Bibhu Samanta

Romance

3.6  

Bibhu Samanta

Romance

ରଙ୍ଗ ବି କଥା କହେ

ରଙ୍ଗ ବି କଥା କହେ

8 mins
180


ତିନି ଦିନର ଲଗାଣ ବର୍ଷା ପରେ, ଅଳସ ଭାଙ୍ଗୁଛି ଭୂମି, ଶେଯରେ ଶୋଇ ଭାବୁଛି, ଅଝଟ ଆକାଶ ଓ ମନୋଇ ମାଟିର ପ୍ରୀତି ପର୍ବ। ଆଃ... କି ଅପୂର୍ବ ସତେ! ସାରା ରାତି ମେଘରେ ଭିଜି ଭିଜି ଗପିବାର ମାଦକତାକୁ କେହି କଣ ଆଡେଇ ଦେଇପାରେ? ଭିତରର ସମସ୍ତ ଉତ୍ତେଜନାକୁ ବର୍ଷାରେ ଫେଣ୍ଟି ନଈ ହୋଇ ବହି ଯିବାର ଲାଳସାକୁ କଣ ମନା କରିହେବ?


ଭୂମି, ଭୂମିକା ମିଶ୍ର, ବୟସ ୨୮, ଗୋଟେ ପ୍ରତିଷ୍ଠିତ କମ୍ପାନୀରେ, ବରିଷ୍ଠ ଅଧିକାରୀ। ଲ୍ୟାପଟପ, କି ବୋର୍ଡ଼, ମାଉସ, ଲଜିକ, ଡାଟା, ପ୍ରୋଗ୍ରାମିଙ୍ଗ ବ୍ୟତୀତ ଆଉ ସବୁ ତାକୁ ଏତେଟା ଆକର୍ଷିତ କରେନି। ହେଲେ ଆଜି ସେ, ତା ସୁମି ମାଉସୀ ଦେଇଥିବା ଡାଏରିକୁ ବାହାର କରି, କଲମକୁ ଓଠରେ ଲଗେଇ ଭାବୁଛି, ଲେଖିବ କିଛି। ହେଲେ କଣ ଲେଖିବ? କାଗଜ, କଲମ, କବିତା, ରଙ୍ଗତୁଳୀ, ଗୋଧୂଳି ଠାରୁ ସେ ଅନେକ ଦୂରରେ। କାହିଁ କେଜାଣି ସେଦିନ ତାକୁ ସୁମି ମାଉସୀ କହିଲେ," ତୁ ବି ଦିନେ ଲେଖିବୁ, ଖୁବ ସୁନ୍ଦର ଭାବରେ, ମୋ ଠୁ ବି ସୁନ୍ଦର।" ସେ ଦେଖୁଛି ରଂଜା ଟିଏକୁ ଆଶ୍ରା କରି ବୋଇତାଳୁ ଡଙ୍କ ଟିଏ ମାଡି ଯାଇଛି, ସାମ୍ନାରେ ଥିବା ଆଜବେଷ୍ଟସ୍ ଘର ଉପରକୁ। କବିତାକୁ ଆଶ୍ରା ଦରକାର, ଏକଥା ସେ ଶୁଣିଛି ଆଗରୁ। ଦଲକାଏ ପବନରେ ଲେଉଟି ଗଲା, ଖୋଲା ଥିବା ପତ୍ରିକା କିଛି ପୃଷ୍ଠା। ଶେଷ ପୃଷ୍ଠାର ଗୋଟିଏ କୋଣରେ ଲେଖା ହୋଇଛି ଦି ଧାଡି କବିତା।

 " ଇନ୍ଦ୍ରଧନୁକୁ ଅଭିମାନ କରି,

 ଆଖି ତ ବୁଜିଛ

 ରଙ୍ଗ ବି କୁହୁକ ଜାଣେ

  କେବେ ଏ କଥା ଶୁଣିଛ?" 

