ବାହୁଡା ବିଳାପ
ବାହୁଡା ବିଳାପ
ଶ୍ରାବଣର ମୁହଁ ସଞ୍ଜରେ, ସାହି ମୁଣ୍ଡରେ ଥିବା, ଭାଗବତ ଟୁଙ୍ଗୀରୁ ଶୁଭୁଥିଲା, ଝାଞ୍ଜ, ଖୋଳ, କୀର୍ତ୍ତନ ର ସ୍ୱର। ମେଘ ଅସରାଏ ହୋଇ ଛାଡି ଯାଇଥିଲା, ରାସ୍ତା କଡରେ, ଥକି ପଡ଼ିଥିଲେ ପିଲାଙ୍କ କାଗଜ ଡଙ୍ଗା ସବୁ। ତା ଭିତରୁ ଗୋଟେ ମୋର ବି ଥିଲା। ମୋ ସପ୍ତମ ଶ୍ରେଣୀ ସାହିତ୍ୟ ଖାତାରୁ ଫର୍ଦ୍ଦ ଟିଏ ରେ। ପାଣିରେ ବତୁରି ବୋଧେ ନିଜ ଅସ୍ତିତ୍ବ ହଜେଇବାର ଶେଷ ପାହାଚ ରେ ଥିଲେ ସେମାନେ, ତଥାପି, ଯାତ୍ରାର ଝୁଙ୍କ ଏବେ ବି ତାଙ୍କ ଭିତରେ ବଞ୍ଚିଥିଲା, ଠିକ ଚଉରା ମୂଳର ଦୀପ ଶିଖା ପରି। ଏଇ ଝୁଙ୍କ ର ଅନ୍ୟ ନାମ ହିଁ ଜୀବନ। ହାରି ହାରି ଜୀଇଁବା, କିନ୍ତୁ ଶେଷ ଯାଏ ଲଢ଼ିବାର ଭିତରେ ଥିବା କିଛି ମୁହୂର୍ତ୍ତ ମାତ୍ର। ମହାମନିଷି ହୋଇଥିଲେ ବୈରାଗର କୌପୀନ ପିନ୍ଧି ଖୋଜି ନେଇ ଥାନ୍ତେ, ଜୀବନର ମାନେ। ଭାଗବତ ଟୁଙ୍ଗୀରୁ ଭାସି ଆସୁଥିବା ସ୍ଵର ସେଇ କଥା ହିଁ କହୁଥିଲା, " କାହିଁକି ଆସିଛୁ ମନ , କିସ ନେବା ପାଇଁ ରେ" । ହେଲେ ଆମେ ତ ସାଧାରଣ ମଣିଷ। ଦର ପୋଡା କାଠରେ ପରଂବ୍ରହ୍ମଙ୍କ ଚିନ୍ତା କରୁ, ଆଉ ତାକୁ ମମତା ର ପାଟ ଡୋରୀରେ ବାନ୍ଧି ରଖୁ , ସାତ ସିନ୍ଧୁକର ଗଣ୍ଠି ଧନ କରି। ମୁଁ ଘର ପିଣ୍ଡା ରୁ ଓହ୍ଲେଇ ସେ ଆଡକୁ ଗଲା ବେଳେ, ଦେଖାହେଲେ ବାହୁଡା ନନା। ମଳିଛିଆ ଧୋତି ଅଣ୍ଟାରେ ଗୁରେଇ, ଆଣ୍ଠୁ ଉପର ଯାଏ ଟେକି କଛା ମାରି କାନ୍ଧରେ ତଉଲିଆ ଖଣ୍ଡେ ପକେଇ ଥିବା କୃଷ୍ଣକାୟ ବାଙ୍ଗରା ବୟସ୍କ ମଣିଷ ଟିଏ। ବାହୁଡା ଦଶମୀ ରେ ଜନ୍ମ ହୋଇଥିଲେ ବୋଲି, ପିତନ ବଡ଼ବୋଉ ତାଙ୍କ ନାଁ ରଖିଥିଲେ, ବାହୁଡ଼ା। ମୋତେ ଦେଖୁ ଦେଖୁ ସେ କହିଲେ, " ଆରେ ଅଜୁ, କେବେ ଆସିଲୁ? ନେ ନେ ଭାଗବତ ଗୋସେଇଁଙ୍କ ଭୋଗ ଟିକେ ପା। ସେ ବଢ଼େଇ ଦେଲେ, ତୁଳସୀ ପତ୍ର ସହ ଗୁଡ଼ ପକା ଉଖୁଡା ଟିକେ। " ମୁଁ ପାଇଲି। ମଥାରେ ବୋଳିଲି।
ଅତ୍ମୀୟତା ଓ ଆଶୀର୍ବାଦ ରେ ଭିଜିଗଲି।
- ଜୁହାର ନନା, ବୁଧବାର ଦିନ ଆସିଲି, ଏଇ ସୋମବାର ଦିନ ପଳେଇବି।
- ଝୁଲଣ ଯାଏ ରହିବୁନି ?
