Bibhu Samanta

Others

3  

Bibhu Samanta

Others

ଅରବିନ୍ଦ ଓ ଅପରାଜିତା

ଅରବିନ୍ଦ ଓ ଅପରାଜିତା

4 mins
236


ଆଦ୍ୟ ଶରତର ଏକ ମଧୁକ୍ଷରା ରଜନୀରେ, କଳ୍ପବଟର ଗହଳ ଛାୟା ତଳେ କେହି ଜଣେ ଦେବୀ ତନ୍ମୟ ହୋଇ ନିର୍ମିନେଶ ନୟନରେ ଚାହିଁ ରହିଛନ୍ତି, ନିତ୍ୟ ନୀଳାଚଳର, ସେ ନିଷ୍ଠୁର ରୁଦ୍ଧ ଦ୍ଵାରକୁ। କିଏ ସେ ସତେ? ଦେଉଳ ପହଡ଼ ପଡି ପଣ୍ଡା ପଢ଼ିଆରୀ ଚାଲିଗଲେଣି କେତେ ବେଳୁ। ତଥାପି କଣ କାହା ନଜର ପଡିନି ୟାଙ୍କ ଉପରେ? 


କପାଳରେ ତ୍ରିପୁଣ୍ଡ ଚନ୍ଦନ, ଶଙ୍କରଙ୍କ ବୈରାଗ୍ୟକୁ ଅଙ୍ଗୀକାର କରିଛନ୍ତି ବୋଧ ହୁଏ। ସିନ୍ଦୂର ଟୋପାର ଲାଲିମାରେ ଖୁନ୍ଦି ହୋଇଛି ସହସ୍ର ଉଦୟ ଭାନୁଙ୍କ ଜ୍ୟୋତି। ଆଖିର କଜଳ କଳାରେ କୃଷ୍ଣ ପକ୍ଷର ସମସ୍ତ ଅନ୍ଧକାର। ମଙ୍ଗଳ ଆଳତିର ଦୀପଶିଖା ପରି ଦପ ଦପ ଜଳୁଥିବା ଦୁଇଟି ଆଖି। କରୁଣାର ବାରିଧାରାରେ ପ୍ଲାବିତ ବାଇଶି ପାହାଚ। ଗଣ୍ଡ ଦେଶରୁ ଷୋଡ଼ଶୀ ତରୁଣୀର ଲାବଣ୍ୟ। ତରଙ୍ଗାୟିତ କେଶ ରାଶି ଭିତରୁ ତାଙ୍କ ଶାନ୍ତ ଗମ୍ଭୀର ମୁଖ ମଣ୍ଡଳ, ଶତଶଶୀଙ୍କ ଆଭାକୁକୁ ନିନ୍ଦିତ କରୁଛି। ମାତୃ ମୂର୍ତ୍ତିଟିଏ ପରା। ଚୁଆ ଚନ୍ଦନ, କର୍ପୁର,ଅଗରୁ ବାସ୍ନାରେ ମହକିତ ପାଟ ଅଗଣା। ତାଙ୍କ ଚାହାଣୀରୁ ଛୁଟୁଛି ସତେ ଅବା ସେ ବାସ୍ନା, ସେ ସୁରଭି। ହେଲେ କିଏ ଏଇ ଦେବୀ? କାହା ପାଇଁ ଏ ଅପେକ୍ଷା? ତାଙ୍କୁ କଣ ବା ଅପ୍ରାପ୍ୟ ଏ ସୃଷ୍ଟିରେ?


ଧୀରେ ସନ୍ତର୍ପଣରେ ଅଧା ଖୋଲିଲା ସେ ରୁଦ୍ଧ ଦରଜା। ସ୍ମିତହାସ୍ୟଟିଏ ସ୍ୱତଃ ଖେଳିଗଲା ତାଙ୍କ ଓଠ ଧାରେ। ଯେମିତି ସେ ଜାଣିଥିଲେ,ବହୁ ଆଗରୁ ଏଇ ଅବଲୀଳାକୁ। ବାହାରି ଆସିଲେ, ଢଳ ଢଳ କମଳ ପରି ଧୀର ଚାଲିରେ ଜଗନ୍ନାଥ। ଦିନ ତମାମ ଦୁନିଆକୁ ଆଶ୍ୱାସନା ଦେଉଥିବା ଦୁଇଟି ଆଖି ଆଜି, ଏତେ ଆନମନା କାହା ଲାଗି? ଗୀତ ଗୋବିନ୍ଦ ଖଣ୍ଡୁଆପାଟରେ ମେଘବର୍ଣ୍ଣି ତନୁକୁ ଢାଙ୍କି ସେ ଠିଆ ହୋଇଛି ଦୋଷୀ ଭାବରେ, ରୋହିଣୀ କୁଣ୍ଡ ପାଖେ। 

