ଅଭିବ୍ୟକ୍ତି
ଅଭିବ୍ୟକ୍ତି
ଜହ୍ନ ଆଲୁଅରେ ରୂପେଲି କିମିଆ
ଲାଗେ ମିଠା ମିଠା ନିଆଁ
ଉତ୍ତ।ଳେ ମନରେ ପ୍ରେମର ଜୁଆର
ଭଲ ଲାଗେ ପ୍ରିୟା ଛୁଆଁ ।
ଭୁରୁଭୁରୁ ବାସେ ମଳୟ ପବନେ
ପ୍ରେମର ମଧୁ ସୁବାସ
ଜଣା ପଡ଼େ ପୁଷ୍ପ ରୂପ ରସ ଗନ୍ଧ
କିରଣ ହେଲେ ସ୍ପର୍ଶ ।
ମଙ୍ଗଳ ପ୍ରଭାତେ ଉଅଁନ୍ତି ଅରୁଣ
ଢାଳନ୍ତି ରଙ୍ଗ ଅବିର
ପୂରେ ଦଶଦିଶ କଳ କୂଜନରେ
ଜୀବନ ଚଳ ଚଞ୍ଚଳ ।
ଉଡିବୁଲେ ମନ ପ୍ରଜାପତି ପରି
ଝାଡି ତାର ଟିକି ଡେଣା
ହୁଏ ମତୁଆଲା ସୁବାସ ସୁଗନ୍ଧେ
ହୁଏ କେବେ ବାଟବଣା ।
ସାତ ତାଳ ପଙ୍କ ପଦୁମ ପୋଖରୀ
ପଦ୍ମଗନ୍ଧା ସୁକୁମାରୀ
ଏକ ମନପ୍ରାଣେ ହୁଏ ପ୍ରସ୍ଫୁଟିତ
ଅରୁଣଙ୍କୁ ଅନୁସରି ।
ମୃଦୃ ପଦ ପାତେ ଜୀବନ ସମ୍ପାତେ
ସଞ୍ଚରେ ଅମୃତ ବିନ୍ଦୁ
ସରସ ସୁନ୍ଦର ଉଲ୍ଲାସ ଆନନ୍ଦେ
ବରଷଇ ମଧୁ ଇନ୍ଦୁ ।
ହେଉ ମଧୁମୟ ସବୁଜ ସୁନ୍ଦର
ସୁରଭିତ ପ୍ରେମ ପ୍ରୀତି
ନ ଉଡୁ ନ ବୁଡୁ ପବନେ ପଙ୍କରେ
ନ ଜଳୁ ଘୃଣା ଅପ୍ରୀତି ।
ପ୍ରେମ ଚିରନ୍ତନ ପୂଜ୍ୟ ବନ୍ଦନୀୟ
ହେଉ ସଦା ବରଣୀୟ
କଳୁଷିତ ଅବା ପ୍ରେମ ବିଫଳତା
ପରିଣତି ଭୟାବହ ।
ସଫଳ ସକାମ ହେଉ ପ୍ରେମ ଲକ୍ଷ୍ୟ
ପ୍ରିୟ ସତ୍ୟ ଅଭିବ୍ୟକ୍ତି
ଘେନ ମୋ ମିନତି ସଜାଅ ସୁନ୍ଦରେ
ସୁସାହିତ୍ୟ ଅନୁରକ୍ତି ।

