ସିନ୍ଦୁରା ଅପେକ୍ଷାରେ
ସିନ୍ଦୁରା ଅପେକ୍ଷାରେ
ଝରକା ଆର ପଟେ ଲମ୍ବି ଯାଇଛି ରାସ୍ତା।ଖରସ୍ରୋତା ଧାର ପରି। ରାସ୍ତା କଡରେ କୃଷ୍ଣଚୂଡ଼ାରୁ ଝରି ପଡିଛି ଅଜସ୍ର ଲୋହିତ ପାଖୁଡା। କାହା ପାଇଁ ଏ ଆଡମ୍ବର ଏ ଅଭ୍ୟର୍ଥନା? କେହି କଣ ବୁଝେ,କୃଷ୍ଣଚୂଡ଼ାର ମନକଥା? କାହା ପାଖେ ସମୟ ଅଛି ଯେ? ବାଟୋଇ କେବେ ହାଲ ଖବର ବୁଝେ ରାସ୍ତାର? ସେ ତ ଚାଲିଯାଏ, କୃଷ୍ଣଚୂଡ଼ା ପାଖୁଡାଙ୍କୁ ଦଳି ମକଚି। ହେଲେ ବି କୃଷ୍ଣଚୂଡ଼ା ଆକାଶ ଛାତିରେ ଚିତ୍ର ଆଙ୍କେ। ମନକଥା ବୁଝି ନ ହେଲେ କଣ ଭାବପ୍ରବଣତା କମିଯାଏ? ନା, କମେନି... ବରଂ ଅନ୍ୟ ରାସ୍ତାଟିଏ ବାଛି ନିଏ। ଏମିତି କୃଷ୍ଣଚୂଡ଼ା ପରି ଝରି ଝରି ସେ ଖୁସି ହୁଏ। ଧଳା ସଲ୍ୱାରରେ ନାଲି ଓଢଣୀ ପକେଇ ଯାଉଥିବା ଝିଅ ଟିଏ ଅଟକି ଗଲା ସେଇଠି। କଣ କିଛି କହିବ କି? ନା ଓଢଣୀରେ ମୁହଁ ପୋଛି ଠିଆ ହେଲା ଛାଇରେ। କୃଷ୍ଣଚୂଡ଼ା ବି ଭାରି ଫାଜିଲ, ସେ ବି ଝରେଇ ଦେଲା କିଛି ଫୁଲ ପାଖୁଡା। ଝିଅଟି ଉପରକୁ ଚାହିଁଲା ଆଉ ଏଇ ସମୟରେ ଅଟୋଟିଏ ଆସି ଠିଆ ହେଲା ଆଉ ଝିଅଟି ବସି ଚାଲିଗଲା ସେଥିରେ। ଗଲା ବେଳେ କୃଷ୍ଣଚୂଡ଼ା ପାଖୁଡାକୁ ଚାପି ଦେଇଗଲା ଘୋର ଗର୍ଜନ କରି। କୃଷ୍ଣଚୁଡା ତଥାପି ହସୁଛି। ଗଲା ୭ବର୍ଷ ହେଲା, ନିୟମିତ ଭାବେ ମୁଁ ଦେଖି ଆସୁଛି ଏ ଦୃଶ୍ୟ।
ସେ ଗ୍ୟାରେଜ କାମ ଛାଡି କରିଛି ଗୋଟେ ଗାଡି ସୋରୁମ । ମୁଁ ଅସୀମ ଦାସର କାୟା ପରିବର୍ତ୍ତନ ହୋଇଛି ସେ କଲୋନୀ ଛାଡି ନିଜ ପାଇଁ ଏ ରାଜଧାନୀରେ ଘରଟିଏ ତୋଳି ପାରିଛି। ଗଳ୍ପ, କବିତା, ଉପନ୍ୟାସର ନିଶା ଏବେ ବି ସେମିତି। ସତ କହିବାକୁ ଗଲେ ଏମାନେ ମୋର ଜ୍ଞାତି କୁଟୁମ୍ବ, ପରିଜନ। ସବୁ ବେଳେ କେହି ନା କେହି ମୋ ଶୟନ ସାଥି ହୁଅନ୍ତି ଏମାନେ। ଚୁପି ଚୁପି କଥା, ଲୁହ ବର୍ଷା, ମାନ ଅଭିମାନ , ଥଟ୍ଟା ମଜା ସବୁ ଆମେ ବାଣ୍ଟି ନେଉ। ମୁଁ ବୋଧେ ବେଶୀ ନିଏ। " ସାୟାହ୍ନର ସ୍ମୃତିରେଖା" ଏବେ ମୋ ଶେଯରେ ପଡି ମୋ ଡାକୁଛି। "ଲେଖିଲା ପର ଠୁ ମୋତେ ଦିନଟେ ହେଲେ କୋଳକୁ ନେଇନ, ମୁଁ କଣ ସତରେ ଏତେ ନିର୍ଦୟୀ? କାହିଁକି ଏ ବିଡମ୍ବନା ତେବେ? କୁହ ତ? ଟେବୁଲ ଉପରୁ "ପ୍ରତାରଣାର ପ୍ରତିଧ୍ୱନି" ମୋତେ ବୁଝାଉଛି ଶୁଣ, ମନ ଦେବା ଆଗରୁ ଥରେ ମୋତେ ପଢିଯିବ। ଭୁଲିବନି। ଭୁଲିଲେ... ଲୁହ ସବୁ ପୋଛିବାକୁ "ଯଶୋଧରା" ପାଖକୁ ଯିବ। ଯେ ବୁଝେଇବ ଜୀବନର ମାନେ ଧାଇଁବା ଓ ଧକ୍କା ଖାଇବା ନୁହେଁ। ଲୁହ ହେଉ କି ଲହୁ ସବୁ ସାଉଁଟି ଚାଲିବା। ଚାଲିବା ଆଉ ଚାଲିଯିବା ଭିତରେ ଅନେକ ବ୍ୟବଧାନ। ଚାଲିଲେ ଫେରିବାର ଆଶା ଥାଏ ହେଲେ ଚାଲିଗଲେ ନିଜ ପଛରେ ଲିଭେଇ ଦେଇଯାଅ ପଦ ଚିହ୍ନ ସବୁ।" ମୋର ଏବେ ବି ମନେ ପଡେ ସେ ୮/୧୦ ର ବଖରେ ଘର ସେ ବତୀ , ସେ କଲୋନୀ, ଆଉ ନିତୁର ମାଆ। କେବେ କେମିତି ଦେଖା ହୋଇଯାଏ ତାଙ୍କ ସହ ଫେସବୁକରେ। ସେ ଏବେ ଗୋଟେ ପ୍ରାଇଭେଟ ସ୍କୁଲରେ ଗଣିତ ପଢ଼ାନ୍ତି। କେବେ କେବେ କହନ୍ତି, ଝିଅର ସ୍କୁଲ ପତ୍ରିକା ପାଇଁ କବିତାଟିଏ ଲେଖିବାକୁ। ଲେଖିଦିଏ। କିନ୍ତୁ ବିଶେଷ କଥା ନ ହୋଇ ଚାଲିଆସେ ମୋ ଦୁନିଆକୁ।
ମାସ କି ତାରିଖ ମୋର ମନେ ନାହିଁ। ସୋରୁମ ବନ୍ଦ କରି ସେଦିନ କିଛି କର୍ମଚାରୀ ଆଗୁଆ ଚାଲିଗଲେ, ଆଉ ଜଣେ ମେକାନିକର ବାହାଘରକୁ। ମୁଁ ଚାହିଁଲି ରାସ୍ତା ଆର ପଟ ସୋରିଷ କ୍ଷେତକୁ। ସୁନା ପରି ଝଟକୁଛି ଦୂରରୁ। ପବନରେ ନାଚି ନାଚି କହୁଛି ଉଚ୍ଚା କୋଠାର ନରମ ଗଦି ଓ ନୀଳ ଆଲୁଅରେ ଆନନ୍ଦ ନଥାଏ। ଆନନ୍ଦ ଥାଏ ମୁକୁଳି ଯିବାରେ। ପବନରେ ମିଶିବାରେ ମାଟିକୁ ଭରା ଦେଇ ଆକାଶ ସହ ଗପିବାରେ। ଘଡିରେ ସମୟ ଦେଖି ବାହାରିଲି ଯିବାକୁ ସେ ବାହାଘରକୁ। ହେଲେ ଦେଖେ ତ, ଗାଡିର ଆଗ ଚକଟି ଲିକ। ସଜାଡ଼ିବାକୁ ସମୟ ନାହିଁ। ଅଟୋ ନେଇ ଷ୍ଟେସନରୁ ଗାଡି ମିଳିଗଲେ ଦେଢ଼ ଘଣ୍ଟାରେ ପହଞ୍ଚି ଯିବି। କାମ ସାରି ରାତି ସୁଦ୍ଧା ଫେରି ଆସି ହେବ। ଷ୍ଟେସନରେ ଟିକେଟ ନେଇ ପ୍ଲାଟଫର୍ମର ଏକ ପତ୍ରିକା ଦୋକାନରେ ଠିଆ ହେଇଛି, ୧୪/୧୫ବର୍ଷ ଝିଅଟିଏ ଆସି ପାଖରେ ଠିଆ ହେଲା। ସ୍କୁଲ ପଢୁଆ ଝିଅଟେ ବୋଧେ ନୀଳ ରଙ୍ଗର ସ୍କାର୍ଟ ଓ ଧଳା ରଙ୍ଗର ବ୍ଲାଉଜ ପିନ୍ଧିଚି। ରିବନରେ ବାନ୍ଧିଛି ଦୁଇଟା ବେଣୀ। କାନ୍ଧରେ ବ୍ୟାଗଟିଏ। ମୋତେ ଦେଖି ହସିଦେଲା। ମୁଁ ବି ସୌଜନ୍ୟ ଦୃଷ୍ଟିରୁ ହସ ଟିଏ ଫେରେଇଲି। ସେ ସଙ୍ଗେ ସଙ୍ଗେ ଆସି ପଦ ଛୁଇଁ ପ୍ରଣାମ କଲା। ମୁଁ ଆଶ୍ଚର୍ଯ୍ୟ ହେଲି, ମଥା ଆଉଁସି କହିଲି, "ଠାକୁରେ କଲ୍ୟାଣ କରନ୍ତୁ ରେ ମା, ହେଲେ ମୁଁ ତୋତେ ଚିହ୍ନି ପାରିଲିନିରେ।"
