Bibhu Samanta

Romance

3  

Bibhu Samanta

Romance

ତୁର୍ଷା ତୀରେ

ତୁର୍ଷା ତୀରେ

8 mins
194



ହିମାଳୟ ପାଦ ଦେଶରେ ଘଞ୍ଚ ଅରଣ୍ୟ, ଶିଳା ବନ୍ଧୁର ପଥ ଦେଇ ହିଲ୍ଲୋଳିତ ହୋଇ ବହି ଚାଲିଛି ପାହାଡି କନ୍ୟା ତୁର୍ଷା। ଭାରତ, ଭୁଟାନ ଓ ବାଂଲାଦେଶର ତୃଷିତ ପ୍ରାଣରେ ଅମୃତ ସିଞ୍ଚନର ପଣ କରି ବୋଧେ ଏମିତି ନାଆଁ ଟେ ପାଇଛି! ତାରି କୂଳରେ ଗଢି ଉଠିଛି ସହରଟିଏ ଫୁନସୁଲିଂ। ଭାରତ ଓ ଭୂଟାନର ସୀମାର ସ୍ମାରକୀ, ଫୁନସୁଲିଂ। ସୀମାରେଖା ଏପଟେ ଭାରତ ସେପଟେ ଭୁଟାନ। ସାମାଜିକ ଚଳନି, ଭାଷା, କଥା ସବୁ ଭିନ୍ନ। କେବଳ ଗୋଟେ ସୀମା ଡେଇଁ ଗଲେ, ସବୁ କିଛି ବଦଳି ଯାଏ। ସମୟ ବି। 


ଡିସେମ୍ବର ର ଗୋଟେ ଶୀତୁଆ ସନ୍ଧ୍ୟାରେ, ଫୁନସୁଲିଂ ସହର ଝଲସୁ ଥିଲା ଏକ ସାଂସ୍କୃତିକ ଆସରରେ। ସେଇ ତୁର୍ଷା ତଟରେ। ପିଚ୍ ୱାଇନ, ରାଭେନ୍ ଭୋଡକା, ହାଇ ଲାଣ୍ଡ ହୁଇସ୍କି ର ସୁଅରେ ପୁରା ସହର ଝୁମୁଥିଲା ସଙ୍ଗୀତର ତାଳେ ତାଳେ। ସିଗାରେଟ୍ ର ଧୁଆଁରେ ଉଡୁଥିଲା ମତୁଆଲା ମନ। ସୁନ୍ଦରୀ ତରୁଣୀଙ୍କ ସ୍ୱଳ୍ପ ପୋଷାକର ଉତ୍ତେଜନାରେ ଯୁବକ ମନେ ଛାଏଁ ଆଙ୍କି ହୁଏ ଅନେକ ରୋମାଣ୍ଟିକ ସ୍କେଚ। କୋଉଠି ଆଖି ପହଁରି ଯାଉଛି ତ କୋଉଠି ଅଟକି ଯାଉଛି। କାହାର ଗାଲର ଭଉଁରୀ, କାହା ଓଠ ତଳର କଳାଯାଇ, କାହା କଳା କଜଳ ଆଖି, କାହାର ସିଂହ କଟୀ, ତ କାହାର ଆବକ୍ଷ ଲମ୍ବିତ ତରଙ୍ଗାୟିତ କେଶ। ସଙ୍ଗୀତ, ସୋମରସ ଆଉ ସଙ୍ଗୀ ଥିଲେ ଶୀତକୁ କିଏ ଡରେ ଯେ। ଯୌବନର ଉତ୍ତାପରେ ଧମନୀର ରକ୍ତ କଣିକା ନୁହେଁ, ଅଗ୍ନି ସ୍ଫୁଲିଙ୍ଗ ପ୍ରବାହିତ ହୁଏ। ଭିଡ ଠୁ ଦୂରରେ ଠିଆ ହୋଇ ଧିରଜ୍ ,ସିଗାରେଟ୍ ସହ ଶୋଷି ନେଉଥିଲା ସେ ସମୟର ସ୍ମୃତିକୁ। ପଛରୁ ଶୁଭିଲା, "ଏକ୍ସକ୍ୟୁଜ ମି! ଆପଣଙ୍କ ପାଖେ ଲାଇଟର ଅଛି? ଟିକେ ଦେବେ? ମୋରଟା ପାଉନି। ଭିଡ଼ରେ ପଡ଼ିଗଲା ବୋଧେ କୋଉଠି!" ଧୀରଜ୍ ଚମକି ପଡି ବୁଲି ଚାହିଁଲା, ଦେଖିଲା ଧଳା ଟପ୍ ଓ କଳା ଜିନ୍ସ ପିନ୍ଧା ସୁନ୍ଦରୀ ତରୁଣୀଟେ ହସି ଚାହିଁଛି ତା ଆଡେ, ଲାଇଟର ପାଇବା ଆଶାରେ। ନିଜ ପକେଟ୍ ରୁ ଲାଇଟର ବାହାର କରି ଦେଲା ଧିରଜ। ଝିଅଟି ନେଇ ସିଗାରେଟ୍ ରେ ନିଆଁ ଧରେଇଲା ଆଉ ଫେରେଇଲା।ହସି କହିଲା, "କାର୍ଟେନ ଛେ ଲା" ( ଧନ୍ୟବାଦ୍ ଆଜ୍ଞା) ହସି ହସି ଧୀରଜ ତା ହାତରୁ ଲାଇଟର ନେଲା ଆଉ କହିଲା, "ଲାଶୋ ଲା( ଠିକ୍ ଅଛି ଆଜ୍ଞା) ଭିଡ ଠୁ ଦୂରରେ ଦୁଇ ଜଣଙ୍କ ସିଗାରେଟ୍ ଧୁଆଁ ଆକାଶରେ କୋଉଠି ପରସ୍ପର ସହ ମିଶି ଯାଇଥିବେ ନିଶ୍ଚୟ। 