- ନା ,ନନା ଅଫିସରେ ଏତେ କାମ, ଘଡି ଘଡି ଖାଲି ଫୋନ କରୁଛନ୍ତି। ତମେ କେମିତି ଅଛ? ଚମ୍ପା ନୂଆଉ କେମିତି ଅଛି?
- ଜୀବନ ଜୀବିକାର କଥା, ଯେତେବେଳେ ଯିବାକୁ ତ ପଡିବ। ଏ ଗାଁ ରେ ଆଉ କଣ ଅଛି ଯେ? ଜମି ବାଡ଼ି ବିକି ପିଲାଙ୍କୁ ପାଠ ପଢେଇ ମଣିଷ କରିବା ପାଇଁ ସବୁ ସହର କୁ ଧାଉଁଛନ୍ତି। ଏତେ ଦିନରୁ ଆସିଲୁଣି, ଘର ଆଡ଼େ ଟିକେ ଆସୁନୁ! ଚାଲ, ଦେଖି ଆସିବୁ ତୋ ନୂଆଉକୁ। ତୋତେ ଦେଖି ଭାରି ଖୁସି ହେବ ସେ।
ସେ ଜୋର କରି ମୋତେ ନେଇଗଲେ ତାଙ୍କ ଘରକୁ। କୋଠ ଘର ଆମ୍ବ ଗଛ ଟପିଲେ, ମଝି ସାହିରେ ତାଙ୍କ ଘର। ଅନ୍ଧାରୁଆ କାଦୁଅ ପଚ ପଚ ରାସ୍ତା ଦେଇ ଆମେ ପହଞ୍ଚିଲୁ ନୂଆଣିଆ ଚାଳ ଘର ପାଖେ। କଖାରୁ ଡଙ୍କ ଟେ ମାଡି ଯାଇଛି ଚାଳକୁ। ନକନକିଆ ବାଉଁଶ ପିଢ଼ା କୁ ଆଶ୍ରା କରି। ଚାଳ ଉପରକୁ ଗଲା ପରେ ସେ, ତାର ଭାବ ବଉଦ ସାଙ୍ଗେ, ଜହ୍ନ ସାଙ୍ଗେ, ପବନ ସାଙ୍ଗେ, ତାଙ୍କ ଠୁ ରସ ଗନ୍ଧ ନେଇ ଫୁଲ ଫୁଟାଏ, ଫଳ ଫଳାଏ। ଭୁଲି ଯାଏ ସେ ବାଉଁଶ ପିଢ଼ା କଥା, ଭୁଲିଯାଏ ମାଟି କଥା।
ବାହୁଡା ନନା, ଅଗଣାରେ ଥିବା ବାଲ୍ଟି ରୁ ପାଣି ଢାଳେ ଆଣି, ମୋତେ ବଢ଼େଇ କହିଲେ ନିଅ ଗୋଡ଼ ଧୋଇଦିଅ। ମୁଁ ଗୋଡ଼ ଧୋଇ ହେଲି, ନିଜ କାନ୍ଧରୁ ଗାମୁଛା କାଢି ମୋତେ ଦେଇ, ଦାଣ୍ଡ ଘରେ ପ୍ଲାଷ୍ଟିକ ଚେୟାର ଟେ ଦେଇ କହିଲେ, ଏଇଠି ବସ, ମୁଁ ତୋ ନୂଆଉ କୁ ଡାକେ। ଠିକ ଏତିକି ବେଳେ, ନୂଆଉ ଆସିଲା ବାହାରୁ, ମୁଁ ପାଦ ଛୁଇଁ ପ୍ରମାଣ କଲି, ସେ ଦେଖୁ ଦେଖୁ ମୋତେ କୋଳେଇ ନେଲା। ଖୁବ ଝଡି ଯାଇଥିଲା ସେ, ଦୁର୍ବଳ ଦିଶୁଥିଲେ। ମୋତେ କହିଲେ,
- ଅଜୁ ତମେ! ଆମ ଘର ଆଗରେ କଣ କଣ୍ଟା ପଡିଥିଲା !!! ଆଜି ଯାଏ ଆସୁନଥିଲ । ସହରକୁ ଯାଇ ପୁରା ବଦଳି ଯାଇଛ ତମେ।
- ନାଇଁ ମ ନୂଆଉ। ମୁଁ ବଦଳିଲି ଆଉ କୋଉଠି। ସହର ରେ ରହି ମୋ ଗାଁ ଙ୍କୁ ଝୁରିହୁଏ। ଆଉ ଗାଁ କୁ ଆସିଲେ, କାହିଁକି କେଜାଣି ସେ ସହରୀ ଢାଞ୍ଚା ଟା ମୋ ଭିତରେ ସବାର ହୁଏ।
- ହଁ ମ! ସେୟା ନୁହେଁ ଆଉ କଣ! ନହେଲେ କଣ ମୋ ଅଜୁ ମୋତେ ଏମିତି ଶିଷ୍ଟାଚାର ଦେଖେଇ ପ୍ରଣାମ କରନ୍ତା।
ନୂଆଉ ସାମାନ୍ୟ ଅଭିମାନରେ କହିଲେ।
- ହା ହା ହା ... ଆଉ କଣ କରିଥାନ୍ତା ତମ ଅଜୁ?