- "ମୋତେ ଚିହ୍ନି ପାରୁନ ଅଙ୍କଲ? ମୁଁ ନୀତୁ। ଯେ ତୁମ ଘରକୁ ଭୋଗ ନେଇ ଯାଏ, ଯାହାକୁ ତୁମେ ଗପରେ ଗପରେ ପାଠ ବୁଝେଇଦିଅ, ସେଇ କଲୋନୀରେ।" ଏକା ବେଳେ ଗଦ ଗଦ ହୋଇ କହି ଗଲା ସେ।
ମୁଁ ସେମିତି ଚାହିଁ ରହିଛି ତାକୁ। ତା ଆଖି ଯୋଡ଼ାକ ଠିକ ତା ମା ପରି, ଢଳ ଢଳ ସ୍ୱପ୍ନିଳ, ସଜଳ , ସଜ ଫୁଟା କଇଁ ଫୁଲ ପରି। ୟା ଭିତରେ ତାରୁଣ୍ୟ ଛୁଇଁଛି ତାକୁ। ମୋତେ ଦେଖି ସେ ଏତେ ଖୁସି ଯେ, ତା ଆଖି କୋଣ ସାମାନ୍ୟ ଓଦା ହେଇ ଆସିଛି। ମୋ ପାଟିରୁ ବାହାରି ଆସିଲା, "ନୀତୁ..... ତୁ? ଏଇଠି? କୁଆଡେ ଯାଉଛୁ? ଏକା ଆସିଛୁ? ତୋ ମାମା କେମିତି ଅଛନ୍ତି? ବାବା ଆସୁଛନ୍ତି ନା ଘରକୁ?"
- ମୁଁ ଗୋଟେ ବହି କିଣିବାକୁ ସାଙ୍ଗ ସାଙ୍ଗରେ ଭୁବନେଶ୍ୱର ଆସିଥିଲି। ଏବେ ଫେରୁଛି। ମାମା ସବୁବେଳେ ତୁମ କଥା କୁହେ। ରାତିରେ ଶୋଇଲା ବେଳେ ପତ୍ରିକାରୁ ତୁମ ଗପ ପଢ଼ି ଶୁଣାଏ। ମୁଁ ଶୋଇ ପଡେ, କିନ୍ତୁ କେତେ ଥର ଦେଖିଛି ସେ ଗପ ପଢ଼ି ଆଖି ତାର ଲୁହରେ ଭର୍ତ୍ତି ହୋଇଯିବାର। କଇଁ କଇଁ ହୋଇ କାନ୍ଦେ କିଛି ସମୟ। ପଚାରିଲେ କିଛି ବି କହେନି। ତାକୁ ଥଣ୍ଡା ଜମା ଛାଡୁନି ବାବା ଏବେ ବି ସେମିତି। ଟିକେ ରୁହ ମୁଁ କଲ କରି କହିଦିଏ ତୁମକୁ ଦେଖିଲି ବୋଲି। କେତେ ଖୁସି ହେବ ସେ।
ମୁଁ ବାରଣ କଲି। ନା ... ଥାଉ। ତୋ ସାଙ୍ଗ କୁଆଡେ ଗଲା। କାହିଁ ଦିସୁନି ତ ସେ? କୋଉ ଟ୍ରେନ ରେ ଯିବୁ? ଟିକେଟ କରିଛୁ? ମୁଁ ବି ଯିବି ତମ ଆଡେ। ଟ୍ରେନ ଆସିବାକୁ ଡେରି ଅଛି... ଆ ଯିବା ଟିକେ ବସିବା ସେଇଠି।
ନୀତୁ କହିଲା,
- ଆମେ ଦୁହେଁ ସାଙ୍ଗ ହୋଇ ବହି କିଣିଲୁ। ସେ ଟିକେ ତା ମାମୁଁଙ୍କ ପାଖକୁ ଗଲା। ଆସିଯିବା କଥା, ହେଲେ ଏ ଯାଏ ଆସିନି। କେତେ ଥର ତାକୁ କଲ କଲିଣି, ରିଙ୍ଗ ଯାଉଛି, ହେଲେ ଉତ୍ତର ନାହିଁ। ଅଙ୍କଲ, କେବେ ସମୟ ଦେଖି ଘର ଆଡ଼େ ଆସନ୍ତନି? ମାମା ତୁମକୁ ଦେଖିଲେ କେତେ ଖୁସି ହୁଅନ୍ତା, ତୁମେ ଜାଣ! ମୋ ଜନ୍ମଦିନରେ ତୁମେ ଦେଇଥିବା ସେ ଟେଡି କଣ୍ଢେଇଟି ସେ ମୋତେ ଜମା ଛୁଆଁଇ ଦିଏନି। ଆଲମାରୀରେ ସାଇତି ରଖିଛି।