ଦେଖିପାରିଲେ, କଳ୍ପବଟ ମୂଳେ ବସିଥିବା ଦେବୀଙ୍କୁ। ଗଦଗଦିତ ସ୍ୱରରେ ପଚାରିଲେ, 


ସାରା ସଂସାରକୁ ଆଲୋକିତ କରୁଥିବା ଜଗନ୍ମୟୀ ଜ୍ୟୋତି ସ୍ୱରୂପିଣୀ ବିରଜା ଆଜି ଶ୍ରୀମନ୍ଦିରରେ ! ଶରତର ଏ ଅପୂର୍ବ ରଜନୀରେ ବିଶ୍ରାମ ନ ନେଇ ଚାଲି ଆସିଲେ ଏତେ ଦୂର??ସ୍ମରଣ କରିଥିଲେ କଣ ଏ ଜଗନ୍ନାଥ ଯାଇ ପାରିନଥାନ୍ତା ଯାଜପୁରକୁ? 


- ମାଧବଙ୍କ ଶ୍ରୀଛାମୁରେ ଏ ମାହେଶ୍ୱରୀ ବିରଜାର ପ୍ରଣାମ। ଆପଣ ସିନା, ଆଷାଢ଼ ଶୁକ୍ଳ ଏକାଦଶୀରେ ନିଦ୍ରା ଯାଇ କାର୍ତ୍ତିକ ଏକଦଶୀରେ ଶେଯ ଛାଡିବେ।ହେଲେ ମୋ ପାଇଁ ନିଦ୍ରା, ଅଳିକ ମାତ୍ର। ନିଦ୍ରାରେ ଥାଇ ବି ମୋ ମନେ ପଡେ, ତ୍ରେତୟାର ସେ ଅକାଳ ବୋଧନ ପୂଜା, ସେ ୧୦୮ ପଦ୍ମର ପରୀକ୍ଷା। ସେ ଗୋଟିଏ ନୟନ ପଦ୍ମ ଲାଗି ମୁଁ ଆପଣଙ୍କ ପାଖେ ଋଣୀ । ମୁଁ ଜାଣେ ଆପଣ କେତେ ବ୍ୟସ୍ତ। ସଂସାର ସମ୍ଭାଳିବାର ଯେଉଁ ଗୁରୁଦାୟିତ୍ୱ ଆପଣ ମୋତେ ଦେଇଛନ୍ତି, ସେଥିରୁ ନିବୃତ୍ତି ନାହିଁ । ମୋର ପ୍ରତିଟି କର୍ମରେ ମନେ ପଡ଼ିଯାଏ ଆପଣଙ୍କ କଥା। ଆଜି ଆସିଛି ମୋ ସହ ଆପଣଙ୍କୁ ନେଇ ଯିବାକୁ କିଛି କ୍ଷଣ ପାଇଁ।


- ଭ‌ଦ୍ରେ, ତୁମେ ଏକାକୀ ଏତେ ଦୂରରୁ ଆସିଛ। କ୍ଲାନ୍ତ ହୋଇ ପଡିଥିବ।କିଛି ଦିନ ରହି ଯାଅ। ଦେଖିଯାଅ ଶ୍ରୀକ୍ଷେତ୍ରର ଶୋଭା କୁ, ମହୋଦଧିର ଢେଉକୁ ଆଉ ଏ ଅସହାୟ ଜଗନ୍ନାଥକୁ । ମୋର ବି ଇଚ୍ଛା ହୁଏ, ବୁଲି ଆସିବାକୁ ସେ ବୈତରଣୀ ତଟର ପୁଣ୍ୟକ୍ଷେତ୍ରକୁ । ମୋ ପ୍ରିୟ ବନ୍ଧୁ ମହାନ୍ତିଙ୍କ ଘରକୁ । ନାଭି ଗୟାକୁ । ଯେଉଁଠି କେବେ ପତିତ ହୋଇଥିଲା ଦେବୀ ସତୀଙ୍କ ନାଭି, ସେ ଯଜ୍ଞନଗରୀର ପୁତ ପରିବେଶକୁ । ତୁମ ଅଞ୍ଚଳ ତଳର ମମତା ମାଧୁର୍ଯ୍ୟରେ ଶାନ୍ତି ଖୋଜିବାକୁ। 


- ଆପଣଙ୍କୁ ମୁଁ ବା କି ଶାନ୍ତି ଦେଇପାରିବି ମହାପ୍ରଭୁ। ଆପଣଙ୍କ ଶାନ୍ତ କ୍ଲାନ୍ତ ମୁଖ ପଦ୍ମ ଦେଖି ତ ଜଗତ ନିସ୍ତରି ଯାଏ। ମୁଁ ତ ସେଇ ଭିତରୁ ଜଣେ, ଜଗନ୍ନାଥ। ମନେ ଅଛି ସେଦିନ କଥା ? ଆପଣ ମୋତେ ଯଜ୍ଞ ନଗରୀ ପ୍ରେରିତ କରିବାର ପୂର୍ବ ସନ୍ଧ୍ୟା? ଆଜି ବି ମୁଁ ସେ ଜାଗାରେ ଖୋଜେ ଆପଣଙ୍କୁ। ହେଲେ ଆପଣ କେବେ ଲେଉଟି ନାହାନ୍ତି। କେବେ କଣ ମନେ ପଡିନି ମୋ କଥା? 


- ସେମିତି କୁହନି ଦେବୀ । ମୁଁ ମହାପ୍ରଭୁ ହେଲେ ତୁମେ ମହାମାୟା। ମୁଁ ଯୋଗେଶ୍ୱର ହେଲେ ତୁମେ ଯୋଗମାୟା। ମୁଁ ଜଗନ୍ନାଥ ହେଲେ ତୁମେ ଜଗଧାତ୍ରୀ। ତୁମ ବିନା ମୋର କଳ୍ପନା କରା ଯାଇ ପାରେନା। ଆମେ ଏକ ଓ ଅଭିନ୍ନ।ହଁ, ମନେ ଅଛି ସେଦିନର ସେ ଦାରୁଣ ସଞ୍ଜ। ସେଇ "ଗଲଗଲି"ସେତୁ କଥା। ତୁମକୁ ଅଲଗା କରିବାର ଦୁଃଖରେ ମୁଁ ବୁଲି ଚାହିଁ ପାରିଲିନି ତୁମ ଯିବା ବାଟକୁ। କଥା ହେଲା, ତୁମକୁ ମୁଁ ବୁଲି ପଚାରିବି, ଯଜ୍ଞନଗରୀକୁ "ଗଲ? "ତୁମେ ବି ସେତୁ ଆର ପଟୁ ଉତ୍ତର ଦେଲ ହଁ "ଗଲି।" ତାପରଠୁ ଏ ଜଗନ୍ନାଥ ପ୍ରତିଟି ଯାତ୍ରାରେ ତୁମକୁ ଖୋଜିଛି। 


- ପ୍ରଭୁ, ମୁଁ ମାନୁଛି, ମୁଁ ଶ୍ରୀଦେବୀ ଭୂଦେବୀଙ୍କ ପରି କାନ୍ତ କମନୀୟ ନୁହେଁ। ମୁଁ ଉଗ୍ରା, ଚଣ୍ଡ ରୁପା। ହେଲେ ଏଥିରେ ମୋ ଦୋଷ କଣ। ମୋ ଭାବ, ମୋ ଅନୁରାଗରେ କଣ ସେତିକି ଉଷ୍ମତା, ସେତିକି ଆଦ୍ରତା ନାହିଁ? ଆପଣ ଜାଣନ୍ତି, ଆପଣଙ୍କ ରଙ୍ଗକୁ ମୁଁ ବୋଳି ହୋଇଛି ଦେହ ସାରା। ଭକ୍ତଟିଏ କଳାମେଘି ପାଟ୍ଟ ଟେ ଆଣିଦେଲେ, ମୁଁ ଯାଚି ଦିଏ କଲ୍ୟାଣ ପସରା। ସେଥିରେ ମୁଁ ଦେଖେ ଆପଣଙ୍କୁ। 