- ମନେ ନାଇଁ ତମର? କବାଟ କଣରେ ଲୁଚି ଯାଇ କେମିତି ଡରାଅ ମୋତେ? କେମିତି ପାଉଡର କହି, ଅବୀର ବୋଳି ଦିଅ ମୋ ମୁହଁରେ ?
- ହଁ ମନେ ଅଛି ନୂଆଉ । ସବୁ... । ହେଲେ ଆଜି କାହିଁକି କେଜାଣି....
ଭିତରୁ ଆସିଲେ ବାହୁଡା ନା, ନୂଆଉ କୁ କହିଲେ," ଘର ଦ୍ୱାର ଖୋଲା କରି କୁଆଡେ ପଳାଉଛ? ସେତେ ବେଳୁ ପିଲାଟା ଆସିଲାଣି ତା ପାଇଁ ଚା ଟିକେ କରିବା ଛାଡି ଗପ ଜମେଇଛ। "
- ଘରେ ଏମିତି କଣ ଅଛି ଯେ ଚୋର ନେଇଯିବ। ମୁଁ ଯାଇଥିଲି ସାନ ଦେଇ ଙ୍କ ପାଖକୁ ବୁଝିବାକୁ ସମିତି କଥା। ତମେ ଟିକେ ଚା କରି ଦେଇ ଥିଲେ ହେଇ ନଥାନ୍ତା? ଆଉ କେତେ ଦିନ ମୋ ହାତକୁ ଅନେଇ ବସିଥିବ! ନିଜ ନିଜ ପାଇଁ କିଛି ଗୋଟେ କର। କେତେବେଳେ ଚାଲିଯିବି , ତା ପରେ କଣ କରିବ ତମେ?
- ହେ...!! ସେ ବାଜେ କଥା ବନ୍ଦ କର। ଘରେ ଚିନି ନାଇଁ। ମୁଁ ଯାଉଛି ଦୋକାନକୁ ଚିନି ଆଣି, ଆଉ କଣ ଆଣିବି କୁହ, ବାଟ ଛାଡ଼।
ଏତିକି କହି ଚାଲିଗଲେ ବାହୁଡା ନା, ମୋତେ ବସେଇ।
ଚମ୍ପା ନୂଆଉ କହିଲା, ଆସ ଅଜୁ, ମୋ ସହ ଚୁଲି ମୁଣ୍ଡକୁ। ତମ ସହ କେତେ ବର୍ଷର କଥା ବାକି ଅଛି ମୋର। ମୁଁ ଚାଲିଗଲି ତାଙ୍କ ସହ ଚୁଲି ମୁଣ୍ଡ ଯାଏ। ଫୁରି କାଠ ଟିକେ ପକେଇ ଫୁଙ୍କ ନଳୀରେ ଫୁଙ୍କିଲା ପରେ ଜଳି ଉଠିଲା ଚୁଲି। ସେଇଠି ଗୋଟେ ପିଢ଼ାରେ ମୁଁ ବସିଥାଏ , ସାମ୍ନାରେ ଚମ୍ପା ନୂଆଉ। କାନ୍ଥରେ କୋଉ କାଳର ପୁରୁଣା କ୍ୟାଲେଣ୍ଡର ଟିଏ, ସେଥିରେ ଜଗନ୍ନାଥ ଙ୍କ ପହଣ୍ଡି ବେଳର ଦୃଶ୍ୟ। ତା ତଳେ, କେତେ ନେସି ହୋଇଥିବା ସିନ୍ଦୁରର ଦାଗ। ଚକା ଆଖି ତାର ଧୂଆଁ ଖାଇ ମଳିନ ଦିଶୁଛି। ଲାଗୁଛି ପଣ୍ଡା ପଢ଼ିଆରୀ ଭକ୍ତଙ୍କ ଗହଳି ଆଡେଇ ସେ କାହାକୁ ଖୋଜୁଛି। ମୋ ହାତକୁ ଥାଳିଆ ରେ ଦି ଟା ଆରିସା ପିଠା ଆଉ ଲଡୁ ଟିଏ ଧରେଇ ଚମ୍ପା ନୂଆଉ ପଚାରିଲେ, କଣ ଦେଖୁଛ?
- ଦେଖୁଛି, ହଟିଆ ଠାକୁର ଏତେ ଛେଚା କଚା , ବେତ ମାଡ଼ ଖାଇ କାହାକୁ ଏମିତି ଚାହିଁଛି। ସେସବୁ ଖାତିର ନ କରି ହସୁଛି, କିଛି କହୁଛି।
ଚମ୍ପା ନୂଆଉ ଆଖି ଦି ଟା ଜଳି ଉଠିଲା, ଚୁଲିରେ ଥିବା ଅଙ୍ଗାର ପରି। ସେ ମଟମଟ ହୋଇ ମୋତେ ଚାହିଁ ଥିଲେ। ମୁଁ ବୁଝି ନ ପାରି, ଆରିସା ଖାଇବାରେ ଧ୍ୟାନ ଦେଲି।
ସେ କହିଲେ, ତମେ ଜାଣ ସେ କାହାକୁ ଚାହିଁଛି? କଣ ଖୋଜୁଛି? କଣ କହୁଛି?
