ବର୍ଷା ପ୍ରତି
ବର୍ଷା ପ୍ରତି


ବରଷେନା ବରଷା ଗୋ ଏତେ ଅବିରତ
ଅଶ୍ରୁଭରା ନୟନେ ତୁ ଦେଖିବୁ କେମନ୍ତ ,
ତୋ' ଦୁଃଖରୁ ବଳି ଦୁଃଖ ମୋର ଅପ୍ରମିତ
ରହି କ୍ଷଣେ ଦେଖିବୁ କି କେ' ଦୁଃଖ ରହିତ ।
ତୋ'ର ଆନମନା ଭରେ ମୋ ହୃଦେ କମ୍ପନ
ତୋ' ହୃଦୟ ଗୀତ କରେ ବିଷାଦ ବହନ ,
କେ'ବା ପରଖିଲା ତୋର ପ୍ରୀତି ସୁମଧୁର
ଝରିଯାଉ ଅନାୟସେ ନକରି ଖାତର ।
ନିବିଡ଼ ତୋ' ନତାନନ ଘନର ଆଳୟେ
ଛୁଇଁ ଧରତୀକୁ ଆନମନା କିମ୍ପା ହୁଏ ,
ନୀରବିଲେ ତରୁଲତା ମୋ ମନ ଉଦାସ
କି ରାଗିଣୀ ଗାଇଯାଉ ହଜାଇ ସରସ ।
ବିପୁଳ ହେଲାଣି ତୋ'ର ଅଶ୍ରୁ ନୀରଞ୍ଜନ
ଭସାଇ ନେବକି ସତେ ମୋ କ୍ଷୁଦ୍ର ସପନ,
>
ଜୀଇଛି ସେ ନିରବଧି ପ୍ରବୋଧି ଚିତ୍ତକୁ
ଜୟୋଲ୍ଲାସେ ଆଦରିଛି ଦୁଃଖର ଭାରକୁ ।
ରହିଯାଅ ଥୟ ଧର ଅରୁଣ ଆସନ୍ତେ
ଦେଖିଯିବ ଚାରୁକାନ୍ତି ତୁମରି ନିମନ୍ତେ ,
ନାନା କୁସୁମେ ଶୋଭିତା ଧରା ରୂପବତୀ
ଦରଶନେ ମନପ୍ରାଣ ପାଇବ ତୃପତି ।
ଅମୃତମୟୀ ସେ କରୁଣାର ମୂଳାଧାର
ବକ୍ଷରେ ଯାହାର ଭରା ଜୀବନକ ସାର
ଦୁଃଖହାରିଣୀ ସେ ଦେଇ ତା'ର କୃପାବର
ଜନନୀ ସେ ପାରିବ କି ସହି ଦୁଃଖ କା'ର ।
ତପତ ନାଶିନୀ କୋମଳାଙ୍ଗୀ ରସପ୍ରିୟା
ତୁମ ଜୟଗାନ ସଦା ଆବୋରିଛି ହିଆ,
ଆସୁଥିବ ନିତ୍ୟ ଧରାଧାମ ଉପକାରେ
ଦେଉଥିବ ବାରିସୁଧା ଅକୁଣ୍ଠ ଚିତ୍ତରେ ।