କାଶତଣ୍ଡୀର ଦୁଃଖ
କାଶତଣ୍ଡୀର ଦୁଃଖ


ଏବେ ଏବେ ପାରିଥିଲ
ଓଦାର ଚାଦର
ଧୀରେ ଯାଏ ଶୁଖି
ଗଢିବାକୁ କଥା ଦେଲ
ଯାଅ ବହୁ ଦୂର
ହୋଇ ନିରିମାଖି ।
ହୋଇଲ ବଉଦ ରାଣୀ
ନୀଳ ରାଇଜରେ
ଉଡିଲା ଛାତିରେ
ଝାଡ଼ିଦେଲ ଶୁଭ୍ରମୁଣି
ମାଖିଛି ମଥାରେ
ଉଡ଼ିବ ସେ ଥରେ ।
ସୁନୀଳ ଗଗନେ ଶୁଭ୍ର
ଆସର ଜମାଣ
କରି ଭାସି ଯାଅ
ଚାହିଁଛି ଆତୁରେ ତବ
ଶୀତଳ ବର୍ଷଣ
ଦେହେ ଭରିଦିଅ ।
ସବୁଜ ପ୍ରାଙ୍ଗଣ ମୋର
ପୁଷ୍ପଗନ୍ଧ ଧନେ
ହୁଏ ଭରାଭର
ନିତ୍ୟ ସଙ୍ଗୀତ ଆସର
ବିହଙ୍ଗ କୂଜନେ
ଅତି ମନୋହର ।
ବାଜିଲାଣି ନହବତ
ସଜବାଜ ସର୍ବେ
ମଧୁର ପୁଲକେ
ସଞ୍ଜ ସକାଳେ ପୂରିତ
ମଧୁରିମା ଭବେ
ଆନନ୍ଦ ଆଲୋକେ ।
&
nbsp;
ଆସେ ସ୍ୱର୍ଣ୍ଣାଭ ସମ୍ଭାର
ପାର୍ବଣ ବେଳାରେ
ହସିବ ଧରଣୀ
ତୁମ ରଙ୍ଗ ଦେହେ ମୋର
ଖେଳଇ ଅଧୀରେ
ନ ନିଅ ମେଲାଣି ।
ଶ୍ୱେତବର୍ଣ୍ଣା ବାନ୍ଧିଦେଇ
ଶ୍ୱେତକ ମୁକୁଟ
ପ୍ରୀତି ନିଦର୍ଶନେ
ଯାଅ ନିରାଶେ ବୁଡ଼ାଇ
ଆଉ ନାହିଁ ଭେଟ
ଦୁଃଖୀ ଏ ଜୀବନେ ।
ନବରସ ଦରଶନେ
ନବଳିଲା ମନ
କି ଦୁର୍ବାର ମୋହେ !
ଝରିଯିବି ତୋ' ବିହୁନେ
ହୋଇ ହୀନିମାନ
ମଳୟର ଦେହେ ।
ପୀରତି ବିଧୁର ମୁଁ ଯେ
କାଶତଣ୍ଡୀ ତବ
ଉଡ଼ିଯିବି ଦିନେ
ଯାଅ ଗୋ ବଉଦ ନିଜେ
ନିର୍ଜନେ ଆସିବ
ହିମ ତନୁମନେ ।
ଉଡ଼ନ୍ତା ଭଗ୍ନ ପକ୍ଷରେ
ଦେବ ଗୋ ପରଶ
ହୋଇଯିବି ଶାନ୍ତ
ଶୋଇ ଶେଷ ନିଷ୍ପନ୍ଦରେ
ପାଇ ତୁମ ଶ୍ଳେଷ
ହୋଇବି ଗୋ ପ୍ରୀତ ।