- ମୁଁ ଜାଣେ ଅମ୍ବିକେ। ଗଦାକ୍ଷେତ୍ରରୁ ଶ୍ରୀକ୍ଷେତ୍ରକୁ ଆସୁଥିବା ନାରିକେଳ ଜଳରେ ତୁମ ପରସର ମଧୁରତା। ତୁମ ବାସ୍ନା, ତୁମ ଅନୁରାଗ। ଏ ସଂସାରରେ ଜଗନ୍ନାଥର ମନ ବୁଝି କାମ କରୁଥିବା ଶକ୍ତି କେବଳ ତୁମେ, କେବଳ ତୁମେ। ତୁମେ ଆଦ୍ୟା, ତୁମେ ସୃଷ୍ଟି, ସ୍ଥିତି, ବିଲୟ। ତୁମ ଏ ସମର୍ପଣ ଏ ଅନୁରାଗ ଆଗରେ ଜଗନ୍ନାଥ ଋଣୀ। 


- ମୁଁ ଏତେ କଥା ବୁଝେନି ପ୍ରଭୁ। ଏଥର ଯଜ୍ଞନଗରୀର ସିଂହଧ୍ୱଜରେ ଆପଣଙ୍କ ସହ ମୁଁ ବିରାଯିବି। ଏହା ମୋର ଅଭିପ୍ସା, ମୋ ଅଳି, ମୋ ମିନତୀ। ଆଉ କିଛି ଚାହେଁନି ମୁଁ। ଆପଣ କଣ ରଖିବେନି ମୋ କଥା। 


- ହେ, ମହାଦେବୀ। ମୁଁ କି ମନା କରିପାରିବି ଆପଣଙ୍କୁ। ଏଇ ତ ସିନ୍ଦୁରା ଫିଟି ଆସିଲାଣି। ବଡ଼ ଭାଇ, ଉଠିବା ପୂର୍ବରୁ, ଚାଲ ତେବେ, ମହାପାତ୍ର ଓ ପୂଜାପଣ୍ଡା ଆସିବା ଆଗରୁ ଆମେ ବି ମିଶି ମୁକୁଳି ଯିବା ପବନରେ। ବୁଲି ଆସିବା, ଯଜ୍ଞନଗରୀ ଆଡେ। 

 

ଠିକ ଏତିକି ବେଳେ, ଦେଉଳ ଭିତରୁ ଶୁଭିଲା, "ମଣିମା" "ମଣିମା" ଡାକ। ଦିହୁଡ଼ି ଜାଳି, ଶେଯ ଛାଡିବାକୁ ଗୁହାରି। ପରସ୍ପରକୁ ଚାହିଁଲେ, ଦି ଜଣ।କିଛି କ୍ଷଣ। ଆଉ ତାପରେ କଳ୍ପବଟ ତଳେ, ଠିକ ସେହି ଜାଗାରେ ପଡି ରହିଥିଲା, ଗୋଟିଏ ପଦ୍ମ ଓ ଅପରାଜିତା । ଆଉ ଗୁପ୍ତ ଗୁଣ୍ଡିଚା ପାଇଁ ଭଦ୍ରାସନ ରୁନ୍ଧା ହେଉଥିଲେ, ଦୁର୍ଗା ମାଧବ। ଗୋଟିଏ ରଙ୍ଗର ପାଟ୍ଟ ଦୁହେଁ ପିନ୍ଧି ହସୁଥିଲେ, ଖଟସେଜ ରେ। ଶରତରେ ବିଲ ଗୋହିରୀର କଇଁ ଫୁଲ, କାଶତଣ୍ଡି ସବୁ ଦେଖୁଥିଲେ ସେମାନଙ୍କୁ। ଠରାଠାରି ହେଇ ହସୁଥିଲେ ଚୁପି ଚୁପି। ବୈତରଣୀରେ ଭାସୁଥିବା ସବୁ ଅଭିମାନ ସବୁ କ୍ଷୋଭ ମିଶୁଥିଲା ମହୋଦଧିରେ



Rate this content
Log in