Bibhu Samanta

Inspirational

3.5  

Bibhu Samanta

Inspirational

ଯୁବ୍ଲିନର ବଡଦିନ

ଯୁବ୍ଲିନର ବଡଦିନ

3 mins
154


କନ୍ଧମାଳ ଜିଲ୍ଲାର ପାହାଡ ପର୍ବତ ଘେରା ଖଜୁରୀପଡ଼ା ଗାଆଁରେ ଡିସେମ୍ବର ମାସର ଏକ କ୍ଲାନ୍ତ, ଶାନ୍ତ, ଶୀତ ରାତିରେ ସେ ବସିଥିଲା ମେଣ୍ଢାଶାଳର ବାହାରେ। କିଛି କୁଟା କାଠିରେ ନିଆଁ ଲଗେଇ, ତା ପ୍ରିୟ ଯୁବଲିନ୍ ପାଇଁ। ଆଜି ପାଖ ଜଙ୍ଗଲରୁ ଫେରିବା ବାଟରେ ସେ ବାପାଙ୍କୁ କହିଲା, "ବାପୁ, ଯୁବଲିନ୍ ବୋଧେ ଆଜି କି କାଲି ଭିତରେ ନୂଆ ଜ୍ୟାକିଟେ ଜନ୍ମ କରିବ। ତା ପରେ ଦେଖିବ, ଆମ ମେଣ୍ଢା ସଂଖ୍ୟା ୧୧୮ ରୁ ୧୧୯ ହୋଇଯିବ। ଆଉ ମୋତେ ନୂଆ ସାଙ୍ଗଟେ ମିଳିଯିବ, ଖେଳିବାକୁ।" ବାପୁ କିନ୍ତୁ ଗମ୍ଭୀର ହୋଇ ଆକାଶକୁ ଚାହିଁଲେ, ଆଉ ହସି ତା କପାଳରେ ପଡି ଆସୁଥିବା ଚୁଟିକୁ ସଜାଡି କହିଲେ," ଏଇ ଭିତରେ ରୋଜିନା ବି ଚାଲିଯିବ, ଉପରକୁ। ସେଇ ଈଶ୍ୱରଙ୍କ ପାଖକୁ। ତା ପରେ, ଯୋଉ ୧୧୮ କୁ ସେଇ ୧୧୮। "


- ଏମିତି କାହିଁ ହୁଏ ବାପୁ? କଣ ଏ ଜଙ୍ଗଲ ଏ ଝରଣା କଣ ଆଉ ଗୋଟିଏ ଜୀବନକୁ ଧରି ରଖି ପାରିବନି? ଅବୁଝା ହୋଇ ପ୍ରଶ୍ନ କଲା, ୧୨ବର୍ଷର ଆନି। 


- ହଁ, ପାରନ୍ତା ହେଲେ.... ଈଶ୍ୱରଙ୍କ ବ୍ୟବସ୍ଥା ନିଆରା। ସେ ଜ୍ୟାକି ବଦଳେ ରୋଜିନାକୁ ନେବେ, ଆଉ ପୁଣି ତାକୁ ନୂଆ କରି ଫେରେଇବେ, ନୂଆ ରୂପରେ । ବୁଝିଲୁ? ଯେମିତି ତୋ ଜେଜେମାଙ୍କ ବଦଳେ ତୋ କୁନି ଭଉଣୀ ରୋମି ଆସିଲା ସେମିତି।


ଆକାଶକୁ ଦେଖୁଥିଲା ଆନି। ଟିପି ଟିପି ତାରା ଙ୍କ ମେଳରେ କେଉଁଠି ତା ମମିକୁ ପାଉନି ଆଜି। ସେ କଣ ଯୁବଲିନ୍ ପେଟରୁ ଆସୁଛନ୍ତି କି? ସେମିତି ହୋଇପାରେ? ଉଠି ଯାଇ ବାପୁଙ୍କୁ ଡାକିଲା, "ବାପୁ ଉଠ, ଦେଖ! ଯୁବଲିନ୍ ବେଶୀ ବେଶୀ ବଡ଼ ପାଟିରେ ବୋବେଇଲାଣି। କିଛି କର ! ତାକୁ ବହୁତ କଷ୍ଟ ହେଉଛି। ହେଲେ ଦିନ ସାରା କ୍ଲାନ୍ତ ହୋଇ ପଡ଼ିଥିବା ତା ବାପୁ ନିଦରୁ ଉଠିବାକୁ ଚାହିଁ ବି ଉଠି ପାରୁନଥିଲା। ବାରମ୍ବାର ମୁହଁ ମାଡି ଶୋଇ ଯାଉଥିଲା।କେତେ ଥର ମନା କରିଛି ତାଙ୍କୁ, ସେ ଫେରିବାଲା ମାଇକେଲଠୁ ମଦ ପିଅନି ବୋଲି, ହେଲେ ସେ କଣ ଶୁଣନ୍ତି। ସେ ନିଜେ ଯାଇ ବଳକା ଭାତରେ ପାଣି ମିଶେଇ ଗରମ କଲା। ମେଣ୍ଢାମାନଙ୍କ ଭିତରେ ଗୋଟେ କୋଣରେ ଶୋଇ ରହିଥିବା, ଯୁବଲିନ୍ ପାଖକୁ ଯାଇ ତା ମଥା ଆଉଁସିଲା। ଆଉ ତା ପାଇଁ ଈଶ୍ୱରଙ୍କୁ ଡାକିଲା। ହେ, ପରମେଶ୍ୱର ତୁମେ ପ୍ରେମ ଓ କରୁଣାରୁ ଯୁବଲିନ୍ କଷ୍ଟ କମ କରିଦିଅ, ମୁଁ ତୁମ ପାଖେ ଏଇ ରବିବାର, ୪ ଟି କ୍ୟାଣ୍ଡେଲ ଜାଳିବି। ବିଶ୍ୱାସ କରୁଥିଲା ତା ମମି ବୋଧେ ପୁଣି ଆସୁଛନ୍ତି ତାଙ୍କ ଘରକୁ। ହେଲେ ଫାଦର ପିଟର କୁହନ୍ତି ଯେ, ତା ମମି ତ ସେ କବରସ୍ଥାନରେ ସେ ସିମେଣ୍ଟ ଚଟାଣ ତଳେ ଜଫିନ ଭିତରେ ଶୋଇଛି। ତାର ପୁଣି କଣ ହେବ? ମନେ ଅଛି ତାର, ଗଲା ମାସରେ ସେ ଯାଇଥିଲା ବାପୁ ସାଙ୍ଗେ ସେଠିକୁ ଫୁଲ ଚଢ଼େଇବାକୁ। କିଛି ସମୟ ବସି ରହିଲା ସେ ସେଇଠି। ସେଇ ପୁରୁଣା ବୋଗେଂଭିଲା ଗଛ ମୂଳେ। ଝରା ପତ୍ର ଆଉ ଶୁଖିଲା ଫୁଲକୁ ଆଡେଇ ସେ ଚଟାଣରେ ମୁଣ୍ଡ ରଖିଦେଲେ ତାକୁ କୋଉଠୁ କେଜାଣି ଥଣ୍ଡା ପବନ ଆସି ମଥା ସାଉଁଳେଇ ଦେଇ ଯାଏ। ତାକୁ ଲାଗେ ତା ମମି ଙ୍କ ହାତ। ଆଖି ଖୋଲେନି ଜମା। ସେ ଜଣେ ଆଖି ଖୋଲିଲେ ସେ ପୁଣି ଚାଲିଯିବେ ସେ କଫିନ ଭିତରକୁ। 


ଅବଶ ହୋଇ ପଡୁଛି ଯୁବଲିଁ, ପେଟ ଆହୁରି ବଡ଼ ଦିଶୁଛି। ଆନି ଏଥର ତା ମଥାରେ ହାତ ରଖି ଆଖି ବୁଜିଲା, ଆଉ କହିଲା, ହେ ପରମ ପିତା, ଜଗତ ରକ୍ଷା କରିବା ତୁମ ଧର୍ମ। ଏ ନିରୀହ ପଶୁର ଆକୁଳ ଚିତ୍କାର ଶୁଣି ପାରୁନ କେମିତି? ଦୁଇ ଧର ଲୁହ ବୋହି ଆସିଲା ତା ଆଖିରୁ। ତାର ମନେ ପାଉଥିଲା, ତା ବାପୁ ସାଙ୍ଗେ ଜଙ୍ଗଲରେ ବୁଲି ମେଣ୍ଢା ଚରେଇବା ବେଳେ, ଏଇ ଯୁବଲିଁ କେମିତି ତା ପଛେ ପଛେ ଥାଏ। ତା ଦେହରେ ଘଷି ହୁଏ। ସେ ବସି ପଡିଲେ ତା ପାଦରେ ନିଜ ଲୋମଶ ବେକ ଥୋଇ ଦିଏ। ତା ସହ ରହି ରହି ସେ ଶିଖିଛି, ଝରଣା ସହ କଥା ହେବା, ପାହାଡ଼ ସହ ଗପିବା। ଭୁଇଁରେ ଶୋଇ ଆକାଶକୁ ଆଲିଙ୍ଗନ କରିବା। ପ୍ରଜାପତିଙ୍କ ସହ ଖେଳିବା, ଆଣିଥିବା ଖାଦ୍ୟ ତା ସହ ଭାଗ କରି ଖାଇବା। ତାଙ୍କ କଷ୍ଟକୁ ଅନୁଭବ କରିବା। ହଠାତ, ସେ ଜାଳି ଥିବା ନିଆଁରୁ ବାଉଁଶଟିଏ ଫାଟି ନିଆଁଟିଏ ଛିଟକି ଆସିଲା ତା ଆଡ଼କୁ। ସେ ଦେଖିଲା, ସେ ନିଆଁ ଭିତରେ ଚର୍ଚ୍ଚର ମିଶାଣ ଚିହ୍ନ ପରି ନିଆଁ ଝୁଲଟେ। ଯାହା କିଛି ମୁହୂର୍ତ୍ତ ଭିତରେ ପୁଣି ରାତ୍ରିର ନୀରବତା ରେ ପୁଣି ମିଶିଗଲା। ଯୁବଲିଁ ପେଟରୁ ବାହାରକୁ ବାହାରି ଆସିଲା କୁନି ଛୁଆ ଟିଏ। ତାକୁ ନିଜ ସ୍କାର୍ଫରେ ପୋଛି ଆଣି ଶୁଆଇ ଦେଲା ତା ମାଆର ଉଷୁମ କୋଳରେ। ଯୁବଳୀନ ଚାଟି ଯାଉଥିଲା କୁନି ଛୁଆର ମଥା ଆଉ ଦେହକୁ। ସେ ଗରମ କରିଥିବା ଜାଉ ଭାତକୁ ଖାଇବାକୁ ରଖି ଉଠି ଆସିଲା ବେଳକୁ। କୁନି ଛୁଆ ଗୋଡ଼ରେ ତା ସ୍କାର୍ଟଟା ଲାଖିଗଲା। ଆଉ ସେ ପୁଣି ବସିଗଲା ସେଇଠି, ଆଖିରୁ ଲୁହ ପୋଛି ତାକୁ ଆଉ ତା ମାଆକୁ ଘୋଡେଇ ଦେଲା ଗୋଟେ ଅଖା ବସ୍ତା। ଠିକ ସେତିକି ବେଳେ ସେ ମେଣ୍ଢାଶାଳରେ ଠିକ ସେଇ ପବନ ବହୁଥିଲା, ଯାହା ତା ମମିଙ୍କ କବରରେ ପାଖେ ବହେ। 

ଚର୍ଚ୍ଚରୁ ଶୁଭୁଥିଲା ଘଣ୍ଟି, ଓ ପ୍ରାର୍ଥନାର ସ୍ୱର। ଶାନ୍ତି ରକ୍ଷା ପାଇଁ ପୋଲିସ ପଇଁତରା ମାରୁଥିଲା ରାସ୍ତାରେ। ସବୁ ଆଡେ ସଜ ହୋଇଥିଲା ଖିର୍ଷ୍ଟମାସ ଟ୍ରି, ଲିଚୁ ମାଳ, ଆଉ ବେଲୁନରେ। କିଏ କାହଁା ଜାଣେ, ଦୟା, କ୍ଷମା, ଶାନ୍ତି ଓ ପ୍ରେମର ଅବତାର ଚର୍ଚ୍ଚ କି ରାସ୍ତାରେ ନୁହେଁ ଏଇ ମେଣ୍ଢାଶାଳରେ ଶୋଇଛି ମଦର ଯୁବଲିଁଙ୍କ କୋଳରେ। ଆନିର ମନେ ପଡ଼ିଲା ଆଜି ବଡଦିନ, ସତରେ ଜୁବ୍ଲିନ ପାଇଁ ବି ବଡଦିନ। ଏବେ ସବୁ ଆଲୁଅ ଦିଶୁଥିଲା, ଠିକ ସେ ଚର୍ଚ୍ଚ ଉପରେ ଥିବା କ୍ରସ ପରି। ଆଉ ସେ ଆଲୁଅରେ ସେ ଦିଶୁଥିଲା ମଦର ମେରୀଙ୍କ ପରି। 



Rate this content
Log in

Similar oriya story from Inspirational