫନ୍ଦି ଫରିଆଦ
ନାହିଁ ତା ସଞ୍ଚିତ ଧନ
ଭୋକିଲା ପେଟକୁ ଦାନା ଗଣ୍ଡେ ନାହିଁ
ଦାଦନ ଖୋଜୁଛି ଶ୍ରମ ।
ଯାଉଛନ୍ତି ଦେଶ ବିଦେଶେ ଖଟିବେ
ବୁଡିଲାଣି ଏଠି ଭେଳା
କର୍ମ ପାଇଁ ସର୍ବେ ହୋଇବେ ପ୍ରବାସୀ
ଦାଦନର ଏହି ଜ୍ଵାଳା ।
ପେଟପାଇଁ ଯିବେ ରହିବେ ଦୂରରେ
ଛାଡି ନିଜ ମାତୃଭୂମି
ଦାଦନର ଆଶା କର୍ମ ହିଁ ଭରସା
ଆଶା ନୁହେଁ ଅସ୍ତଗାମୀ ।
ଚାଲୁଥାନ୍ତି ସର୍ବେ ଭିଟାମାଟି ଛାଡି
ନିରାହାର ନିରାଶ୍ରିତେ
ବୃଦ୍ଧ ପିତା ମାତା ପିଲାଙ୍କ ମୁଖରେ
ଆହାର ଆଶାର ଆପ୍ତେ ।
କିଏ ଭେଟେ ଯମ କିଏ ଦିବ୍ୟ ଧାମ
କ୍ଳାନ୍ତ ନୁହେଁ କିନ୍ତୁ କେହି
କ୍ଷୁଧାର୍ତ୍ତ ମଣିଷ କିବା ଅବଶୋଷ
ବଞ୍ଚିବା ଆଶାରେ ରହି ।
ଆସି ଥରେ ଦେଖ ଦାଦନର ଦୁଃଖ
କେତେ ତା କାରୁଣ୍ୟ ଗତି
କାହା କାନ୍ଧେ ଛୁଆ କାହା ବୋଝ ବୁହା
ଲହୁ ଲୁହ ଯାଏ ଭେଦି ।