Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bibhu Samanta

Romance

1.0  

Bibhu Samanta

Romance

ସ୍ମୃତିପ୍ରଜ୍ଞା

ସ୍ମୃତିପ୍ରଜ୍ଞା

10 mins
668


ଅଳ୍ପ ଦିନର ଗଳ୍ପ:

ନୀଳ ଆକାଶକୁ କଣ ହେଇଛି କେଜାଣି। ସେ ଦିଶୁଛି ବର୍ଣ୍ଣବିଭା ଅପରୂପ ରମଣୀ ପରି। ନହୁଲି ଚାହାଣୀରେ ଭରି ଦେଉଛି ଅନଙ୍ଗ ଉନ୍ମାଦନା। ସେ ଚାହାଣୀର ନିଶାରେ ମତୁଆଲା ପଳାଶ, ବିଞ୍ଚି ଦେଉଛି ମେଞ୍ଚା ମେଞ୍ଚା ରଙ୍ଗୀନ ପାଖୁଡା ଏଇ ମାଟି ଉପରେ। ଚୁପ ସୈତାନି ମାଟି ଚୁମି ଯାଉଛି ସେଇ ପାଖୁଡା ସବୁକୁ ନୀରବରେ ଆଖି ବୁଜି କେହି ଜାଣିବା ଆଗରୁ। କୋଳେଇ ନେଇ ଜାଗା ଦେଉଛି ନିଜ ଭିତରେ । ଏମିତି ଚାଲିଥାଏ ଆକାଶ, ପଳାଶ ଆଉ ମାଟିର ପୀରତି।

ଖାଲି ପଳାଶ ନୁହେଁ ବଉଳ ବି ବାଉଳା ହୁଏ ଆକାଶ ପ୍ରେମରେ। ପୁଳାଏ ସୁନେଲି ରଙ୍ଗ ମାଖୀ ବିଭୋର ହୁଏ ମିଠା ସ୍ୱପ୍ନରେ। ଆକାଶ ଦେଖି ଖୁସି ହୁଏ ଏସବୁକୁ।

କୃଷ୍ଣଚୁଡା ଓଠରେ ରଙ୍ଗ ଭରି ଅପେକ୍ଷା କରେ ତାରି ସ୍ପର୍ଶକୁ। ଏମିତି କେତେ ଆୟୋଜନ ତା ପାଇଁ।

ଏମିତି ଅନେକ ପ୍ରସ୍ତୁତି ପରେ ପ୍ରଜ୍ଞା ଓହ୍ଲାଏ ତଳକୁ। ପ୍ରତୀକ୍ଷାକୁ ପରିଣତିର ମହୁ ଚଖେଇବାକୁ। ପ୍ରଚ୍ଛଦରେ ଶୁଭୁଥାଏ ଫୁଲେଇ ଫଗୁଣର ମିଠା ଗୁଞ୍ଜରଣ। ସବୁକୁ ଅଣଦେଖା କରି ସେ ଚାଲିଆସେ ସେଇ ପୁରୁଣା ବସଷ୍ଟାଣ୍ଡକୁ। ଯୋଉଠି ଅପେକ୍ଷାରେ ଥାଏ ତା ସହଯାତ୍ରୀ, ବିସ୍ମୟ। ବିସ୍ମୟଙ୍କ ସହ ତା ପରିଚୟ ଅନେକ ଦିନର। ଦିନେ ଅପରିଚିତ ଅଜଣା ଥିଲେ ବିସ୍ମୟ। ଆଜି ବିସ୍ମୟ ତାର ନିଜଠୁ ନିଜର। ସେମାନେ ଅଟୋ କିମ୍ବା ବସ ରେ ଯାଆନ୍ତି ନିଜ ନିଜ କାର୍ଯ୍ୟକ୍ଷେତ୍ରକୁ। ସବୁଦିନ ଏମିତି ଚାଲିଥାଏ ପ୍ରତିକ୍ଷାର ପର୍ବ। ଦିନେ ସେଇ ଚିହ୍ନାମୁହଁଟିକୁ କେମିତି ସାଥି କରିନେବାର ସ୍ବପ୍ନ ଦେଖିଲା ବିସ୍ମୟ। ପ୍ରଜ୍ଞାର ବି ନୀରବ ସହମତି ଏଥିରେ। ଟେଂସା ଘାଟିରେ ସାଙ୍ଗ ହେଇ, ଗଲା ବେଳେ ସମସ୍ତଙ୍କ ସାଙ୍ଗେ କଥା ହୁଏ ପ୍ରଜ୍ଞା।ଉଞ୍ଚା ଉଞ୍ଚା ପାହାଡ଼ ଶିଖର, ତାକୁ ଗେଲ କରୁଥିବା ଭସା ବାଦଲ। ପାହାଡ଼ି ଝରଣା ସମସ୍ତଙ୍କ ହାଲ ବୁଝେ ସେ। ଆଉ ବିସ୍ମୟ, ସେ ତ ପ୍ରଜ୍ଞାମନସ୍କ। ମନରେ ଚାଲୁଥାଏ ଖାଲି ଜଙ୍ଗଲର କେଉଁ ଏକ ନିଭୃତ ଜାଗାରେ ଭିଡି ଧରନ୍ତେ ତାକୁ ତାଙ୍କ ଛାତି ଉପରେ। ବାନ୍ଧି ହେଇ ଯାନ୍ତେ ସେମାନେ ଆଲିଙ୍ଗନ ମୁଦ୍ରାରେ ସାରା ଜୀବନ ପାଇଁ। ସୃଷ୍ଟିର ଅନ୍ତିମକ୍ଷଣ ଯାଏ। ବିସ୍ମୟଙ୍କ ହାତମୁଠାରେ ପ୍ରଜ୍ଞାର ହାତ ମୁଠା ଝାଳେଇ ଯାଉଥାଏ ବାର ବାର। ସୂର୍ଯ୍ୟଙ୍କ ରଶ୍ମିରେ ଯେମିତି ହିମଖଣ୍ଡ ତରଳି ଯାଏ , ଠିକ ସେମିତି।

