Bibhu Samanta

Thriller

4.1  

Bibhu Samanta

Thriller

ଅଧରପଣା

ଅଧରପଣା

10 mins
254



ସହର ଉପକଣ୍ଠରେ ନଈ ଟିଏ, କାହିଁ କେତେ କାଳରୁ କୁଳୁକୁଳୁ ଗୀତରେ ଶୁଣେଇ ଆସିଛି ଜୀବନ ସଙ୍ଗୀତ। କୂଳରେ ତାର, ମେଲେଇ ଦେଇଛି ସବୁଜ ଆସର , କେଉଁଠି କାଶତଣ୍ଡିର ଦରୋଟି କଥା ତ କେଉଁଠି ମହାଦ୍ରୁମ ର ମହାକାବ୍ୟ। ବିକାଶର ସଙ୍କେତ ଯଦି ସଡକ ହୁଏ ! ତେବେ ସେ ନଈ ଛାତିରେ ପୋଲ ଟିଏ ବି ଅଛି। ଠିକ ସେ ପୋଲର ଗୋଟେ ମୁଣ୍ଡରେ ସୁରିଆର ଚା ଦୋକାନ ଆଉ ଅନ୍ୟ ପଟେ ସହର। ମୁଖ୍ୟ ରାସ୍ତାରୁ ଲମ୍ବି ଯାଇଛି ମୋରମ ସଡକ ଟିଏ, କନକପୁର ଗାଁକୁ। ଦୋକାନ ଟି ମୋଡ଼ରେ ଥିବା ହେତୁ, ସହର କୁ ଯିବା ଆସିବା କରୁଥିବା ବାବୁ ମାନେ ସେଇଠୁ ବସ ରେ ଉଠନ୍ତି, ଆଉ ବସ ପାଇଁ ଅପେକ୍ଷା କରନ୍ତି। 


ଚା ଦୋକାନ କହିଲେ, ଚାଳିଆ ଖଣ୍ଡେ। ସେଇଠି ଚୁଲି ଜଳେ, ପଟ୍ଟା ବେଞ୍ଚରେ କେତେ ଗପ ଜମେ। ଚା ଗିଲାସରୁ ଧୂଆଁ ଆକାଶରେ ଚୁପଚାପ ହଜି ଯାଏ , ତାରି ଭିତରେ ନିଶବ୍ଦରେ ଚାଲିଥାଏ ପ୍ରେମ କାହାଣୀଟିଏ। ସମସ୍ତଙ୍କ ଅଲକ୍ଷ୍ୟରେ। ସୁରିଆ ଆଉ ମାଳତୀ ର। ପଇସା ବାକ୍ସ କୁ ଲାଗି କାନ୍ଥରେ ଟଙ୍ଗା ହୋଇଥିବା ରେଡ଼ିଓରେ ଯେବେ ରୋମାଣ୍ଟିକ ଗୀତଟେ ବାଜେ। ସୁରିଆର ଆଖି ଚାଲିଯାଏ ମାଳତୀ ଆଡକୁ। ଆଉ ମାଳତୀ ଆଖି ନୁଆଇଁ ବିଞ୍ଚି ଦିଏ ଲାଜମିଶା ହସ ପାଖୁଡା। ସୁରିଆ ସାଉଁଟି ନିଏ ସେ ସବୁ, ସଯତ୍ନରେ। ମୁଁ ଖବରକାଗଜ ପଢିବା ବାହାନାରେ, ଚଷମା ଆଢୁଆଳରେ ଦେଖି ଅମୋଦିତ ହୁଏ। ବାହାଘରର ଏତେ ବର୍ଷ ପରେ ବି ପ୍ରେମ ତାର ସତେଜତା ସାଇତି ରଖିଛି।


ସେଇ ଗାଁ ର ଗୁଡ଼ିଆ ଘର ପୁଅ ସୁରିଆ ଆଉ ଚଷାଘର ଝିଅ ମାଳତୀ। ପିଲାଦିନ କଟିଛି ଗାଁ ଦାଣ୍ଡର ଖପରା ଡିଆଁ ଆଉ ବାଟି ଖେଳରେ। କେତେ ସଞ୍ଜ ବିତିିଛି ନଈ ପଠାରେ। କୁଆଁର ପୁନେଇଁ , ଖୁଦୁରୁକୁଣୀ ର କଇଁ ତୋଳାରେ। ଭଲ ସାଙ୍ଗ ଥିଲେ ଦୁହେଁ, ପ୍ରେମ ର ସଂଜ୍ଞା କଣ ଜାଣିବା ଆଗରୁ, ଅନେଶ୍ୱତ ର ମହାବାତ୍ୟା ସବୁ କିଛି ଓଲଟ ପାଲଟ କରିଦେଲା। ଘର ଦ୍ୱାର ଆତ୍ମୀୟ ଙ୍କୁ ହରେଇ ଦୁଇଟି ବେସାହାରା ହୃଦୟ ନିଜ ନିଜ ଭିତରେ ଆବିଷ୍କାର କଲେ ଭିନ୍ନ ଏକ ପୃଥିବୀ। ଉଭୟ ନିଜ ନିଜ ଭିତରେ ପାଇଗଲେ ସବୁ ହଜିଲା ସମ୍ପର୍କ। ମାଳତୀ ସୁରିଆ ଭିତରେ ଦେଖିଥିଲା ବାପା ,ଭାଇ , ଦାଦା ସମସ୍ତଙ୍କୁ ଆଉ ସୁରିଆ କୁ ମିଳି ଯାଇଥିଲା ମା, ମାଉସୀ ଆଉ ଭଉଣୀର ହୃଦୟ ଟେ। ଏଇ କଣ ସେ ପ୍ରେମ ନୁହେଁ? ଦୁହେଁ ଗାଁ ମୁଣ୍ଡରେ ଚାଳିଆ ଖଣ୍ଡେ କରି ଚା ଦୋକାନ ଟେ କଲେ, ଆଉ ତାକୁ ଲାଗି ବଖୁରିଆ ଘର ଟେ। ସେ ଦୋକାନଟି ତାଙ୍କ ଜୀବନ ଜୀବିକା ର ପନ୍ଥା।


