Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଅନିଲ କୁମାର ଲେଙ୍କା

Romance Tragedy Inspirational

4.5  

ଅନିଲ କୁମାର ଲେଙ୍କା

Romance Tragedy Inspirational

ପୁଣି ଦେଖାହେବ ଆର ଜନମରେ !

ପୁଣି ଦେଖାହେବ ଆର ଜନମରେ !

7 mins
347


--ଅନିଲ, ତୁମେ ସତରେ ଏମିତି ବଦଳି ଯିବ ମୁଁ ଭାବି ନଥିଲି ! ତୁମ ପ୍ରେମ ମୋ ପାଇଁ ପୂଜା ଥିଲା। ହୁଏତ ସୂର୍ଯ୍ୟ ଉଦୟ ହେବାକୁ ଭୁଲି ଯାଇପାରେ କିନ୍ତୁ ଏ ସ୍ନେହ ତୁମକୁ କେବେବି ଭୁଲି ପାରିବ ନାହିଁ। ତୁମେ ଜାଣିଛ ତୁମ ପାଇଁ ମୁଁ ମୋର ବାପାମାଆ ସାଙ୍ଗ ସାଥୀ ଭାଇ ଭଉଣୀଙ୍କଠାରୁ ବି ସମ୍ପର୍କ ଛିନ୍ନ କରି ସାରିଛି, ତଥାପି ତୁମେ କହୁଛ ମୋତେ ଭୁଲିଯାଅ !

--କାହିଁକି ଅନିଲ ? ମୋର ଭୁଲ କ’ଣ?? 

--ଆଜିକୁ ବର୍ଷେ ତଳେ ସେଦିନ ପ୍ରଥମ ଥର ବାର୍ତ୍ତାଳାପରେ, ମରି ଯାଇଥିବା ମୋ ମନଟା ତୁମ ପ୍ରେମ ସୁଗନ୍ଧର ପ୍ରତିକ୍ରିୟାରେ ତରଳି ଯାଇଥିଲା। ମୋ ଅଜାଣତରେ କେତେବେଳେ ଡର ସବୁକୁ ପଛରେ ଛାଡି ତୁମକୁ ହୃଦୟ ଦେଇଥିଲି ଜାଣିନି। ଆଉ ତୁମେ ମୋ କଥାରେ ଦଖଲ ଦେଇ ଧୀରେକି ମୋ ଜୀବନକୁ ପଶି ଆସି ଅଳ୍ପ ହସି କହିଥିଲ, ଏମିତି ଡରିଲେ ଆଗକୁ ସଂସାର କରିବ କେମିତି? 

--ତୁମର ସେ ମଧୁର କଥା ଆଉ ସ୍ମିତ ହସ ମୋ ମନ ଭିତରେ ପ୍ରେମର କଳିକାଟିଏ ଅଙ୍କୁରୋଦ୍ଗମ ପାଇଁ ସୃଷ୍ଟି କରି ଦେଇଥିଲା ଉପଯୁକ୍ତ ବାତାବରଣ । ତା’ପରଠାରୁ ଅନେକ ସୁଯୋଗ ମିଳିଛି ପ୍ରେମମୟ କଥା ହେବାକୁ ତୁମ ସହ, କିନ୍ତୁ କେବେ ବି ପ୍ରେମର ଚରମ ଭାବନାକୁ ପ୍ରକାଶ କରିବାକୁ ସାହସ କରିପାରି ନଥିଲି। 

--ତୁମର ମନେ ଅଛି ଅନିଲ ? ଯେତେବେଳେ ଆମେ ପ୍ରଥମେ ପ୍ରଥମେ କଥା ହେଉଥିଲେ ତୁମ ମନରେ ମୋ ପ୍ରତି ଭରିଥିଲା ଅସୁମାରୀ ବିଶ୍ୱାସ। ଆଉ ତାହା ଦେଖି ମୁଁ ବି ତୁମ ପ୍ରତି ସମର୍ପିତ ହୋଇଗଲି। ଚର୍ମ ଚକ୍ଷୁରେ ଦେଖା ନ ହେଲେ ବି ଉଭୟ ଉଭୟଙ୍କୁ ମନ ଦେଇ ଦେଇଥିଲେ।

