ଭଗ୍ନଶିଳାର ଭଗ୍ନସ୍ତୁପ
ଭଗ୍ନଶିଳାର ଭଗ୍ନସ୍ତୁପ
କବିତା - ଭଗ୍ନଶିଳାର ଭଗ୍ନସ୍ତୁପ
ରଚନା - ପଞ୍ଚାନନ ଜେନା
ତାରିଖ -୨୨-୦୪-୨୦୨୬
++++++++++++++++++
କୁହୁଡି ପହଁରା ସମ୍ଭାବନା ଛାତିତଳେ ମନ୍ଥେଇ
ବିରୁଡ଼ି ମନ୍ତୁରା ପ୍ରତିଶୃତି ମନତଳେ ଦବେଇ
ଦେହ ଦେଉଳର ଶୂନ୍ୟ ବେଦି ଡେଇଁ
ଠାକୁର ଫେରାର୍ କେବେଠୁ ଜଣାନାହିଁ
ତଥାପି ମାଳ ମାଳ ମନ୍ଦିର ନିର୍ମାଣ କମିନାହିଁ
ତଥାପି ଭକ୍ତ ଭଗବାନ ସମ୍ପର୍କ ଜମି ନାହିଁ
ମଉଳା ବାଉଳା ଇଚ୍ଛାକୁ କାନ୍ଧରେ ପକେଇ
ମୁକୁଳା ହୁଗୁଳା ମନକୁ ପଘାରେ ବନ୍ଧେଇ
ଗର୍ଭଗୃହ ହେଲାଣି ଭଗ୍ନଶିଳାର ଭଗ୍ନସ୍ତୁପ
ତଥାପି ସିନ୍ଦୁର ଲଗା ପଥର ଖଣ୍ଡ ରହିଛି ଚେଇଁ
ଭକ୍ତି ନୈବେଦ୍ୟର ପୂଜା ଥାଳି ରହିଛି ଅନେଇ
ବଡ୍ରତୁଣ୍ଡ ମହାକାୟ ମନ୍ତ୍ର ଉଚ୍ଚାରଣେ
ଧୂପ ଦ୍ବୀପ ନୈବେଦ୍ୟ ଅର୍ପଣେ ସମର୍ପଣେ
ଆଶା ଅଛି ଫେରି ଆସିବ ଈଶ୍ୱରୀୟ ବିଶ୍ୱାସ ନେଇ
ସମୟର ପୁଙ୍ଗୁଳା ଡ଼ୋରୀକୁ ଆଉ ଥରେ ସଳକେଇ
କିଛି ପାପ କିଛି ଭୟମିଶା ଲୟକୁ ବାନ୍ଧି ଗଣ୍ଠିଲି ମୁଣ୍ଡେଇ
ସକାଳ ହେଉ ହେଉ ଧାଉଁଥାଏ କଠାଏ ହସ ଫୁଟେଇ
ମୃତ୍ୟୁଲଗ୍ନା ମଣିଷ ପରା ଧର୍ମ- କର୍ମ ନାଁରେ ମହାପାପ କରୁଥାଇ
ପ୍ରବଳ ଉଜ୍ଜଳ ଭବିଷ୍ୟତ ସ୍ୱପ୍ନକୁ କାଠେଇ ମୁଠେଇ
ଜୀବନ୍ତ ଅଭିନୟ କରୁଥାଏ ସ୍ଵାର୍ଥ ସର୍ବସ୍ଵ ମନ୍ତ୍ର ଗାଇ
ଅର୍ପଣ ସମର୍ପଣ କଥା ଛାଡ଼ ହୋ
ତର୍ପଣ ପଦାର୍ପଣ କଥା କାଢ଼ ହୋ
ମନ୍ଦିର ଠାକୁର ଈଶ୍ଵର ସବୁ ମାନସ ବନ୍ଧନ ଜୁଇ
ମିଛ ଦୁନିଆରେ ସତ୍ୟ ସନାତନୀର ଧ୍ବଜା ଉଡୁଥାଇ