ସଞ୍ଜିତର କାମ ଏଇ ସବୁ। ସେ ସବୁବେଳେ ଏମିତି, ଚିତ୍ର ଟିଏ ଦେଖିଲେ, କିଛି ଗୋଟେ ଲେଖିଦିଏ। ସଞ୍ଜିତର ନାଁ ମନକୁ ଆସିଲା ମାତ୍ରେ ସେ ଆଉଜି ବସିଲା, ତକିଆରେ। ତାର ଠିକ ମନେ ଅଛି, ଜୁଲାଇ ମାସର କେଉଁ ଏକ ରବିବାର, ଢୁ ଢୁ ମେଘରେ ସେ ଆସିଥିଲା, ପ୍ରଥମ ଥର ତା ଘରକୁ। ଭଡ଼ା ଘର ଖୋଜି ଖୋଜି। ମେଘରେ ତିନ୍ତି ତାର ପିନ୍ଧା ଧଳା ସାର୍ଟଟି ଲାଖି ଯାଇଥିଲା ତା ଦେହରେ। ବଡ଼ ବଡ଼ ଆଖିରେ ଚଷମା ଆଉ ବଢିଥିବା ଦାଢ଼ି। " ମ୍ୟାମ, ମୁଁ ଶୁଣିଲି, ଆପଣଙ୍କ ଘର ଖାଲି ଅଛି। ଯଦି ଆପତ୍ତି ନ କରନ୍ତି ମୁଁ ଦେଖି ନିଅନ୍ତି। ମୋ ନାଁ ସଞ୍ଜିତ, ଘର ବାରିପଦା, ଏଠି ନୂଆ, ଚାକିରି ପାଇଁ କୋଚିଂ ନେବାକୁ ଆସିଛି। ଏବେ ସାଙ୍ଗମାନଙ୍କ ସାଙ୍ଗେ ରହୁଛି, ହେଲେ ପଢ଼ାପଢ଼ି ସୁବିଧା ହେଉନି, ତେଣୁ.... ମୁଁ ଠିକ ସମୟରେ ଭଡା ଦେଇଦେବି, ମୋ ବୋଉ ଜଣେ ସ୍କୁଲ ଶିକ୍ଷୟତ୍ରୀ। ମୁଁ ପ୍ରାୟେ ଚାରି ଦିନ ହେବ ଆସୁଛି, ହେଲେ ସବୁ ସମୟରେ ଗେଟରେ ତାଲା ପଡିଥାଏ। ଆଜି ସାଙ୍ଗମାନଙ୍କ ପାଇଁ ଖାଇବାକୁ ନେବାକୁ ଆସିଥିଲି, ଦେଖିଲି ଗେଟ ଖୋଲା ଅଛି, ଚାଲି ଆସିଲି। " ଏକା ନିଃଶ୍ୱାସେ ଏତେ ଗୁଡ଼େ କଥା କହିଗଲା ସେ। ଭୂମି ତାକୁ ସେମିତି ଚାହିଁଛି। ଟିକେ ସମୟ ପରେ, ସେ ପୁଣି କହିଲା, ମ୍ୟାମ, ଘର ଖାଲି ଅଛି ନା? 

ଭୂମି ଚିନ୍ତାରେ ପଡିଲା ପରି କହିଲା, ଅଛି ଯେ.... ହେଲେ...! ହଉ, ତମେ ଆଗେ ଭିତରକୁ ଆସ। 

ଦୁହେଁ ଭିତରକୁ ଗଲେ, ସଞ୍ଜିତ ଦେଖିଲା, ଘରଟି ଖୁବ ସୁସଜ୍ଜିତ ହୋଇ ରହିଛି। କାନ୍ଥରେ କେତେ ଫୋଟ ସବୁ ଟଙ୍ଗା ଯାଇଛି। ସୋଫାରେ ବସିଲା ବେଳେ ସେ ଭିତରର ଚିତ୍ର ଗୁଡିକ ଆଗନ୍ତୁକଙ୍କୁ ବିସ୍ମୟ ଦୃଷ୍ଟିରେ ଚାହିଁଛନ୍ତି। 

ସାମ୍ନାରେ ବସି ପଡ଼ି ଭୂମି କହିଲା, ଦେଖ, ତଳ ମହଲାରେ ଗୋଟିଏ ରୁମ ଖାଲି ଅଛି। ମୁଁ ଭାବିଥିଲି ଝିଅ ପିଲାଟିଏ ହେଲେ ଭଲ ହୋଇ ଥାନ୍ତା। ମୁଁ ଏଠି ଏକା ରୁହେ, କେବେ କେବେ ମୋ ସାଙ୍ଗମାନେ ଆସନ୍ତି। ଏଠି ରହିବାକୁ ହେଲେ ଅନେକ କଟକଣା ମାନିବାକୁ ପଡିବ। ତୁମେ କଣ ପାରିବ? ବରଂ ଭଲ ହେବ ଆଉ କୋଉଠି ଦେଖିନିଅ ।