- ନା... ତା ମାୟା ବୁଝିବାକୁ ମୁଁ କିଏ ? ଯୋଉଠି ବେଦ, ବେଦାନ୍ତ, ଉପନିଷଦ ,ବ୍ରହ୍ମା , ଶଙ୍କର ନୀରବ।
ସରଳ ଉତ୍ତର ଟିଏ ଦେଲି।
ସେ ମୋ ପାଖକୁ ଲାଗି ଆସିଲେ ।
- ମା ଠାରୁ ବଳି କିଏ ଆଉ ଜାଣି ପାରେ ପୁଅର ମନ କଥା।
- ମାଆ.... କିଏ ତାର ମା? ସେ ନିଜେ ନିଜକୁ ଜନ୍ମ କରେ। ତାର କୋଉ ରୂପ ଅଛି ଯେ? ସେ ପରା
ଅନଡିକଜ ନିରାକାର। ନିଜକୁ ବିଞ୍ଚି ଦେଇଛି ପୁରା ବ୍ରହ୍ମାଣ୍ଡ ରେ ରେଣୁ ରେଣୁ ହୋଇ। ତାକୁ କୋଉ ଛୁଇଁ ହୁଏ ନା ଜାଣି ହୁଏ।
ସେ ହସିଲେ, ସେ ମୋତେ ଚାହିଁଲେ ପୁଣି ସେ କାନ୍ଥ ଆଡେ ଦେଖି ଥରେ ଘଷିଦେଲେ ଆଉ ମୁଁହ କୁ ଚୁଲି ଆଡକୁ କରି ସେ କହିଲେ, "ତମ କଥାରେ, ସେ ଅରୂପ , ପରଂବ୍ରହ୍ମ । ହଉ ହେଲା, ବ୍ରହ୍ମ ର କଣ ଆଧାର ଟେ ଲୋଡ଼ା ହୁଏନି, ନିଜକୁ ପ୍ରକଟ କରିବାକୁ? ତୁମ ଭାଷାରେ ଇଚ୍ଛାଶକ୍ତି ଓ କ୍ରିୟାଶକ୍ତି ର କଣ ସ୍ଥିତି ନାହିଁ ?ସେଇ ଆଧାରରେ ଅରୂପ ସ୍ୱରୂପ ହୁଏ। ସେ ମମତା ରେ ବନ୍ଧା ହୁଏ। ସେଇଠି ପରଂବ୍ରହ୍ମ ଅବୋଧ ଶିଶୁ ହୁଏ ଆଉ ପ୍ରକୃତି ମା ହୁଏ। ଯେ ତା ସହ ଚାଲିଥାଏ ସବୁ ସମୟ। ସାଧା କାଗଜକୁ କେହି କଣ ପଢି ପାରେ? ତୁମ ପରଂବ୍ରହ୍ମ ଠିକ ସେଇ ସାଧା କାଗଜ।
- ହଁ, ସତ କଥା ତ, ରୋହିଣୀ ସୁତ କ୍ରିୟା ଶକ୍ତି , ହେଲେ ସୁଭଦ୍ରା ଇଚ୍ଛାଶକ୍ତି। ଆଉ ସେ ଚକାଡୋଳା ସେ ପରଂବ୍ରହ୍ମ, ସବୁ କିଛିର ଅଦୃଷ୍ଟ ଦ୍ରଷ୍ଟା। ଯୋଗମାୟା ଙ୍କୁ କାଟି କେହି କଣ ପହଞ୍ଚି ପାରେ ବ୍ରହ୍ମ ପାଖେ! ସେ ଏଇଠି ଥାଏ ପୁଣି ଏଇଠି ନଥାଏ। ହେଲେ ତୁମେ ଏତେ କଥା କୋଉଠୁ ଜାଣିଲ ମ ନୂଆଉ?
- ହା ... ହା... ହା... ଯାହାକୁ ଯେ ଭଲପାଏ। ସେ କଣ ତା ବିଷୟରେ ଖବର ରଖେନି? ଗୀତା, ଭାଗବତ , ହରିବଂଶ, ପୁରାଣ ରେ ଏଇ କଥା ହିଁ ଲେଖା ହୋଇଛି।
ସେ ହସି କହିଲେ।
ଗାଁ ର ଗୃହିଣୀ ଟିଏ, ସ୍ୱାମୀ, ଚୁଲିମୁଣ୍ଡ, ସାହି ପଡିଶା, ଗୋରୁ ଗୁହାଳ ଭିତରେ ଥାଇ ବି ଏତେ ଗହନ କଥା ଏତେ ସହଜରେ ବୁଝିପାରେ!