ବାହାରକୁ ବେସ୍, ସହଜ ଜଣା ପଡୁଥିବା ମନ ଭିତରେ ଚାଲିଥାଏ ଅନେକ କିଛି। ଜଣେ ବୁଣୁଥାଏ, ସୁନେଲି ସ୍ୱପ୍ନର ସ୍ବେଟର ଆଉ ଜଣେ ଆଙ୍କୁଥାଏ ଜହ୍ନ ରାତିର ସ୍କେଚ। ପାହାଡି ବୁଲାଣି ରାସ୍ତାରେ ଲଦି ହେଇ ପଡେ ପ୍ରଜ୍ଞା ବିସ୍ମୟ ଦେହରେ। କ୍ଷଣକ ପାଇଁ ହେଲେ ମଧ୍ୟ ବିସ୍ମୟ ଭିଜିଯାଏ ଅଜଣା ବର୍ଷା ଛିଟାରେ । ପ୍ରଜ୍ଞାର ସାନ୍ନିଧ୍ୟ ଟିକେ ପାଇଁ ତୃଷିତ ଏ ଆତ୍ମା। ତା ଭିତରେ ହଜିଯିବାକୁ ଖୋଜୁଥାଏ ବାହାନା। ପ୍ରଜ୍ଞାକୁ ଖୁବ୍ ଭଲ ଲାଗୁଥାଏ ଏସବୁ। ସେ ଦିଗ୍ ବଳୟରେ ଦେଖୁଥାଏ ଗୋଟେ ଫ୍ରେମ୍ ଭିତରେ ଦୁହିଙ୍କ ଯୁଗ୍ମ ଛବି। କଥା ହୁଅନ୍ତିନି ସେମାନେ। ବାସ୍ ଆଖି କଥା ଆଖି ବୁଝିଯାଏ। ଜଣଙ୍କ ଭାବନା ଜଣେ ପଢିନିଏ। ରାସ୍ତା ଏମିତି ସରିଯାଏ ସୁନାମୁହିଁ ଛକରେ। ସେ ମା ଙ୍କୁ ବହୁତ ବିଶ୍ୱାସ କରେ ପ୍ରଜ୍ଞା। ଏଇଠି ସେ ପାଏ ଅନ୍ୟ ଏକ ଆନନ୍ଦ, ତାକୁ ଲାଗେ ଯେମିତି ମା ତାକୁ କୋଳରେ ଶୁଆଇ ଦେଇ ମଥା ଆଉଁସି ଦିଏ। ସେ ମା ଙ୍କୁ ଖୋଲି କହେ ବିସ୍ମୟଙ୍କ କଥା।ତାଙ୍କ ନାଁରେ ଦୀପ ଜାଳେ, ପାଣି ଢାଳେ। ସମର୍ପି ଦିଏ ସକଳ କର୍ମକୁ ତାଙ୍କ ପାଦରେ। ଏଇଟା ପ୍ରଜ୍ଞା ଓହ୍ଲେଇବାର ଛକ। ଆଗକୁ ଯିବେ ବିସ୍ମୟ ଏକା। ସାଥିରେ ନେଇ ଯିବେ, ମୁଠାମୁଠା ସ୍ମୃତି। ସାଇତି ରଖନ୍ତି ମନ ସିନ୍ଧୁକରେ। ନା ଦିଅନ୍ତି" ସ୍ମୃତିପ୍ରଜ୍ଞା" ପ୍ରତିଦିନ ନୂଆ ପୃଷ୍ଠାଟେ ଯୋଡ଼ା ହୁଏ ସେଥିରେ। କେବେ ଦିନେ ଦେଖେଇବେ ସେ ସବୁ ପ୍ରଜ୍ଞାକୁ। ପ୍ରଜ୍ଞା ବସରୁ ଓହ୍ଲେଇ ଅପେକ୍ଷା କରେ ବସ ଯିବା ଯାଏ। ଦେଖୁଥାଏ ବିସ୍ମୟଙ୍କ ପାଖରେ କିଏ ବସୁଛି। ଯଦି ସୁନ୍ଦରୀ କଲେଜ ପଢୁଆ ଝିଅଟେ ବସିଲା, ସରିଲା କଥା। ଅଭିମାନରେ ଥମଥମ ହେଇ ଚାଲିଯାଏ। ସେମାନେ ପୁଣି ଏକାଠି ଫେରନ୍ତି, ବିସ୍ମୟ ପ୍ରଜ୍ଞାକୁ ଛକରେ ନ ପାଇଲେ ଓହ୍ଲେଇ ଅପେକ୍ଷା କରେ। ପ୍ରଜ୍ଞା ଆସିଲେ ମିଶିକି ଯାଆନ୍ତି ସେମାନେ। ଅଭିମାନ ଗୁଡା ଜମା ହେଇଥାଏ ପ୍ରଜ୍ଞା ମନରେ। ପ୍ରଜ୍ଞା ନିକଟତର ହେଲେ ସେ ଘୁଂଚି ଠିଆ ହୁଏ। ଜମା ଦେଖେନି ବିସ୍ମୟଙ୍କ ଆଡେ। ରାଗ ଥାଏ ମନରେ। ସବୁ ପୁଅ ଗୁଡା ଏମିତି ନା? ଏମିତ ସବୁ ଭାବୁଥାଏ ସେ। ବିସ୍ମୟ ଖୋଜୁଥାଏ, ଅଭିମାନର କାରଣ ଟିକୁ। ବେଳେ ବେଳେ ପାଏ, ବେଳେ ବେଳେ ପାଏନି। କିନ୍ତୁ ଆଖିରେ ଭୁଲ ମାଗିନିଏ, ସରି କହୁଥାଏ ହଜାର ଥର। ପ୍ଲିଜ କହୁଥାଏ, ନିଶବ୍ଦରେ। ପ୍ରଜ୍ଞା ବେପରୁଆ ଭାବେ ଅନେଇଥାଏ ବାହାରକୁ। କଥା ହେଉଥାଏ ଅନ୍ୟ ଯାତ୍ରୀ ମାନଙ୍କ ସଂଗେ। ପହଞ୍ଚିବାକୁ ଅଳ୍ପ ସମୟ ଥାଏ, ପ୍ରଜ୍ଞାର ଉପଲବ୍ଧି ହୁଏ ଯେ ବିସ୍ମୟ ଅନୁତପ୍ତ।ତା ପରେ ଯାଇ ମାନଭଂଜନ ହୁଏ ତାର। ସେତେ ବେଳ ଯାଏ ବିସ୍ମୟ କିନ୍ତୁ କରି ଚାଲିଥାଏ କ୍ଷମା ପ୍ରାର୍ଥନା।

