ଅନିଲ କୁମାର ଲେଙ୍କା

Inspirational

3  

ଅନିଲ କୁମାର ଲେଙ୍କା

Inspirational

ପ୍ରଥମେ ଘର କଥା

ପ୍ରଥମେ ଘର କଥା

2 mins
264


  ଗୋଟିଏ ଗାଆଁରେ ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତି ଥିଲେ । ତାଙ୍କର ନ୍ୟାୟ ବିଚାର କରିବାର ଦକ୍ଷତା ବେଶ୍ ଥିଲା । ଥରେ ସେ ଗ୍ରାମପଞ୍ଚାୟତ ସରପଞ୍ଚ ରୂପେ ନିର୍ବାଚିତ ହୋଇଗଲେ । ପୂର୍ବରୁ ସେ କେବଳ ନିଜ ଗାଆଁ ସମସ୍ୟା ବୁଝୁଥିଲାବେଳେ ଏବେ ଗ୍ରାମପଞ୍ଚାୟତ ଅଧୀନରେ ଥିବା ଏକାଧିକ ଗାଆଁର କଥା ବୁଝିଲେ । ହେଲେ ସେ ନିଜର ଘର ସମସ୍ୟା ପ୍ରତି ଆଦୌ ଦୃଷ୍ଟି ଦେଉନଥିଲେ ।

  ଦିନେ ସରପଞ୍ଚଙ୍କ ଗାଆଁକୁ ଅନ୍ୟ ଗାଆଁର କିଛି ବ୍ୟକ୍ତି କେତେଗୁଡିଏ ସମସ୍ୟା ନେଇ ବାହାରିଥାନ୍ତି । ସେମାନେ ସରପଞ୍ଚଙ୍କ ଗାଆଁକୁ ଆସିବା ବାଟରେ ଦେଖିଲେ ଏକ ଚାଷ ଜମିରେ ଚାରିଜଣ ଲୋକ ହଳ କରୁଥିଲେ । ସେମାନଙ୍କୁ ସରପଞ୍ଚଙ୍କ ନିକଟକୁ ଆସୁଥିବା ଲୋକମାନେ ପଚାରିଲେ, “ଭାଇମାନେ, ତୁମର ଘର କେଉଁଠି?”

  ଏହା ଶୁଣି ହଳୁଆ ଲୋକମାନେ କହିଲେ, “ଘରତ ଏଇ ସାମନାରେ । ହେଲେ ଘରର ମାଲିକ କିଛି ଶୁଣନ୍ତି ନାହିଁ ବୁଝନ୍ତି ନାହିଁ ।”

  ଏଥର ସରପଞ୍ଚଙ୍କ ନିକଟକୁ ଆସୁଥିବା ଲୋକମାନେ ଆଗକୁ ବଢିଲେ । ଗାଆଁ ମୁଣ୍ଡରେ ପହଞ୍ଚି ଦେଖିଲେ କେତେଜଣ ମହିଳା କୂଅରୁ ପାଣି ବାହାର କରୁଛନ୍ତି । ସେମାନଙ୍କୁ ଦେଖି ଆଗନ୍ତୁକ ଭଦ୍ରବ୍ୟକ୍ତିମାନେ ପଚାରିଲେ, “ସରପଞ୍ଚଙ୍କ ଘର କେଉଁଟା?

  ମହିଳାମାନେ କହିଲେ, “ଧଳାରଙ୍ଗବୋଳା ସେଇ ଘରଟି, ହେଲେ ଘରର ମାଲିକଙ୍କୁ କିଛି ଦେଖାଯାଉନାହିଁ । ଆପଣମାନେ ତୁଚ୍ଛାଟାରେ ତାଙ୍କ ପାଖକୁ ଯାଉଛନ୍ତି ।”

  ଯେଉଁ ସରପଞ୍ଚଙ୍କ ପାଖକୁ ଲୋକମାନେ ସେମାନଙ୍କର ସମସ୍ୟା ସମାଧାନ ପାଇଁ ଦୌଡୁଛନ୍ତି ତାଙ୍କର ପୁଣି ଏଭଳି ଅବସ୍ଥା । ତଥାପି ଆଗନ୍ତୁକମାନେ ଆଗକୁ ବଢିଲେ ।

  ସରପଞ୍ଚଙ୍କ ଘର ବାହାର ପଟ ଅଗଣାରେ ସେମାନେ ଜଣେ ବୁଢୀକୁ ଦେଖିଲେ । ତାଙ୍କୁ ଘରେ ସରପଞ୍ଚଙ୍କ ଉପସ୍ଥିତି ନେଇ ପଚାରିବାରୁ ସେ କହିଲେ, “ସରପଞ୍ଚ ତ ମରିଗଲେଣି, ଆପଣମାନେ ଯାଇ କ’ଣ କରିବେ?”

  ବୁଢୀ ମାଉସୀର ଏପ୍ରକାର କଥା ଭଦ୍ରବ୍ୟକ୍ତିମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଲା । ଠିକ୍ ଏତିକିବେଳେ ସରପଞ୍ଚବାବୁ ଘରୁ ହଠାତ୍ ବାହାରିଆସିଲେ । ସେ ଭଦ୍ରବ୍ୟକ୍ତିମାନଙ୍କୁ ଘରକୁ ଡାକି ବସାