Bibhu Samanta

Classics

4  

Bibhu Samanta

Classics

ମାଟି ବୈକୁଣ୍ଠ

ମାଟି ବୈକୁଣ୍ଠ

8 mins
247



ଶନିବାର ଦିନ ସଅଳ କାମ ସାରି ଫାଇଲଟି ଧରି ଅଫିସରଙ୍କ ପାଖକୁ ଗଲି। ମୋତେ ଦେଖୁଦେଖୁ ସେ କହିଲେ, ,"ଆରେ ଅଜୟ ! ଆଜି କଣ ଫାଇଲ ନେଇ ତୁମେ? ବନମାଳୀ କୁଆଡେ ଗଲା କି?" ମୁଁ କହିଲି," ସାର, ସେ ଟିକେ ହେଡ ଅଫିସ ଯାଇଛି ସାହୁ ବାବୁଙ୍କ କାମରେ, ତେଣୁ ମୁଁ ନେଇ ଆସିଲି।" 

- ହଉ ବସ, ରଖିଦିଅ ସେଇଠି, ମୁଁ ଦେଖିନେବି। ଆଉ କୁହ କେମିତି ଚାଲିଛି ତୁମ ସଂସାର?

- ହଁ, ସାର, ଦରମା ଗଣ୍ଡାକରେ ସୁଖେ ଦୁଃଖେ ଚଳି ଯାଉଛି ଯାହା। ଗାଁ ଜମି ସବୁ ବଖରା ଦେଇ, ଯେଉଁ ଚାଉଳ ଗଣ୍ଡେ ଆସୁଛି ସେଥିରେ ଅରୁଆ ଉସୁନା କରି ଚଳି ଯାଉଛି ଛ ମାସ। ବୋଉର ଦେହ ଭଲ ରହୁନି, ଏଠିକାର ଯାହା ଦରଦାମ କୋଉ ଚଳି ହେବ ଯେ? ପିଲାଛୁଆଙ୍କୁ ନେଇ ଛାଡି ଆସିଛି ଗାଁ ରେ। ସେଇ ଚାଉଳ ଗଣ୍ଡାକ ଛାଡି ଦେଲେ, ବାକି ସବୁ ଜିନିଷ କିଣା। ତାପରେ ବାପାଙ୍କର ଏତେ ସହିସୁକୃତ ଯେ, ଆଜି ୟା ବାହାଘର, ତ କାଲି ବ୍ରତଘର, ଏକୋଶିଆ ରେ ମାସ ଶେଷକୁ ପୁଣି ଉଧାରୀ। 

- ଯାହା କୁହ ଅଜୟ, ଗାଁ ଟା ଗାଁ। ସେ ମାଟି ଅଗଣାରେ ଚାଲି ଆସିଲେ ଲାଗେ, ସମୟ ଟା ଏଇଠି ଅଟକି ଯାଇଛି ଯେମିତି। ଏତେ ଶାନ୍ତି, ଏତେ ତୃପ୍ତି ସହରର ଘାସ ଗଲିଚାରେ କାହିଁ କହିଲ? ସାହି ପଡିଶା ରେ ଏତେ ସ୍ନେହ ଆଦର ସେ କଣ ମିଳି ପାରେ ଏଠି ଯେତେ ଟଙ୍କା ଖର୍ଚ୍ଚ କଲେ ବି!

- ସେ କଥା ଠିକ ଯେ, ଜଣେ ନିମ୍ନ ମଧ୍ୟବିତ୍ତ ପରିବାରର ଅଭାବ ଅନାଟନ କିଏ କଣ ବୁଝିପାରେ? ବଡ଼ପୁଅ ର ଜାମା ଛୋଟ ହେଲେ ସାନ ପିନ୍ଧିବ । କଂସେ ପଖାଳ ସାଙ୍ଗକୁ ଏକାଠି ଖାଇ ବସିଲେ, ଭଜା କେମିତି ସରିଯାଏ, ଜଣା ପଡେନି। ମାଟି କାନ୍ଥରୁ ପାଣି ଜକେଇ ଥାକ ରେ ଉଇ ଲାଗିଯିବାର ଚିତ୍ର କିଏ କଣ କଳ୍ପନା କରିପାରେ। ପୁରୁଣା ଚାଳ ଘର ଗୁଡିକ ଛପର ହେଇ ପାରୁନି। ବାରି ସାରା ଅରଣା ହେଇ ପଡୁଛି। କୋଉ ମୂଲିଆ ମିଳୁଛି ନା ମୂଲ ଦେଇ ହଉଚି! 