ଶେଷ ଦମ୍ କୁ ଜୋରେ ଶୋଷି ଦୂର କୁ ଫିଙ୍ଗିଦେଲା ଧିରଜ୍। ଆଉ ଚାହିଁ ରହିଲା ଷ୍ଟେଜ ଆଡେ, କେହିଜଣେ ଗାଉଥିଲା, "ମେରେ ରସକେ କମର.... "

ଆଉ ଗୀତର ତାଳେ ତାଳେ ପାଦ ନଚେଇ ଆଉ ଗୁଣୁଗୁଣ ହେଉଥିଲା ସେ। ତରୁଣୀ ଜଣକ ପୁଣି ପଚାରିଲା, "ଆପଣ ପ୍ରୋଗ୍ରାମ କୁ ଭଲ ଭାବେ ଏଞ୍ଜୟ୍ କରୁଛନ୍ତି ତେବେ? "ବୁଲି ଚାହିଁଲା ଧିରଜ , ଗୋଲ ମୁଁହ, ସିଧା ଲମ୍ବା କେଶ, ଲିପଷ୍ଟିକ ଲଗା ଓଠ ଆଉ ସାମାନ୍ୟ ଚେପା ନାକ। ଏଥିରେ ସନ୍ଦେହ ନାହିଁ ଯେ ସେ ଭୁଟାନ ର ବାସିନ୍ଦା ବୋଲି। 

- ହଁ, ଆପଣ କରୁନାହାନ୍ତି କି? 

- ମୁଁ ତ ଏମିତି ସୁଯୋଗ ପାଇ ଚାଲି ଆସିଛି ଏଇ ତୁର୍ଷା କୂଳକୁ। ତା ସହ ଅନେକ ରାତି ଯାଏ ଗପି ପାରିବି। 

- କାହା ସହ? 

- ଏଇ ନଦୀ, ନଦୀ ସେପଟେ ପାହାଡ, ପାହାଡ ଉପରେ ଥିବା ବୌଦ୍ଧ ସ୍ତୁପ ସହ। 

- ନା.... ନିଜ ସହ

- ହଁ.... ନିଜ ସହ, ଏମାନେ ବି ମୋ ଭିତରେ ଗୋଟେ ସ୍ଥାୟୀ ସ୍ଥାନ ଅକ୍ତିଆର କରିଛନ୍ତି କେବେ ଠୁ। ଖୁବ୍ ପରିଚିତ ଏମାନେ ମୋର। ଅନେକ ସ୍ମୃତି ଏଇ ବାଲି ରେ। ଏଇ ଜଙ୍ଗଲରେ। ସେ ଲାମା ଗୁରୁ ଙ୍କ କଥାରେ। 

- ଓଃ... ଏଇ ରାତି କାହିଁକି? କଣ ଦିନରେ ସମୟ ହୁଏନି? 

