ଦୂର ପଥଯାତ୍ରୀ
ଦୂର ପଥଯାତ୍ରୀ


ବହୁଦୂରେ ଅଜଣା ସେ ପଥପ୍ରାନ୍ତେ
ହସିଥିଲି ତାରୁଣ୍ୟର ଆବେଶେ
ଭାବିଥିଲି ତାହା ପ୍ରାଣ ସୁରଭି
ନିୟତ ଲଭି ।
ପଥ ଥିଲା ଦୀର୍ଘ ତେଣୁ ହେଲି ଶ୍ରାନ୍ତ
ଖୋଜିହେଲି ସେଇ ଅଭୁଲା ମୁହୂର୍ତ୍ତ
ପାଇଲି ଅନେକ ନୂତନ ବୋଧ
ସେ ଅନୁବନ୍ଧ ।
ଯେତେ ଗଲି ଦୂରେ ବିସ୍ମିତ ହେଲି
ନଥିଲା ଯା' ପ୍ରାଣେ ତା' ଅନୁଭବିଲି
ଅଶ୍ରୁର ତତଲା ପରଶ ପାଇ
ମନ ବୁଝାଇ ।
ଭାବୁଥିଲି କାହିଁ କୋକିଳ ଗାଏ
ମନ ମହକାନ୍ତି ନବମଲ୍ଲିକାଏ
ସ୍ନିଗ୍ଧ ସରସ ମଳୟ ପରଶେ
ନିତ୍ୟ ହରଷେ ।
ବିଶାଳ ଗଗନେ ମୁକ୍ତ ବିହଙ୍ଗମ
ମଧୁର ସଙ୍ଗୀତ ତାଳେ ଅନୁପମ
ସୁଖର ଉତ୍ସବେ ଯାଆନ୍ତି ଉଡ଼ି
ଡେଣାକୁ ଝାଡ଼ି ।
କିଏ ଗଢ଼ିଅଛି ଏ ନେତ୍ରବିଳାସ
ଅପରୂପ ତା'ର ପ୍ରାନ୍ତର ଉରସ
ସବୁଜ ବନାନୀ ପ୍ରସୂନ ଦ୍ୟୋତ
ମହକେ ଚିତ୍ତ ।
ନବ ସୂନନିଭ ମଣିଷ ଜୀବନ
ଚିର ଶଇଶବ ତରଙ୍ଗିତ ମନ
ଉପଳେ ଲହରୀ ପାରେ ଖେଳାଇ
ଭାଙ୍ଗି ନଯାଇ ।
ଅନ୍ତର ଅତଳେ ଭାବନା ବୀଥିକା
ସୁରଭିତ କ୍ଷଣେ ଝାଉଁଳେ ତା' ଶାଖା
ଚତୁରେ ଦୂରି କି ପାରିବ ଦୁଃଖ
ଲଭିବି ସୁଖ ।
ଦୂର ପଥଯାତ୍ରୀ ଜାଣେନା ନିୟତି
କେବେ ସେ ମଞ୍ଜୁଳ କେବେ ଦିଏ ଭୀତି
ଯିବାକୁ ତ ହେବ ନିଶ୍ଚେ ଏକାକୀ
ଦୁଃଖୀ ନୋହିକି !