ଘରକୁ ଫେରିବା ରାସ୍ତାରେ ପ୍ରଜ୍ଞା ମନ ଥାଏ, ପ୍ରଫୁଲ୍ଲିତ। ବସ୍ ରୁ ଓହ୍ଲେଇଲା ବେଳେ ବିସ୍ମୟଙ୍କୁ ଚାହିଁ , ଦିଏ ଦୁଷ୍ଟାମୀର ହସଟିଏ। ବିସ୍ମୟ ବିସ୍ମିତ ହେଇ ଚାହିଁ ରହିଥାନ୍ତି । ଗାଡି ଗାଡିଯାଏ ଆଗକୁ। ବିସ୍ମୟଙ୍କୁ ନେଇ।

ଏମିତି ଦିନ ବିତେ ସେମାନଙ୍କର । ଅସ୍ଵାକ୍ଷରିତ ପ୍ରତିଶୃତି, ଅମିମାଂସିତ ଅଭିମାନ ଆଉ ଅବଦମିତ ଆକର୍ଷଣ ଭିତରେ। କେହି କାହାଠାରୁ ଅଲଗା ରହିପାରନ୍ତିନି। ଜଣଙ୍କ ହୃଦୟରେ ଆଉ ଜଣେ ଥାଏ। ଦିନ, ମାସ ତାରିଖ ଏମିତି ବଦଳୁଥାଏ। କିନ୍ତୁ ବଦଳେନି ପ୍ରୀତିର ରଙ୍ଗ।

ଏମିତି କଣ ସତରେ ହୁଏ? ନା ହୁଏନି, ଏସବୁ କାହାଣୀ ସିନେମା, ଗପ ଉପନ୍ୟାସ ରେ ସୁନ୍ଦର ଲାଗେ। ବାସ୍ତବତା ରଙ୍ଗ ସତରେ କିଛି ଅଲଗା। କିଛି କଠୋର ସତ୍ୟ, କିଛି ନିଷ୍ଠୁର ପ୍ରାରବ୍ଧରେ ଛନ୍ଦି ହୁଏ କଳ୍ପନାର "ପ୍ରେମ" ପକ୍ଷୀ। କଳ୍ପନା ଆଉ ବାସ୍ତବ ଭିତରେ ଅନେକ ତଫାତ୍। କଳ୍ପନାର ଚରିତ୍ର ବାସ୍ତବ ଚିତ୍ର ଦେଇ ଗଲା ବେଳେ, ସମୟ ନିହାଣରେ ବଦଳି ଯାଏ ତା ରୂପରେଖ। ଭିନ୍ନ ହୁଏ ପରିପାର୍ସିକ ସ୍ଥିତି। ସେମିତି ଚରିତ୍ର ଦୁଇଜଣ ପ୍ରଜ୍ଞା ଆଉ ବିସ୍ମୟ। ଯେଉଁମାନେ ଉପନ୍ୟାସର ପୃଷ୍ଠାରୁ ଅବତରଣ କରିଛନ୍ତି ବାସ୍ତବ ଦୁନିଆକୁ।