- ନା, ଦିନରେ ବି ଆସେ। ପ୍ରାୟେ ରବିବାର ରେ। ଅନ୍ୟ ଦିନ ମୋର ସ୍କୁଲ ଥାଏ। ଗଲା ବେଳେ, ଦୂରରୁ ଆଖି ମିଟିକା ମାରି କଥା ହେଇ ଯାଏ ମୁଁ। 


ଏତିକି ବେଳେ ଆଉ ଜଣେ ତରୁଣୀ ଆସି ପହଞ୍ଚିଲା, ଆଉ କହିଲା," ଓଃ!! ସେରାବ... ତୁ ଏଇଠି ।ମୁଁ ସେ ଷ୍ଟଲ୍ ରେ ତୋତେ କେତେ ଖୋଜୁଚି। ଆଉ ତୁ! ଏଇଠି ଗପ ଜମେଇ ଦେଇଛୁ। ଚାଲ ଯିବା, ଡେରି ହେଲାଣି ଅନେକ। କାଲି ସକାଳୁ କ୍ଲାସ୍ ଅଛି।" ଏତିକି କହି ସେ ତା ହାତ ଟାଣି ନେଇଗଲା। ଆଉ ଯାଉ ଯାଉ ମତେ କହିଗଲା, "ବାଏ! ପୁଣି ଦେଖା ହେବା ଆମେ। ତାସି ଦେଲେକ୍ ( ଶୁଭେଚ୍ଛା)" । ସେ ଗଲା ପରେ ଧିରଜ୍ ଚାହିଁ ରହିଲା, ତୁର୍ଷା ତା ସେପଟେ ପାହାଡ, ଆଉ ପାହାଡ ଉପରେ ବୌଦ୍ଧ ମନ୍ଦିରର ଆଲୋକ ମାଳାକୁ। 


ଶନିବାର ସନ୍ଧ୍ୟା, ଧିରଜ ବୁଲୁଥିଲା ଫୁନ୍ସୁଲିଂ ର ଏକ ସପିଂ ମଲ ରେ। ସାମ୍ନାରେ ସେଇ ତରୁଣୀ। ନାଆଁ ଟା ମନେ ପଡିଲାନି ହଠାତ୍। ପାଟିରୁ ବାହାରିଗଲା, "ତୁର୍ଷା.... ।" ସେ ବୁଲି ଚାହିଁଲା। ହସି ତା ଆଡ଼କୁ ଆସି କହିଲା," କୁଜୁ ଜାନପୋଲା "( ନମସ୍କାର ଆଜ୍ଞା) 

- ଯାହା ହେଉ ତୁମେ ମୋତେ ଚିହ୍ନି ପାରିଲ। ନହେଲେ ମୋତେ ଏଠି ଅକାରଣେ, ଅପଦସ୍ତ ହେବାକୁ ପଡ଼ିଥାନ୍ତା। ସେ କହିଲା, ନା.. ମୁଁ ଚିହ୍ନିନି ତୁମକୁ। ଆଉ ମୋ ନାଁ ନୁହେଁ, ସେରାବ୍। ଆଉ ତୁମେ? 

- ମୁଁ ଧିରଜ୍। ଭାରତର ଓଡ଼ିଶାରେ ଘର। ଏଇଠି କାମ କରେ। ଗୋଟେ କମ୍ପାନୀ ରେ ମ୍ୟାନେଜର ଅଛି। 

- ଆଉ ପରିବାର? କାହିଁ କେହି ତ ଦିଶୁ ନାହାନ୍ତି।

-  ନା... କେହି ନାହାନ୍ତି । ମୁଁ ଏକା। ତୁମ ସାଙ୍ଗ ଆସିନି ଆଜି? 