ବାହାଘରର ଅନେକ ବର୍ଷ ପରେ ବି, ପିଲା ଟିଏର ମୁହଁ ଦେଖି ପାରିଲେନି ଦି ଜଣ। ଏଥି ପାଇଁ ସୁରିଆ କେବେ ଦୋଷ ଦେଇନି, କି ମାଳତୀ ମନରେ ଦୁଃଖ ନାହିଁ। ମାଳତୀ ପାଇଁ ସୁରିଆ ହିଁ ସବୁକିଛି, ସେ ସ୍ୱାମୀ, ସେ ତା କୁନି ପୁଅ। ନଈ କୁ ସାକ୍ଷୀ ରଖି ଦିହେଁ ଦୁହିଁ କୁ ଆପଣା କରିସାରିଛନ୍ତି। କଣ ବା ଆଉ ଲୋଡ଼ା ଯେ?


ଦିନେ ଶୀତୁଆ ସଞ୍ଜ ବେଳେ ମୁଁ ପହଞ୍ଚିଲି ଗାଁ ମୁଣ୍ଡରେ। ଅନ୍ଧାର ହୋଇ ସାରିଥିଲା, ଚଉରା ପାଖେ ସଞ୍ଜବତୀ ଲିଭି ସାରିଥିଲା। ନଈ ତାର ଗୁଣୁଗୁଣୁ ହୋଇ ଗାଈ ଚାଲିଥିଲା, ଗୀତ। ସୁରିଆର ଚାଲିଆରେ ବିଜୁଳି ବତୀଟେ ଜାଳି ଚା କେଟିଲ ଧୋଇବାକୁ ଯାଉଥିଲା। ମୋତେ ଦେଖି କହିଲା, "ବିନୁ ବାବୁ, ଏତେବେଳେ କୁଆଡେ ବାହାରିଛ?" ମୁଁ କହିଲି, "ନାଇଁ ରେ, ଏଇ ତ ଫେରିଲି।" ସେ କହିଲା, "ଭଲ ହେଲା, ହଉ, ଥଣ୍ଡା ଦିନ ଟିକେ ଚା ପିଇ ଦେଇ ଘରକୁ ଯାଅ, ଭଲ ଲାଗିବ।" ଯାତ୍ରାକ୍ଲାନ୍ତି ହେତୁ, ତାକୁ ମନା କରି ପାରିଲିନି। ଶ୍ରୀମତୀ ଏବେ ସିରିଏଲ ଦେଖାରେ ବ୍ୟସ୍ତ ଥିବେ, ତାଙ୍କୁ କଷ୍ଟ ଦେବା ମାନେ, ରାତିଟା ସମୟ ଡ୍ରଇଂ ରୁମରେ ଶୋଇବାକୁ ପଡିବ। ସୁରିଆ ଡାକ ଦେଲା, "ଶୁଣୁଛ, ବିନୁ ବାବୁଙ୍କ ପାଇଁ ଗୋଟେ କପ ଗରମାଗରମ ଚା କର।" ଘର ଭିତରୁ , ଉତ୍ତର ଆସିଲା ଆଣୁଚି । ମୁଁ ସେଇ ପଟ୍ଟା ବେଞ୍ଚ ରେ ବସି ପଡ଼ିଲି। ସୁରିଆ କହିଲା, "ନା ବିନୁ ବାବୁ, ସେଠି ନୁହଁ। ଆସ ଏପଟେ। ଚୁଲି ପାଖେ ବସ।" ପ୍ଲାଷ୍ଟିକ ଚେୟାର ଟେ ଆଣି ଦେଲା ସେ ମୋତେ। ମୁଁ ଯାଇ ବସିଲି। ଆଉ କେହି ଗରାଖ ନଥିଲେ ସେତେବେଳେ। ବସୁ ବସୁ ପଚାରିଲି,"ଆଉ ସୁରିଆ ବେପାର କେମିତି ଚାଲିଛି?" 