ସବୁଦିନ ପରି ଆଜି ପିଲା ଓ ସ୍ୱାମୀଙ୍କ କଥା ବୁଝି, ପ୍ରଜ୍ଞା ବାହାରେ ଅଫିସ।ଏକ ଘରୋଇ ଅନୁଷ୍ଠାନରେ କିରାଣୀ କାମ କରେ ସେ, ବେଳ ପାଇଲା ପଢେ ଖବର କାଗଜରେ ଗପ ସବୁ। ଏମିତି ଗପ ଟିଏ ତାକୁ ଛୁଇଁଗଲା ଆଉ ସେ ତା ମତାମତ ଲେଖି ପଠେଇଲା। ଗାଳ୍ପିକ ଜଣକ ନିଜ ମତ ରଖିଲେ। ଏମିତି ଆରମ୍ଭ ହୁଏ ବନ୍ଧୁତା, ଗାଳ୍ପିକ ଜଣକ ଯେ ବିସ୍ମୟ ଏହିରେ ଦ୍ବିମତ ନାହିଁ। ବିସ୍ମୟ,ଏକ ଖବର କାଗଜର ଗାଳ୍ପିକ, ଏଇ ତାଙ୍କ ପରିଚୟ। ପୁଳାଏ ଲେକ ବାହାରେ ତାଙ୍କର ସବୁଦିନ ଖବର କାଗଜରେ। କିଏ ପଢି ମନେ ରଖେ ଯେ,ଏତେ କଥା। ସେ କାଗଜ ସବୁ ପେପର ଵାଲାକୁ ବିକ୍ରି କରା ଯାଏ, ଚନା ବାଦାମ ଠୁଙ୍ଗା ହେବାକୁ। ଭବିଷ୍ୟ ସୀମିତ ସେଇ ଠୁଙ୍ଗା ଭିତରେ ତାଙ୍କର। ଆଜି ବନ୍ଧୁ ବିସ୍ମୟ ଆସୁଛନ୍ତି। ବିସ୍ମୟଙ୍କ ସଂଗେ ଦେଖା ହେଇନି କେବେ। ଖାଲି ଯାହା ଚାଟିଂରେ। ବିସ୍ମୟ ଆବିଷ୍କାର କଲେ, ପ୍ରଜ୍ଞା ତାଙ୍କ ମାନସୀ,ଯାହାକୁ ସେ କଳ୍ପନାରେ ଆଙ୍କୁ ଥିଲେ।ମାନସୀ ରୁ ପ୍ରେୟସୀ ହେଇଯାଇଛି ପ୍ରଜ୍ଞା।ବିସ୍ମୟଙ୍କ ସର୍ତ୍ତହୀନ ଭଲପାଇବା ଆଗେ ହାରି ଯାଇଛି ପ୍ରଜ୍ଞା। ଏମିତି ଏକ ସମ୍ପର୍କରେ ସେମାନେ ଯାହା, ଥାଇ ବି ନାହିଁ। ଆଉ ନାହିଁ ବି ଅଛି, ଦୁହିଙ୍କ ମନରେ। ଏଇ ପ୍ରେମର ସାକ୍ଷୀ କେହି ନାହିଁ। ଦୁଇଟି ମନ ଛଡ଼ା। କେହି ଜାଣନ୍ତିନି ଏକଥା। ପ୍ରେମ ଦିଏ ସ୍ଥିରତା, ସମୟ ଗଡିଚାଲେ ଆଗକୁ। ଏମିତି ବିସ୍ମୟଙ୍କ କାମ ପଡିଲା ପ୍ରଜ୍ଞା ସହରରେ। ଆଉ ସେ ଜଣେଇଲେ ପ୍ରଜ୍ଞାକୁ। ପ୍ରଜ୍ଞା କିନ୍ତୁ ଡାକିପାରିଲାନି ତାଙ୍କୁ, ତା ଘରକୁ। କେମିତି ବା ଡାକନ୍ତା, କୋଉ ପରିଚୟ ଦେଇ। ମିଛ କହିଲେ ଧରା ପଡ଼ିଯାଏ ସେ। ତେଣୁ ଡାକିଲାନି। ତା ଅଫିସ ଯିବା ରାସ୍ତାରେ ଦେଖା କରିବ ବୋଲି କହିଲା। ବିସ୍ମୟ କିନ୍ତୁ ଟିକେ ଅଧିକ ସମୟ ରହିବାକୁ ଚାହିଁ ଥିଲେ। ପ୍ରଜ୍ଞା କଥା ଅନୁସାରେ ସେ ଅପେକ୍ଷା କରି ରହିଲେ ପ୍ରଜ୍ଞାର ବସ୍ ଷ୍ଟପ ରେ। ସେଦିନ ଥିଲା କୋଉ ଗୋଟେ ମାର୍ଚ୍ଚ ମାସର ବୁଧବାରଟିଏ। ସହରର ପାଗଟା ଥିଲା ବେସ୍ ରୋମାଣ୍ଟିକ। ଫଗୁଣର ପବନରେ କାନି ଉଡେଇ ଆସୁଥିଲା ପ୍ରଜ୍ଞା। ତା ନୀଳ ଶାଢ଼ୀର କାନିରେ ଲହଡି ଭାଙ୍ଗୁଥିଲା ସାଗରର ଉର୍ମି। ଏମିତି ଲାଗୁଥିଲା ସେ ବିସ୍ମୟଙ୍କ ପାଇଁ ସଜେଇ ହେଇଛି। ଆସି ଠିଆହେଲା ବସ ଷ୍ଟପରେ, ବିସ୍ମୟ ଙ୍କ ପାଖରେ। ଯାହାକୁ ନିଜ ମୋବାଇଲର ପରଦାରେ ଦେଖୁଥିଲେ ସେ ଆଜି ଠିଆ ହେଇଛି ସ୍ୱଦେହରେ ତାଙ୍କ ପାଖରେ। ବିସ୍ମୟ ଯେ ବିସ୍ମିତ ଏକଥା ପ୍ରଜ୍ଞା ଆଖିରୁ ବାଦ ପଡ଼ିଲାନି। ପ୍ରଜ୍ଞା ହସି ଉଠିଲା, କହିଲା କଣ ଏମିତି ଦେଖୁଛ। ମୁଁ ସେଇ ପ୍ରଜ୍ଞା ଯାହାକୁ ତୁମେ ସଜେଇ ରଖିଛ ତମ ମନ ଭିତରେ , ଚିତ୍ରଲେଖା ପରି।ଆଜି ଦେଖିନିଅ ବାସ୍ତବ ଆଉ କଳ୍ପନା ଭିତରର ଅନ୍ତର। ଖରାଟା ଟାଣ ହେଇ ଆସୁଥିଲା ସେତେବେଳେ। ବିସ୍ମୟ କହିଲେ, ମୁଁ ସବୁ ଜାଣି ବି ତମକୁ ମନରେ ଜାଗା ଦେଇଛି। ତୁମେ ଠିକ ସେମିତି ଯେମିତି ମୋ କଳ୍ପନା। ସେମିତି ସୁନ୍ଦର ଆଉ ସତେଜ। ଲାଜରେ ମଥା ନଇଁଲା,ପ୍ରଜ୍ଞା। ସେ ଚାହୁଁ ନଥିଲା ,କଥା ବଢ଼େଇବାକୁ ସେଇଠି। ବସ୍ ଆସିଗଲା, ଆଉ ଚଢ଼ିଗଲା ପ୍ରଜ୍ଞା। ପଛକୁ ନ ଅନେଇ।