- ନା, ମ୍ୟାମ ମୁଁ ସବୁ କଥା ମାନି ରହିବି। ମୋର କେହି ସାଙ୍ଗ ଏଠିକି ଆସିବେନି। ମୁଁ ରାତି ଅଧ ଯାଏ ବୁଲିବା ପିଲା ବି ନୁହେଁ । ମୋ ପଢା ଭଲ ମୁଁ ଭଲ। 

- ହଉ, କାଲି ସକାଳୁ ଚାଲି ଆସିବ। ମୁଁ କାହାକୁ ଡାକି ସେ ରୁମ ପରିଷ୍କାର କରି ଦେଉଛି।


ସଞ୍ଜିତ ଆସିବା ଦିନଠୁ, ଭୂମିର ଫୁଲା ଫାଙ୍କିଆ ଜୀବନ କେମିତି ବ୍ୟବସ୍ଥିତ ହୋଇଯାଇଛି। ସେ ଏବେ ଠିକ ସମୟରେ ଅଫିସରୁ ଘରକୁ ଫେରୁଛି। ସଞ୍ଜିତ ଘର ଦ୍ୱାର ପରିସ୍କାର କରି ରଖିଛି। ଅଗଣା ବଗିଚାରେ ଅନେକ ଫୁଲ ଗଛ ଲଗେଇଛି। କେବେ କେବେ ତା ସ୍କୁଟି ବର୍ଷାରେ ତିନ୍ତିବା ଦେଖି ପିଣ୍ଡାକୁ ଉଠେଇ ଆଣେ। ସନ୍ଧ୍ୟାରେ ଧୂପ ଦେଇ, ଠାକୁରଙ୍କ ଆଗେ ପ୍ରାର୍ଥନା କରେ, ଭଜନ ଗାଏ। ଖୁବ ସୁନ୍ଦର ତା ସ୍ୱର। ଉପରୁ ବାଲକୋନି ସବୁ ଦେଖେ ଭୂମି। କେବେ କିଛି କହେନି। ଅଫିସ ଗଲା ଆସିବା ବେଳେ ତାକୁ ଦେଖି ହସି ଦିଏ, ଖାଲି। ଭୂମି ଆସେ କେବେ କେବେ କେବେ ତା ରୁମକୁ, ମାର୍କେଟ ଗଲା ବେଳେ କେବେ କେମିତି, ମନ ହେଲେ ତା ପାଇଁ ନେଇ ଆସେ ଗରମ ଆଳୁଚପ, ସିଙ୍ଗଡ଼ା। ସଞ୍ଜିତ ତା ପାଇଁ ଚା କରେ। ଦୁହେଁ ଜଳଖିଆ ଖାଇ କିଛି ସମୟ କଥା ହୁଅନ୍ତି। ଆଉ ଭୂମି ଚାଲି ଯାଏ ଉପରକୁ। ସଞ୍ଜିତ ଉପରେ ତା ଧାରଣା ଖୁବ ଭଲ। ପିଲାଟି ପଢି କିଛି ଗୋଟେ କରୁ। ଏଇ କାମନା ତା ପାଇଁ ସବୁବେଳେ।