- ହଁ, ତାରି ଭିତରେ ହିଁ ଜୀବନ। କୁହ, ଗାଁ ବିନା ଏ ଦେଶର ମାନଚିତ୍ର କଳନା କରାଯାଇ ପାରିଲାଣି ନା ପାରିବ? ଏଠି ସିନା ଆମେ ବିଜୁଳି ପଙ୍ଖାରେ ବସି ମସୁଧା କରୁ, କୋଠା ପରେ କୋଠା କରୁ, ହେଲେ ଗାଁ ତାର ନିଜସ୍ୱ ସ୍ୱାଭିମାନ ଭିତରେ ସରଳ ସାବଲୀଳ ଗତିରେ ବହି ଚାଲେ,ନୁହେଁ! ଛାଡ଼! କାହିଁ ଆସିଥିଲ କୁହ?

- ସାର, ... ମୁଁ କହୁଥିଲି କି ବୋଉର ଦେହ ଭଲ ନାହିଁ ବୋଲି, ସ୍ତ୍ରୀ ଫୋନ କରିଥିଲା। ଆଜିର ସବୁ କାମ ସରିଯାଇଛି, ଆପଣ ଯଦି କୁହନ୍ତେ, ମୁଁ ଟିକେ ଶୀଘ୍ର ଗାଁକୁ ବାହାରି ଯାଆନ୍ତି।

- ଓଃ .. ଏଇ କଥା! ଯାଅ .. ହେଲେ, ସୋମବାର ଦିନ ଟିକେ ଆଗୁଆ ଆସିବାକୁ ଚେଷ୍ଟା କରିବ। ଅଡିଟର ଆସିପାରନ୍ତି। ଆଉ ହଁ ... ଶୁଣ ଗଲାବେଳେ ବୋଉଙ୍କ ପାଇଁ ଫଳମୂଳ ଆଉ ଛେନାପୋଡ଼ ଟିକେ ନେଇ ଯିବ। ଏଇ " ବୋଉ" ଟା ସମସ୍ତଙ୍କ ଭାଗ୍ୟରେ ନଥାଏ। 

- ନିଶ୍ଚୟ ଚଞ୍ଚଳ ଫେରି ଆସିବି ସାର। ପୁରୁଣା ଘର କୁ ମିଶେଇ ଚାରି ବଖରା ଘର କୁ ଛାତ ପକେଇବାକୁ ଭାଇ କହିଛି। ମୁଁ କିଛି ଟଙ୍କା ଯୋଗାଡ କରିଛି ଆଉ କିଛି ସ୍ତ୍ରୀ ଆଣିବ ସମିତି ରୁ, ହୋଇ ଯିବ , ଭାବୁଛି। ସବୁ କାମ କଥା ଛିଣ୍ଡେଇ ବୋଉ କଥା ବୁଝି ମୁଁ ଚାଲି ଆସିବି। କେବେ ଯଦି, ଆଜ୍ଞା ଙ୍କୁ ସମୟ ମିଳେ ବୁଲି ଆସିବେ ଆମ ଘର ଆଡ଼େ। ଆମ ପରିବାର ଖୁସି ହୁଅନ୍ତେ। 