! ହୁଏତ ପୂର୍ବ ଜନ୍ମର ପ୍ରାରବ୍ଧ କିଛି ଅଛି ଚମ୍ପା ନୂଆଉର।
ମୁଁ ଆହରି ଆକୃଷ୍ଟ ହେଲି ଶୁଣିବାକୁ ତାଙ୍କୁ। ପଚାରିଲି, ତେବେ କୁହ କଣ ଦେଖ ତୁମେ ସେ ଚିତ୍ରରେ ?
- ସେ ତମକୁ ଚିତ୍ର ଲାଗେ? ମୁଁ ତା ସହ କଥା ହୁଏ। ସେ ବି ଠିକ ଏମିତି ତୁମ ପରି ମୋ କଥାରେ ପ୍ରଶ୍ନ କରେ। ଉତ୍ତର ଦିଏ, ମୁଣ୍ଡ ହଲାଏ।
- ଆଛା... କଣ କୁହ ତାକୁ ଏମିତି ଯେ ସେ ଶୁଣେ ସବୁ। ଆମେ ତ ମଥା ପିଟି ପିଟି ମରିଗଲେ ବି ପଥର ଛାତି ରୁ ଆହା ଟିକେ ବି ଆସେନି, ଅଥଚ ତମ କଥା ଶୁଣିବାକୁ ଏଠିକି ଆସେ ସେ? ଏଇ ଅନ୍ଧାରୁଆ ଚୁଲି ମୁଣ୍ଡ କୁ?
ବର୍ଷା ହେଲା ଜୋର ରେ। ବିଜୁଳି ଚାଲିଯିବାରୁ ଘର ଟା ପୁରା ଅନ୍ଧାର। ଜଳୁଥିବା ଚୁଲିରୁ ନିଆଁଖୁଣ୍ଟାଟିଏ ଆଣି ଡିବି ଲଗେଇଲି।
ସେ କରୁଣ ସ୍ୱରରେ କହି ଉଠିଲେ,
- ଏଇ ଏବେ ଏବେ ତ ଆସିଥିଲା ସେ। ଜ୍ୱର ରୁ ଉଠି ପଡି, ମା ମା ଡାକି, ଆଷାଢ଼ ଶୁକ୍ଳ ଦ୍ଵିତୀୟା ରେ। ତିଥିରେ ସିନା ବାହାରେ, ହେଲେ କୋଉ ପହଞ୍ଚି ପାରେ ମୋ ପାଖେ ! ନାଟୁଆ ଦିଅଁ ପରା, ବାଟ ରେ କେତେ କାମ। କାହାକୁ କଣ ଦିଏ, କାହାଠୁ କଣ ନିଏ, ସେ ହିଁ ଜାଣେ। ତା ଲାଗି ତ ଜନ ସମୁଦ୍ର ଭିତରୁ କେହି ଜଣେ ଯାଜପୁରିଆ ବନ୍ଧୁ ମହାନ୍ତି, ନହେଲେ କେହି ଜଣେ ଦାସିଆ। ମୋ ପାଖେ ପହଞ୍ଚିଲା ବେଳକୁ ଆଉ କୋଉ ସମୟ ଥାଏ ଯେ? କଣ୍ଟ ତ ସାତ ଦିନ ର ନା? ଏଇଠି ମୋ କୋଳରେ ଧରି ରଖେ ମୋ ଗଳାମାଳି କୁ। ସେ ଆସିବା କଥା ଶୁଣିଲେ, ମୁଁ ପଚାରେ ତା କଥା, ମେଘମାଳା କୁ, ଉଡ଼ିଆସୁଥିବା ପକ୍ଷୀ ଙ୍କୁ। ହେଲେ , ସେମାନେ ବି କୋଉ ତା ଭେଟ ପାଆନ୍ତି ଯେ? କେତେ ଥର ମନ ବଳେଇଛି ନୀଳକନ୍ଦର ଯାଇ ଟିକେ ଦେଖି ଆସିବି ତାକୁ। ଗଲେ ସେ କଣ ମୋତେ ସହଜେ ଛାଡି ଦେବ? ମୋ ଲାଗି ବ୍ୟସ୍ତ ହୋଇ ଭୁଲି ଯିବନି ତ ଭକ୍ତ ଙ୍କ କଥା? ତାଟିଆଏ ଲବଣି ଖୋଇ କାନିରେ ମୁହଁ ପୋଛି ଦେଲେ, ସେ ଆଉ ଛୁଇଁବନି ଛପନ ପଉଟି ଭୋଗ। ନା.. ନା... ମୁଁ ସେମିତି କରିପାରିବିନି।
ଚମ୍ପା ନୂଆଉ ଏବେ ଯୋଗନିଷ୍ଠ ବ୍ରହ୍ମଦର୍ଶୀ ପରି ଅର୍ଦ୍ଧ ଉନ୍ମିଳିତ ଆଖି କରି କହି ଯାଉଥିଲେ, ପ୍ରଗଲଭା ହୋଇ। ଆଖି ଛଳ ଛଳ ସେ କହିଲେ,