--ତୁମେ ସମସ୍ତଙ୍କଠାରୁ ଅଲଗା ଥିଲ, ଅନିଲ। ଅନେକ ଲୋକ ମୋ ସହ କଥା ହୁଅନ୍ତି। କେହି କିନ୍ତୁ ମୋ ଭିତରେ ପ୍ରଭାବ ଆଣି ପାରି ନଥିଲେ। ସମସ୍ତେ ଥଟ୍ଟାମଜା ସହ ମୋର ରୂପ ସୌନ୍ଦର୍ଯ୍ୟ ପ୍ରତି ଆକୃଷ୍ଟ ଥିବା ବେଳେ ତୁମେ ମୋ ଭବିଷ୍ୟତ ସହ ଝିଅର ପାଠପଢ଼ା ପ୍ରତି ବି ଢେର ମନ ଦେଉଥିଲ । ଯାହା ମତେ ତୁମ ପ୍ରତି ଅନୁରକ୍ତ କରାଇଥିଲା।

--ସମୟ କ୍ରମେ ଭିଡିଓ କଲରେ ତୁମକୁ ଦେଖିଲି। ତୁମର ସେ ଶାନ୍ତ ଚେହେରା, ନିରୀହ ଭାବ ଆଉ ଆମ ମାଆ ଝିଅ ଦୁହିଁଙ୍କ ପ୍ରତି ସମର୍ପଣ ଭାବନା ମୋତେ ତୁମ ଆଡ଼କୁ ଆକୃଷ୍ଟ କରିଥିଲା ତୀବ୍ର ଭାବରେ। ଫେସବୁକର ସେ କୁହୁକିନୀ ମାନେ ଅନ୍ୟ ପୁଅମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରୁଥିଲା ବେଳେ ତୁମେ ଏସବୁ ଠାରୁ ଥିଲ ଅନେକ ଦୂରରେ। 

--ବହୁତ ଥର ଚାହିଁଛି ତୁମକୁ ମୋ ମନ କଥା କହିଦେବାକୁ ହେଲେ ତୁମକୁ ଏତେ ପାଖରେ ଯାଇ ମଧ୍ୟ ସାହସ ଜୁଟାଇ ପାରି ନଥିଲି। ସତରେ ଚୁମ୍ବକ ପରି ତୁମର ସେ ଚେହେରା ମୋତେ ତୁମ ଆଡ଼କୁ ଆକର୍ଷିତ କରୁଥିଲା ବାରମ୍ବାର।

-- ପାଓଲୋଙ୍କ ଭାଷାରେ, “ଯଦି ମନରେ ସତ ପ୍ରେମ ଥିବ ତେବେ ବ୍ରହ୍ମାଣ୍ଡର ପ୍ରତ୍ୟେକ ବସ୍ତୁ ସେ ପ୍ରେମକୁ ମିଶାଇବାରେ ଲାଗିଯାଆନ୍ତି ।” 

--ଆଉ ମୋତେ ମିଳି ଯାଇଥିଲା ସୁବର୍ଣ୍ଣ ସୁଯୋଗ ଯେତେବେଳେ ଆମ ଭିତରେ ସମ୍ପର୍କ ନିବିଡତର ହେଲା ! ଆରମ୍ଭରେ ତୁମଠାରୁ ପ୍ରେମ ପାଠ ଛଡ଼ା ଆଉ କିଛି ଶୁଣିବାକୁ ମିଳୁ ନଥିଲା। ତେଣୁ ଚିନ୍ତା କରୁଥିଲି ସୁଯୋଗ ଦେଖି ବିବାହ ପ୍ରସ୍ତାବ ରଖିବି।

--ସମୟ କ୍ରମେ ତୁମକୁ ବିବାହ କରି ସଂସାର ଗଢିବାର ସ୍ବପ୍ନ ଦେଖି ଚାଲିଲି। ତୁମ କଥାବାର୍ତ୍ତାରୁ ଅନୁମାନ କରି ନେଇଥିଲି ତୁମେ ମୋ ଜୀବନକୁ ରଙ୍ଗମୟ କରିବାକୁ ପ୍ରସ୍ତୁତ।