ସେ କହିଲା, "ହଁ, ବାବୁ ଚାଲିଛି ସେମିତି। ଯାହା ମିଳୁଛି ଦୁଇଟା ପେଟ ଉପାସ ରହୁନି। ଆମର ବା ଆଉ କିଏ ଅଛି ଯେ?" ସୁରିଆର କଥା ଶେଷ ଆଡକୁ ଥିଲା କଣିଚାଏ ଦୁଃଖ।

 - "ସେମିତି କୁହନା, ଆଜି ନ ହେଲେ କାଲି, ଠାକୁର ତୁମ ଦୁଃଖ ନିଶ୍ଚୟ ବୁଝିବେ।"

 ସୁରିଆ କହିଲା,"ଥାଉ ବାବୁ, ଠାକୁର ବାକୁର ଉପରେ କେବେ ଠୁ ଭରସା ହରେଇ ସାରିଛି ମୁଁ। ହାତ ଗୋଡ଼ ଠିକ ଥିବା ଯାଏ ଏମିତି ଖଟିବି। ଆଉ ନ ପାରିଲେ ଏଇ ନଈ କୁ ଡେଇଁ ପଡିବି।"

 ମୁଁ କିଛି କହିବା ଆଗରୁ, "ସେପଟୁ ଶୁଭିଲା, କାହିଁ ? ପିଲାଦିନେ ନଈ ବାଲିରେ ଯୋଉ ପଟେ ପାଉଁଜି ହଜେଇ ଥିଲ ତାକୁ ଖୋଜିବାକୁ? ନା, ମୋ ପାଖରୁ ମୁକ୍ତି ପାଇବାକୁ? ମୁଁ କିନ୍ତୁ ଏତେ ସହଜରେ ତୁମକୁ ଛାଡିବିନି।" ହାତରେ ଚା କପ ଧରି ମାଳତୀ ଶୁଣୁଥିଲା ଆମ କଥା।

 କଥାରେ ତାର ଥିଲା ମା ର ଆକଟ। ତାକୁ ଦେଖି ଜିଭ କାମୁଡି ଦେଲା ସୁରିଆ। ମାଳତୀ ଆଖିରେ ସାମାନ୍ୟ ରାଗ। ମୋତେ ଚା କପ ଦେଇ କହିଲା, "ନିଅ ବାବୁ କାମ ସାରି ଆସୁ ଆସୁ ଟିକେ ଡେରି ହୋଇଗଲା।" ସୁରିଆ କଥାକୁ ବାଁରେଇ କହିଲା, "ନା ମ, ନଈ ରେ ପାଣି କାହିଁ ଯେ?" ମାଳତୀ କହିଲା, "ଥାଉ, ଆଉ ଏତେ ବାଂରେଇବା ଦରକାର ନାଇଁ। ସତରେ କଣ ମୋ ସାଙ୍ଗେ ତମେ ଖୁସି ନୁହଁ?" ସୁରିଆ କହିଲା," କିଏ କହିଲା ତୋ ସାଥେ ମୁଁ ଖୁସି ନୁହେଁ। ତୋ ସହ ମୁଁ ଏତେ ଖୁସି ଯେ, ଖୁସି ବି ଦେଖି ଇର୍ଷା କରୁଥିବ।" ମାଳତୀ କହିଲା," କୋଉ ଖୁସି!! ମିଶ୍ର ଘର ନା ମହାନ୍ତି ଘରର?" ଆମେ ତିନି ହେଁ ହସି ଉଠିଲୁ।

 ସୁରିଆ ପଚାରିଲା, "କୁଆଡେ ଯାଇଥିଲ ବାବୁ?" ମୁଁ କହିଲି, "ପୁରୀ ଯାଇଥିଲି, ଗୋଟେ କାମରେ। ଆସୁ ଆସୁ ଡେରି ହୋଇଗଲା।" ସୁରିଆ କହିଲା," ଓଃ ! ସମୁଦ୍ରରେ ବୁଡ଼ ଦେଇଥିବ ତେବେ।" ମୁଁ କହିଲି," ନାଁ ରେ, ମିଟିଂ କାମ ସରୁ ସରୁ ଡେରି ହେଲା, ଦେଉଳ ଯାଇ ଦର୍ଶନ ସାରି ଫେରୁ ଫେରୁ ଡେରି।" ମାଳତୀ କହିଲା, "ମୁଁ ଶୁଣିଛି, ଜଗନ୍ନାଥ କୁଆଡେ ରଜା ଘର ଦିଅଁ, ଭାରି ଲାଞ୍ଚୁଆ ତାଙ୍କୁ କିଛି ନଦେଲେ ସେ ଜମା ଶୁଣନ୍ତିନି।" 

ମୁଁ କହିଲି, "ଠିକ ଶୁଣିଛୁ, ସେ ନେଲା ବାଲା ଠାକୁର। ସେ ସବୁ କିଛି ନେଇ ଯାଏ। ଯେ ଯାହା ଦିଏ। ଦୁଃଖ, କଷ୍ଟ ,ଲୁହ, ଅଭାବ,କଷଣ, ଯନ୍ତ୍ରଣା , ନିନ୍ଦା,ଗାଳି ସବୁ କିଛି। ଅନେକ ଜନ୍ମାର୍ଜିତ ପାପ ସବୁ, ଆଉ ଦିଏ କଣ ଜାଣୁ? ମୋକ୍ଷ।"

 ମାଳତୀ କହିଲା," ସେ କୁଆଡେ ସୁନା ଥାଳିରେ ଷାଠିଏ ପଉଟି ଖାଏ, ସୁନା ନାଏ, ସୁନା ପଲଙ୍କରେ ଶୁଏ। ତାକୁ କଣ ଦେଇ ପାରିବା ଯେ ଆମେ?"  