- ଓଃ! ପେମା କଥା କହୁଛ? ନା ସେ ଆସିନି। କିଛି କାମରେ ଯାଇଛି ତା ଗାଆଁ କୁ। ସୋମବାର ଆସିଯିବ। 

- ତେବେ ଆମେ ଯାଇ ପାରିବା? ତୁର୍ଷା ତଟର ରେଷ୍ଟୁରାଣ୍ଟ କୁ। ଶୁଣିଛି, ସେଇଠି କୁଆଡେ ଭଲ କଫି ଭଲ ମିଳେ। 

- ମୋତେ କିନ୍ତୁ ଘରକୁ ଫେରିବାକୁ ହେବ ଶୀଘ୍ର। 

- ମୋ ପାଖେ କାର୍ ଅଛି। ଛାଡ଼ିଦେବି। 

- ମୁଁ କିନ୍ତୁ କଫି ପିଏନି। 

- ଓଃ! ଚିଲଡ ବିଅର୍ ତେବେ। ମୋମୋସ ସହ। 

ସେ କହିଲା, ଆଉ ସିଗାରେଟ୍ କଥା କହିଲନି ତ? କଣ ଗାର୍ଲ୍ ଫ୍ରେଣ୍ଡ୍ ରାଣ ପକେଇ ଛଡେଇ ଦେଇଛି?

- ହା ହା... ନା ବିଚାରି ମୋ ସେ ଅଭ୍ୟାସ ପାଇଁ ମୋତେ ଛାଡ଼ି ଦେଇଛି।

ସେମାନେ ଯାଇ ବସିଲେ ତୂର୍ଶା କୂଳରେ ଥିବା ରେଷ୍ଟ୍ରୋରଣ୍ଟ ରେ। ଆଉ ଅର୍ଡର୍ କଲେ ବିଅର୍ ଓ ଗରମ ମୋମୋ। ସେ ଆଜି ଖୁବ୍ ଫ୍ରାଙ୍କ କଥା ହେଉଥିଲା, ସବୁ ବିଷୟରେ। ସାମାଜିକ ଚଳନୀ, ବ୍ୟବସ୍ଥା, ଶିକ୍ଷା, ଧର୍ମ ସବୁର ଚର୍ଚ୍ଚା ହେଲା। ବିଅର୍ ଆଉ ସିଗାରେଟ୍ ତା କାମ କରୁଥିଲେ ଭଲ ଭାବେ। ଏତିକି ବେଳେ କୁଆଡୁ ଥିଲା ମେଘ, ଅଚାନକ ବରଷି ଗଲା। ସେ ଉଠି ଯାଇ ଠିଆ ହେଲା ଝର୍କା ପାଖେ। ଆଉ ବଡ ପାଟିରେ କହିଲା," ମୁଁ ଜାଣେ, ତୁମେ କେବେ ବି ସହିପାରିବନି କାହା ଖୁସି। କାଲି ବି ରାଗୁ ଥିଲ। ଆଜି ବି ରାଗୁଛ। ଦେଖ, ତୁମକୁ ଭୁଲି ମୁଁ କେତେ ଖୁସି। ମୁଁ ମୁକ୍ତ। ମୋତେ ଆଉ ତୁମେ ଆକଟ କରି ପାରିବନି । ଗାଳି ଦେଇ ପାରିବନି।" ଧିରଜ୍ ଉଠି ଯାଇ ତା କାନ୍ଧରେ ହାତ ରଖି କହିଲା, "ଆର୍ ୟୁ ଓକେ? "

- ୟେସ, ଆଇ ଆମ୍।ସରି , କିନ୍ତୁ ଏ ବର୍ଷା ସବୁ ବେଳେ ଏମିତି ସମୟରେ ଆସେ କାହିଁକି? କାହିଁକି ମୋତେ ମନେ ପକାଏ ମୋ ଯନ୍ତ୍ରଣା ଭିଜା ରାତି କୁ?

ଧିରାଜ୍ ତା ହାତ ଧରି ବସେଇ ଦେଲା ଚେୟାର ରେ। ଆଉ କହିଲା, ପାହାଡି ବର୍ଷା... ଏମିତି କିଛି ନ ମାନି ଆସିଯାଏ। ଆଉ ନେଇ ଆସେ , ତା ସହ ଗୋପନେ ସାଇତା ସ୍ମୃତି ସବୁ। ସେ କଣ ଏତେ ତୁମକୁ ସତରେ ଏତେ କଷ୍ଟ ଦିଏ? 

- ପଚାର ନା.... ପ୍ଲିଜ୍.. ମୁଁ ସେ ସବୁକୁ ମନେ ପକେଇବାକୁ ଚାହେଁନି। 

- ଏବେ ବି ତୁମେ ତାକୁ ଏତେ ଭଲ ପାଅ? 

