ବାରମଜା
ବାରମଜା
ବାରମଜା ଆହା କି ମଜା
ଖାଇଲେ ସର୍ବେ ଖୁସି
ପିଲା ଠୁ ବଡ଼ ପୁଅ କି ଝିଅ
କେଡେ ସୁଆଦ ଭାଷି ।
କିଏ କହେ ତାକୁ ଚେନାଚୁର
କିଏ କହେ ମିଶ୍ଚର
ରାଗ ଲୁଣିଆ ଅଲଣା ପୁଣି
ଅଛି ନାନା ପ୍ରକାର ।
ମୁଢି ସହିତ ମିଶାଇଦେଲେ
ବର୍ଷା ପାଗ ବେଳେ
ଦାଣ୍ଡ ପିଣ୍ଡାରେ ବସି ଖାଇଲେ
ପରମ ସୁଖ ମିଳେ ।
ପିଲାଏ ମିଶି କରନ୍ତି ପାଗ
ମୁଢି ମିଶ୍ଚର ଲଙ୍କା
ପିଆଜ ଅଦା ଧନିଆ ପତ୍ର
ତେଲ ମିଶାଇ ସଜା।
ମଝିରେ ରଖି ଗୋଲ ହୋଇ
ଶ୍ରେଣୀ ଆଗରେ ବସି
ଖାଇବା ଦେଖି ଗୁରୂ କହିଲେ
ମୋ ଭାଗ ଦିଅ କିଛି ।
ପିଲାଦିନର ସେ କଥା ଆଜି
ପଡୁଛି ମନେ ମୋର
ସ୍ନେହ ଡୋରରେ ବନ୍ଧା ଥିଲୁ
ଗୁରୁ ଶିଷ୍ୟ ଆବର ।
ସାଙ୍ଗ ସାଥିରେ ନଦୀ କୂଳରେ
ବାଲି ଉପରେ ବସି
ବାରମଜା ମୁଢି ସାଥିରେ
ଖାଇକି କେଡେ ଖୁସି ।
ନ ଥିଲା ଭେଦ ଭାବ ବିଚାର
ମିଶି ମିଶ୍ଚର ସମ
ସାଙ୍ଗ ସାଥୀ କି ଗୁରୂ ଶିଷ୍ୟ
ଅତୁଟ ସେ ବନ୍ଧନ ।
କର୍ପୁର ଯାଇ କନା ପଡିଛି
ନାହିଁ ସେ ସ୍ନେହ ଭାବ
ବଦଳି ଯାଇଛି ଭାବ ବନ୍ଧନ
ସତେ କି ସେ ଫେରିବ ।