- ହଁ ସେ ସବୁ କରେ, ହେଲେ କେହି ଭକ୍ତିରେ ବାଡ଼ି ନଡିଆ ଟେ ଦେଲେ ବି ନେଇ ଯାଏ। ଡାକ ଶୁଣି ବାଲି ରଥରେ ବସିବାକୁ ଧାଇଁଯାଏ।ମାଲୁଣିର ଗୀତ ଶୁଣିବାକୁ ବାଇଗଣ କିଆରୀ କୁ ଚାଲିଯାଏ । ଆଉ ଦେବାକୁ ମନ କଲେ, ରତ୍ନ ଥାଳିରେ ପରସୀ ଦିଏ ପେଟ ପୁରା ଭୁରି ଭୋଜନ। ଦୁଇ ଠେକି ଦହି ବଦଳେ ଦେଇ ପାରେ ରତ୍ନ ମୁଦ୍ରିକା।  

"ସତରେ ବାବୁ, ଏମିତି ସେ ଦିଅଁ? ସେ କଣ ମୋ ମାଳତୀ କୋଳକୁ ପିଲା ଟିଏ ଦେଇ ପାରିବ?"। ସୁରିଆ କହିଲା। 

- "ଆରେ, ସେ ପିଲା ଟିଏ ଦେବ କଣ? ଟିକେ ଭାବରେ ତାକୁ ଡାକିଲେ ନିଜେ ପିଲା ହୋଇ ଚାଲି ଆସିବ ତା ପେଟକୁ।" 

ମୁଁ ଚା ପିଇ ସାରିଥିଲି, ତନ୍ମୟ ହୋଇ ଶୁଣୁଥିଲେ ମୋ କଥା ଦି ଜଣ। ମାଳତୀ ଭାବରେ ହଜି ଯାଇଥିଲା କୋଉଠି, ତାକୁ ଦେଖି ସୁରିଆ କହିଲା, ଆହୁରି କୁହ ବାବୁ, ମୁଁ ଆଉ କପେ ଚା ବସେଇ ଦେଉଛି। ଚୁଲି ଥଣ୍ଡା ହୋଇ ସାରିଥିଲା। ମୁଁ ଘଡି ଦେଖିଲି, ଆଠ ଟା ବାଜିବାକୁ ପାଞ୍ଚ ମିନିଟ ବାକି। କହିଲି, ପୁଣି କେବେ କହିବି। ଉଠି ଠିଆ ହେଲି। ପଇସା ଦେବାକୁ ପକେଟରେ ହାତ ପୁରେଇଲା ବେଳକୁ ସୁରିଆ ମନା କଲା। ଥାଉ ବାବୁ, ଆଜି ନୁହେଁ। ମୁଁ ତା ମୁହଁକୁ ଦେଖୁଥିଲି, ସେ ବିଜୁଳି ଆଲୁଅରେ ତା ମୁହଁରେ ଥିଲା ଆତ୍ମୀୟତା। ପଇସାରେ ତା ମୂଲ୍ୟ ଦିଆ ଯାଇ ପାରେନା। ମୁଁ କିନ୍ତୁ କିଛି ନ ଦେଇ ଚାଲି ଯିବାକୁ ଚାହୁଁ ନଥିଲି। ବ୍ୟାଗରୁ ବାହାର କଲି ମହାପ୍ରସାଦ କିଛି ଆଉ ଜଗନ୍ନାଥ ଫୋଟଟିଏ। ଯାହା ମୁଁ ପ୍ରତି ଥର ପୁରୀ ଗଲେ କିଣି ଆଣେ,ସ୍ମାରକୀ ଆକାରେ। ଫୋଟ ଓ ମହାପ୍ରସାଦ ଦେଇ କହିଲି, "ୟାକୁ ରଖ। ଆଜିଠୁ ତୁମ ସୁଖ ଦୁଃଖର ସାଥି ଇଏ। କେବେ ମନ କଷ୍ଟ ହେଲେ ୟାକୁ ଦେଖିବ। ସେ ନିଶ୍ଚୟ ଶୁଣିବ ତୁମ ମନକଥା।" ମାଳତୀ ହାତରେ ଦେଇ ବିଦାୟ ନେଲି। କିଛି ଦୂର ଯାଇଛି ଦୁହେଁ ପଛରୁ ଡାକ ଦେଲେ। ମୁଁ ବୁଲି ଚାହିଁଲି। ଛଳଛଳ ଆଖି ସୁରିଆର। କହିଲା, "ବାବୁ ଗୋଟେ କଥା ରଖିବ। ମୋ ଦୁନିଆ କହିଲେ ଏଇ ମାଳତୀ। ଆଜି ତା ଭିତରେ ଭିନ୍ନ ଗୋଟେ ଭାବ।" ମାଳତୀ ମୁହଁ କୁ ଚାହିଁଲି, ସେ କହିଲା, "ମହାବାତ୍ୟା ମୋ ଠୁ ସବୁ କିଛି ନେଇଗଲା। ଆଉ ଏଇ ମହାପ୍ରସାଦ ଧରି ଲାଗୁଛି, ସବୁ କିଛି ପାଇ ଯାଇଛି। ମୁଁ ଶୁଣିଛି, ନୂଆ ସମ୍ପର୍କ ତିଆରି ହୁଏ ଏଇ ମହାପ୍ରସାଦ ରୁ। ମୁଁ ତୁମକୁ ଭାଇ ବୋଲି ଡାକି ପାରିବି?" ତା କଥାରେ ଥିଲା ଅନୁରୁକ୍ତି ଆକୁଳତା। ତାକୁ ଏଡେଇ ଯିବା ମୋ ପକ୍ଷେ ସମ୍ଭବ ନୁହେଁ। ମୁଁ ହସି କହିଲି, "ହଁ ନିଶ୍ଚୟ ଡାକି ପାରିବ। କିନ୍ତୁ ... ମୁଁ ଚା ପିଇ ଲେ ପଇସା ନେବାକୁ ପଡିବ।" ଦୁହେଁ ହସି ଉଠିଲେ।