- ନା ... ନା ... କେବେ ନୁହେଁ। ମୁଁ ତାକୁ ଘୃଣା କରେ।ମନେ ପକେଇବାକୁ ଚାହେଁନି, ଆଜି ମୁହୂର୍ତ୍ତରେ। ତୁମ ସହ କଥା ହୋଇ ଭଲ ଲାଗୁଛି ମୋତେ। ପୁରୁଣା ଦରଜ ଯେମିତି କମି ଆସୁଛି। ଦୟା କରି ତା କଥା କହି, ଏ ସମୟ କୁ ଖରାପ କରନି। 

ଧିରଜ ହାତ ମୁଠାରେ ଝାଳେଇ ହୋଇ ଆସୁଥିଲା ଶେରାବ ର ପାପୁଲି। ଗୋଟେ ମୁହୂର୍ତ୍ତ ପାଇଁ ସେ ଦେଖୁ ଥିଲା, ତା ଆଖି ଭିତରେ ଜମା ଲୁହ ବିନ୍ଦୁ ମାନଙ୍କୁ। ଏତିକି ବେଳେ ୱେଟର ଆସି କହିଲା, ସାର୍, ରେଷ୍ଟୁରାଣ୍ଟ ବନ୍ଦ ହେବା ସମୟ ହେଲାଣି। ସେରାଵ ଉତ୍ତର ଦେଲା, ହେଲେ ବାହାରେ ଏତେ ବର୍ଷା ଆମେ ଯିବୁ କେମିତି?

ୱେଟର୍ କହିଲା, ସାର୍ ଙ୍କ ପାଖେ ଗାଡ଼ି ଅଛି। ଆପଣ ଚାହିଁଲେ, ଆମ ରିସପ୍ସନ ରେ ଅପେକ୍ଷା କରି ପାରିବେ। 

ଧିରଜ ବିଲ୍ ଦେଇ ଠିଆ ହେଲା ବାହାର ବାରଣ୍ଡାରେ। ବର୍ଷା ଛିଟାରେ ଓଦା ହେଉଥିଲା, ଶେରାବ୍। ଧିରଜ କହିଲା, ଆମେ ଗାଡ଼ି କୁ ଚାଲି ଯିବା ଭଲ ହେବ। ସେମାନେ ଚାଲିଗଲେ ଗାଡ଼ିକୁ। ଗାଡ଼ି ଷ୍ଟାର୍ଟ କରି, ସେ ଚାଲିଲା, ସେରବ କହି ଥିବା ଠିକଣା ରେ। ପାହାଡରୁ ଅତଡ଼ା ଖସି ରାସ୍ତା ଜାମ। ସେମାନେ ସେଇଠି ଗୋଟେ ନିରାପଦ ଜାଗା ଦେଖି ଗାଡ଼ି ରଖିଲେ। ସେରବ୍ ଘରକୁ କଲ କରି କହିଲା। ସେମାନେ ବ୍ୟସ୍ତ ହେଲେ, କିନ୍ତୁ ଡେରି ହେଉ ପଛେ ନିରାପଦରେ ଫେରିବାକୁ କହିଲେ। ଗାଡ଼ି ଭିତର ଅନ୍ଧାର ରେ , ଝରକା କୁ ଆଉଜି ବସିଥିଲା, ଶେରବ। ଆଉ ଚୁପ୍ ହୋଇ ବର୍ଷା ଉପଭୋଗ କରୁଥିଲା ଦ୍ଧିରଜ୍। ବିଅର ନିଶାରେ ଆଖି ପତା ପଡି ଆସୁଥିଲା ଦୁହିଁଙ୍କର। ସେରଵ ପଚାରିଲା, ସିଗାରେଟ୍ ଅଛି। ଦ୍ଧିରଜ ପକେଟ୍ ଅଣ୍ଡାଳି ଦେଖିଲା, ଗୋଟେ ଅଛି। ଦୁଷ୍ଟାମୀ ହସ ଫୁଟେଇ କହିଲା, ସେୟାର କରିବା? ହଁ .. ଭରିଲା ଶେରବ୍। ଧିରଜ ନିଆଁ ଧରେଇ ତାକୁ ଦେଲା। ସେ ଅଧା ସାରି ଧିରାଜ ହାତକୁ ବଢ଼େଇ ଦେଲା। ଧିରଜ୍ ଓଠ ଲଗେଇ ଶୋଷି କହିଲା, ଆଃ..ଏତେ ମିଠା ହୋଇ ପାରେ ସିଗାରେଟ୍ ତୁମ ଓଠ ଛୁଇଁ। 

- ଶୁଖିଲା ମାଟିରୁ ମିଠା କୁଆଡୁ ଆସିବ ଯେ।

- ଏତେ ବର୍ଷାରେ ବି ଶୁଖିଲା ରହିପାରେ କେବେ?