ସେଦିନ ଫୋନରେ କଥା ହୋଇ କାନ୍ଦୁଥିଲା ଭୂମି। ସେପଟେ ଅବିନାଶ ତାକୁ ଗାଳି କରୁଥିଲା ଅନବରତ ଭାବେ। ଅବିନାଶ, ଭୂମିର ପ୍ରେମିକ। ପିଲାଦିନୁ ମାଆକୁ ହରେଇ ଥିବା ଭୂମି କାହିଁ କେଜାଣି ମନ ଦେଇ ବସିଥିଲା ଅବିନାଶକୁ। ଅବିନାଶ ତା ସିନିଅର। ହେଲେ, ଭୂମିକୁ ନେଇ ସେ ଖୁବ ପୋଜେସିଭ। ତା ପାଇଁ ଅନେକ ଦାମୀ ଉପହାର ଆଣିଦିଏ। ତାକୁ ନେଇ ଭବିଷ୍ୟର ସ୍ୱପ୍ନ ଦେଖେ। ଭୂମିର ସବୁ କାମରେ ସେ କଟକଣା କରେ। ଭୂମିକୁ ଭଲ ନ ଲାଗିଲେ ବି, ସେ ବାନ୍ଧି ହୋଇ ରହେ। ଅବିନାଶ ସହ। ସେ ଜାଣେ, ଅବିନାଶ ସହ ସଂସାର କଲେ ସବୁ ଠିକ ହୋଇଯିବ। ଅବିନାଶକୁ ମାନି ନେଇଛି ସେ ତା ଜୀବନର ଅଙ୍ଗ। ଅଫିସ ପରେ ବି ଘରକୁ ଆସି ତା ସହ ଘଣ୍ଟା ଘଣ୍ଟା ଗପେ। ଭୂମି ଖୁବ ଖିଆଲି, କିଛି ଖିଆଲରେ କହିଲେ ଅବିନାଶ ତା ଉତ୍ତର ରୁକ୍ଷତାର ସହ ଦିଏ। ଭାବ ପ୍ରବଣତା ଜାଗା ତା ପାଖେ ନାହିଁ। ତା ପାଇଁ ସବୁ ଜିନିଷର ଗୋଟେ ମୂଲ୍ୟ ଥାଏ। ଭୂମି କେବେ ତା ଆଖିରେ ନିଜ ପାଇଁ ପ୍ରେମ ଦେଖିନି, ଅନୁରୁକ୍ତି ପାଇନି। ଦେଖିଚି ଗର୍ବ, ଦେଖିଚି ଭୂମି ପରି ସୁନ୍ଦରୀ, କର୍ମଠ ଅଧିକାରୀ ପାଇ ସେ କେତେ ଗର୍ବିତ। ୟାକୁ କଣ ପ୍ରେମ କୁହାଯାଏ। ଭୂମି ନାଁରେ ଆସିଥିବା କିଛି ପାର୍ସଲ ଦେବାକୁ ସଞ୍ଜିତ ଯାଇ ଶୁଣିଲା ତା କାନ୍ଦ। ସେ କବାଟ ଠକ ଠକ କରି ଡାକିଲା। ଭିତରୁ ଲୁହ ପୋଛି ଆସି ଭୂମି ପାର୍ସଲ ନେଲା ବେଳେ ଆଖି ତଳକୁ କରି, ନୀରବରେ ଚାଲିଗଲା। କିଛି ଦିନ ହେବ ଆଉ ଦେଖା ହୋଇନି ସଞ୍ଜିତ ସାଙ୍ଗେ ଭୂମିର। ଦିନେ ସଂଜ ବେଳେ ଭୂମି ଡାକିଲା, ସଞ୍ଜିତକୁ, ତା ରୁମକୁ। ସଞ୍ଜିତ ସବୁ ବୁଝିଥିଲେ ବି ସେଦିନ କଥା କହି ତା ମନରେ କଷ୍ଟ ଦେବାକୁ ଚାହୁଁ ନଥିଲା। ଦୁହେଁ ମିଶି ପକୁଡି କଲେ, ସଞ୍ଜିତ ଚା ବନେଇଲା। ଦୁହେଁ ବାଲକୋନିରେ ବସି ଖାଇଲେ। ଆକାଶରେ ବାଦଲ ଭର୍ତ୍ତି। ମେଘ ଆସିବାର ପୂର୍ବ ସଙ୍କେତ। ଦେଖୁ ଦେଖୁ ବର କୋଳିଆ ଟୋପା ବରସି ପଡିଲା । ଭୂମିର ମନେ ପଡ଼ିଲା, ଛାତରେ ତା ଡ୍ରେସ ଶୁଖୁ ଥିଲା, ସଞ୍ଜିତ ଧାଇଁ ଗଲା ତଳକୁ। ସ୍କୁଟିକୁ ପିଣ୍ଡାକୁ ଉଠେଇବା ଲାଗି। ଦୁହେଁ ଅଧା ଭିଜି, ପୁଣି ବସିଲେ ସେଇଠି। ଏତିକି ବେଳେ, ଭୂମି ଗୁଣୁଗୁଣୁ ହେଲା, ଗୀତ ଟିଏ, "ଫେରି ଆସିଲା ପୁଣି ବରଷା... ସଞ୍ଜିତ ହସିଲା ହୋ ହୋ ହୋଇ। କହିଲା, ସତରେ ମ୍ୟାମ, ଆପଣ ଗୀତ ଟିର ତଣ୍ଟି ଚିପି ତାକୁ ମାରିଦେଲେ! ସେ କଣ୍ଠଶିଳ୍ପୀ ଏ ଗୀତ ଶୁଣି ନିଶ୍ଚୟ ଅଚେତ ହୋଇ ପଡିବେ।