କଣ୍ଡକ୍ଟରକୁ ଭଡା ପଇସା ଦେବା ବେଳେ, ଦେଖିଲା ବିସ୍ମୟଙ୍କୁ। ବିସ୍ମୟ କେତେବେଳେ ବସରେ ଚଢିଯାଇଛନ୍ତି ତା ପଛେ ସେ ଜାଣିନି। ଠିକ ତା ପଛେ ଠିଆ ହେଇଛନ୍ତି ସେ। ଆଶ୍ଚର୍ୟ୍ଯ ହେଲା ପ୍ରଜ୍ଞା। ବୟସର ଏଇ ମୋଡ଼ରେ ଏମିତି ପିଲାଳିଆମୀ କେମିତି କରି ବସନ୍ତି ସେ। ପ୍ରଜ୍ଞା ଭାବୁଛି ତାଙ୍କ କଥା, ଜୀବନକୁ ବେପରୁଆ ଭାବେ ଜିଉଁ ଥିବା ମଣିଷଟେ ସେ। ସମୟକୁ ସିମିଳି ତୁଳା ପରି ଉଡେଇ ଦିଅନ୍ତି ଦୂର ଆକାଶରେ। ଆଉ ତା ଭିତରୁ କେତେ ମୁହୂର୍ତ୍ତ ମାନଙ୍କୁ ବାନ୍ଧି ରଖନ୍ତି କାଗଜରେ। ମନଖୋଲା ହସ ବ୍ୟତୀତ ଆଉ କିଛି ସମ୍ବଳ ବୋଧେ ତାଙ୍କ ପାଖେ ନାହିଁ। ଲେଖକ ମାନେ ପାଗଳ,ଏକଥା ଜାଣିଥିଲା ପ୍ରଜ୍ଞା,ଏବେ ଦେଖୁଛି। କିଏ ଯଦି ତାକୁ ତାକୁ ଦେଖେ ତାଙ୍କ ସାଙ୍ଗେ, ତେବେ ??ନା, ତା ପରିବାରରେ ଝଡ଼ଟେ ଆସୁ ସେ ଚାହେଁନି। ତା ପ୍ରତିଷ୍ଠାରେ ଆଞ୍ଚ ନ ଆସୁ ସେ ପାଇଁ ବେସ୍ ଯତ୍ନଶୀଳ ସେ। ଏଥିପାଇଁ, ଅନେକ ଥର କହିଛି ସେ ବିସ୍ମୟଙ୍କୁ। ନୀରବତା ଭାଙ୍ଗି, ବିସ୍ମୟ କହିଲେ କଥା ଅଧା ରହିଯାଇଥିଲା ତ ଚାଲି ଆସିଲି। ପ୍ରଜ୍ଞା ତଥାପି ଚୁପ୍। ସେ ପାହାଡ଼ର ଅଙ୍କାବଙ୍କା ରାସ୍ତା, ଆଉ ସେ ସରଳ ଜୀବନ ଏସବୁରେ ବୁଡି ରହି ଥାଏ ପ୍ରଜ୍ଞା, ଶାନ୍ତି ଅନ୍ୱେଷଣରେ। ବୁଝୁଥାଏ ଜୀବନର ମାନେ, ଦେଖୁଥାଏ ସମ୍ପର୍କର ରଙ୍ଗ। କିନ୍ତୁ ବିସ୍ମୟ ଭିଜୁଥାନ୍ତି, ପ୍ରଜ୍ଞା କେଶର ଶାମ୍ପୂ ବାସ୍ନାରେ। ବିଭୋର ହେଉଥାନ୍ତି ତା ଦେହର ବାସ୍ନାରେ। ସେ ବାସ୍ନାକୁ ଆକଣ୍ଠ ପାନ କରି ସବୁଦିନ ପାଇଁ ସାଇତି ରଖନ୍ତି ଛାତି ତଳେ। ପ୍ରଜ୍ଞା ଗାଲରୁ ବିନ୍ଦୁ ବିନ୍ଦୁ ଝାଳ ସବୁ ଚାଖିବାକୁ ମନ ହୁଏ ତାଙ୍କର। ସେ ଜାଣେ ପ୍ରଜ୍ଞା ବିବାହିତା, ସ୍ୱାମୀ ପିଲା ମାନଙ୍କ ଭିତରେ ସୁଖୀ ସଂସାରଟିଏ। ଏତେ ପୂର୍ଣ୍ଣତା ଭିତରେ ଥାଇ ବି କେମିତି କେଜାଣି ଢଳିଗଲା ତା ମନ ବିସ୍ମୟଙ୍କ ପାଇଁ। ଏମିତି କଣ ହେଇ ପାରେ। ହଁ, ହେଇଚି ଯଦି ହେଉ। ଠାକୁରଙ୍କ ଉପରେ ଛାଡି ଦେଇଛି ସେ ସବୁ। ବିସ୍ମୟ ତ କଟି ଯାଇଥିବା ଗୁଡ଼ି। ସେ ନିଜକୁ ଭସେଇ ଦେଇଛନ୍ତି ସମୟ ସୁଅରେ। ସମୟ ଚିତ୍ରୋତ୍ପଳାରେ ଭାସି ଲାଖିଯାଇଛନ୍ତି ପ୍ରଜ୍ଞା ତୁଠରେ। ବିସ୍ମୟଙ୍କ ନିଶ୍ୱାସ ଅନୁଭବ କରିପାରୁଛି ପ୍ରଜ୍ଞା। ଜାଣିପାରୁଛି କଣ ସବୁ ଚାଲିଛି ତାଙ୍କ ମନରେ। ଭିଡି ନିଅନ୍ତେ ସେ ତାକୁ ତାଙ୍କ ଛାତିରେ। ଜଡେଇ ଧରନ୍ତେ ତାକୁ। ଆଖି ମୁଜି ଭୁଲି ଯାଆନ୍ତା ସ୍ୱାମୀ, ସଂସାର ,ପିଲାମାନଙ୍କ କଥା। ମନଟା ଶୂନ୍ୟରେ ଭସେଇ ଦିଅନ୍ତା ବିସ୍ମୟଙ୍କ ପରି।