କାନ୍ଧରୁ ବ୍ୟାଗ ଖୋଲି ସେ ବସିପଡ଼ିଲା, ପ୍ଲାଟଫର୍ମ ଠୁ ଦୂରରେ ଥିବା ବେଞ୍ଚ ଉପରେ। ପାଖରେ ଥିବା ଆମ୍ବ ଗଛରେ ଲେଉଟାଣି ପକ୍ଷୀଙ୍କ କଲରବ। ଅନେକ ଦିନ ପରେ ନିଜ ଲୋକକୁ ପାଖରେ ପାଇବାର ଖୁସିରେ ଏ ମିଶ୍ରିତ ଗୁଞ୍ଜନ। ମୋ ଦୁନିଆ ଭିତରେ ନୀତୁର ଆଗମନ ଏକ ବିଶେଷ ଆଲୋଡନ। ମନେ ମନେ କହିଲି," ତୁ କି ଜାଣୁ, ମୁଁ ଅନେକ ଥର ଯାଇଛି ତମ ଘର ବାଟ ଦେଇ, କେବେ କେମିତି ତୁମକୁ ଦୂରରୁ ଦେଖି ଚାଲି ଆସିବା ମନରେ। ହେଲେ, ମୋ ଭାଗ୍ୟ... କଣ ଏତେ ଭଲ ହୋଇପାରେ? ସେ ପୁଣି କହିଲା," ମୋ ସାଙ୍ଗ ଆସିଲାନି ବୋଲି ଖୁବ ଡରି ଯାଇଥିଲି ମୁଁ। ଏଠି ସମସ୍ତେ ମୋତେ କେମିତି ଗୋଟେ ବୁଲି ବୁଲି ଚାହୁଁଥିଲେ। କେତେ ଥର ସେ ଭିକାରୀଟା ପଇସା ମାଗିବା ବାହାନାରେ ମୋ ହାତ ଧରି ନେଉଥିଲା।ଭାରି ଖରାପ ଲାଗୁଥିଲା ମୋତେ। ଯାହା ହେଉ, ଠାକୁରଙ୍କ ଦୟାରୁ ତୁମେ ଆସିଗଲ ।"
ମୁଁ ତା ମଥା ଆଉଁସି ଦେଲି।
- ନ ଆସି କେମିତି ରହିଥାନ୍ତି ଯେ! ଠାକୁରେ ପରା ମୋତେ ପଠେଇଲେ, କୁନି ପରୀଟେକୁ ଅସୁବିଧାରେ ଦେଖି।
ସେ ହସିଲା, ମୁଁ କହିଲି, "ପରୀ ମାନଙ୍କ ପାଇଁ କଣ ସବୁବେଳେ ଅଙ୍କଲ ଆସି ପାରିବେ? ପରୀ ମାନେ ନିଜ ସୁରକ୍ଷା ନିଜେ କରିବା ଠିକ ନା? ତୁ ଜାଣୁ ନୀତୁ, ତୋ ମାମା ବି ଠିକ ତୋ ପରି। ନିଜ ପାଇଁ ଜମା ମୁହଁ ଖୋଲେନି। ଅନ୍ୟାୟର ପ୍ରତିବାଦ କରେନି କରି ଥିଲେ ହୁଏ ତ.... ଏଣୁ ମୋ ମା ଟା ପରା। ନିଜ ପାଇଁ ଟିକେ କଠୋର ହୁଅ। ଜବାବ ଦେବା ଶିଖ ଓ ଜବାବ ମାଗିବା ଶିଖ।"
ତା ଆଖି ଡୋଳା ଯୋଡିକ ସ୍ଥିର ଦିଶୁଥିଲା। ସେ ମନ ଦେଇ ମୋ କଥା ଶୁଣୁଥିଲା। ବୁଝୁଥିଲା ସବୁ। ଝଡର ପକ୍ଷୀ ଶାବକକୁ ମିଳି ଯାଇଥିଲା ସୁରକ୍ଷିତ ନୀଡ଼ଟିଏ । ସଞ୍ଜ ନଇଁ ଆସୁଥିଲା ଷ୍ଟେସନର ଭିକାରୀ ତାକୁ ଆଉ ହଇରାଣ କରିବାକୁ ସାହସ ପାଉ ନଥିଲା। ଆମେ ଦୁହେଁ ଅପେକ୍ଷା କରିଥିଲୁ ଟ୍ରେନର। ସେ ପୁଣି କହିଲା, ମୁଁ କେମିତି ଜାଣିବି କିଏ ଭଲ କିଏ ଖରାପ। ମାମା କହେ, ଯେ ଯାହା କଲେ କି କହିଲେ କିଛି କହିବୁନି, ଚୁପିଚାପ ଚାଲି ଆସିବୁ। କିଏ ବୁଝେଇବ ମୋତେ ଏତେ କଥା? ଏମିତି ଯିବା ଆସିବା ରାସ୍ତାରେ କେତେ ଥର ହୋଇଛି ମୋ ସହ। ମୋ ଗୋଟେ ସାଙ୍ଗର ଭାଇ ସେଦିନ ମୋତେ.... ଭାଗ୍ୟ ଭଲ ତା ବାପା ଆସିଗଲେ। ଦୌଡ଼ି ପଳେଇଲା ସେ। ଏଇଠି ଦରକାର ପଡନ୍ତି ବାପା ଆଉ ଭାଇ। ହେଲେ ମୁଁ ଏ ଦୁଇଟାରୁ ବଞ୍ଚିତ।