ସାର କିଛି ନ କହି ହସିଲେ, ଓ କମ୍ପ୍ୟୁଟର କୁ ଚାହିଁ ରହିଲେ। ମୁଁ ଚାଲିଆସିଲି ବାହାରକୁ। ଠିକ ଯେମିତି କନ୍ୟା କୁ ଧରି ବର ଆସେ ନିଜ ଘରକୁ, ବାହାଘର ପରେ। ସମୟ ଗୋଟେ ପନ୍ଦର, ଏଇଠୁ ଅଟୋ ଟେ ମିଳିଗଲେ, ସାଢ଼େ ଦି ଟାରେ ଗାଁକୁ ଯିବା ବସ ଟା ମିଳି ଯାଆନ୍ତା। ଠିକ ଏତିକି ବେଳେ ମାଳତୀ ଫୋନ କଲା," ହେଇଟି ଶୁଣୁଛ? ବାହରିଲଣି? ଖାଇଛ ନା? ଏତେ ଖରା ହେଉଛି, ପାଣି ବୋତଲ ଟିଏ ପାଖରେ ରଖିଥିବ। ଝରକା ପାଖ ସିଟ ଦେଖି ବସିବ। ଆଉ ହଁ ବସୁ ବସୁ ସୋଇ ଯିବନି, ଫୋନ ପଇସା ପତ୍ର ପ୍ରତି ନଜର ରଖିବ। 

- ହଁ ବାବା କରିବି ସବୁ, ଏବେ ଫୋନ ରଖ। 

ସେ ପୁଣି କହିଲା, ଶୁଣ ଶୁଣ ...

- ପୁଣି କଣ ହେଲା ଯେ? 

ସାନ ବାବୁ ଯେବେ ଠୁ ବୋଉ ଙ୍କୁ କହିଲେଣି, ନୂଆ ଘର ତିଆରି କଥା ସେ ତାଙ୍କୁ ଗାଳି କଲେ ଓ ରାଗିକି ଖାଇବା ପି ବା କରୁନାହାନ୍ତି କାଲି ଠୁ, ତାଙ୍କ ପାଇଁ କିଛି ଭଲ ଜିନିଷ ନେଇ ଆସିବ। 


ଫୋନ ରଖି ସାରି ଝାଳ ପୋଛିଲି। ବସ ରେ ବସୁ ବସୁ ଦେଖିଲି, ଆମ୍ବ ଗଛରେ ଆମ୍ବ ଭର୍ତ୍ତି। ଠିକ ଏମିତି ଆମ୍ବ ହୋଇଥିବ ଆମ ଗାଁ କବୀର ତୋଟାରେ। କହନ୍ତି, ସନ୍ଥ କବୀର କୁଆଡେ ପୁରୀ ଯିବା ବାଟରେ ଏଇଠି ଅଟକି ଯାଇଥିଲେ କିଛିଦିନ। ସେଇଦିନ ଠାରୁ ସେ ଜାଗାର ନାଁ କବୀର ତୋଟା। ତାଙ୍କ ସ୍ମୃତି କୁ ବହନ କରି ତିଆରି ହୋଇଛି ଛୋଟ ଭାଗବତ ମନ୍ଦିର ଟିଏ। କି ବାସ୍ନା ସେ ତୋଟାର। ସେଇଠି ଗାଇଆଳ ଙ୍କ ମେଳି, ସେଇଠି କୁମାରୀ ଙ୍କ ରଜ ଦୋଳି। ସେଇଠି ଉଡେ ଫଗୁ ଅଭୀର, ସେଇଠି ଶୁଭେ ରାମ ନାମ ସତ୍ୟ ହେ ର ସ୍ୱର। ସତରେ, ମିଶ୍ର ସାର ଠିକ କହୁଥିଲେ, ଜୀବନକୁ ଚିହ୍ନିବାକୁ ହେଲେ ମଣିଷ ନିଜ ଗାଁ ଆଡେ ବୁଲି ଆସିବା ଉଚିତ। ବସ ପହଞ୍ଚିଲା ବାଦାମବାଡ଼ିରେ , ଫଳ ଦୋକାନରୁ ଫଳ କିଣିଲି, ଆଉ ରାସ୍ତା ଆରପଟୁ ଯାଇ ବୋଉ ପାଇଁ ଛେନାପୋଡ଼ ଟିଏ କିଣିଲି। ବୋଉ କୁ ନିଶ୍ଚୟ ଭଲ ଲାଗିବ। କେତେଥର ଦାଣ୍ଡ ରୁ ଘର ହେଉଥିବ। ବାଟରେ ଯାଉଥିବା ଲୋକ ଙ୍କୁ ପଚାରୁଥିବ ମୋ କଥା। ସତ କହିବାକୁ ଗଲେ, ସେ ହିଁ ତ ମୋ ଠିକଣା, ମୋ ପରିଚୟ, ମୋ ଅସ୍ତିତ୍ବ ଓ ବର୍ତ୍ତମାନର ବତୀଘର। 