- ଓଃ... ବେଶୀ ଗୋଟେ। ମୋ ଦେଇ ସେ ଗୀତ ହୁଏନି। ଯେମିତି ଆସିଲା ସେମିତି ଗାଇଲି। ତୁମେ ଗାଇଲ ଦେଖି।

- ନା... ମୋତେ ବି କୋଉ ଆସେ ଯେ? କିନ୍ତୁ ମୋ ବୋଉ ଖୁବ ସୁନ୍ଦର ଗୀତ ଗାଏ। ତା ଠୁ ଶୁଣିଛି ଏଇ ଗୀତ ମୁଁ, ତେଣୁ...

- ଆଛା... ତମେ ଗୀତ ଗାଇବା ଛଡ଼ା ଆଉ କଣ କରିପାର। 

- ମୁଁ ଚିତ୍ର ଆଙ୍କି ପାରେ। ଅନେକ ପୁରସ୍କାର ପାଇଛି ମୋ ଚିତ୍ର। ଜିଲ୍ଲା ସ୍ତରୀୟ ଓ ରାଜ୍ୟ ସ୍ତରୀୟ। 

- ହୁଁ... ଦୁନିଆରେ ଦୁଇଟା କାମ ମୋ ଦ୍ୱାରା ହୁଏନି 

ନଈ ପହଁରିବା ଆଉ ଚିତ୍ର ଆଙ୍କିବା। ହେଲେ ମୁଁ ତ ଶୁଣିଛି ତୁମେ ଭଜନ ଗାଇବାର। ଏବେ ଗୋଟେ ଗାଅ ପ୍ଲିଜ। 

ସଞ୍ଜିତ ଗାଇଲା, ଅକ୍ଷୟ ମହାନ୍ତିଙ୍କ, "ତୋ ବିନା ଲାଗେନା ଭଲ କିଛି"

ତନ୍ମୟ ହୋଇ ଶୁଣୁଥିଲା ଭୂମି, ଏତିକି ବେଳେ ତା ଫୋନକୁ ଆସିଲା ଅବିନାଶର କଲ। ସେ ଫୋନ ଦେଖି ଖୁବ ଗମ୍ଭୀର ହୋଇଗଲା। ଫୋନକୁ ସାଇଲେଣ୍ଟ କରି ଆଡେଇ ରଖିଦେଲା। ସଞ୍ଜିତ ଉଠି ଯିବାକୁ ବାହାରିଲା। 

ଭୂମି ତା ହାତ ଧରି କହିଲା," ଜାଣ ସଞ୍ଜିତ ବେଳେ ବେଳେ ଇଚ୍ଛା ହୁଏ ଏ ସବୁକୁ ଛାଡ଼ି କେଉଁ ଆଡେ ଚାଲିଯିବାକୁ। ନିଜ ସହ ଗପିବାକୁ, ନିଜକୁ ଅନେକ କିଛି ପଚାରି ତା ଉତ୍ତର ନିଜ ଭିତରେ ଖୋଜିବାକୁ। ହେଲେ କୋଉ ହେଇ ପାରୁଛି ସେମିତି? 

- କାହିଁ ହୋଇ ପାରିବନି? ଅସୁବିଧା କଣ?  