-- ତୁମ ମୁହଁରୁ ବିବାହ କଥା ଶୁଣିବାକୁ ସବୁବେଳେ ବିବ୍ରତ ହେଇଯାଉଥିବା ବେଳେ ଲାଗୁଥିଲା ତୁମେ ଯେମିତି ତା ବିପକ୍ଷରେ ଥିଲ । ସେ ବିଷୟରେ ସର୍ବଦା ନିରବତା ଅବଲମ୍ବନ କରୁଥିଲ।

--ସେଦିନ ମୋ ବଡ ଭଉଣୀ ମାଧ୍ୟମରେ ତୁମକୁ ବିବାହ ପାଇଁ ମୋ ତରଫରୁ ନିବେଦନ କରିଥିଲି ଆଉ ତୁମେ କଥାଟା ସେଇଠି ରଖି ଚୁପଚାପ ରହି ଯାଇଥିଲ । 

--ବହୁତ ବାଧିଥିଲା ତୁମର ସେ ବ୍ୟବହାର ସେଦିନ । ଭାବିଥିଲି ତୁମ ସହ କେବେ କଥା ହେବିନି କିନ୍ତୁ କାହିଁକି କେଜାଣି ରହି ପାରିଲିନି । ପୂରା ଦୂନିଆରେ ମୁଁ ତୁମର ଏକା ହିଁ ବାନ୍ଧବୀ ଥିଲି । ସେଥିପାଇଁ ଅନେକ ଝିଅଙ୍କର ଇର୍ଷାର ପାତ୍ରୀ ହେବାକୁ ପଡ଼ିଥିଲା ।

--କିଛିଦିନ ପରେ ବିବାହ ବିଷୟରେ କଥା ହେବାକୁ ଡାକିଥିଲି ତୁମକୁ ଆମ ଘରକୁ। ବିବାହ ବିଷୟରେ ଗୁରୁଜନଙ୍କ ସହ କଥା ହେବା ସହ କିଛି ମୁହୂର୍ତ୍ତ ତୁମ ସହ ବିତାଇବା ପାଇଁ କହିଥିଲି । 

--ମୋ କଥା ରଖି ତୁମେ ଭୁବନେଶ୍ବର ଆସିଲ ସିନା କିନ୍ତୁ ଘର ଯାଏ ଆସିବାରେ ଅସୁବିଧା ଭୋଗିଲ। ତୁମେ ହଠାତ୍ ଜିଦଖୋର ହୋଇଗଲ। ମୁଁ ତୁମର ସେ ସ୍ବଭାବ ଦେଖି ସେଦିନ ଆଶ୍ଚର୍ୟ୍ଯ ହୋଇଗଲି।

-- କଠୋର ଭାବରେ ଉଚ୍ଚ ସ୍ବରରେ ମୋତେ ଦୋଷ ଦେବା ସହ ଖାଲି ଗାଳି କରି କହିଲ, "ତୁମେ ଧନୀ ଘର ସହରୀ ଝିଅ ଆଉ ମୁଁ ସୁଦୂର ନୂଆପଡାରେ ରହୁଥିବା ସାଧାରଣ ଘରର ଗରୀବ ପୁଅ । ତୁମେ ହୁଏତ ସଉକ ପାଇଁ ବିବାହ କରୁଛ, କିନ୍ତୁ ମୋ ପାଇଁ ଏ ଛୋଟ ଚାକିରୀଟି ମୋର ପ୍ରଥମ ପତ୍ନୀ ଯାହାକୁ ବହୁ କଷ୍ଟରେ ମୁଁ ଯୋଗାଡ କରିଛି । ତଥାପି ଚାକିରି ଛାଡି ତୁମକୁ ଦେଖା କରୀବାକୁ ଆସିଲି। କିନ୍ତୁ ତୁମ ପରିବାର ପାଖରେ ମୋର କିଛି ମୂଲ୍ୟ ରହିଲା ନାହିଁ। ଆଉ ତା’ଛଡ଼ା ତୁମର ମୋର ଯେ କିଛି ବି ମେଳ ନାହଁ ! ନା ରୂପ ନା ବୟସ ନା ସାମାଜିକ ସ୍ଥିତି । ମୁଁ ତୁମଠାରୁ ବହୁତ ଭିନ୍ନ । ମୋ’ଠାରୁ ଆଉ କେବେ ପ୍ରେମର ଆଶା ବି ରଖିବନି, ନହେଲେ ମୋତେ ତୁମ ସହ ବନ୍ଧୁତା ବି ଭାଙ୍ଗିବାକୁ ପଡ଼ିବ ।” 