ଚାଲିଆର ପଶ୍ଚିମ ପଟ କାନ୍ଥରେ ଛୋଟ ଆସ୍ଥାନ କରି ସେଥିରେ ଫୋଟ ଟି ରଖିଲା, ମାଳତୀ। ସୁନାବେଶ ସମୟର ଫୋଟୋ ଟି ଖୁବ ସୁନ୍ଦର ଦିଶୁଥିଲା ଚାଳିଆ ଭିତରେ। ଫୋଟ ଟି ଏପରି ଜାଗାରେ ଥିଲାଯେ ସମସ୍ତଙ୍କ ନଜର ପଡୁଥିଲା ସେଥିରେ। ମୁଁ ଦିନେ ସକାଳୁ ଗଲା ବେଳକୁ ଦେଖିଲି, ଗୋଟେ ମାଟି ଗିଲାସରେ ଚା ନେଇ ଜଗନ୍ନାଥ ଙ୍କ ସାମ୍ନାରେ ରଖା ଯାଇଛି। ମୁଁ ପଚାରିଲି, "କିରେ ଇଏ କଣ? ଜଗନ୍ନାଥ ଚା ପି ଲେଣି ନା ଅଧରପଣା ଲାଗି କରିଛୁ?" ସୁରିଆ କହିଲା, "ନାଇଁ ମ ଭାଇ , ଦୋକାନ କରିବା ଦିନ ଠୁ ଏଇ ନଈ ଆମ ପାଇଁ ସବୁ କିଛି। ଭୋର ରୁ ଚା କଲେ, ମାଳତୀ ଆଗେ ନଈ କୁ ଦିଏ ତାପରେ ବେପାର ଆରମ୍ଭ। ହେଲେ ତୁମେ ଦେଇଥିବା ସେ ଫୋଟ କୁ ଦେଖିଲେ ଲାଗୁଛି, ଆମ ନଈ ଟା ଆଜି ଯାଏ ଖାଲି ଥିଲା।ସେଠି ନାଆ ଟିଏ ନଥିଲା। ସତ କହୁଛି ଭାଇ, ସେ ନାଲି ଅଧର ଟା ମୋତେ ଆମ କଳା ଭଉଁରିଆ ନଈ ର ନାଆ ପରି ଦିଶୁଛି।" କଥା ଅଧାରୁ, ମାଳତୀ ଚା ଗିଲାସ ଟି ବଢ଼େଇ ଦେଇ କହିଲା, "ତୁମେ ପରା କହିଥିଲ, ଯେ ଯାହା ଦେଲେ ସେ ନିଏ। ଏଇ ଚା ଚିନି କୁ ନେଇ ତ ଆମ ସଂସାର। ଆମେ ବା ସେ ରାଜଘର ଦିଅଙ୍କୁ କଣ ଦେଇ ପାରିବୁ?" ତାଙ୍କ କଥାରେ ଭାବଟିଏ ଥିଲା। ଥିଲା ଜୀବନକୁ ବୁଝିବାର ଝୁଙ୍କ ଟିଏ। ମଣିଷ ଭିତରେ ଆଧ୍ୟାତ୍ମ ଚେତନା ପଶିଲେ, ଖୁବ ଜଟିଳ ବିଷୟ ବି ସହଜ ଲାଗେ, ଶ୍ରଦ୍ଧା ଭକ୍ତି ପାଖେ ସବୁ ତର୍କ ହାର ମାନେ,ନୁହେଁ କି? ମୋତେ ତାଙ୍କ କଥାରେ ଭାବ ଖୋଜିବା ଦେଖି ମାଳତୀ ପଚାରିଲା," ଭାଇ, ଅଧରପଣା କଣ?" ମୁଁ କହିଲି, "ନୀଳାଦ୍ରି ବିଜେ ର ପୂର୍ବ ଦିନ ଦିଅଁଙ୍କ ଯାତ୍ରା କ୍ଲାନ୍ତି ଦୂର କରିବାକୁ ରଥରେ ପଣା ଦିଆ ଯାଏ। ବଡ଼ ବଡ ତିନୋଟି ମାଟିପାତ୍ର ଶ୍ରୀଅଧର ଯାଏଁ ଲମ୍ବିଥାଏ, ସେଥିରେ ପଣା ଭୋଗ ଦିଆ ଯାଏ। ତେଣୁ ତାକୁ ଅଧରପଣା କୁହାଯାଏ। ସେ ଭୋଗ ଭୂତ, ପ୍ରେତ, ଚଣ୍ଡୀ ଓ ଅଶରୀରୀ ମାନଙ୍କ ପାଇଁ । ଭୋଗ ଶେଷରେ ସେ ଅଧର ହାଣ୍ଡି ଭାଙ୍ଗି ଦିଆଯାଏ ତାଙ୍କ ଲାଗି।"

- "ଓଃ!ଏମିତି କଥା। ଏଇଠି ଗୋଟେ ଚଣ୍ଡୀ ନ ଯାଇ ରହିଯାଇଛି।" ସୁରିଆ କହିଲା ମାଳତୀ ଉଦ୍ଦେଶ୍ୟରେ।ମାଳତୀ ମୁହଁ ମୋଡି ଚାଲିଗଲା ଘର ଭିତରକୁ। ଆମେ ଦୁହେଁ ହସୁଥିଲୁ ତା ଯିବା ବାଟ ଚାହିଁ।


ଚୈତ୍ର ଦି ପହରେ ହଠାତ ଦିନେ ଆକାଶରେ ଘୋଟିଗଲା କାଳବୈଶାଖୀ ଟିଏ। ନୂଆ କରି ଛପର ହୋଇଥିବା ମୋ ଗୁହାଳ ଘର ଟି ଉଡେଇ ନେଇ ଥିବ କୁଆଡେ, ବିଚରା ଗାଈ ବାଛୁରୀ ଗୁଡାକ ହଇରାଣ ହେଉଥିବେ। ଏକଥା ଭାବି କାମରେ ଆଉ ମନ ଲାଗିଲାନି, ଜଲଦି ଚାଲିଆସିଲି ଅଫିସରୁ। ଗାଁ ମୁଣ୍ଡରେ ପହଞ୍ଚି ଦେଖେ ତ ସୁରିଆ ଦୋକାନ ଆଗେ ଲୋକ ଭିଡ଼। ମୁଁ ଗାଡି ରଖି ଚାଲିଗଲି ସେ ଆଡ଼କୁ।କିଛି ଗୋଟେ ହୋଇଛି ବୋଧେ, ଲୋକ ଗୁଡାଙ୍କ ମୁହଁରେ ସମବେଦନା ଆଉ ଗାମ୍ଭୀର୍ଯ୍ୟ। ମୁଁ ଧୀରେ ଭିଡ଼ ଆଡେଇ ଭିତରକୁ ଗଲି। ଯାଉ ଯାଉ ଶୁଣିଲି, ରାସ୍ତାରେ ଛୋଟ ପିଲାକୁ ବଞ୍ଚେଇବାକୁ ଯାଇ ମାଳତୀ କୁ ଅଜଣା ଗାଡି ଧକ୍କା ଦେଇ ଚାଲିଗଲା। ଦେଖିଲି ଚାଳିଆ ବାହାରେ, ମାଳତୀ ର ଶବ। ସୁରିଆ ମୁଣ୍ଡ ପିଟି କାନ୍ଦୁଛି। ସମସ୍ତେ ନୀରବ। ମୋ ହୃତସ୍ପନ୍ଦନ ବନ୍ଦ ହୋଇଗଲା ଯେମିତି, ଦେହରେ ରକ୍ତ ସବୁ ପାଣି ହୋଇ ଯାଇଥିଲେ ବୋଧେ। ପଡି ଯାଉ ଯାଉ ଜଣେ ମୋତେ ଧରିନେଲେ। ଏତିକି ବେଳେ ସୁରିଆ ନଜର ମୋ ଉପରେ ପଡ଼ିଲା। ଧାଇଁ ଆସି କୁଣ୍ଢେଇ ପକେଇଲା ମୋତେ ଆଉ ଭୋ ଭୋ କାନ୍ଦି କହିଲା, "ଭାଇ ଦେଖିଲ କେଡେ ମିଛେଇ ଟା। କହୁଥିଲା, ମୋତେ ଛାଡ଼ି ଯିବନି ବୋଲି ଆଉ ଆଜି ଏଇଠି ଶୋଇଛି, ଯେତେ ଡାକିଲେ ଉଠୁନି। ଭାଇ, ତାକୁ ଟିକେ ଉଠା ତା ବିନା ମୁଁ ବଞ୍ଚି ପାରିବିନି। କୁହ ତାକୁ, ଆଉ କେବେ ମୁଁ ତାକୁ ଛାଡି ଯିବା କଥା କହିବିନି। ପାଗେଳି ଉଠ ଦେଖ ଭାଇ ଆସିଛନ୍ତି, ଚା କରି ଆଣ ତାଙ୍କ ପାଇଁ।" ମୁଁ ନିଜକୁ ସମ୍ଭାଳି ପାରିଲିନି। ତାକୁ କଣ ସମ୍ଭାଳିବି। ସବୁ ଦେବାଦେବୀ, ଆକାଶ, ପୃଥିବୀ ସମସ୍ତଙ୍କୁ ଡାକିଲି, କିଛି ଗୋଟେ କରି ତାକୁ ବଞ୍ଚେଇ ଦିଅ। ହେଲେ ମୋ କଥା, କେହି ଶୁଣିଲେନି।


