ଛୋଟ ପିଲା ସିନା ବଡବୁଦ୍ଧି
ଛୋଟ ପିଲା ସିନା ବଡବୁଦ୍ଧି
ଛୋଟପିଲା ସିଏ ତୁମ ପରି,
କେହିନୁହେ ତାର ଗୁଣେ ସରି,
ବାଜିରାଉତ ନାମଟି ତାହାର,
ସବୁକାମ କରେ ବାଜିମାରି ।
ସକାଳୁ ସକାଳୁ ଉଠିପଡ଼ି,
ଯାଏ ସିଏ ତାର ନାଆ ଧରି,
ନଈର ସୁଅକୁ ଡରନାହିଁ ତାର,
ସଭିଙ୍କୁ ଦିଏ ସେ ପାର କରି ।
ସେଦିନ କି ତାର କାଳ ଥିଲା,
ଆକାଶରେ ମେଘମାଳ ଥିଲା,
ସିଏକି ବୁଝିବ କାଳର କରାଳ,
ବାର ବରଷର ଛୋଟ ପିଲା ।
ଢେଙ୍କାନାଳର ସେ ଟିକିଯୋଦ୍ଧା,
ସବୁକାମରେ ସେ ସାଦା ସିଧା,
ପ୍ରଜାମଣ୍ଡଳର କୁନି ନାୟକ ସେ,
ନାଆ ଘାଟ ତାର ସାଥୀ ସଦା ।
ଗୋରା ସରକାର ହୀନ ମତି,
ଚଲାଏ ସଦା ସେ କ୍ରୁର ନୀତି,
ଗୁଳିକରି ରଙ୍ଗାଇଛି ନଈକୂଳ,
ତଥାପି ନାହିଁ ବାଜିର ଭୀତି ।
ହୁକୁମ କରିଛି ପ୍ରଜାମେଳି,
ଗୋରା ହେବେନାହିଁ ନଈପାରି,
ଯାହା ହେବହେଉ ଛାଡ଼ିବନି ସେ
ପ୍ରଜାମେଳିର ଟିକି ନାଉରୀ ।
ସତେ କରିଥିଲା ସିଏ ପଣ,
ତା ଟିକି ହୃଦୟ ଏତେ ଟାଣ,
ଗୋରାଙ୍କଡାକକୁ ପ୍ରତ୍ୟାଖାନକରି,
ଗୁଳିରେ ହାରିଲା ନିଜ ପ୍ରାଣ ।
ପ୍ରାଣ ସିନା ତାର ଦେଇଦେଲା,
ଗୋରାଙ୍କ ହୁକୁମ ନ ମାନିଲା,
ବାଜିରାଉତ ସେ ବାଜିମାରିନେଲା,
କାଳ କାଳ ଯଶ ରଖିଗଲା ।
ସିଏ ଓଡିଶାର ବୀରପୁତ୍ର,
ଓଡ଼ିଆ କୁଳର ଚିର ସୂତ୍ର,
ନିଜଜାତି ମାନ ରକ୍ଷାପାଇଁ ସିଏ,
ବୁହାଇଲା ସିନା ନିଜ ରକ୍ତ ।
ଦେଖିନାହିଁ ଭଲରେ ଦୁନିଆ,
ଚଳାଇନି ସଂସାରର ନାଆ,
ନାଉରୀ ସାଜି ସେ ପ୍ରାଣବଳିଦେଲା,
ମରି ସେ ଅମର ଟିକି ଛୁଆ ।
ଛୋଟ ପୁଣି ଏଡ଼େ ସେ ବିରାଟ,
ମୃତ୍ୟୁ ତାରେ ଛାଡିଦେଲା ବାଟ,
ଗୋରା ସରକାର ଅବାକ ହୋଇଲେ,
ଦେଖି ତାର ଚତୁରତା ନାଟ ।
ସେହିପିଲାର ସେ ଦେଶଭକ୍ତି,
ମନରେ ଆଣେ ଅଜସ୍ର ଶକ୍ତି,
ଖେଳ ବୟସରେ ନିଜେ ଖେଳିଗଲା,
ଥରାଇଲା ବିଦେଶୀଙ୍କ ଛାତି ।
ଆସରେ ଆମେ ବି ଏକ ହେବା,
ସହୃଦେ କରିବା ଦେଶ ସେବା,
ଅପକର୍ମଠାରୁ ଦୁରେରହି ଆମେ,
ଦେଶପାଇଁ ନିଜ ପ୍ରାଣ ଦେବା ।
ଛୋଟପିଲା ସିନା ବଡବୁଦ୍ଧି,
କରିଦେଲା ନିଜ କାର୍ଯ୍ୟ ସିଦ୍ଧି,
ତାପରି ବାଳୁତ ପାଇ ଦେଶମାଆ,
ଖୁସିରେ ଗରବ କରେ ରିଦ୍ଧି ।