--ମୋର କିଛି କଥା ନଶୁଣି ମତେ ଦେଖା ନ କରି ତୁମେ ବିଜୁଳି ବେଗରେ ଫେରି ଯାଇଥିଲ ନୂଆପଡା ପଛକୁ ମୁହଁ ବୁଲେଇ । ମୁଁ କିନ୍ତୁ ଥିଲି ପିଲାଦିନୁ ଏକ ଜିଦିଆ । ପାର୍ବତୀ ଶିବଙ୍କୁ ପାଇବା ପାଇଁ ବର୍ଷେ ପର୍ଯ୍ୟନ୍ତ ତପସ୍ୟା କରିଥିଲେ । ସେମିତି ନିଜ ଜିଦରେ ଅଟଳ ରହି ତୁମକୁ ନିଜର କରିବାକୁ ମୋତେ ବି ବର୍ଷେ ଲାଗି ଯାଇଥିଲା।

--ସେଦିନ ଜାଣିଲି ତୁମ ଭିତରେ ବି ଗୋଟେ ବଡ ହୃଦୟ ବି ଅଛି, ଯେଉଁ ଦିନ ତୁମେ ମୋ ଅସୁସ୍ଥତା ଖବର ପାଇ ଆମ ଘରର ସବୁ ଲୋକଙ୍କୁ ଫୋନ କରି ବ୍ୟସ୍ତ କରି ପକେଇଲ। ତୁମେ ମୋ ବୋଉ ଫୋନରେ ମତେ କଲ କରି ସେଇ ମତାଣିଆ ସ୍ମିତ ହସି ଧୀରେକି କହିଥିଲ, “ଶୀଘ୍ର ଭଲ ହେଇ ଘରକୁ ଆସ। ତୁମ ବିନା ମତେ ଭଲ ଲାଗୁନି । ଆର ସପ୍ତାହରେ ମୁଁ ତୁମ ଘରକୁ ଯିବି। ଆମେ ଖୁବ୍ ଗପିବା।” 

--ତୁମର ଏତିକି କଥାରେ ଓ ତୁମ ଆସିବାର କଥା ଶୁଣି ଜାଣେନା, ମୋ ଦେହ ପୁରା ସୁସ୍ଥ ହୋଇ ଯାଇଥିଲା ।ସେଦିନର ସେ କଥା ପରେ ତୁମ ବାଟକୁ ଚାହିଁ ରହିଥିଲି ।

--ତା’ପରଠୁ ତୁମରି ଅପେକ୍ଷା ମୋତେ କୁଞ୍ଜବନ ପ୍ରେମ ପରି ହିଁ ଅନୁଭୂତ ହେଉଥିଲା । ତୁମେ ସବୁବେଳେ ମୋତେ କହୁଥିଲ, “ମୋତେ ଭୁଲି ଯିବନି ତ ସ୍ନେହ ? ତୁମ ପ୍ରେମ ମୋ ପାଇଁ ପ୍ରେରଣା ହୋଇସାରିଛି । ବହୁତ ଡର ଲାଗୁଛି କାଳେ ଏ ଦୁନିଆ ଆମକୁ ଅଲଗା କରିଦେବ !” 

--ଆଉ ମୁଁ ତୁମକୁ କୁହେ, “ଜହ୍ନଠାରୁ କ’ଣ ଜୋଛନାକୁ ଅଲଗା କରିହୁଏ? ତୁମର ଛାଇ ହୋଇ ମୁଁ ତୁମ ସହ ସବୁବେଳେ ଥିବି । ଆମ ପ୍ରେମ ଶାଶ୍ୱତ ଓ ଅମର । ତାକୁ କେହି ବି କଳଙ୍କିତ କରିପାରିବେନି କି ମାରି ପାରିବେନି ।”