- ନ ଥାଉ କେହି। ନିଜ ନିଜର ସାହସ ହୋଇ ଠିଆ ହୁଅ। କେତେଦି
ନ ଆଉ ଏମିତି ନାରୀଟିଏ ନିଜ ସୁରକ୍ଷା ପାଇଁ ପୁରୁଷକୁ ଦାୟୀ କରିବ? କେତେଟା ହାତରେ ରାକି ବାନ୍ଧି, ନିଜ ପାଇଁ ସୁରକ୍ଷା ପାଇଁ ହାତ ପାତିବ? ନିଜେ ନିଜର ଭାଇ ହୋଇଯାଅ। ଏଥର ରାକ୍ଷୀ ପୁନେଇରେ ନିଜ ହାତରେ ରାକ୍ଷୀଟେ ବାନ୍ଧେ ତୁ।
ସେ ମୋ ପାଖକୁ ଘୁଞ୍ଚି ଆସି, ମୋ କାନ୍ଧରେ ମୁଣ୍ଡ ରଖି କହିଲା, " ତୁମେ ମୋ ବାବା କାହିଁ ହେଲନି? ମୁଁ ମୋ ବାବାଙ୍କ ପାଖେ ନିଜକୁ ଠିକ ଏମିତି ଦେଖେ। ଯେମିତି ତୁମ ପାଖେ ମୁଁ ସୁରକ୍ଷିତ, ନିରାପଦ ଓ ନିର୍ଭୟ।
କିଛି ସମୟ ପରେ ଆମେ ବସିଥିଲୁ ଟ୍ରେନର ବଗି ଭିତରେ। ନୀତୁର ସାଙ୍ଗ ଆସିଲାନି ତେଣୁ ସେ ଆସିଲା ମୋ ସହ ଝରକାକୁ ଲାଗି ସେ ତା ପାଖକୁ ମୁଁ, ଟ୍ରେନଟି ଆଗକୁ ଯାଉଥିଲା ସତ, ହେଲେ ଆମେ ବସିଥିଲୁ ବିପରୀତ ମୁଖା ହୋଇ ପଛକୁ ଟାଣି ହୋଇ ଯାଉଥିବା ପରି। ଟ୍ରେନର ଗତି ସହ ମୋ ଭିତରେ ଅଣଲେଉଟା ଫର୍ଦ୍ଦ ଗୁଡିକ ଖୋଲି ଗଲା। ଯାହାକୁ ମୋ କଲମ କେବେ ଲେଖିବାକୁ ମନ କରିନି। ତା ଶେଷ କଥା ପଦକ ଉଙ୍ଖାରି ଦେଇଗଲା ପାଉଁଶ ତଳର ନିଆଁକୁ। ଅଥଚ, ସେ ମୋ କାନ୍ଧରେ ମଥା ରଖି ସେ ଆଖି ବନ୍ଦ କରି ଦେଇଛି ଖୁବ ବେଫିକର ହୋଇ। ତା ଗୋଲାପୀ ପାପୁଲିରେ ମୋ ସିରାଳ ହାତ। ମୋ ବନ୍ଦ ଆଖି ଆଗେ ନାଚିଗଲା ସବୁ ଦୃଶ୍ୟ। ସେଦିନ ସନ୍ଧ୍ୟାରେ ନୀତୁର ମା ଗଲା ପରେ କେଜାଣି କାହିଁକି ମୋ ଭାବନା ଲହରୀ ଖୋଜି ନେଇଥିଲା ତାଙ୍କ ନାଁର ବେଳାଭୂମି । ମନ କହେ ସେ ୮/୧୦ ର ଛୋଟ ଘରଟି ଆମ ପରି କାଳ ବୈଶାଖୀର ବିଭୀଷିକାକୁ ଅଙ୍ଗେ ନିଭେଇଥିବା, ପକ୍ଷୀଙ୍କ ପାଇଁ ଗୋଟାଏ ନିରାପଦ ନୀଡ଼ ହୁଅନ୍ତାନି? ଯେଉଁଠି ସ୍ୱପ୍ନର କୁଟା କାଠି ନେଇ ପୁଣି ଜୀବନ ଓ ଯନ୍ତ୍ରଣାର ସାମ୍ନା କରୁ କରୁ ମୁକ୍ତ ଆକାଶରୁ କିଛି ଆଣି ହାତ ମୁଠାରେ ସାଇତି ଫୁ କରି ଉଡେଇ ହୁଅନ୍ତା, ସିମିଳି ତୁଳା ପରି। ଆଶା ର ଅଧାର ଦେଇ ସିଞ୍ଚି ହୁଅନ୍ତା ଭବିଷ୍ୟର ସୁନେଲି ସୂର୍ଯ୍ୟୋଦୟଟେ। ହେଲେ ନିୟତି ଅନ୍ୟ କିଛି ନିର୍ଦ୍ଧାରଣ କରିଥିଲା।