- କିଛି ଶୋଷ ବର୍ଷାରେ ମେଣ୍ଟେନି। ମେଣ୍ଟେ ପ୍ରେମରେ ନିବିଡତାରେ। 

- ସତେ!! ଏମିତି ବି ଶୋଷ ଥାଇ ପାରେ। 

ସରି ଯାଇଥିଲା ସିଗାରେଟ୍। ସେରାବର ହାତ ଧରି ଟାଣି ଆଣି ପାଖକୁ। ରାତି ବଢୁଥିଲା ବର୍ଷା ବି। ଶୁଭୁଥିଲା ଶିତ୍କାର ମିଠା ଦରଜର। ଦୁଇଟି ଦେହ ଛନ୍ଦି ହେଉଥିଲେ ଦୁହିଁଙ୍କ ଭିତରେ ଶେଷ ହେଇଯିବାର କାମନାରେ। ଗୋଲାପୀ ଲିପଷ୍ଟିକ୍ ର ଦାଗ ଧିରଜ ଛାତିରେ। ଶେରଵର ପିନ୍ଧା ଟପ୍, ଓ ଚପଲ ଲୋଟୁଛି ଗାଡ଼ି ପଛ ସିଟରେ। ଦୁହେଁ ଶୋଇ ପଡ଼ିଥିଲେ ଚରମ ତୃପ୍ତିରେ, ସକାଳ ହୋଇ ସାରିଥିଲା। ଦୁହେଁ ନିଜକୁ ସଜାଡି ନେଲେ। ସେରଵ୍ କୁ ଘରେ ଛାଡ଼ି ଆସିଲା ବେଳେ ସେ କହିଲା, ଥ୍ୟାଙ୍କ ୟୁ... ତୁମେ ବି ସେମିତି ବହାରିଲ। ତା ପରି। ପୁଅ ଗୁଡ଼ା ସବୁ ଏମିତି। କଥା ଟି ଭିତର ପର୍ଯ୍ୟନ୍ତ ଦୋହଲେଇ ଗଲା ଧିରଯକୁ। ନିଜ ଭିତରେ କେମିତି ଗୋଟେ ଦୋଷୀ ଦୋଷୀ ଲାଗିଲା ତାକୁ। ତା ପରେ ଅନେକ ଚେଷ୍ଟା କଲା ସେରାବ ସହ କଥା ହେବାକୁ। ପାରିଲେନି। କିଛି ନ ପାଇ ଦିନେ ତା ସାଙ୍ଗ ପେମାକୁ ଭେଟି ସବୁ କଥା କହିଲା। ନିଜ ଭୁଲ ପାଇଁ ଅନୁତାପ କଲା।ଥରେ କଥା କରେଇବା ପାଇଁ ଅନୁରୋଧ କଲା। ପେମା ସବୁ ବୁଝେ, ସେ ଧୈର୍ଯ୍ୟ ସହ ଶୁଣେ ସବୁ କଥା। ଦେଖିପାରେ ଧୀରଜ୍ ଆଖିରେ ଅନୁରୁକ୍ତି। ସେ କହିଲା,

- ତୁମେ କଣ ସତରେ ଭଲ ପାଅ ଶେରାବ୍ କୁ? 