ପ୍ରଜ୍ଞା ଓହ୍ଲେଇଲା ବସରୁ। ପଛେ ପଛେ ବିସ୍ମୟ ବି। ସୁନାମୁହିଁ, ମା ଙ୍କ ଉଦ୍ଦେଶ୍ୟରେ କିଣିଲା ଦିଟା ମାଟି ଦୀପ।କିଛି ଭୋଗରାଗ। ବିସ୍ମୟ ଖାଲି ଅନୁଶରଣ କରୁଥିଲା ତାକୁ ମନ୍ତ୍ରବତ୍। ମନ୍ଦିରରେ ଦୀପ ଜାଳିଲା, କହିଲା ମାଙ୍କୁ ତା ମନକଥା। ମା'ର ମୁରୁକି ହସ ଅଭୟ ଦେଲା ତା ମନରେ। ବିସ୍ମୟ ମୁଣ୍ଡିଆ ମାରି, ମନାସୁଥିଲା ପ୍ରଜ୍ଞାର ଖୁସି। ଜୀବନର ସବୁ ଖୁସି ସେ ପାଉ, ଏଇ ଥିଲା ମା' ପାଖେ ଅଳି। ଫୁଲଟିଏ ଖସିପଡ଼ିଲା ଦଲକାଏ ପବନରେ ମା ଙ୍କ ମଥାରୁ। ସେମାନେ ନାନାଙ୍କ ଠୁ ପାଦୁକା ପାଇ। ମନ୍ଦିର ସୀଢୀରେ କିଛି ସମୟ ବସିଲେ। ପ୍ରଜ୍ଞା କହିଲା, କୁହ ଏବେ କଣ ପାଇଲ ଏମିତି ପଛେ ପଛେ ଆସି। ନା ଆମେ ଭଲକି ଦେଖିପାରୁଛେ, ନା କଥା ହେଇ ପାରୁଛେ । ତଥାପି.... ବିସ୍ମୟ କହିଲେ , ହଁ ତଥାପି.. ମୋତେ ଟାଣି ଆଣିଲା ତମ ଭଲ ପାଇବା। ତମ ଛାତିରେ ମୋ ପାଇଁ ଥିବା ଦରଦ। ତମ ସ୍ନେହ। ତମେ ଜାଣିନ, ଏ ଜୀବନ ମରୁଭୂମିରେ ତୁମେ ସ୍ରୋତଶ୍ୱିନୀ ଝରଣାଟିଏ। କିଛି ପାଇବାର ଆଶା ମୋର ନାହିଁ। ନା ଦେହ ନା ମନ। ବିଶ୍ୱାସ କର ତମେ ଯଦି ମତେ କାଲି ଭୁଲିଯାଅ, ମୁଁ ସେତିକି ଭଲ ପାଇବି ତୁମକୁ। ମୁଁ କାହାକୁ କହିପାରିବିନି ଆଜିର ଦିନଟା କେମିତି କଟିଛି ମୋର। ଖୁସି ବାଣ୍ଟିବା ଲୋକଟି ତମେ। ଆଉ କାହା ଆଗେ କହିବି କଣ ପାଇଁ।

- ସତରେ ଏତେ ଭଲପାଅ ମତେ?

ନୀରବ ଥିଲେ ବିସ୍ମୟ। ଭାଷା ଖୋଜୁଥିଲେ କେମିତି କହିବେ କେତେ ଭଲପାଆନ୍ତି ସେ। ପ୍ରଜ୍ଞା ପଢ଼ିନେଲା ଆଖିର କଥା। ଅନ୍ୟମନସ୍କ ଭାବେ ଘଡିକୁ ଦେଖିଲା, ଅଫିସ ସମୟ ହେଇ ଗଲାଣି ଯିବାକୁ ହେବ। ଚାଲିଗଲା ସେ, ପିଚୁ ରାସ୍ତା ଡେଇଁ। ଅାର ପଟେ ଥିବା ସରୁ ରାସ୍ତାରେ କେଉଁ ଏକ ଜନବସ୍ତି ଭିତରେ।