ଦେଖା ହେଲେ ବାଟ ଘାଟରେ ପଦେଅଧେ କଥା ହୋଇ ଯିବା ନହେଲେ ମୋ ଗ୍ୟାରେଜ ଦେଇ ବଜାର ଗଲା ବେଳେ ମୋତେ ଦେଖି ହସିଦେବା, ତରକାରୀ ପଠେଇବା କି ନୀତୁର ପାଠ ବୁଝେଇବା ଏସବୁ ଲୋକଙ୍କ ଆଖିକୁ ଭଲ ଦିଶିଲାନି। ଆମ ନାଁରେ ଅନେକ ଗୁଜବ ଉଡି ବୁଲିଲା ଗାଧୁଆ ତୁଠରେ, ଖରାବେଳ ଗପରେ।କଥା ଯାଇ ପହଞ୍ଚିଲା ନୀତୁ ମାଙ୍କ କାନରେ। ଏଣିକି ମୋତେ ଦେଖି ସେ ମୁହଁ ଆଡେଇ ଚାଲି ଯାଆନ୍ତି, ଆଉ ଆଗ ପରି କଥା ହୁଅନ୍ତିନି। ନୀତୁ ବି ଆସେନି ଆଉ ଆଗ ପରି ପାଠ ବୁଝି। ମୋତେ ଏସବୁ ଖୁବ ଅସହଜ ଲାଗୁଥାଏ। ମୁଁ ଜାଣି ଶୁଣି ଡେରିରେ ଆସେ, ଗ୍ୟାରେଜରୁ। ଦିନେ ରାତିରେ ଫେରିଲା ବେଳେ ଦେଖିଲି, ନୀତୁ ଖେଳୁଛି ବାରଣ୍ଡାରେ କଣ୍ଢେଇଟେ ଧରି। ତାକୁ ପଚାରିଲି କଣ କିରେ ଏଯାଏ ଶୋଇନୁ? କାଲି ତୋର ସ୍କୁଲ ନାଇଁ କି ?" ସେ ଧୀରେ ଫିସଫିସ ସ୍ୱରରେ ପାଟିରେ ଆଙ୍ଗୁଳି ରଖି କହିଲା, "ବାବା ଆସିଛନ୍ତି। " ମୁଁ ପଚାରିଲି, ଖାଇଛୁ? ସେ ମୁଣ୍ଡ ହଲେଇ ହଁ ଭରିଲା। ମୁଁ ଆଶ୍ଚର୍ଯ୍ୟ ହେଲି, ପୁଣି ଅତ୍ୟାଚାର ଆରମ୍ଭ ହେବ ବିଚାରୀ ନୀତୁ ମା ଉପରେ? ହେଲେ କିଏ ବା ତାଙ୍କୁ ବାଧା ଦେବ? ସ୍ତ୍ରୀ ଉପରେ କେବଳ ସ୍ୱାମୀର ଅଧିକାର, ସେ ଅଧିକାରରେ ସେ ଅତ୍ୟାଚାର କଲେ ବି ସମାଜ ଚୁପ। ଏଇ ତ ଆମ ମାନସିକତା। କାହିଁକି ଏ ସମାଜ ଭୁଲିଯାଏ, ସ୍ତ୍ରୀ ହେଲେ ବି ସେ ପ୍ରଥମେ ମଣିଷଟେ। ମଣିଷ ପଣିଆର ଦ୍ୱାହି ଦେଇ କାହିଁକି ଜଣେ ଅଟକେଇ ପାରେନି ଏମିତି ଅତ୍ୟାଚାରକୁ? ଅନେକ ରାତି ଯାଏ ଫୋନରେ ଗୀତ ଲଗେଇ ଚାହିଁଲି, କାଳେ ଯଦି ସେ ସାହାଯ୍ୟଟେ ମାଗିବେ, ଆଉ ଯାଇ ନ ପାରିଲେ, ନିଜ ପାଖେ ଦୋଷୀ ହୋଇଯିବି। କେତେବେଳେ ନିଦ ହୋଇ ଯାଇଛି ଜାଣିନି। ପରଦିନ ଗ୍ୟାରେଜରେ ବେଶୀ କାମ ନଥିଲା। ଘରକୁ ଆସି ବହିଟିଏ ପଢୁଛି, କବାଟକୁ ପେଲି ଭିତରକୁ ପଶି ଆସିଲେ, ନୀତୁର ମା। ମୋତେ କହିଲେ, ତୁମେ ଜାଣ, କାଲି ରାତି ଅଧ ଯାଏ କୋଇଲିଟେ ରାବୁଥିଲା ଏଇ ପାଖରେ କୋଉଠି?
- କାଇଁ ନା ତ... ମୁଁ ଜାଣିପାରିନି ବୋଧେ!
- ତୁମେ ଜାଣନ୍ତ କେମିତି? ସେ ପା ରାତିରେ ଆସି ସକାଳୁ ଚାଲିଗଲା।
- ଓଃ! ଆପଣ ତେବେ ନୀତୁର ବାବା କଥା କହୁଛନ୍ତି?