--ତୁମର ସବୁଠାରୁ ଭଲ ଗୁଣ ଥିଲା, ତୁମେ କେବେ ମୋ ଭଲ ପାଇବାର ଅଯଥା ଲାଭ ଉଠାଉ ନଥିଲ । ସବୁବେଳେ କହୁଥିଲ ଆମ ପ୍ରେମ ଶାଶ୍ୱତ । ଏଥିରେ ମୁଁ କେବେ କଳଙ୍କ ଲଗାଇବାକୁ ଦେବିନି । ମୋ ଘରଲୋକଙ୍କ ବିଶ୍ୱାସ ମୋର ଖୁସି ପାଇଁ ତୁମେ ଭୁବନେଶ୍ବରରେ ଜାଗା କିଣି ଘର ଗଢ଼ିବାକୁ ରାଜି ହୋଇଥିଲ । ତେଣୁ ଏ କଥା ଆମ ପ୍ରେମକୁ ଆହୁରି ଗଭୀର କରି ଦେଇଥିଲା । 

--ତୁମ ପାଇଁ ମୁଁ ମୋ ଘର ଲୋକଙ୍କ ସହ ଅନେକ ଥର ଝଗଡା କରିଥିଲି। ସେମାନଙ୍କ ସହ ସହମତ ନ ହୋଇ ତୁମ ସହ ସଂସାର କରିବା ସ୍ୱପ୍ନରେ ମସଗୁଲ ହୋଇ ଯାଇଥିଲି ।

--ଆଜି ତୁମେ ମୋତେ ନିଜ ଠାରୁ କିପରି ଦୂର କରି ଦେଉଛ, ଅନିଲ ! କୋଉଠି ଅଭାବ ରହିଲା ମୋ ପ୍ରେମରେ? ଏମିତି ପ୍ରତାରଣା କାହିଁକି କରୁଛ ମୋ ସହ? କ’ଣ ଆଉ କେହି ମିଳିଗଲେ କି? ନା ମୋ’ଠାରୁ ମନ ମରିଗଲା? ମୁଁ ଟାଣିଥିବା ଲକ୍ଷ୍ମଣ ରେଖା ମୁଁ ନିଜେ ଲିଭାଇ ଦେଉଛି। ଏ ଦେହ ଓ ମନ ସବୁ ତୁମର। ମୋତେ ଏମିତି ଏକା କରି ଦୂରେଇ ଯାଅନି। ତୁମ ବିନା ଏବେ ବଞ୍ଚିବା କଷ୍ଟକର।


--“ଏମିତି କ’ଣ କହୁଛ ସ୍ନେହ ! ମୁଁ ଆମ ପ୍ରେମକୁ ସମ୍ମାନ କରେ। ଆଉ ତୁମେ କହୁଛ ମୁଁ ତୁମ ସହ….. ଛି ସ୍ନେହ ! ନା ମୁଁ ଏତେ ନୀଚ୍ଚ ନା ମୋ ପ୍ରେମ ଏତେ ଶସ୍ତା ନୁହେଁ ।ମୁ ସ୍ବିକାର କରୁଛି ତୁମେ ମୋର ପ୍ରଥମ ପ୍ରେମ ହୋଇ ନପାର , ହେଲେ ମୋ ଜୀବନର ଶେଷତମ ଆଶାର କିରଣ। ସବୁ ପ୍ରେମ ଯେ ପରିଣୟ ଡୋରରେ ବାନ୍ଧିହେବ, ତାହାର କିଛି ନିଶ୍ଚିନ୍ତତା ନାହିଁ । ତା’ର ଅର୍ଥ ନୁହେଁ ଯେ, ମୁଁ ଜାଣି ଜାଣି ତୁମ ଠାରୁ ଦୂରେଇ ଯାଉଛି । ମୋତେ ମୋ କର୍ତ୍ତବ୍ୟ ଓ ମାନବିକତା ଏମିତି କରିବାକୁ ଆଜି ବାଧ୍ୟ କରୁଛି ।”


--“କି କର୍ତ୍ତବ୍ୟ କି ମାନବିକତାର କଥା କହୁଛ, ଅନିଲ ? ମୋତେ ଦୂରେଇ ଦେବା କ’ଣ ତୁମ ମାନବିକତା? ମୋ ହୃଦୟକୁ ଆଘାତ ଦେବା କ’ଣ ତୁମ କର୍ତ୍ତବ୍ୟ? କାହିଁକି ଅନିଲ ? କାହିଁକି ମୋ ପ୍ରତି ଏତେ ଅନ୍ୟାୟ? କ’ଣ ମୁଁ ତୁମକୁ ଜୀବନ ଦେଇ ଭଲ ପାଉଛି ବୋଲି? ତୁମକୁ ନିଜର କରିବାକୁ ଚାହୁଁଛି ବୋଲି? କୁହ ଅନିଲ, କୁହ ।”