ସେଇଠି ସେମିତି ଅପେକ୍ଷା କରି ରହିଲେ, ବିସ୍ମୟ। ତା ଫେରିବା ବାଟକୁ ଚାହିଁ। ମୋବାଇଲରୁ ଖୋଲି ପଢୁଥିଲେ ପ୍ରଜ୍ଞା ଆଉ ତାର କଥୋପକଥନ। କେତେ ପ୍ରେମ, କେତେ ଲୁହ ଭିଜା କଥା ସବୁ। ଜୀବନକୁ ଖୋଲା ବହିଟିଏ ପରି ଖୋଲି ଦେଇଛନ୍ତି ସେ ପ୍ରଜ୍ଞା ଆଗେ। ତାଙ୍କ ଜୀବନରେ ପ୍ରଜ୍ଞା ଅଫେରା ଅତିଥି, ଯେ ଭେଦି ଯାଇଛି ତାଙ୍କ ମର୍ମେମର୍ମେ। ତଥାପି କାହିଁ ଏ ଔପଚାରିକତା, କାହିଁକି ମନ ଦୁଆର ପାଖେ ପ୍ରଜ୍ଞା ଅନୁମତି ମାଗେ।ବିଶ୍ୱାସ ନାହିଁକି? ପ୍ରଜ୍ଞା ଚାହେଁ, ସେ ବି ତା ପରିକା ସୁନ୍ଦର ସଂସାରଟେ କରନ୍ତୁ। କିନ୍ତୁ ,ପ୍ରଜ୍ଞାକୁ ଯେଉଁ ଜାଗାରେ ରଖିଛନ୍ତି ସେଠି ଆଉ କାହାକୁ ଦେଖିବାକୁ ଚାହାନ୍ତିନି ସେ। ତା ପାଇଁ ଉଦ୍ଦିଷ୍ଟ ସମୟରେ ଆଉ କେହି ଭାଗ ବସାଉ, ସେ ସହିପାରିବେନି। କେଜାଣି ପ୍ରତିକ୍ଷାର ଆୟୁଷ କେତେ। ସେ ଜାଣନ୍ତି ଯେ, ପ୍ରଜ୍ଞା କେବେ ବି ତାଙ୍କର ହେଇ ପାରିବନି। ଏଇଟା ସତ୍ୟ। ଏଇଟା ବିଧି ନିର୍ଦିଷ୍ଟ। ଏମିତି ପ୍ରେମ କାହାଣୀଟେ, ଯେଉଁଠି ବିଶ୍ୱାସ ହିଁ ମୂଳଦୁଆ। ଆଉ ଅନ୍ୟକୁ ଖୁସି ଦେଖିବାର କାମନା, ଛଡା ଆଉ କିଛି ନାହିଁ। ଏଇ ବୋଧେ ପ୍ରେମ। ଯେ ଭୁଲିଯାଇଛି ସିନ୍ଦୁର ଆଉ ଟିକିଲି ଭିତରର ଅନ୍ତରକୁ।

ପ୍ରଜ୍ଞା ଫେରେ ତା କାମସାରି , ଅପେକ୍ଷାକୃତ ଟିକେ ଜଲଦି । ସେ ଆଶା କରିଥାଏ ବିସ୍ମୟଙ୍କ ଉପସ୍ଥିତି, କିନ୍ତୁ ସେ ଯଦି ଚାଲିଯାଇଥାନ୍ତି । ତଥାପି କିଛି ଅଭିଯୋଗ ନାହିଁ ତାର। ଭାବନାକୁ ନିୟନ୍ତ୍ରିତ କରିବାର କଳା ଭଲ ଭାବେ ଜଣା ତାକୁ। ସେମିତି କରିପାରନ୍ତିନି ବିସ୍ମୟ। ବିସ୍ମୟ ତା ପାଖେ ଏତେ ପ୍ରଗଲଭ ,ସେ ନିଜକୁ ବିଶ୍ୱାସ କରିପାରନ୍ତିନି।ମନ ପ୍ରଜାପତି ବୋଲ ମାନେନା ଜମା। ପ୍ରଜ୍ଞା ତାଙ୍କ ସବୁ ଭାବନାକୁ ସ୍ଥାନ ଦିଏ, ନିଜ ଭିତରେ। ପ୍ରଜ୍ଞା ପାଇଁ ବିସ୍ମୟ , ତା ଭାବନାର କେନ୍ଦ୍ରବିନ୍ଦୁ। ସବୁ ପ୍ରଶ୍ନର ଶେଷରେ ସେ, ଆଉ ସବୁ ଉତ୍ତରର ଆରମ୍ଭରେ ସେ। ସ୍ୱାମୀ,ସଂସାର ଭିତରେ ଥାଇ ମଧ୍ୟ ସେ ବିସ୍ମୟଙ୍କୁ ଭଲପାଏ ଏକ ସମର୍ପିତ ପ୍ରେମିକା ପରି। ଏକଥା ଜାଣେ, ଯେ ଦୁନିଆ ଆଖିରେ ସେ କଣ। ହେଲେ ସେ କର୍ମରୁ ସମର୍ପିତ ମାଙ୍କ ପାଖେ। ସେ କହେ ସେ ଯାହା କରେ ସେ ସବୁ ସେ କରାନ୍ତି। ଏଇଟା ବୋଧେ ଅସଙ୍ଗତ ଲାଗିପାରେ। ତଥାପି ସେ ଚାଲିଛି ଗୋଟେ ସ୍ରୋତରେ। ହାତ ଟେକି ଦେଇଛି । ନିଜ ପ୍ରେମକୁ କେବେ ଦେଖେଇ ପାରେନି ସେ, କିନ୍ତୁ ବିସ୍ମୟ ଯେତେ ଲୁଚେଇଲେବି ଦେଖାଯାଏ ତାଙ୍କ ଭଲପାଇବା। ଦୁଇଜଣ ଏବେ ବାହାରିଲେ, କାହାଣୀର ଶେଷ ଆଡକୁ।