ସୁରିଆ କୁ ଦୋକାନ କାମରେ ସାହାଯ୍ୟ କରିବାକୁ ଗାଁ ରୁ ପିଲା ଟିଏ ବୁଝିଦେଲି। ସେ ଆଉ ଆଗ ପରି ଆଉ କଥା ହେଉନି। ମନରେ ସରସ ନାଇଁ। ହେବ କେମିତି ଯେ? ଅକାଳରେ ଆକାଶଟା ଛିଡି ପଡିଛି ମୁଣ୍ଡ ଉପରେ। ପୁରା କନକପୁର ଗାଁରେ ତା ପାଇଁ ଦୁଃଖ, ସମବେଦନା। କାମରେ ମନ ଲାଗୁନି ତାର ,ଅନ୍ୟମନସ୍କ ରହୁଛି ପ୍ରାୟେ ସମୟ। ମୁଁ ଦିନେ ଗଲା ବେଳକୁ ସେ ବସିଥାଏ ଚାଲିଆର ଖୁଣ୍ଟକୁ ଆଉଜି। ଆଖିରେ ଧାର ଧାର ଲୁହ। ସେ ଜଗନ୍ନାଥ ଫୋଟୋ କୁ ଚାହିଁ। ମାଳତୀ ଯିବା ଦିନରୁ ଆଉ ଚା ଦିଅ ହୁଏନି ତାଙ୍କ ପାଖେ, ଧୂଳି ଜମି କେମିତି ମଳିନ ଦିଶୁଥାଏ,କଳା ଶ୍ରୀମୁଖ। ମୁଁ ଆସିବା କଥା ସେ ଜାଣି ପାରିନି, ମୁଁ ତା କାନ୍ଧରେ ହାତ ରଖିଲି। ସେ ବୁଲି ଚାହିଁଲା ମୋତେ, ଲୁହ ଭର୍ତ୍ତି ଆଖିରେ ମୋତେ କହିଲା, "ଭାଇ.. ଏ ଠାକୁର ବାକୁର ଉପରେ ମୋର ବିଶ୍ୱାସ ନଥିଲା । ମାଳତୀର ଆଗ୍ରହ ଦେଖି କେମିତି ଗୋଟେ ଢଳି ଯାଇଥିଲି ସେ ଆଡକୁ। ତୁମେ ଠିକ କହୁଥିଲ ସେଦିନ ସେ ନେଲା ବାଲା ଦିଅଁ, ନେଇ ଯାଏ ସବୁ। ମୋ ଜୀବନରେ ସବୁ କିଛି ଗଲା ପରେ ମାଳତୀକୁ ପାଇଥିଲି। ହେଲେ ସେ ଦିଅଁ ଟା କୋଳ କେ ଛୁଆ ଟିଏ ତ ଦେଲାନି, ଆମ ଖୁସି ଦେଖି ପାରିଲାନି, ନେଇ ଗଲା ତାକୁ ବି , ମୋ ପାଖରୁ। କେତେ ନେଲେ ଯାଇ ତା ମନ ଶାନ୍ତି ହେବ କେଜାଣି। ମୋତେ ଭଲା ନେଇ ଯାଆନ୍ତା କି? ଦେଖୁନ ସେଇ ନେଲା ପରେ ବି କେମିତି ହସୁଛି। " ଆସ୍ଥା ର ପାହାଡ଼ରୁ ବଡ଼ ବଡ଼ ପଥର ଖଣ୍ଡ ଭାଙ୍ଗି ଗଡୁଥାଏ, ତଳକୁ। ଖସିଲା ବେଳେ ପଥର ସାଙ୍ଗେ କ୍ଷତାକ୍ତ ହେଉଥାଏ ହୃଦୟ। ମୁଁ କହିଲି, "ମାଳତୀ ର ରିପୋର୍ଟ ଆସିଛି ମେଡିକାଲ ରୁ, ତା ପେଟରେ ୩ ମାସର ଛୁଆ ଟିଏ ଥିଲା।" ସୁରିଆ ମୋ କଥା ଶୁଣି ଚମକି ପଡିଲା। "ସତ କହୁଛ ଭାଇ?, ଏଇ କଥା କହିବ ବୋଲି ବୋଧେ, ସେ ଡାକୁଥିଲା ସେଦିନ, ମୁଁ ଏପଟେ ଗରାଖ ଥିବାରୁ ଯାଇ ପାରିଲିନି। ସେ ଆସିଥିଲା କହିବାକୁ, ଏତେ ଲୋକରେ କହି ପାରିନି। ଆଉ ମୁଁ ଏପଟେ ଟିକେ କାମରେ ବ୍ୟସ୍ତ ହୋଇଗଲି। ଆଉ ତା ପରେ ଏମିତି ଅଘଟଣ ଟେ ଘଟିଗଲା।" ଏତିକି କହି ଆହୁରି ଜୋରରେ କାନ୍ଦି ଉଠିଲା ସେ। ଭାରି କଷ୍ଟରେ ତୁନି କରେଇଲି ତାକୁ। ଅନେକ ସମୟ ପରେ ମୋତେ କହିଲା, "ଭାଇ... ମୋତେ ଟିକେ ପୁରୀ ନେଇଯିବ, ହାତ ଯୋଡୁଛି ତୁମକୁ, ଏତିକି କର। "