- ହେଇ ଏବେ ସେ ଚାଲିଯାଉଛି ମୋ ପାଖରୁ। ସେ ଯିବା ଟା ହିଁ ତ ସତ୍ୟ। ଝୁଲି ଝୁଲି ରଥକୁ ଚଢ଼ିଲା ବେଳକୁ କେତେ ଫନ୍ଦି କରେ ମୋତେ ଟିକେ ଦେଖିବ ବୋଲି। ଏଠି ଲୁହର ଉଜାଣି ବହୁଛି, ସେପାରି ରେ ତା ଛାତିରେ ଲହଡି ପିଟୁ ନଥିବ? ସେ କହି ପାରେନି ସିନା, ହେଲେ ବୁଝିପାରେ। ସେ ଟାହିଆ ହଲେଇ ଢଳ ଢଳ ପଦ୍ମ ପରି ଯେତେ ନାଚିଲେ ବି ମୁଁ ପଢିପାରେ ତା ଦୁଇ ଆଖି। ଶୁଣୁଛ ପଣ୍ଡାଏ ତାକୁ ବେଢ଼ି ଥାଅ ,ସେ ବୁଲି ଚାହିଁଲେ ମୁଁ ରହି ପାରିବିନି। ଏଇ ଦକ୍ଷିଣ ମୁଖା, ସୁନା ଛାଉଣୀ ରଥଟା ଟିକେ ବୁଝନ୍ତା ଭଲା, ମୋ କଥା। ମାୟା ଲଗେଇ କାଟିବା ପରା ତା କାମ। ହେଲେ ମୁଁ ସେ କୋଉ ସେ ମାୟାରୁ ମୁକୁଳି ପାରୁଛି ଯେ? ଅପେକ୍ଷା ପୁଣି ଆର ସନ କୁ। ତାକୁ ସଜେଇ ଦିଅ ଗୋସେଇଁ, ଗଭା ଖଞ୍ଜିବ ଚିତା ଲୁଚିବ ନାହିଁ। ଅଳକା ନାଇବ, ଡୋଳା କୁ ଛୁଇଁବ ନାହିଁ। ଭୁଜ ଧରି ହାଉଲେ ଝିଙ୍କିବ ଉହୁଁକି ମରିବ ନାହିଁ। ଭାରି ସୁକୁମାର ସେ। ତାକୁ କଷ୍ଟ ହେବ, କଷ୍ଟ ହେଲେ ସେ କିଛି କହେନି ଖାଲି ଅନାଏ। ନେଇ ଯାଅ ତାକୁ, ସେ ଫେରି ଯାଉ ତା, ପାରିଜାତ ର ପ୍ରାଙ୍ଗଣ କୁ, ପଦ୍ମ ପାଖୁଡାର ଭ୍ରମର ସାଜି।
ମୁଁ କୁରୁକ୍ଷେତ୍ରର ଅର୍ଜୁନ ପରି ଶୁଣୁଥିଲି ତାଙ୍କ ବିରହ ବେଦନା କୁ। ପଚାରିଲି ତୁମେ କିଏ? ଯଶୋଦା, କୈକେଇ ନା ଅଦିତି?
ସେ ସେମିତି ଆଖି ବନ୍ଦ କରି ଉତ୍ତର ଦେଲେ,
- ନା ମୋତେ ପଚାରନା ମୁଁ କିଏ । କହିଲେ ସେ ମନ ଉଣା କରିବ। ତମେ ତଥାପି ସନ୍ଦେହରେ? ମୋ ଅସ୍ତିତ୍ବ ନେଇ! ମୁଁ ସେଇ ଯେ ସେ ଜନ୍ମବେଦୀର ପଥର କାନ୍ଥ ଓ କଂସା କବାଟ ଭିତରେ କେବେ ଠୁ ପଥର ହୋଇ ସାରିଛି। କେବେ ଦିନେ ଏଠି ଯଜ୍ଞ ,ମନ୍ତ୍ର ଆଳତୀର ଆଲୋକ ଥିଲା। ଏବେ ଖାଲି ଅନ୍ଧାର ଆଉ ଅନ୍ଧାର। ମୁଁ ସେ ଯେ ରାଇ ତୋଟାର ନିଥର ଲତାରେ ନୀରବତା ହୋଇ ପସରି ଯାଏ ଭୋଗମଣ୍ଡପରୁ ନାକଚଣା ଯାଏ। ରିକ୍ତ ସିଂହାସନରେ ବାବନା ଭୂତ ମୋତେ ଆଖି ତରାଟି ଚାହୁଁଛି। ତଥାପି ଏଇଠି ରହି ଯାଇଛି ଭକ୍ତଙ୍କ ଅଳି, ଆର୍ତ୍ତ, ଅଭିମାନ ଆଉ ଗୁହାରି। କାନ୍ଥରେ ନେସି ହୋଇଛି କେତେ ସଧବା ଙ୍କ ସିନ୍ଦୂର, କୁଆଁରୀ ଆଖିର କଜଳ , ଅବୋଧ ଶିଶୁ ର ଲାଳ। ସେ ସବୁ ଶୁଣିଛି, ସବୁ ଦେଖିଛି। ଶୁଣିବ ବୋଲି ତ ନୀଳକନ୍ଦର ରୁ ଓହ୍ଲେଇ ଆସିଛି। ମୋ ପଣତ ରେ ମୁହଁ ପୋଛି ଥିଲି କେବେ, କୋଳରେ ଶୁଆଇ ବିଞ୍ଚି ଦେଇଥିଲି। ଏବେ ସେ ପଣତକାନି ଟା ଲୁହରେ ଭିଜୁଛି। କୋଳ ମୋର କର୍ପୁର କସ୍ତୁରୀ ବାସୁଛି। ସେଇ ବାସ ଟିକକ ପାଇଁ ତ ସେ ମନରୁ ଯାଉନି। ତା ମୋ ଭିତରେ ଏମିତି କେତେ ଜନ୍ମ ଯାଇଛି। ମୁଁ ମନେ ରଖିନି। ହେଲେ ପହିଲି ଆଷାଢ଼ ରେ ଯେବେ ମେଘ ମାଟିକୁ ଛୁଏଁ, ବଣର ନେନ୍ଥା ନେନ୍ଥା କୋଳି ତାକୁ ଖୋଜନ୍ତି। ଚନ୍ଦ୍ରିକା ଛାଡି ପଦାକୁ ଗଲେ, ଦିନ ବିତେ ମୋର ଏରୁଣ୍ଡି ବନ୍ଧରେ। ସେ ଆସି ମୋତେ ଛୁଇଁଦେଲେ । ଶତକଦମ୍ବ ର ଉଲ୍ଲାସରେ ମୁଁ ପୁରିଯାଏ।ସାର୍ଥକ ହୁଏ ମୋ ନାରୀତ୍ୱ।
ନଇଁ ପଡୁଥିଲା ତାଙ୍କ ଆଖିପତା, ଶିଥିଳ ହୋଇ ଯାଉଥିଲା ତାଙ୍କ ଶରୀର। ସେ ଭାରି କଷ୍ଟରେ ଠିଆ ହେଲେ, ସେ ଚୁଲି ମୁଣ୍ଡରେ ଥିବା, କ୍ୟାଲେଣ୍ଡର ଭିତରେ ଥିବା ଚକାଆଖି କୁ ଚାହିଁ, ସେ ଫିସଫିସ ହୋଇ କଣ ଗୁଡ଼େ କହିଗଲେ ଆଉ ମଥା ଲଗେଇ , ମୂର୍ଚ୍ଛା ହୋଇ ଗଲେ, ତାଙ୍କ ସିଂଥି ର ସିନ୍ଦୁର ନେସି ହୋଇ ନୂଆ ଦାଗଟେ ସୃଷ୍ଟି କଲା କାନ୍ଥରେ। ମୁଁ ତାଙ୍କୁ ଧରି ପକେଇଲି। ଆଉ ଡାକିଲି, ନୂଆଉ... ନୂଆଉ। ଲାଇନ ଆସି ସରିଥାଏ। ବାହୁଡାନା ଆସି ଯାଇଥିଲେ ସେତେବେଳକୁ। ସେ ଆଉ ମୁଁ ତାଙ୍କୁ ଆଶ୍ରା କରି ନେଇ ଗଲୁ ଶୋଇବା ଘର କୁ। ନୂଆଉ ଙ୍କୁ ଶୁଆଇ ଦେଇ, ମୋତେ ବସିବାକୁ କହିଲେ । ଆଉ ସେ ନିଜେ ବସି ନୂଆଉଙ୍କ ମଥା ଆଉଁସି କହିଲେ। " ତୋତେ ସେ ଦଗାଦିଆ କାଳିଆ କଥା କହିଲା ନା? କେଜାଣି କି କିମିଆ କରିଛି ସେ, ଯୋଉଦିନ ଠୁ ସନ୍ଧ୍ୟାରେ ମନ୍ଦିର ଗଲା, ତା ପର ଠୁ ଏମିତି। ଏଇ ଏବେ ଯୋଉ ସନ୍ଧ୍ୟାରେ ଆସି ଆମକୁ କହିଲା, ସାନ ଦିଦି ଘରକୁ ଯାଇଥିଲା ସମିତି କଥା ବୁଝିବାକୁ । ସେ ମିଛ କହିଲା। ସେ ଯାଇଥିଲା ମନ୍ଦିର। ହେଇ ଦେଖୁନୁ, ତା କାନିରେ ଛଡା ତୁଳସୀ ବାନ୍ଧି ଆଣିଛି ମୋ ଲାଗି। ମୁଁ ଜାଣେ ସବୁ, ହେଲେ କିଛି କୁହେନା। ମୁଁ କିଛି ବୁଝି ପାରୁନି ତା କଥା। ବୁଝିବି ବୋଲି ତ ଯାଉଛି, ଭାଗବତ ଟୁଙ୍ଗୀ । ଚମ୍ପା ନୂଆଉ ସ୍ୱପ୍ନ ଦେଖିଲା ପରି ବିଲିବିଳେଇଲା , ତା କଥା ବୁଝୁଥିବ ଟିକେ, ହେଇ ଦେଖ ଖାଇନି ସେ, ତା ପେଟ ପୁରିନି। ବଡ଼ ଦାଣ୍ଡରେ ବୁଲି ବୁଲି ଥକି ଯାଇଛି ମୋ ସୁନା। ଝାଡ଼ି ଦିଅ ତାକୁ, ଚନ୍ଦନରେ ସଜ କରିଦିଅ। ଯାଅ, ଏତେ ଉଚ୍ଛୁର କରନି। ବାହୁଡାନା ତାଙ୍କ ହାତ ହାତ ରଖି କହିଲେ, ସେମାନେ ଗଲେଣି। ତମେ ବ୍ୟସ୍ତ ହୁଅନି। ମୁଁ ଅଛି । "
