ଆତ୍ମା ତ ଆତ୍ମାକୁ ଛୁଏଁ
ଆତ୍ମା ତ ଆତ୍ମାକୁ ଛୁଏଁ
ଗଲେ ଦଗା ଦିଆ ମଥୁରା ଭୁବନ
ଫେରିବାକୁ କଥା ଦେଇ
ଭରସାରେ ଅଛି ବିରହିଣୀ ରାଇ
କାହ୍ନୁର ବାଟକୁ ଚାହିଁ ୲୲
ଆଖି ଲୁହ ତା'ର ଆଖିରେ ମରଇ
ପ୍ରତୀକ୍ଷାର ନାହିଁ ଅନ୍ତ
କିଏ ସେ ବୁଝିବ ତା' ଅନ୍ତର କୋହ
ବିରହ ବେଦନା ତିକ୍ତ ୲୲
ଛାଇ ଆଲୁଅର ଲୁଚକାଳି ଖେଳ
ତା' ସାଥେ ଖେଳିଛି ବିହି
କାହ୍ନାର ବିଚ୍ଛେଦ ବିରହ ଯନ୍ତ୍ରଣା
ପାରୁନି ତ ଜମା ସହି ୲୲
ମିଳନର ପ୍ରତି ମଧୁର ମୁହୂର୍ତ୍ତ
ରାଇ ମନ ଝୁରି ହୁଏ
ମନ ସିନା ଝୁରେ ଭିତରେ ଭିତରେ
ବିରହ ଆତ୍ମାକୁ ଛୁଏଁ ୲୲
ମିଳନର ସ୍ଵାଦ ସଦା ମଧୁମୟ
ବିରହ ତା' ଠୁଁ ମଧୁର
ରାଇ ଠାରୁ କିଏ ବୁଝିଛି ଅଧିକ
ପ୍ରେମ ତ ଚିର ଅମର ୲୲
ପାଖେ ଥାଉ ଅବା ଥାଉ ସାଥୀ ଦୂରେ
ମନ ସଦା ଝୁରି ହୁଏ
ପ୍ରେମରେ ଦୂରତା ହାର୍ ମାନେ ସଦା
ଆତ୍ମା ତ ଆତ୍ମାକୁ ଛୁଏଁ ୲୲