ମୁଁ ସମୟ ଖୋଜି ତାକୁ ନେଇଗଲି ସେଦିନ ପୁରୀ। ଯୋଗକୁ ସେଦିନ ଶ୍ରୀଜୀଉଙ୍କ ଅଧରପଣା ଲାଗି। ଯାତ୍ରା ପାଇଁ ରାସ୍ତା ଭିଡ଼। ଆମେ ପହଞ୍ଚିଲା ବେଳକୁ ସନ୍ଧ୍ୟା। ଦିଅଁଙ୍କ ପାଖେ ଲାଗି ହେଉଥାଏ ପଣା। ଆମେ ବଡ଼ ଦାଣ୍ଡରେ ଠିଆ ହୋଇ ଦର୍ଶନ କଲୁ। ଜଗନ୍ନାଥ ଙ୍କୁ ଦେଖି ଭୋ ଭୋ କାନ୍ଦି ଉଠିଲା ସୁରିଆ। ଯେମିତି କେହି ଜଣେ ତା ର ଆପଣାର ଆତ୍ମୀୟକୁ ଦୁଃଖ କହି କାନ୍ଦେ। ବଡ଼ଦାଣ୍ଡରେ ମୁଣ୍ଡ ବାଡେଇ ଗଡି ଗଲା ସେ। ତାକୁ ସମ୍ଭାଳିବା ମୋ ପକ୍ଷେ ସହଜ ନୁହେଁ। କହୁଥିଲା,"ଜଗା, ଏଇଆ କଲୁ, ସୁନା ଠାକୁର ବୋଲି ମୋ ସୁନା ସଂସାରକୁ ଭାଙ୍ଗି ଦେଲୁ। କହ କି ଲାଭ ପାଇଲୁ। ତୁ ପରା କୁଆଡେ ଚୌବର୍ଗ ଦାନୀ। ଦେ... ଦେ... ମୋ ମାଳତୀ କୁ ମୋତେ ଫେରେଇ ଦେ। ଦେ .. "ରାସ୍ତାରେ ଆଣ୍ଠୁ ମାଡି ହାତ ପାତି ମାଗୁଥିଲା ସେ। ତା ଲୁହ ଆଉ କଥା ଶୁଣି ମୋ ଛାତି ଭିତର ଟା କେମିତି ଖଣ୍ଡ ବିଖଣ୍ଡ ହୋଇ ଯାଉଥାଏ। ଏତିକି ବେଳେ, ସେ କହିଲା,"ଭାଇ ...ଦେଖୁଛ... ସେ ଚଣ୍ଡୀ ମାଳତୀ ଆସିଛି ପୁରୀ, ସେଇଠି ଜଗନ୍ନାଥଙ୍କ ପାଖରେ। ରଥ ଉପରେ!! ମାଳତୀ... ମାଳତୀ... ଦେଖ ମୁଁ ଆସିଛି, ତୋତେ ନେବାକୁ। ଆ.... ଯିବା। ଭାଇ ... ଦେଖ ସେ ଆଗ ଅପେକ୍ଷା ଆହୁରି ସୁନ୍ଦର ଦିଶୁଛି।" ଟା ପ୍ରଳାପ ଦେଖି କଣ କରିବି ଜାଣି ପାରୁନଥିଲି ମୁଁ, ଅଧରହାଣ୍ଡି ଭଙ୍ଗା ହେବା ର ଶବ୍ଦ ସେ ମାଳତୀ .... ମାଳତୀ ଡାକି ଦୌଡ଼ିଗଲା ମଝି ଦାଣ୍ଡକୁ, ଆଉ ମିଶିଗଲା ସେ ବିଶାଳ ଜନସମୁଦ୍ର ରେ, ଠିକ ଚା ଗିଲାସର ଧୂଆଁ ପରି।



Rate this content
Log in

Similar oriya story from Thriller