--ହଁ, ତୁମର ମନେ ଥିବ ସ୍ନେହ, ଦିନେ ବିଳମ୍ବିତ ରାତ୍ରିରେ ଅଫିସ କାମ ସାରି ଘରକୁ ଆସିଲା ବେଳେ ଘଟଣାଟେ ଘଟିଥିଲା। ଅଫିସରୁ ଫେରିବା ବାଟରେ ଗୋଟେ ଝିଅ ମୋ ଗାଡ଼ିକୁ ହାତ ଦେଖାଇଲା, କିନ୍ତୁ ମୁଁ ଅଚିହ୍ନା ଝିଅ ଭାବି ବିପଦର ଆଶଙ୍କା କରି ଗାଡି ନ ରଖି ସେଠାରୁ ଚାଲି ଆସିଥିଲି । ତା’ ପର ଦିନ ଜାଣିଲି ଗୋଟେ ଝିଅ ଗଣ ବଳାତ୍କାରର ଶିକାର ହୋଇ ହସ୍ପିଟାଲରେ ଆଡମିଟ୍ ହୋଇଛି । ସେ ପଟେ ଯିବା ବେଳେ ଦେଖିଲି ପାଖରେ ଜଣେ ବୁଢୀ ବିଧମା ମାଆ କାନ୍ଦି କାନ୍ଦି କହୁଥିଲା- ମୋ ଝିଅକୁ କେହି ରକ୍ଷା କର। ମୋର ଆଉ କେହି ନାହାନ୍ତି। ତାକୁ ନ୍ୟାୟ ଦିଅ।

-- ହଠାତ୍ ଆଖି ପଡିଲାରୁ ସେ ଝିଅକୁ କେଉଁଠି ଦେଖିବା ପରି ଲାଗିଥିଲା। ପର ଦିନ ସେ ଝିଅ ଟିକେ ଭଲ ହେବା ପରେ ତାକୁ ପଚାରିବାରୁ କହିଲା, ସେ ରାତିରେ କୌଣସି ଜଣେ ମୋଟର ସାଇକେଲ ଆରୋହୀଙ୍କୁ ସାହାଯ୍ୟ ଭିକ୍ଷା କରିଥିଲା କିନ୍ତୁ ସେ ସାହାଯ୍ୟ କରି ନଥିଲା । ତା’ପରେ ଚାରି ଜଣ ଲୋକ ତା’ସହ ଗଣ ବଳାତ୍କାର କରିଥିଲେ । ଯଦି ସେ ବ୍ୟକ୍ତି ଜଣକ ତାକୁ ସାହାଯ୍ୟ କରିଥାନ୍ତା, ହୁଏତ ସେ ଝିଅର ସମ୍ମାନ ବଞ୍ଚି ଯାଇପାରିଥାନ୍ତା । 

--ଏବେବି ସେ ଝିଅକୁ ପାଟି ଖୋଲିଲେ ଜୀବନରୁ ମାରିଦିଆ ଯିବାର ଧମକ ମିଳୁଛି। ଏସବୁ ପାଇଁ ମୁଁ ଦାୟୀ। ମୋତେ ହିଁ ତା’ର ହାତ ଧରିବାକୁ ହେବ। ତୁମେ ଶିକ୍ଷିତା ଆଉ ସ୍ୱାବଲମ୍ବୀ, କିନ୍ତୁ ସେ ଦରିଦ୍ର ଓ ଅସହାୟ। ବିଧବା ମାଆର ସାହା ଭରସା। ଏ ସବୁ ଜାଣିବା ପରେ ହୁଏତ ତାକୁ ତା’ ମାଲିକ ଆଉ କାମ ନ ଦେଇପାରେ। ଏ ସବୁ ଭାବି ସେ ଝିଅଟି ଆତ୍ମହତ୍ୟା କରିବାକୁ ଚେଷ୍ଟା ବି କରୁଥିଲା, ସ୍ନେହ। ମୁଁ ତାକୁ ଅଟକାଇବା ସହ ପ୍ରତିଶ୍ରୁତି ଦେଇଛି ତାକୁ ନିଜର କରିବି। ମୋ ଭୁଲର ପ୍ରାୟଶ୍ଚିତ କରିବି।