- ଜାଣିନି.... କିନ୍ତୁ ଯେବେ ଠୁ ତା ସହ ମିଶିଛି କେବଳ ସେ ହିଁ ମୋ ଭିତରେ ଆଉ ବାହାରେ। ତା ବିନା କୋଉଠି ବି ମନ ଲାଗୁନି। ଖାଇବା ରୁଚୁନି, ନିଦ ହେଉନି, ହସିଲେ ଦେଖା ଯାଉଚି ତ ଉଦାସୀ ଆଖିର ପ୍ରଶ୍ନ। କଣ କରିବି। ଏମିତି ତ କେବେ ହେଇନି। 

- ହେଇପାରେ ଏହା ଏକ ଆକର୍ଷଣ। ଏକ ମୋହ। ଯେତେ ବଢିବ, କଷ୍ଟ ବି ସେତେ ବଢ଼ିବ, ଲାମା ଗୁରୁ କୁହନ୍ତି ଏଥିରୁ ଯେତେ ଦୂରେଇ ରହିବା ସେତେ ଭଲ।

- ନା .... ପେମା...ନା... ସେମିତି କୁହନା । ମୋ ମନରେ ପବିତ୍ର ତମ ଭାବନା ନେଇ ମୁଁ ସେରାବ୍ କୁ ଖୋଜେ ଲୋଡ଼େ। ତା ସହ ବିତି ଥିବା ମୁହୂର୍ତ୍ତକୁ ମନେ ପକାଏ। ତା କଥାରେ ଥିବା ଅଭିମାନକୁ ପଢେ, ସେଗୁଡିକୁ ଆଉଁସି ତା ଆଖିରେ ହସ ଫୁଟେଇ ବାକୁ ଚେଷ୍ଟା କରେ।

- ତୁମେ କେବେ ବୁଝିବାକୁ ଚେଷ୍ଟା କରିଛ! ସେରାବ୍ ଏମିତି କାହିଁକି? କାହିଁକି ସେ ସାଧାରଣ ଝିଅଙ୍କ ପରି ଉପଭୋଗ କରିପାରେନି ଜୀବନକୁ। ହସି ପାରେନି ମନ ଖୋଲି। ସେ ବି ପ୍ରେମ ପଡ଼ିଥିଲା ତୁମ ପରି ଜଣେ ଭାରତୀୟର। ଆକାଶ .... ତା ନାଁ। ସେ ସେରାବ୍ କୁ ଖୁବ୍ ଭଲ ପାଉଥିଲା, ଖୁବ୍ ଶୀଘ୍ର ସେମାନେ ବିବାହ କରି ଥାନ୍ତେ। ଏଇ ତୁର୍ଷା ତଟ ରେ କେତେ ସଞ୍ଜ ସେମାନେ କାଟି ଛନ୍ତି। ମୁଁ ବହୁତ ବୁଝେଇଛି ସେରାବ୍ କୁ। ହେଲେ ସେ ମାନି ଲାନି ମୋ କଥା। ଆକାଶ ଚାଲିଗଲା... କିଛି ଦିନ ଯାଏ ସେମାନେ କଥା ହେଲେ ଭଲରେ, ତା ପରେ ହେଲା ଝଗଡା, ଆରୋପ ପ୍ରତି ଆରୋପର ପର୍ବ। ଓ ଶେଷରେ ଦିନେ ସବୁ ଦିନ ସମ୍ପର୍କ ଭାଙ୍ଗିଗଲା। ସେତେବେଳକୁ ସେରାବ୍ ଚାରି ମାସର ଗର୍ଭବତୀ। ମୁଁ ଜଣେଇଲି ଏ କଥା ଆକାଶକୁ। ସେ ରାଗି ଯାଇ ଅନେକ କଥା ଶୁଣେଇଲା ମୋତେ। ସେରାବ୍ ର ଚରିତ୍ର ଉପରେ ବି ପ୍ରଶ୍ନ କଲା। ମୁଁ ଅନେକ ଚେଷ୍ଟା କଲି, ସେ କିନ୍ତୁ ମାନିବାକୁ ନାରାଜ। ଏମିତି ମାନସିକ ଚାପ ରେ ସେରାବ୍ ଜନ୍ମ ଦେଲା ପୁତ୍ର ସନ୍ତାନ ଟିଏ। ଏବେ ତାକୁ ୩ବର୍ଷ। କୁହ ଏ ସବୁ ଜାଣି, କଣ ତୁମେ ସେରାବ୍ କୁ ଠିକ୍ ଏଇ ନଜର ରେ ଦେଖିବ? ଯେମିତି ଆଜି ଦେଖୁଛ। ତୁମ ମନରେ ଥିବା ସେଇ ଅନୂରୁକ୍ତି, ସେଇ ଝୁରିଲା ପଣ ସେମିତି ରହି ପାରିବ। 