ସଞ୍ଜ ରତରତ, ମୁଁ ପହଞ୍ଚିଲା ବେଳକୁ ଦାଣ୍ଡ ପିଣ୍ଡାରେ ବୋଉ ନାହିଁ। ତା ଦେହ ଭଲ ଅଛି ତ? ମନ ଟା ଖଟା ହୋଇଗଲା। ସାନବୋହୁ ଦୂରରୁ ମୁଣ୍ଡିଆ ମାରି ଚାଲିଗଲା ଭିତରକୁ ମାଳତୀ କୁ ଡାକିବାକୁ। ପିଲାଏ ଧାଇଁ ଆସିଲେ, ହାତରୁ ବ୍ୟାଗ ନେଇ ଡାକ ପକେଇଲେ, ମା ,ମା... ବାପା ଆସିଲେଣି। 


ବାରିପଟେ ଗୋଡ଼ ହାତ ଧୋଇ ଘରେ ପଶିଲା ବେଳକୁ, ବୋଉ ଠାକୁର ଘରେ। ମୁଁ ଦିଅଁଙ୍କୁ ମୁଣ୍ଡିଆ ମାରି ଡାକିଲି, ବୋଉ... ମୁଁ ଅଜୁ। ସେ ଠାକୁରଙ୍କ ଆଡ଼କୁ ମୁହଁ କରି କଣ ଗୁଡ଼େ କହୁଥିଲା ଗୁଣୁଗୁଣୁ ହୋଇ। ଚା କପ ଧରି ମାଳତୀ ଡାକିଲା, ମୁଁ ଚା ପିଇ ସାରି ଦେଖେ ତ ସେ ଏବେ ବି ସେମିତି ଠାକୁର ଙ୍କ ଆଡେ ମୁହଁ କରି ବସିଛି। କିଛି କହୁନି।ଏମିତି ତ କେବେ ହୋଇନି। ଆଜି ଇଏ କି ବ୍ୟତିକ୍ରମ? 


ଚା ପିଇ ସାରି ମୁଁ ଚାଲିଗଲି ବଜାର ଆଡ଼େ। ଭେଟି ଆସିଲି ଘନିଆ ଦାଦାଙ୍କୁ, କଥା ହେଲି ମିସ୍ତ୍ରୀ ବାବଦରେ। ଏଇ ଅକ୍ଷୟ ତୃତୀୟା ଦିନ ଠୁ କାମ ଆରମ୍ଭ କରିବାକୁ ହଜାରେ ଟଙ୍କା ବଇନା ଦେଇ ଆସିଲି। ମେଘ ଆସିବା ଆଗରୁ କାମ ଯେମିତି ସରିଯାଏ ସେଇ କଥା କହିଲି। ଆସିଲା ପରେ ମାଳତୀ କହିଲା, ବୋଉ ଙ୍କୁ ଡାକ, ଖାଇବେ। ମୁଁ ଯାଇ ଦେଖେ ତ ଠାକୁରଘର ଦରଜା ବନ୍ଦ, ସେଜ ଖାଲି, ଦାଣ୍ଡ ପିଣ୍ଡାରେ ନାହିଁ, ବାଡ଼ିପଟ ଗାଧୁଆଘରେ ବି ନାହିଁ । ଗଲା କୁଆଡେ? ଦାଣ୍ଡରୁ ଘରକୁ ଆସିଲା ବେଳେ ଅଗଣାରେ ଶୁଣିଲି ଠାକୁର ଘରୁ ବୋଉର କାନ୍ଦ। କାନ୍ଦି କାନ୍ଦି କହୁଥିଲା, କିଛି। ଶୁଣିଲି କାନ ଡେରି।

" ଆରେ ତୁ କଣ ସତରେ ଏତେ ଦଗାଦିଆ? କହିଲୁ, କୋଉ କଥାରେ ତୋର ମୁଁ ଉଣା କରିଛି? ମୁଁ ଅଛି ବୋଲି ତୁ, ତୁ ଅଛୁ ବୋଲି ତ ମୁଁ ! ତଥାପି ମୋ ସହ ଏମିତି କପଟ କାହିଁକି କଲୁରେ ଧନ? କଣ ତୋତେ ଏ ଝାଟିମାଟି ଘର ଭଲ ଲାଗୁନି? ଓଃ!!! ତୁ ରାଜା ଘର ଦିଅଁ ପରା, ଭାରି ସୁକୁମାରିଆ । ମୁଁ ତ ଶୁଣିଛି ତୁ ବିଶ୍ୱାବସୁର କନ୍ଦମୂଳ ଖିଆ , ବନମାଳୀଆ ଠାକୁର। ଗୁଣ୍ଡିଚା ର ମନକୁ ବୁଝି , ବ୍ୟାଘ୍ର ଗୁମ୍ଫାର ସେଇ ନୀଳମାଧବ ରୁ ଜଗନ୍ନାଥ ହେଇଛୁ ନା? ମୋ ପରେ ତୋତେ କିଏ ପଚାରିବ ରେ, ଯେ ଯାହା କାମରେ ଧୂପ ଦେଇ, ଚନ୍ଦନ ବୋଳି, କବାଟ କିଳି ଚାଲିଯିବେ। ମୋ ପରି କିଏ ତୋତେ ବିଞ୍ଚୁଥିବ ବିଞ୍ଚଣା ଧରି। କିଏ ଶୁଣେଇବ ତୋତେ ରାତି ଅଧରେ,

 "କାହ୍ନୁ ରେ ମୋର , ଧନରେ ମୋର

     ଅଝଟ ହୁଅନା ଆଉ

  ବାଇଆ ଆସିବ ଧରି ନେଇଯିବ

   କାନ୍ଦଣା ସେତିକି ଥାଉ" 

ମୋ ପାଖରୁ ନେଇ ଗଲୁ ମୋ ଗୁଣ୍ଠୁଣି ହାତୀ କୁ। କୋଳରେ ଚାରି ଚାରିଟା ପିଲା ଦେଇ, କେବେ ହେଲେ ତୋ ଦୁଆରେ ଅଳି କରିଛି? ତୋ ମୁହଁକୁ ଚାହିଁ ତାଙ୍କୁ ମଣିଷ କଲି। ସେମାନେ କହୁଛନ୍ତି ଏଇ ଘର ଭଙ୍ଗା ହେବ, ନୂଆ ତିଆରି ହେବ। ତୋ ପାଇଁ ଅଲଗା ଘରଟେ ହେବ? ସତ କହିଲୁ! ତୁ ରହିପାରିବୁ ମୋ ଠୁ ଅଲଗା ହୋଇ? ମୁଁ ପାରିବିନି। ଜୀବନରେ ଏତେ ଝଡ଼ ଝଞ୍ଜା ଯାଇଛି, ହେଲେ କେବେ ତୋ ଠୁ ଅଲଗା ହୋଇନି ମୁଁ ,ଆଜି କେମିତି ହେବି? ତୁ ଖୋଜୁ ସେ ଚକମକିଆ ମଖମଲି ପଥର ଘର? ମୁଁ ଜାଣେ ତୁ ଏମିତି ଖୁସି। କେବେ କିଛି କହିବୁନି, ଖାଲି ବଡ଼ ବଡ଼ ଆଖିରେ ଅନେଇବୁ। ଚାଲ ଆମେ ଆଜି ରାତିରେ ପଳେଇବା କୁଆଡେ। ଗାଁ ପାରି ହେଲେ, ରେଳରେ ବସି ଘଣ୍ଟାକ ଭିତରେ ପହଞ୍ଚିଯିବା ସେ ପାହାଡ଼ ତଳିଆ ଶବର ପଲ୍ଲୀରେ। ସେଇଠି ତୋତେ ମୋ ଠୁ କେହି ଅଲଗା କରିପାରିବେନି । ମୋ ପଣତକାନି ତଳେ ସାଇତି ରଖିବି ମୋ ସାତ ସିନ୍ଧୁକର ଗଣ୍ଠିଧନକୁ, ମୋ ଗଳାମାଳି କୁ, ମୋ ରଙ୍କୁଣୀ ଧନ, ଦୁଃଖ ପସରା। କହ ଯିବୁନି? ମୁଁ ମୂଲ ଲାଗିବି ପଛେ, ତୋ ଠୁ ଅଲଗା ରହି ପାରିବିନି। ଲୋଡ଼ା ନାଇଁ ମୋର ଏ ନିଆଁଲଗା ସଂସାର। 


କୋହରେ ମୋ ତଣ୍ଟି ଚିପି ହୋଇ ଯାଉଥାଏ। ମୁଁ ହାଲୁକା ପେଲିଦେଲି ,ସେ ଦୁଆର ଖୋଲିଗଲା। ଯାଇ ବୋଉ ର ଗୋଡ଼ ତଳେ ପଡ଼ିଗଲି। ତା ପାଦ ଦି ଟା ଧରି। ତା ଲୁହ ବତୁରା ଆଖି ଦି ଦେଖି ମୋ ଆଖିରେ ମେଘ ଭର୍ତ୍ତି ଅନ୍ଧାର ରାତି ମାଡି ଆସିଲା। ମୋତେ ତଳୁ ଉଠେଇ ଆଣି କହିଲା, ଅଜୁ ରେ! ମୋ ଦିଅଁ କଣ ତମ ମାନଙ୍କର ଏତେ ଅସୁବିଧା କରୁଛି? କେତେ ବର୍ଷ ଧରି ଏଇ ଘରେ ମୁଁ ଅଛି, ତୋ ବାପା ଗଲା ପରେ। ୟା ରି ମୁଁହ କୁ ଚାହିଁ, ଆଜି ତମେ ତାକୁ ବି ଭାଙ୍ଗିଦେବ? ହଉ ମୁଁ ଚାଲିଯାଉଛି, ତୁମେ ରୁହ ଖୁସିରେ। ଏତିକି କହି କାନ୍ଦିଲା ସେ ମୋତେ ଧରି। ପାଟି ଶୁଣି ସମସ୍ତେ ଆସି ଅଗଣାରେ ରୁଣ୍ଡ। ବିଜୁ କହିଲା," ଆଲୋ ବୋଉ! ତୁ ବୁଝୁନୁ କାହିଁ? ଏ ପୁରୁଣା ଘର ଭିତରୁ ଦୁର୍ବଳ ହୋଇଗଲାଣି। ଚାଳରେ ଚିତି ସାପ ଛୁଆ କଲାଣି। ଆମେ ପିଲା ଛୁଆ ନେଇ ରହୁଛୁ, କେତେବେଳେ କୋଉ କଥା! ବୋଉ କହିଲା, "କାହିଁ ମୁଁ କଣ ତୁମ ମାନଙ୍କୁ ନେଇ ଏଇଠି ରହୁ ନଥିଲି? ଆରେ ତୋ ଇଚ୍ଛା ଯଦି ବାକି ସବୁ ଛାତ ପକେଇଦିଅ, ଏଇଟା ଛାଡି। ବିଜୁ ମନେ ମନେ ବିରକ୍ତ ହେଲା।


