Bibhu Samanta

Classics

3  

Bibhu Samanta

Classics

ପହଣ୍ଡି ବିଜେ

ପହଣ୍ଡି ବିଜେ

4 mins
199


ପୁଣ୍ୟ ପାରିଜାତର ପ୍ରାଙ୍ଗଣରେ ଆଜି ପଦ୍ମ ଫୁଟିଛି। ତା ମହକରେ, ଆଶା ଅଶ୍ୱ ସବୁ ସଜବାଜ ହୋଇ ଜୋଚି ହେଲା ପରେ, ଆତ୍ମା ଆଜ୍ଞାମାଳ ପିନ୍ଧି ମତୁଆଲା ହେଲେ, ଲାଗେ ଆଷାଢ଼ ଆସିଛି। ପାଟ୍ଟ ଡୋରି ରେ ଚିଟାଉ ଆସିଛି। ପୋଡପିଠା ଲାଗି ମାଉସୀ ଡାକିଛି ... ହଁ ... ହେ !! ଆଷାଢ଼ ଆସିଛି।


ହେ ସକଳ ବ୍ରହ୍ମାଣ୍ଡର ଜଡ ଚେତନ , ଭୂମି ଭୂମା, ଦେବ ମାନବ ଦେଖ କିଏ ଆସୁଛି। ହେ ବିଶ୍ୱବାସୀ ଦେଖ, ତୁମ ଚେତନା ର ଉର୍ଦ୍ଧ୍ବ ରେ କିଏ ସେ, ଯାହାର ଜୟଧ୍ୱନି ଶୁଭୁଛି ବଦରିକା ରୁ କୁମାରିକା ଯାଏ, ଦ୍ଵାରକା ରୁ ଦୋଳ ମଣ୍ଡପ ଯାଏ। ଯାହା ପାଇଁ ଗଙ୍ଗା, ଗୋଦାବରୀ, ସରଜୁ, ସିପ୍ରା, ବୈତରଣୀ, ବ୍ରହ୍ମପୁତ୍ର, ଆଦି ନଦୀମାନେ ମଙ୍ଗଳ ଗାନ କରୁଛନ୍ତି। ଯାହାର ଆଡ଼ ନଜରରେ ସୂର୍ଯ୍ୟ ଚନ୍ଦ୍ର ଙ୍କ ଗତି ଶିଥିଳ ହୁଅନ୍ତି। ଶନି, ଶୁକ୍ର ଆଦି ଗ୍ରହ ମାନେ ଚଳନ କରନ୍ତି। ମଳୟ ଯାହାଙ୍କୁ ଛୁଇଁ ପ୍ରାଣଧାର ହୁଏ। ଦୀପ୍ତସିଂହଙ୍କ ପରି ବିକ୍ରମ ଠାଣିରେ କିଏ ସେ? ଦେଖ ଥରେ, ଦୋଳୟ ମାନ ଟାହିଆ ତଳକୁ। ଦେଖି ପାରିଲ ?


ଏଇ ଦେଖ ମୋର ପ୍ରିୟ ବିଶ୍ୱବାସୀ, ଅରୁଣୋଦୀପ୍ତ ଡହ ଡହ ନିର୍ମଳ ଆଲୋକ ପୁଞ୍ଜଟିଏ ଉଦ୍ଭାସିତ ହେଲାକି ସେ ପଦ୍ମ ରେଣୁରୁ? ଘନ ତମିଶ୍ରା ଉଆଁସୀ ରାତିର କୋଳରୁ ଲକ୍ଷେ ନକ୍ଷତ୍ର ସମ ଜ୍ୟୋତିପୁଞ୍ଜଟିଏ କିଏ ସତେ? ଯାହା ଆଗମନୀ ରେ ନିଶି ତନ୍ଦ୍ରା ତେଜି ତ୍ରୈଲୋକ୍ୟ ମୋହିନୀ ସ୍ମିତହାସ୍ୟ ଦେଉଛି। ସବୁ ଶସ୍ତ୍ର ଓ ଶାସ୍ତ୍ର ଯାହା ପାଖେ ନୀରବ। ଯେଉଁଠି ଭୀତି ଆଉ ଭକ୍ତି , ସମ ଭାବେ ବିଦ୍ୟମାନ ସେ ସୁଦର୍ଶନ। ସବୁ ଦର୍ଶନକୁ ସୁଲଭ କରିବାକୁ ଏକ ସଂକଳ୍ପିତ ମାନଦଣ୍ଡ। ସେ ଏବେ ଆରୁଢ଼ ହେଉଛନ୍ତି, କୃଷ୍ଣ ଲୋହିତ ବର୍ଣ୍ଣର ବୋଇତ ଟିଏ ରେ। ମଙ୍ଗକୁ ସଳଖି ଦୃଷ୍ଟି ଦେଉଛନ୍ତି ଚାରିଆଡେ, ଚକ୍ର ପରି, ଦର୍ପକୁ ଦଲନ କରିବେ ବୋଲି।


ଏବେ ଦେଖ, ନୀଳଗିରି ଶିଖର ରୁ ଓହ୍ଲେଇ ଆସୁଛି ଶାନ୍ତ କାନ୍ତ ଶୁଭ୍ର ସକାଳ ଟିଏ। ଭୃଳତାରେ ଅନେକ ସମ୍ଭାବନା କୁ ଧରି, ସମ୍ଭ୍ରାନ୍ତ ପଣରେ ସାତ ସମୁଦ୍ରର ନିଳିମାକୁ ଆବୋରି ସ୍ପଟିକ ମାଳ ଟିଏ। ଯେ ଜ୍ଞାନ ଓ ବୈରାଗ୍ୟ ରେ ବାଣ୍ଟି ଦିଅନ୍ତି ଶାନ୍ତି, ମୈତ୍ରୀ ଓ ପ୍ରଗତି। ଥରେ ଦେଖ ଜନେ, ତାଙ୍କ ଶୁଭ୍ର ଅଭ୍ର ତନୁକୁ। ଏ କର୍ପୁର ମେରୁ ନୁହେଁ ତ? କାଦମ୍ବରୀ ର ପ୍ରମତ୍ତ ନିଶାରେ ଆରକ୍ତ ନୟନ ଧାର। ଚତୁର୍ଦଶ ବ୍ରହ୍ମାଣ୍ଡର ଈଶ୍ୱର ସେ, କ୍ଷଣିକେ ଦେଇ ପାରିବେ ସର୍ବ ଐଶ୍ଵର୍ଯ୍ୟ। ସେ ଅନାଦି, ସେ ଅନନ୍ତ, ବଳ ଥାଇ ବି ସେ ଭଦ୍ର, ଲାଙ୍ଗଳି, କୃଷ୍ଣାଗ୍ରଜ, ତାଙ୍କ କଟାକ୍ଷ ରେ ଧୂସର ଧରିତ୍ରୀ ଶାକମ୍ବରୀ ହୁଏ। ପଦ୍ମ ନାଡ଼ରେ ଏପରି ସୃଜନ ବି ହୋଇପାରେ କି? ସତେ ସେ ଯାଇ ପାରିବେ ତ ତାଙ୍କ ରକ୍ତ ସବୁଜ ର ବୋଇତ ପାଖକୁ। କୃଷ୍ଣ ଘୋଟକ ଙ୍କୁ ଦେଖି ବୁଲି ଚାହିଁଲେଣି ଶୂନ୍ୟକୁ। ଶୂନ୍ୟ ପଦ୍ମ ଏବେ ପୂର୍ଣ୍ଣ ବିକଶିତ ତାଙ୍କ ଦୀପ୍ତିରେ। ସେ ଜାଣନ୍ତି ସେ ସହସ୍ର ଫଣା ଆଢୁଆଳରେ ଯାହାକୁ ରଖନ୍ତି ସେ, ଟିକେ ସମୟ ପାଇଲେ, ଚାଲିଯାଏ ମାଲୁଣି ବାଡିକୁ, ନହେଲେ ଯମୁନା କୂଳକୁ। ଗୁରୁ ଗମ୍ଭୀର ଚାହାଣି ନିକ୍ଷେପ କରି ସେ ତାଳଧ୍ୱଜ ମଣ୍ଡନ କଲେ।


ଓଃ... କାଳଖଣ୍ଡକୁ କେହି କହି ଦିଅ ଥରେ ସେ ଘଡ଼ିଏ ଥମି ଯାଉ। ପଦ୍ମ ରେଣୁର ସବୁ କେଶର କୁ ଦେହରେ ଧାରଣ କରି କିଏ ଏହି ହୀରଣ୍ମୟୀ!!ବ୍ରହ୍ମ ବିଲୟର ମଧ୍ୟରେ ଥିବା ବିସର୍ଗ ପରି ତନୁ। କାନ୍ଧ ରୁ କାନ୍ଧ କୁ ଡେଇଁ ସେ ଚାହିଁଛନ୍ତି ସେଇ ଶୂନ୍ୟ ପଦ୍ମକୁ, ଯେ ଏବେ ଅବତରଣ ହେବାର ଉପକ୍ରମରେ। କାମ୍ପିଲ୍ୟ କଟକ ର ରାଜଜେମା ପରା। ଖୁବ ଶରଧାରେ ସୁନାମୁହିଁର ନାଁ ଦେଇଛନ୍ତି ସୁଭଦ୍ରା। ସେ ହସୁଛନ୍ତି ନିର୍ଲିପ୍ତତାରେ, ସେ ଯୋଗମାୟା ଗୁପ୍ତଦେହା, ସକଳ ଜଗତର ଧାର୍ତ୍ତୀ, ଜ୍ୟୋତିର୍ମୟୀ ମହାଦେବୀ ଯେ ଅକୁଣ୍ଠରେ ଦେଇ ପାରନ୍ତି ଭକ୍ତି, ଗତି ଓ ମୁକ୍ତି। ଦର୍ପଦଳନ ରେ ମଣ୍ଡିତ ହେବା ଆଗରୁ ସେ ଆଖି ଟେକି ଚାହିଁଲେ, ଅର୍ଜୁନ ଙ୍କୁ। ତାଙ୍କ ଛଡା ଆଉ ଶ୍ରେଷ୍ଠ ସାରଥୀ କିଏ ବ ହୋଇପାରିବ କୁହ ତ!!


ହେ ମୋର ଆତ୍ମା ଓ ମୋ ସତୀର୍ଥ ସାଥିଗଣ, ମୋ ପଞ୍ଚ ପ୍ରାଣ ଓ ଦଶ ଇନ୍ଦ୍ରିୟ, ସକଳ ବ୍ରହ୍ମାଣ୍ଡର ଋଷି , ମୁନି, ଯକ୍ଷ, କିନ୍ନର ଓ ନାଗ ଗଣ ବାରେ ଚାହିଁ ଦେଖ, ଶୂନ୍ୟପଦ୍ମର ପାଖୁଡା ସବୁ ଝଡ଼ିଗଲା ପରେ, ଭିତରେ ଥିବା ଭ୍ରମର ଟି ମୁକ୍ତ ହୋଇ ଉଡି ବୁଲିବା ପାଇଁ ଉଦ୍ୟତ ପ୍ରାୟ, ହେଲେ ତାକୁ କଣ ଏମିତି ଛାଡି ହେବ? ନା ... ନା... ଜମା ନୁହେଁ।ତାକୁ ଆଣି ରୁନ୍ଧି ଦେବା ପାଟ ରସିକ ଡୋରୀରେ। ଏଇ ଦେଖି ପାରୁଛ ମହୁ ପି ତା ଓଠ କେମିତି ମନ୍ଦାର ପାଖୁଡା ପରି ନାଲିଆ ଦିଶୁଛି! ଡୋରି ଲାଗିଲା ପରେ ଏବେ ସେ ଝୁଲୁଛି। କେଉଁ ଏକ ଫୁଲର ଆମନ୍ତ୍ରଣ ବୋଧେ? ପଚାର ତାକୁ, ସେ ଫୁଲର ନାଁ ରାଧା ନୁହେଁ ତ?? ଯାଉଁଳି ବେତର ଠକ ଠକ ଶବ୍ଦରେ ସେ ଟାହିଆ ନଚେଇ ଆଗକୁ ମାଡି ଆସୁଛି। ଓଃ ... ଆଜି ଏତେ ଦିନ ପରେ ଦେଖା , ଏଇ ଖୋଲା ଆକାଶ ତଳେ, ବଡ଼ ଦାଣ୍ଡରେ । କୁହ ଯାହା ତମ ମନ ତଳର ଅଳି ଗାଳି , ସୁଖ ଦୁଃଖ ସବୁ ଶୁଣିବ ସେ। ସେ ଶୁଣିବାକୁ କଥା ଦେଇଛି। ସେ ଜାଣେ ଏ ଜନ ସମୁଦ୍ର କେବଳ ତା ପାଇଁ ଅପେକ୍ଷା କରିଥିଲେ। ହେଲେ ଏ ଅପେକ୍ଷା ଏବେର ନୁହେଁ ମଣିମା। ତୁମକୁ ଦେଖିବ ବୋଲି ବୁଢ଼ୀ ମାଉସୀ ଟେ ଆଖି ବୁଜିଦେଲା । ସତ କୁହ, ସାଇତା ପୁଣ୍ୟ ନଥିଲେ କଣ ତୁମକୁ ଦେଖି ହେବନି? ମୁଁ ନିସ୍ୱ ସର୍ବସ୍ବ ହରାଇଥିବା କାଙ୍ଗlଳଟିଏ। ସତେ ଏ ଚର୍ମ ଚକ୍ଷୁ କଣ ପାରିବ ତୋତେ ଦେଖି। ତୁମେ ପରାର୍ଧ ବର୍ଷର ଦିଅଁ, ମୁଁ ପ୍ରାରବ୍ଧ ସହ ଜୁଝୁ ଥିବା ମଣିଷ ଟିଏ। ହଉ, ଏ ଜନ୍ମ ନହେଲା ନାଇଁ। ପର ଜନ୍ମରେ ପୁଣି ଦେଖା ହେବ ଆମର। ମୁଁ ଜାଣେ ଏ କଥା କହିଲେ ତୁମେ ଯାଚି ଦେବ ଚର୍ତୁ୍ବର୍ଗ ଫଳ। ହେଲେ ମୋତେ କିଛି ଲୋଡ଼ା ନାହିଁ ହେ ମଣିମା। ତମେ ତ କହିଛ, ଏମିତି କେତେ ଜନ୍ମ ହୋଇଛି ଆମର, ଆମେ ମାୟାରେ ପଡି ଜାଣି ପାରୁନା, ହେଲେ ତମେ ମାୟାଧର, ଇହ ଜନ୍ମ , ପରଜନ୍ମ, ଜନ୍ମ ଜନ୍ମାନ୍ତର ର କଥା ତମେ ଜାଣ। ଏ ସମ୍ପର୍କ ଏମିତି ଥାଉ ହେ ମଣିମା। ଏ ଜାତି ସର୍ବସ୍ବ ହରେଇ ତୁମକୁ ପାଇଛି। ଆଉ ଏଥିରେ ଆମେ ଖୁସି। ଅପରାହ୍ନ ର ସୂର୍ଯ୍ୟ ଏବେ ଆଗତ ପ୍ରାୟ। ପୀତ ଲୋହିତ ବର୍ଣ୍ଣ ରେ ଉଦ୍ଭାସିତ ସୁନ୍ଦର ବୋଇତ ଏବେ ଭାବ ସମୁଦ୍ରର ଭାସିବା ପାଇଁ ସଜିଲ ହେଲାଣି। ଚାରମାଳ ର ଫାଳ ଫାଳ ତାଳ ଦଣ୍ଡାରେ ତିଆରି , ପାହୁଣ୍ଡ ତଳର ସ୍ପର୍ଶ ପାଇ କାଳ କାଳକୁ କୃତାର୍ଥ ହେଲା। ଦେଖୁଛ ମଣିମା, ସେ ଜନ ସମୁଦ୍ର ଆର ପାଖେ, ବସିଥିବା ବୁଢ଼ୀ ମା ଟେ ନିଜ ଆଖିରୁ ବୋହୁଥିବା ଲୁହ ନ ପୋଛି ତୁମ ଆଡେ କାନି ପତେଇଛି। କଳା ଭ୍ରମରର ମନ କଣ ସେ ସ୍ବେଦସିକ୍ତ ପଣତକାନିକୁ ଚୁମିବନି? 



Rate this content
Log in

Similar oriya story from Classics