ଭୂମି ବଲ ବଲ ହୋଇ ଚାହିଁଲା ତା ମୁହଁକୁ। ସଞ୍ଜିତ ସେମିତି ସରଳ ଭାବେ ଉତ୍ତର ଦେଲା," ମଣିଷର ଧର୍ମ ଆଲୋକର ଅନ୍ୱେଷଣ କରିବା, ଏମିତି ଖାଇ ଖାଇ, ମରିଯିବା ପାଇଁ ନୁହେଁ। ଜୀବନରେ ଆଲୋକ ସେତିକି ଦରକାର ଯେତିକି ଖାଦ୍ୟପେୟ। କେତେ ଦିନ ଆଉ ଅନ୍ଧ ପୁଟୁଳି ବାନ୍ଧି, ସରୋବରକୁ ସାଗର ବୋଲି ଭାବୁଥିବେ। ଯାଆନ୍ତୁ, କେବେ ସାଗର କୂଳକୁ, ଦେଖିବେ ଆଲୋକର ଅଗଣାରେ ଆପଣଙ୍କ ଭବ୍ୟ ସ୍ୱାଗତ ହେଉଛି ନା ନାହିଁ !

 ଭୂମି ଦେଖିଲା, ଫୋନରେ ଅବିନାଶଙ୍କ ମେସେଜ, " ମୁଁ ତୁମ ପାଖକୁ ଆସୁଛି, ଆଜି ସବୁ କିଛିର ଫଇସଲା ହୋଇଯିବ" ପଢି ସାରି ଭୂମି କହିଲା, ତୁମକୁ କାର ଚଳେଇ ଆସେ? 

ସଞ୍ଜିତ କହିଲା, ହଁ ଆସେ... ଏବେ ତ ବର୍ଷା ହେଉଛି। 

- ଚାଲ ତେବେ, କାରରେ କଣ ଆମେ ଓଦା ହେଇ ଯାଉଛେ? 

- ହେଲେ ଯିବା କୁଆଡେ? 

- କହିଲ ପରା, ଆଲୋକ ଖୋଜିବାକୁ। ଆଉ କିଛି ପଚାରନି ପ୍ଲିଜ। 

ଦୁହେଁ ବାହାରିଗଲେ, ସହରଠୁ ଅନେକ ଦୁରକୁ। ସଞ୍ଜିତ ଗାଡି ଚଳାଉ ଥାଏ। ଆଉ ଝର୍କା ଆର ପଟେ ମେଘ ଦେଖୁଥାଏ ଭୂମି।

ସଞ୍ଜିତ ପଚାରିଲା, ମ୍ୟାମ କିଛି ନ ଭାବିଲେ ମୁଁ ଗୋଟେ ଲଗେଇ ପାରିବି? 

ଭୂମି ମୁଣ୍ଡ ହଲେଇ ହଁ କଲା। ସଞ୍ଜିତ ସୁଇଚ ଟିପି ବଜେଇଲା ଗୀତ ଟିଏ। କିଛି ସମୟ ପରେ ଭୂମି କହିଲା, ଭଲ ହୁଅନ୍ତା ଯଦି ତୁମେ ଗୀତଟିଏ ଗାଇ ଶୁଣାନ୍ତ । କାରର ପ୍ଲେୟାର ବନ୍ଦ କରି ଦେଲା ସଞ୍ଜିତ। କହିଲା, ମ୍ୟାମ ଏଇ ଯୋଉ କାଜୁ ବଗିଚା ଦେଖୁଛନ୍ତି, ଏଇଠୁ କେତେ କାଜୁ ଖାଇଛି ପିଲା ବେଳେ ଚୋରି କରି। ସେ ପାହାଡ଼ ପାଖେ ଯେଉଁ ବତୀ ଖୁଣ୍ଟ ଦିଶୁଛି, ସେ ହେଉଛନ୍ତି ମା ଦୁଆରସୁଣି। ପ୍ରଣାମ କଲା ଭୂମି। 

- ତୁମେ ଏତେ କଥା କେମିତି ଜାଣ? 