 ମୁଁ ବୋଉ କୁ ତୁନି କରିବାର ଅପାଚେଷ୍ଟା କରୁଥିଲି। ତା ଆଖି ଲୁହରେ ମୁଁ ଭିଜୁଥିଲି, ବତୁରୁ ଥିଲି, ଝରି ଯାଉଥିଲି। ସତରେ, ମା ଆଖି ଲୁହର ଓଜନ ଦୁନିଆର କୋଉ ନିକିତି ମାପିପାରିବ? ସେ ଲୁହ ର

 ଥରେ ବହିଲେ, କେତେ ଯେ ହୀରାକୁଦ ନିମିଷେ ଭୁଶୁଡି ଯିବ, କିଏ କହିବ । ମୁଁ ବିଜୁ କୁ ବୁଝେଇଲି, " ଥାଉ ସେ ପୁରୁଣା ଝାଟିମାଟି ଘର, ସେଇ ମାଟି ପଞ୍ଜରା ଭିତରେ ସ୍ପନ୍ଦିତ ହେଉଛି ହୃଦୟ ଟିଏ। ଯାହା ପଥର କାନ୍ଥରେ ଅଣନିଶ୍ୱାସୀ ହୋଇପଡିବ। ଯେଉଁ ଘରର ଧୂଳିକଣାରେ ଭାଗବତ, ମାଟି ଚଟାଣରେ ମହାମନ୍ତ୍ର। ପ୍ରତି ଟି ପଥର ତାର ଶାଳଗ୍ରାମ। ତା ଉପରେ କୋଉ ଅଟ୍ଟାଳିକା ଗଢା ହୋଇ ପାରିବ? ମୋ ଦିଅଁ ସେ ମାଟିଘରେ ଖୁସି। ମୋ ଠାକୁରାଣୀ ତାକୁ ଦେଖି ଖୁସି। କହ, ଯୋଉଠି ଦେବତା ଅଳି କରେ, ଗାଳି ଶୁଣେ । ଦୁଃଖ ଶୁଣେ, ମାନସିକ ପୂରଣ କରେ, କାଠଗଣ୍ଡି ଭିତରୁ ନିରେଖି ଚାହେଁ, ଶୁଭ ଆଶିଷ ଢାଳେ, ଭଲମନ୍ଦରେ ସାଙ୍ଗରେ ଠିଆ ହୁଏ। ଦୁଃଖରେ ମୁହଁ ସୁଖାଏ, ସୁଖରେ ହସ ଖେଳାଏ, ଈଷାଣ କୋଣେ ଦେଇପିଣ୍ଡିରେ ମୋ ବାପା ଅଜାଙ୍କ କଥା ବୁଝେ, ସେଇ ସ୍ମୃତି ବିଜଡିତ ମାଟି ଘର ହିଁ ବୈକୁଣ୍ଠ।ହଁ... ମୋ ମାଟି ବୈକୁଣ୍ଠ।" ମୁଁ ବୋଉ କୁ କହିଲି, "ନା ଲୋ

ବୋଉ, ଏ ଘର ଦେଖିଛି ତୋ ବଧୂବେଶ, ମୋ ଏନ୍ତୁଡ଼ି , ବାପା ଙ୍କ କୋକେଇ, ୟାକୁ ଛାଡିଦେଲେ ମୁଁ କୋଉ ଶାନ୍ତି ପାଇବି ଯେ? ଏ ଘର ଭଙ୍ଗା ଯିବନି। ଏ ଘର , ଏ ଦିଅଁ ସେମିତି ରହିବେ। " ବୋଉ ସକସକ ହେଉଥିଲା ଧକେଇ ଧକେଇ। ମୁଁ ମାଠିଆ ରୁ ପାଣି ଗିଲାସେ ଆଣି ତାକୁ ଦେଲି। ମାଳତୀ ନେଇ ଆସିଲା, ଥାଳିରେ ଛେନାପୋଡ଼ । ବୋଉ କୁ ଖୁଆଇଲି, ସେ ମୋ ହାତ ଧରି କହିଲା, ପିଲାଏ ଖାଇଛନ୍ତି? ସେ ସବୁ ପିଲା ଙ୍କୁ ନିଜ ହାତରେ ଖୋଇ ଦେଲା, ଶେଷରେ ମୋତେ। ମୁଁ ଦେଖିଲି ତା ପାଇଁ ନାହିଁ ଆଉ ସେ କହିଲା ଆରେ ଦେଖୁଛୁ କଣ? ନେଉ ନୁ! ମୁଁ ତା ହାତ ଧରି କହିଲି ,"ନା ବୋଉ ତୁ ଖା, ମୋତେ ପା ଡାକ୍ତର ମନା କରିଛି, ମିଠା ଖାଇବାକୁ।" ସେ ଚାହିଁଲା, ଦିଅଁ ଙ୍କ ଆଡେ ସମର୍ପଣରେ। ଟିକେ ଖାଇ କହିଲା, ଏଗୁଡା ଭଲ ଲାଗୁନି ରେ ଅଜୁ! କୋଉଠୁ ଆଣିଥିଲୁ ?  