- ହୁଁ... ସେ ଆସିଥିଲେ କାଲି ରାତିରେ। ବେପଥୁ ବାଟୋଇ ଟେ ପରି ଠିକଣା ପାଇଗଲା ପରି, ଅନେକ ବୁଝେଇଲେ ମୋତେ, ଜୀବନରେ କେତେ ଅନୁତପ୍ତ ସେ ମୋ ପାଇଁ! ନିଜେ କରିଥିବା ଭୁଲର କ୍ଷମା ମାଗିଲେ। ନୀତୁକୁ ବହୁତ ଗେଲ କଲେ! ତା ପାଇଁ ନୂଆ ଜାମା ଆଉ କଣ୍ଢେଇ ଆଣିଥିଲେ। ମୋ ପାଇଁ ଚୁଡି ଆଉ କାନଫୁଲ ବି। କେତେ ଅଳି କଲେ ମୋ କାନି ଧରି,ଛୋଟ ପିଲାଙ୍କ ପରି। ସବୁ ରାଗ ଅଭିମାନ ତରଳିଗଲା, ଲୁହ ହୋଇ। ସରମିଲତା ଟେ ପରି ଗୁଡେଇ ହେଇଗଲି ତାଙ୍କ ଛାତିରେ। ବତୁରି ଗଲି ତାଙ୍କ ଉଷୁମ ଆଲିଙ୍ଗନରେ।
- ତେବେ, ଆପଣ କଣ ତାଙ୍କୁ କ୍ଷମା କରିଦେଲେ?
- କଣ ଆଉ କରିଥାନ୍ତି? ଦୁନିଆର ଟାହି ଟାପର ସହି ଥାନ୍ତି ତାଙ୍କ ଦୁଆରେ ଧାରଣାରେ ବସି ନିଜ ହକ ପାଇଁ ଲଢେଇ କରିଥାନ୍ତି?ସେ କହିଛନ୍ତି ଆମକୁ ଏଠାରୁ ନେଇଯିବେ। ସମାଧାନ ଯେବେ ଆପେ ବାଟ ଖୋଜି ଆସି ଠିଆ ହୁଏ ତାକୁ ବିରୋଧ କରିବା ମୂର୍ଖାମୀ ହେବନି? ସତ କହିଲ,ତୁମେ କଣ ଚାହଁନି ମୋ ଉଜୁଡା ସଂସାର ପୁଣି ହସି ଉଠୁ ବୋଲି? ସେଇ ଖୁସିରେ ମୁଁ ତୁମ ଲାଗି ମିଠା ନେଇ ଆସିଥିଲି।
- ଓଃ! ଖୁବ ଭଲ କଥା ତେବେ। ଆପଣା ଲୋକକୁ ବେଶୀ ସମୟ ଯାଏ ରାଗି ହୁଏ? ସୁନା ସଂସାରଟି ପୁଣି ହସି ଉଠୁ ୟା ଠୁ ବଳି ଖୁସି ଆଉ କଣ ହୋଇପାରେ। ନୀତୁ ବି ଏବେ ଖୁସି ହେବ। ଗୋଟିଏ ନୁହେଁ ଦୁଇଟା ମିଠା ଖାଇବି ମୁଁ।
- ହେଲେ , ତୁମକୁ ମୁଁ ଏତେ ସହଜେ ଛାଡ଼ୁନି, ଅସୀମ ବାବୁ। ତୁମ ସ୍ନେହ, ଆଦର ଆଗରେ ଆମେ ଦୁହେଁ ରୁଣୀ। ଏଠି ଜଣେ ସ୍ୱାମୀ ପରିତ୍ୟକ୍ତ ନାରୀ କୁ ତା ସମ୍ମାନ ଦେବାକୁ କେତେ ଜଣ ଆଗେଇ ଆସନ୍ତି ଯେ? ତୁମେ ମୋ କଥା ଶୁଣିଲ, ଓ ଆମର ନିସ୍ୱାର୍ଥ ପର ଭାବେ ଆମ ଉପକାର କଲ। କଣ ଦେଇ ଆମେ ତୁମକୁ ଖୁସି କରିବୁ ଜାଣିନୁ।
-ବାସ... ଥାଉ । ବେଶୀ ଆଉ ପ୍ରଶଂସା କରିବା ଦରକାର ନାହିଁ। ମୁଁ ସେମିତି କିଛି ବଡ଼ କାମ ଟେ କରିନି। ଆଉ ହଁ... ମୁଁ ଆସନ୍ତା ପହିଲା ଆଡ଼କୁ ଘର ଛାଡ଼ି ଦେବି। ଗାଁ କୁ ଯାଇ କିଛି ଗୋଟେ କରିବି। ଆଜି କାଲି, ଗାଁରେ ବି ଅନେକ ଗାଡି ମଟର। ଏଇ ପେଟ ଚାଖଣ୍ଡେ କଣ ଉପାସ ରହିବ? ଘର ଭଡା ବି ବଞ୍ଚି ଯିବ।
କହିଲା ବେଳେ ମୋ ଭିତରେ ଅତଡା ଖସିବାର ଶବ୍ଦ କେବଳ ମୁଁ ଅନୁଭବ କରୁଥିଲି। ମୁଁ ସତରେ କେତେ ନିର୍ବୋଧ ଥିଲି, ଭାବପ୍ରବଣତାରେ ଭୁଲି ଯାଇଥିଲି, ଯେ ବଗିଚାରେ ଫୁଲ ଫୁଟିଲେ ପ୍ରଜାପତି ସିନା ଖୁସି ହୁଏ ହେଲେ ସେ ଫୁଲ ଉପରେ ମାଳିର ଅଧିକାର। ମୁଁ ସେ ଦୁଇ ଜଣଙ୍କୁ ନିଜର କରି ସମ୍ପର୍କରେ ବାନ୍ଧିବା ପାଇଁ ଚାହିଁ ନଥିଲି। ସେମାନଙ୍କୁ ଖୁସି ଦେଖି ମୁଁ ଖୁସି ହୁଏ ଏଇ କାମନା କରିଥିଲି, ବେସ ତେବେ ନିୟତି ଯଦି ଏମିତି ଚାହେଁ, ମୁଁ ବା ବାଧା ଦେବାକୁ କିଏ? ସକାଳ ବୋଧେ ହୋଇ ସାରିଥିଲା ଏବେ ମା ପକ୍ଷୀ ତା ଶାବକକୁ ନେଇ ଉଡିଯିବ ଆଉ ଏକ ନୀଡ଼କୁ। ତା ଆଗରୁ ମୁଁ ଚାଲିଗଲେ ଅସୁବିଧା କଣ?