- ମ୍ୟାମ, ସେ ଡାହାଣ ପଟେ ଯେଉଁ ସାହାଡ଼ା ଗଛ ଦିଶୁଛି, ଠିକ ତା ଆର ପଟେ ଆମ ଘର। 

- ଓଃ ! ଚାଲ ତେବେ ଯିବା ତମ ଘରକୁ। ଦେଖି ଆସିବା ତମ ବୋଉ ଙ୍କୁ

- ହଁ,ଯିବା, ନିଶ୍ଚୟ ଯିବା, ହେଲେ ସେଦିନ ଯିବା ଯେଉଁ ଦିନ ଆପଣ ସତର ସାମ୍ନା କରି ଶିଖିଯିବେ। ମରୀଚିକା ପଛରେ ନ ଯାଇ, ସତ୍ୟକୁ ଅନୁସରଣ କରିବେ। 

- କଣ କହିବାକୁ ଚାହଁ ତୁମେ, ମୁଁ କଣ ସତ୍ୟଠୁ ଦୂରରେ? ମିଛରେ କୁହୁଡି ପହଁରୁଛି? ଏମିତି ଦିନଟେ ନାହିଁ ମୁଁ କାନ୍ଦିନି, ଏ ଲୁହ କଣ ମିଛରେ? 

- କ୍ଷମା କରିବେ ମ୍ୟାମ, ସତ ତ ଏଇୟା। ନିଜ ଭିତରର ଗୁଣ ଅବଗୁଣଙ୍କୁ ଚିହ୍ନନ୍ତୁ। ଉଚିତ ଲୋକଙ୍କ ସହ ମିଶନ୍ତୁ। ଆଉ ନିଜକୁ କିଛି ସମୟ ଦିଅନ୍ତୁ। ଦେଖିବେ, ଆପଣଙ୍କୁ ଆଉ କେବେ ଏମିତି ଦୌଡ଼ିବାକୁ ପଡିବନି। 


ରାତି ଅନେକ ହୋଇ ସାରିଥିଲା। ସେମାନେ ଏବେ ଫେରିଲେ ଘରକୁ। ପର ଦିନ ଅଫିସ ଗଲା, ଭୂମି। ଅବିନାଶ ତାକୁ ଚାମ୍ବରକୁ ଡାକି ଅନେକ ଗାଳି କଲା। ଭୂମି ନିର୍ଲିପ୍ତ ଭାବରେ ସବୁ ଶୁଣି ଉତ୍ତର ଦେଲା। "ଦେଖନ୍ତୁ, ଅବିନାଶ ବାବୁ, ମୋ କାମରେ ଯଦି କିଛି ଭୁଲ ଅଛି ମୋତେ କହିବାର ଅଧିକାର ଆପଣଙ୍କର ଅଛି। ଆଉ ରହିଲା ଆମ କଥା, ଆପଣଙ୍କ ପାଇଁ ଭୂମି କେବଳ ଗୋଟିଏ ଦାମିକା ଖେଳନା। ଯାହାକୁ ଯେତେବେଳେ ଚାବି ଦେବେ ସେ ନାଚିବ। ହେଲେ ଆପଣ ଭୁଲି ଯାଉଛନ୍ତି ଯେ ଭୂମି ଚାବି ଦେବାର ଅଧିକାର କାହାକୁ ଦେବ ସେ କଥା ସେ ବିଚାର କରିବ। କମ୍ପାନୀର ଉତ୍ତରୋତ୍ତର ଉନ୍ନତି କାମନା କରି ମୁଁ ତ୍ୟାଗ ପତ୍ର ଦେଉଛି। ଆଶା ଆପଣ ଭୁଲ ବୁଝିବେନି।" 


ଫେରିବା ବାଟରେ ସେ ଭେଟିଲା, ଦୋଳ ବିମାନରେ ଶ୍ୟାମସୁନ୍ଦରଜୀଉଙ୍କୁ। ସେ ଖୁବ ଖୁସି ଥିଲା। ଅବିର ଭିତରୁ ସେ ହସୁଥିଲେ ତାକୁ ଚାହିଁ। ଫଗୁ ଅବିରର ମହକରେ ବାସୁଥିଲା ତା ଦେହ, ସେ ବୁଝୁଥିଲା, ଶୃଙ୍ଖଳ ହୀନ ହେବା ହିଁ ଆଲୋକ ସନ୍ଧାନର ପ୍ରଥମ ସୋପାନ। ଅଭିମାନ କଲା ପରି କହିଲା, ଜୀବନରେ ଯଦି ଏତେ ଖୁସି, ଆସିବାର ଥିଲା, ତେବେ ଏତେ ଡେରିରେ କାହିଁକି? ଇଏ କି ଫାଜିଲାମୀ!! ଦୋକାନରୁ କିଣିଲା ଆଳୁଚପ, ସିଙ୍ଗଡ଼ା ଓ ମିଠା, ମନେମନେ ଅନେକ ଧନ୍ୟବାଦ ଦେଲା ଦିଅଁଙ୍କୁ, ଲୁହ ଶ୍ରାବଣରୁ ଆରମ୍ଭ ଏ କାହାଣୀ, ପୂର୍ଣ୍ଣାଙ୍ଗ ହେଲା, ଫାଜିଲ ଫଗୁଣ ପାଇଁ।