ଚୁପ୍ ରହିଲା, ଧୀରଜ୍। କଥା ଶୁଣି ସେ ଚାହିଁ ରହିଲା ଶୂନ୍ୟ ଆକାଶକୁ। ଏବେ ସେଥିରେ ଅନେକ କଲା ବାଦଲ। କିଛି ସ୍ପଷ୍ଟ ନୁହେଁ। ମନେ ପଡ଼ୁଥିଲା, ସେରାବ୍ ସେଦିନ ଆକାଶରେ ମେଘ୍ ଦେଖି, କେମିତି ନିଜେ ଅଭିମାନ ରେ ବରଷି ଯାଇଥିଲା।

ପେମା ପୁଣି କହିଲା, ତୁମେ ଏବେ ଘରକୁ ଯାଅ। ମୋ ଉତ୍ତର ମୁଁ ପାଇସାରିଛି। 


ଦୁଇ ଦିନ ପରେ ପୁଣି ଭେଟିଲା ସେ ପେମାକୁ ତା ଘରେ କହିଲା, ତାକୁ।" ମୁଁ ଜାଣିନି ମୁଁ ସେରାବ୍ ର ଯୋଗ୍ୟ କି ନୁହେଁ। ମୁଁ ଜାଣିନି ସେରାବ୍ କୁ ମୁଁ ପୁରୁଣା ଦୁଃଖରୁ ମୁକ୍ତି ଦେଇ ପାରିବି କି ନା। ମୁଁ ଜାଣେ ଏତିକି ମୁଁ ତା ସହ ତୁର୍ଷା ତଟରେ ସୁଖର ନୀଡ ଟେ ତୋଲିବି। ଯେଉଁଠି ଠିଆ ହେଲେ ପୃଥିବୀ ଜହ୍ନ ଠୁ ଆହୁରି ସୁନ୍ଦର ଦିଶିବ। ତା ହାତ ଧରି ତୁର୍ଷା ସେପଟ ଜଙ୍ଗଲ ରପାଦ ଚଲା ରାସ୍ତାରେ ଚାଲିଯିବି ବହୁତ ଦୂରକୁ। ଲାମା ଗୁରୁଙ୍କ ମନ୍ତ୍ର ଧ୍ବନିରେ ଖୋଜି ଆଣିବି ତା ଲାଗି ବିଶ୍ୱାସ ଟିକେ। ସେରାବ୍ ବାହାରି ଆସିଲା ପରଦା ଆଡେଇ। ଆଉ କିଛି ସମୟ ଚାହିଁଲା ଧୀରଜକୁ ଆଖିରେ ଆଖି ମିଶେଇ। ଧୀରଜ ଆଖିରେ ଆନୁରୁକ୍ତି ଓ ବିଶ୍ୱାସର ରେଶମୀ ଆଲୁଅ। ଆଉ ସେରାବ୍ ଆଖିରେ ନୂଆ ସକାଳର ତୁର୍ଷା। ହଠାତ୍, ବୁଲି ଗଲା ସେ ଆଉ ସିଧା ଯାଇ ଆସୁଥିବା ଟ୍ୟାକ୍ସିରେ ବସିପଡ଼ିଲା ପଛରେ ଧାଇଁ ଆସୁଥିଲେ ଧୀରଜ ଓ ପେମା । କିଛି ନ କହି, ଗାଡ଼ିର କାଚକୁ ଉଠେଇ ନେଲା ଆଉ ଚାଲିଗଲା ଦୂରକୁ। ବହୁ ଦୂରକୁ ଧୂଆଁ ଉଡେଇ। ଠିଆ ହୋଇ ରହି ଥିଲା ଧିରଜ୍ ଲୁହ ଭର୍ତ୍ତି ଆଖିରେ। କିଛି ସମୟ ପରେ ପ୍ରେମକୁ ମୋହ ବୋଲି କହୁଥିବା ପେମା ପଛରୁ ଆସି ଆଉଜି ପଡ଼ିଲା ତା ପିଠିରେ ନୀରବରେ। ତୁର୍ଷା ତୀରେ ଡିସେମ୍ବରର ସୂର୍ଯ୍ୟଙ୍କ ବିଚ୍ଛୁରିତ ରଶ୍ମୀ ପଚାରୁଥିଲା, ପ୍ରେମର ସଂଜ୍ଞା।




Rate this content
Log in

Similar oriya story from Romance