- ମୁଁ ତ ସବୁଠୁ ଭଲ ମିଠା ଆଣିଛି ତୋ ଲାଗି। ମୋତେ କଣ ସେ ଦୋକାନୀ ଠକି ଦେଲା? ଦେଖି ଦେଲୁ,ମୁଁ ଚାଖେ ଟିକେ। ସମସ୍ତେ ଖାଇଲେ କିଛି କହିଲେନି। 

ମୋତେ ଟିକେ ଖୋଇ ଦେଲା ସେ। ଆଉ ହସୁଥିଲା। ମୁଁ ବୁଝିଗଲି ମୋତେ ଖୁଆଇବାକୁ ଏମିତି କହୁଥିଲା ସେ। 


ସେଦିନ ସଞ୍ଜରେ ସବୁ ରୋଷେଇ ବୋଉ କଲା, ମୋ ପାଖେ ବସି ବଳେଇ ବଳେଇ ଖୋଇଲା। ତା ପଣତ ବଢ଼େଇ ଦେଲା ମୁହଁ ପୋଛିବାକୁ। ପରଦିନ ମୁଁ ତାକୁ ନେଇ ଗଲି ଡାକ୍ତର ଙ୍କ ପାଖକୁ। ତା ଲାଗି କିଣି ଦେଲି ମେଡ଼ିସିନ ଆଉ ଟନିକ। ଆସିବା ବାଟରେ ପଡିଲା, ମା ବାଟ ମଙ୍ଗଳା ଙ୍କ ପୀଠ, ସେ ଯାଇ ପ୍ରଣାମ କଲା। ଦେଖିଲି ମହୁଲ ଗଛ ମୂଳରେ ସିନ୍ଦୁରାବତୀ ଙ୍କୁ। ଯେ ଖରା ବର୍ଷା, ଆଲୁଅ ଅନ୍ଧାର ଭିତରେ ବସି ରହିଛି ଗୋଟିଏ ଜାଗାରେ, ଆଉ ବାଣ୍ଟି ଚାଲିଛି , କରୁଣାର ବାରିଧାରା। 


ସୋମବାର ଦିନ ଆସିଲା ବେଳକୁ, ବୋଉ କାନିରୁ ପାନ ଖଣ୍ଡେ କାଢି ପୁରେଇ ଦେଲା ମୋ ପକେଟ ରେ। ମୋ ଗାଲ, ଓଠ ଆଉଁସି ଦେଲା। ସେ ଦିଶୁଥିଲା, ଝାମୁ ଯାତ୍ରାର ମଙ୍ଗଳା ଙ୍କ ପରି ଖୁବ ଦୀପ୍ତିମୟ । ତା ଶୁଭ୍ର ଭ୍ରୁ ଲତା ମଝିର ଚନ୍ଦନ ଟୋପା ରୁ ଉଇଁ ଆସୁଥିଲା ନୂଆ ସୂର୍ଯ୍ୟ ଟିଏ। ଆଉ ମୁଁ ଦେହ ପଖାଳୁ ଥିଲି ମମତାର କଅଁଳ ଖରାରେ। 


 


Rate this content
Log in

Similar oriya story from Classics