ଚଇତି ଆସର
ଚଇତି ଆସର
ଚଇତି ଆସିଛି ନବ ପଲ୍ଲବରେ
ରଙ୍ଗର ପସରା ଧରି
ସୁରଭି ଖେଳୁଛି ଚୋରାବସନ୍ତରେ
ବିରାଗକୁ ଦିଏ ହରି ।
କାନନେ କୂଜନ ହୃଦୟେ ସ୍ପନ୍ଦନ
ଚହଚହ ଉପବନ
ପ୍ରକୃତି ପରବ ଲାସ୍ୟମୟୀ ଭାବ
ଭରେ ଭୂମାନନ୍ଦ ଜ୍ଞାନ ।
ଲହସି ରଞ୍ଜିନୀ ଅଳସୀ ତଟିନୀ
ଦିଶେ କେଡ଼େ ମନଲୋଭା
ରଙ୍ଗିଣୀ ନୟନୀ ଫୁଲରି ଧରଣୀ
ହୃଦ ଚ଼ମ୍ଭା ଦେଖି ଶୋଭା ।
ଶୁଭେ ସଞ୍ଜବେଳେ ଫେରୁ ସଭା କାଳେ
ହୁକେହୁଆ ଖୋଳତାଳେ
ପର୍ଯ୍ୟନ୍ତଭୁ ବିଭା ଋତୁସନ୍ଧି ଉଭା
କୋଇଲିର ସୁର ବଳେ ।
ନାଚ଼ଇ ଶର୍ବରୀ ପାଇ ଶିବ ଶିରୀ
ଗୁଲୁବାସ ଫୁଲମାଳେ
ଗ୍ରାମେ ଗ୍ରାମେ ଦେବ ଝୁମେ ଚୈତ୍ର ପର୍ବ
ନାଟକୀ ଆଭା ଉଚ୍ଛୁଳେ ।
କୂଜନେ ପୂଜିତା ପୁଷ୍ପେ ବିଭୁଷିତା
ଦେଖ ବିରୋଳା ଧରତି
ଚିତ୍ତ ଲତାୟିତ ଭାବ କୋରକିତ
କରେ ଆସର ଚଇତି ।