--“ପ୍ରତିଦିନ ଅନେକ ଝିଅ ଦୁଷ୍କର୍ମର ଶିକାର ହେଉଛନ୍ତି, ତୁମେ କ’ଣ ସମସ୍ତଙ୍କୁ ନିଜର କରିବ, ଅନିଲ?”

--“ନା ! ସମସ୍ତଙ୍କ ପାଇଁ ମୁଁ ନିଜକୁ ଦୋଷୀ ଭାବୁନି । କିନ୍ତୁ ସେ ଝିଅର ଅନିଷ୍ଟ ପାଇଁ ମୁଁ ଦୋଷୀ ।”

--“ତୁମେ ଭୁଲ କରୁଛ, ଅନିଲ ।”

--“ଭୁଲ କି ଠିକ ମୁଁ ଜାଣେନା, କିନ୍ତୁ ଭାବିନିଅ ମୁଁ ମୋର ପାପର ପ୍ରାୟଶ୍ଚିତ କରୁଛି ।”

--" ଅନିଲ !!!!!”

--“ନା ସ୍ନେହ, ମୋତେ ଆଉ ଅଟକାଅନି। ଏ ପର୍ଯ୍ୟନ୍ତ ମୋର ପ୍ରେରଣା ହୋଇ ଆସିଛ, ଏଇ କାମରେ ବି ମୋର ପ୍ରେରଣା ହୁଅ । ଆଜି ମାନବିକତା ପାଇଁ ମୋର ପ୍ରେମ ତୁମକୁ ପ୍ରତାରଣା ଲାଗୁଥିବ, କିନ୍ତୁ ମୋର ଏଇ ପଦକ୍ଷେପ ଆଗକୁ ଅନେକ ଝିଅଙ୍କର ଜୀବନ ନଷ୍ଟ ହେବାରୁ ବଞ୍ଚାଇ ପାରିବ ! ତୁମ ପ୍ରେମ ମୋ ପାଇଁ ପ୍ରସାଦ ସଦୃଶ, ସ୍ନେହ। ମୋତେ କ୍ଷମା କର। ମୁଁ ସବୁ ବେଳେ ତୁମ ପ୍ରେମର ଶିଡ଼ିରେ ଆଗକୁ ବଢ଼ିବି । ମୋର ଅନୁରୋଧ ତୁମେ ମୋ ପ୍ରେମକୁ କଳଙ୍କ ହେବାକୁ ଦେବନି। ସ୍ନେହ-ଅନିଲ ପ୍ରେମ କାହାଣୀ ଅମର ରହିବ। ଭାଗ୍ୟରେ ଥିଲେ 'ପୁଣି ଦେଖା ହେବ ଆର ଜନମରେ'। ମୋ କର୍ତ୍ତବ୍ୟର ପ୍ରେମକୁ ପ୍ରତାରଣା ବୋଲି କେବେ ବି ଭାବିବନି। ମୁଁ ରହୁଛି…”

--ଅନିଲ ଏତିକି କହି ଫୋନ କାଟିଦେଲା ପରେ ବି ତାର ଆସିବା ବାଟକୁ ଚାହିଁ ରହିଥିଲା, ସ୍ନେହ। ମନ ଭିତରେ ଅନେକ ପ୍ରଶ୍ନର ପ୍ରହେଳିକା ଛଟପଟ ହେଉଥାନ୍ତି। ନିଜ ଅଜାଣତରେ ଆଖିରୁ ଦୁଇ ଧାର ଲୁହ ବୋହି ଯାଇଥିଲା ଅମାନିଆ ହୋଇ। ସେ ଲୁହ ସୁଖର ନା ଦୁଃଖର?? ଭାବିବାକୁ ଚେଷ୍ଟା କରୁଥିଲା ସ୍ନେହ….


Rate this content
Log in

Similar oriya story from Romance