ଟ୍ରେନ ଭିତରେ ଚା, ଚିନାବାଦାମବାଲାଙ୍କ ଡାକ। ବଗିଟିରେ କୋଳାହଳ । ଆମ ଷ୍ଟେସନ ଆସିବାକୁ ଆଉ ଅଳ୍ପ ସମୟ। ମୁଁ ସିଧା ହୋଇ ବସିଲି। ନୀତୁର ମଥା ଆଉଁସି ଦେଲି। ସେ ଆଖି ଖୋଲି କହିଲା, "ଅଙ୍କଲ,ଆଉ ଥରେ ସେମିତି କର ପ୍ଲିଜ! ଭଲ ଲାଗୁଛି।" ମୁଁ ହସି ଦେଲି। ପିଲାଟା ଏତେ କମ୍ ସମୟରେ ଏମିତି ମାୟା ଲଗେଇ ଦେଲା। ଇଚ୍ଛା ହେଉଥିଲା ତାକୁ କୋଳରେ ଧରି ଗେଲ କରିବି, ହେଲେ ପାରିଲିନି। ପଚାରିଲି, "ଭୋକ ହେଲାଣି? କିଛି ଖାଇବୁ? କେତେବେଳେ ଖାଇଥିଲୁ?" ସେ ମୁଣ୍ଡ ହଲେଇ ହଁ କଲା। ମୁଁ କିଣି ଦେଲି ତା ପାଇଁ ଗରମ ସିଙ୍ଗଡ଼ା । ସେ ଖାଇବା ଦେଖି ମୁଁ ଖୁବ ଖୁସି ହେଲି। ଷ୍ଟେସନ ଆସିଗଲା ସେ ଠିଆ ହେଲା, ମୁଁ ବି। ଭିଡକୁ ଠେଲି ତା ସହ ଗଲି ଟ୍ରେନର ଦରଜା ଯାଏ। ତା ନରମ ଆଖିରେ ମୁଁ ଦେଖୁଥିଲି, ଆଶାର ଇନ୍ଦ୍ରଧନୁ ।
- ତୁମେ ମୋ ସହ ଆମ ଘରକୁ ଯିବ?
ମୁଁ ସାମାନ୍ୟ ହସି ଚୁପ ରହିଲି। ସେ ପୁଣି ପଚାରିଲା, ଯିବ ନା? ମୁଁ କହିଲି," ନା, ଆଜି ନୁହେଁ ଆଉ ଦିନେ।"
ସେ କାନ୍ଦ କାନ୍ଦ ହୋଇ କହିଲା, "କେବେ ? ତମେ ବି ମୋ ବାବାଙ୍କ ପରି ଠକୁଛ! "
- ନା ରେ! ମୁଁ ଯିବି ନିଶ୍ଚୟ। ତୋ ମାମାଙ୍କୁ କହିବୁ, କୋଇଲିଟେ ନୀତି ଆସି ଆମ ଚମ୍ପା ଗଛରେ ରାବୁଛି, ଅଧ ରାତିରେ। ମୋତେ ନ ପାଇଲେ ସେ ଖୁବ ବ୍ୟସ୍ତ ହେବ, ଖୋଜିବ। ମୁଁ ଆସିବି ସେଇ ଦିନ ଯେଉଁଦିନ ତା ପିଲାମାନେ ଉଡିବା ଶିଖିଯିବେ। ମନ ଦେଇ ପାଠ ପଢ଼, ସମାଜକୁ ସାମ୍ନା କର।
ତା ଗାଲ ଆଉଁସି ଦେଲି ସଜାଡି ଦେଲିଟା ଅଲରା କେଶ। ତା ଓଦା ଆଖିରୁ ଦୁଇ ଟୋପା ଲୁହ ଝରିଗଲା ଅମାନିଆ ହୋଇ। ସେ ଟ୍ରେନରୁ ଓହ୍ଲେଇ ଦେଖୁଥିଲା ମୋତେ ସେମିତି ଲୁହ ଛଳଛଳ ଆଖିରେ ଆଉ ମୁଁ ଚାଲି ଯାଉଥିଲି ତା ଠୁ ଦୁରକୁ , ଖୁବ ଦୁରକୁ ଲକ୍ଷ୍ୟହୀନ ଭାବେ।