ଘରେ ପହଞ୍ଚି ଦେଖେ ତ, ସଞ୍ଜିତ ଗେଟ ଖୋଲି ଦେଇ ଠିଆ ହୋଇଛି, ତାକୁ ଚାହିଁ। ତା ହସ ଦେଖି ବୁଝି ପାରିଛି, ତା ମନ କଥା। ମୁଠାଏ ଗୋଲାପୀ ଅବିର ଛାଟି ଦେଇ କହିଲା, ହାପି ହୋଲି ମ୍ୟାମ। ଭୂମି ଏସବୁ ପାଇଁ ପ୍ରସ୍ତୁତ ନଥିଲା, ସେ ଚିଡିବାର ଅଭିନୟ କରି କହିଲା, ଇଏ କି ବଦମାସି? ଅତି ଗୋଟେ" ! ହାତ ଧୋଇ ଆସ, ଉପରକୁ। ସିଙ୍ଗଡ଼ା ଆଣିଛି। ଦୁହେଁ ବସି ସିଙ୍ଗଡ଼ା ଖାଉଥିଲେ, ସଞ୍ଜିତ ତା ହାତକୁ ଲଫପା ଟିଏ ବଢ଼େଇ ଦେଲା। ଭୂମି କୌତୁହଳରେ ଖୋଲି ଦେଖିଲା, ସଞ୍ଜିତକୁ ପ୍ରଶାସନିକ ବିଭାଗରେ ଚାକିରୀ ମିଳିଛି। ଟ୍ରେନିଂ ଯିବାକୁ ହେବ, ୫ ଦିନ ଭିତରେ। ଭୂମି ଝରକା ବାହାରକୁ ଚାହିଁ କହିଲା," ଏଇ ଏବେ ଏବେ ମୁଁ ନିଜକୁ ଜାଣୁଛି, ଏଇ ଏବେ ତୁମକୁ ବୁଝୁଛି। ଆଉ ଏବେ ତୁମେ ଚାଲିଯିବ। ଜୀବନରେ ଶୂନ୍ୟତା ଭରି ଦେଇ।" 

- ମ୍ୟାମ, ମୁଁ ବୁଝେ ସବୁ କିଛି ବିଧି ନିର୍ଦ୍ଦିଷ୍ଟ, ମୁଁ ଅସିବା ଆଉ ଆପଣଙ୍କ ଜୀବନରେ ପରିବର୍ତ୍ତନ ହେବା, ସବୁ କିଛି ଆଗରୁ ଲେଖା ହୋଇଛି। ତା ପରେ, ମୁଁ କଣ ଆଜି ଯାଉଛି? ଆହୁରି ୩ ଦିନ ଅଛି । ହୋଲି ଖାଲି ରଙ୍ଗ ଆଣେନି ମ୍ୟାମ, ଗଲା ବେଳେ ବୈଶାଖକୁ ଡାକି ଦେଇ ଯାଏ। କେବେ ଦିନେ ସମୟ ପାଇଲେ, ନିରେଖି ଦେଖିବ ଏ ଅବିରକୁ, କୁଆଡୁ ଆସେ ସେ କୁଆଡେ ଯାଏ। ହଁ, ମ୍ୟାମ, ରଙ୍ଗ ବି କଥା କହେ"


ଶେଜରେ ବସି ଲେଖିବ ଭାବୁଛି, ଏତିକି ବେଳେ ଫୋନରେ ମେସେଜଟିଏ ଆସିଲା, ସଞ୍ଜିତ ଚାକିରି ପାଇ, ତା ସହରକୁ ଆସୁଛି, ଲେଖିଛି, "ଅବିର ସାଇତି ରଖିଥାନ୍ତୁ ମ୍ୟାମ, ଏଥର ଫଗୁଣେ, ପାଲିଙ୍କି ଆସୁଛି"



Rate this content
Log in

Similar oriya story from Romance