ବସ୍ ଆସି ସାରିଥିଲା, ଏବେ ଫେରିବାର ବେଳ, ଦୁହେଁ ଠିଆ ହୋଇଥାନ୍ତି ପାଖାପାଖି। ଯେ ଯାହା ଭାବନାରେ ବୁଡି। କିନ୍ତୁ ଦୁହିଙ୍କ ମନରେ ଗ୍ଲାନି। ଏମିତି ଆଉ କଣ ହେବ, ପୁଣି କେବେ ଦେଖା ହେବ। ସେଇ ମନ୍ଦିର ,ସେ ଛକ,ସବୁ କିଛି ପଚାରୁଥାନ୍ତି ଯେମିତି, ପୁଣି କେବେ ଫେରିବ ତୁମେ। ଆଉ ଦୁହେଁ ନିରୁତ୍ତର। ରାସ୍ତାରେ ଦୁର୍ଘଟଣା ଘଟିଛି ବୋଧେ, ଅନେକ ଗାଡି ଠିଆ ହେଇ ଥାନ୍ତି ଧାଡି ହୋଇ। ଏମିତିରେ ଅଟକିଗଲା ଏଇ ବସ୍ ଟି। ସମୟ ବୋଧେ ଶୁଣିନେଲା ଦୁହିଁଙ୍କ କଥା। ଆଉ କିଛି ସମୟ ମିଳିଗଲା, ସାଥି ହୋଇ ରହିବାକୁ। ଏକ ଦୀର୍ଘଶ୍ଵାସରେ ନୀରବତା ଭାଙ୍ଗିଲା। ପ୍ରଜ୍ଞା ଦେଖିଲା, ଉପରେ ଥିବା ରେଲିଂ ରେ ତା ହାତ ଉପରେ ବିସ୍ମୟଙ୍କ ହାତ। ହାତ କାଢି ନେଲାନି, ସେ। ଚାହିଁ ହସିଦେଲା। ବିସ୍ମୟ ଟିକେ ଜୋରେ ଚାପିଧରିଲେ। ପହିଲି ଛୁଆଁକୁ ଦି ଜଣ ଅନୁଭବ କରୁଥିଲେ, ଭିଜୁଥିଲେ ବର୍ଷାରେ। ଦି ଜଙ୍କ ଦେହରେ ସମାନ ଶିହରଣ, ସମାନ ଉତ୍ତାପ। ଜଣେ ତୃଷିତ,ଜଣେ ତୃଷ୍ଣା। ଆଖି ମିଶୁ ନଥିଲା, କିନ୍ତୁ ହୃଦୟ କେବେଠୁ ଏକ ହୋଇ ସାରିଛି। ସନ୍ଧ୍ୟା ହେଇ ଆସୁଥିଲା, ପ୍ରଜ୍ଞା ଆଉ ବିସ୍ମୟ ପହଁଚିଲେ ଶେଷ ପାହାଚରେ। ଏଇଠୁ ଦୁହେଁ ଫେରିଯିବେ ନିଜ ନିଜ ଦୁନିଆକୁ। ଯୋଉଠି କର୍ତ୍ତବ୍ୟର ପ୍ରଶ୍ନପତ୍ର ଅପେକ୍ଷା କରି ରହିଥିବ ସେମାନଙ୍କୁ। ଆଖିରେ ବିଦାୟ ନେଲା, ପ୍ରଜ୍ଞା। ଆଉ ଲୁହ ଜକେଇ ଆସୁଥିଲା, ବିସ୍ମୟଙ୍କ ଆଖିରୁ। କୋହ ସବୁ କଣ୍ଠରୋଧ କରୁଥିଲେ। ଇଚ୍ଛା ହେଉଥିଲା କୁଣ୍ଢେଇ ଧରି କୁହନ୍ତେ , ପ୍ରଜ୍ଞା ପ୍ଲିଜ ଯାଅନି, ମୁଁ ତୁମ ବିନା ବଞ୍ଚିପାରିବିନି। ତମ ବିନା ଜୀବନର ମାନେ କିଛି ନୁହେଁ। କିଛି ବି ନୁହେଁ।

କଳ୍ପନାର କଳିକାରେ ବନ୍ଧା ସ୍ବପ୍ନଟିଏ। ସମୟର ସ୍ପର୍ଶରେ ବାସ୍ତବତାର ଫୁଲ ଫୁଟେ। ମୁକୁଳି ଯାଏ ସ୍ବପ୍ନ। ସୁରଭି ହୋଇ,ଉଡିବୁଲେ ପବନରେ।

ସେମାନେ କେବେ ଭାବି ନଥିଲେ ଏମିତି ଦେଖା ହେବ ବୋଲି। ଫୁଲେଇ ଆକାଶଟା କୁରେଇଫୁଲକୁ ପଚାରୁଛି, ଫଗୁଣର ହାଲଚାଲ୍। କାଠଚମ୍ପାକୁ କହୁଛି ଫଗୁ ଭିଜା ଗପ। କହୁଛି,ସେ କେମିତି ଏକୁଟିଆ ହେଇ ଯାଏ,"ଏ ଫଗୁଣ ଗଲା ପରେପରେ" ନୀଳ ନଈର ଆଖିରେ ଆଖି ମିଶେଇ ଗପ ଯୋଡି ବସେ। କଥା ସବୁ ବାଦଲ ହେଇ ଉଡି ବୁଲନ୍ତି ଏଣେ ତେଣେ। କେହିଜଣେ ସାଇତି ରଖେ ସେ ସବୁ ରୂପା ଫରୁଆରେ ସ୍ମୃତି କରି। ସ୍ମୃତି ସବୁ ମୋତି ହେଲାପରେ , ପୃଷ୍ଠାଟିଏ ଯୋଡି ହୁଏ "ସ୍ମୃତିପ୍ରଜ୍ଞା"ରେ। ଥକି ପଡିଥିବା କଲମଟି ମୁଁହଗୁଞ୍ଜି ଦିଏ ଡାଏରି ଭିତରେ। ଚଷମା କାଚରେ ଲାଗିଥିବା ପାଣିକୁ ପୋଛି ସାଇତା ହୁଏ ସାର୍ଟ ପକେଟରେ।ବସ୍ ଟି ବିସ୍ମୟଙ୍କୁ ନେଇ ଚାଲିଯାଏ ଦୂରକୁ, ବହୁ ଦୂରକୁ।


Rate this content
Log in

Similar oriya story from Romance