ମୁଁ ନିର୍ବାକ କିଂକର୍ତ୍ତବ୍ୟମୁଢ ହୋଇ ଠିଆ ହେଲି , ଯିବାକୁ। ସେ ଦୋଷୀ ଦୋଷୀ ହୋଇ ଠିଆ ହେଲେ ମୋ ସହ। ମୁଁ ବାହାରକୁ ଆସିଲି। ସେ କହିଲେ, "ତୋ ନୂଆଉ ଏମିତି ନଥିଲାରେ ଅଜୁ। ପୁଅ ବୋହୂ ନାତିରେ ଖୁବ ଖୁସିରେ ଥିଲା ଆମ ଅଭାବୀ ସଂସାରରେ। ପୁଅବୋହୁ ଭୁବନେଶ୍ୱର ଗଲେ ନାତିର ପାଠ ପଢ଼ା ପାଇଁ । ତା ପରଠୁ ସେ ଏମିତି। ସେ ପୁଅ କୁ ଭାରି ଭଲପାଏ। ଏବେ ସେ ଜଗା କୁ ପୁଅ ବୋଲି ମାନି ନେଇଛି। ଏମିତି ହେଉଛି। ମୁଁ କହିଲି ପୁଅ କୁ, ବୋଉ କୁ ନେଇ ତୋ ପାଖେ ରଖ କିଛିଦିନ। ସେ ବୁଝିଯାଉ, ଏଠିକା କଥା ମୁଁ ଦେଖିନେବି। ହେଲେ ୟା ପ୍ରଳାପ ଦେଖି ବୋହୂ ରାଜି ହେଲାନି। ପୁଅ ଆଉ କଣ କରନ୍ତା। ଗାଁ ଡାକ୍ତର ଙ୍କୁ ଦେଖେଇଲି, ଗୁଣିଆ କୁ ଦେଖେଇଲି , କିଛି ହେଲାନି। ତୁ ତ ସହରରେ ରହୁଚୁ। କିଛି ଗୋଟେ କର। ଭାରି ହନ୍ତସନ୍ତ ହେଲିଣି ମୁଁ। ମନେମନେ ମୁଁ ତୋତେ ଖୋଜୁଥିଲି। ଭାଗବତ ଗୋସେଇଁ ତୋର ମଙ୍ଗଳ କରିବେ। "
ତାଙ୍କ କଥାର ଶେଷ ଆଡକୁ ଅନୁନୟ ବିନୟ ଦେଖି ମୁଁ ଲଜ୍ଜିତ ହେଲି। ତାଙ୍କୁ କହିଲି," ନନା, କରିବା ଲୋକ ମୁଁ କିଏ ? ନୂଆଉ କୁ ଡାକ୍ତର ନୁହେଁ, ଗୁଣିଆ ଠିକ କରିପାରିବ। ହଁ , ସେ କଳାଗୁଣିଆ ତାକୁ ବାଇ କରିଛି। ତାକୁ ପୁରୀ ନେଇ ଦେଖେଇ ଆଣେ ଥରେ। ସେ ଭଲ ହୋଇଯିବ। "
ମୁଁ ଫେରୁଥିଲି ଘରକୁ। ପେଟ ମୋର ପୁରି ଯାଇଥିଲା ଯେମିତି। ମନେ ପଡୁଥିଲା ନୂଆଉ ଦେଇଥିବା ସେ ଥାଳିଆରେ ଆରିସା ପିଠା ଦିଟା, ଠିକ ତ ମୋ କାଳିଆର ଚକା ଆଖି ପରି ଦୁଶୁ ଥିଲା। ଏବେ ବୁଝୁଥିଲି, ସେ ଜଗା କାହାକୁ ଚାହିଁ ଥିଲା! ମା ର ମମତା କୁ ଝୁରି ଝୁରି ଆଉ ଜଣେ ଗୁଣ୍ଡିଚା ରାଣୀ ପାଇ ଯାଇଥିଲା ସେ , ସେ ସେଇଠି ଥିଲା,ଆମ ଦୁହିଁଙ୍କ ଭିତରେ ବସି , ଆମ କଥା ଶୁଣିବାକୁ। ମୋ ହାତ ରେ ଏବେ ବି କର୍ପୁର ତୁଳସୀ ର ମହକ। ମୁଁ ଭାବୁଥିଲି, ନୂଆଉ ରୋଗଟା ମୋତେ ଆଉ ଡେଇଁନି ତ!!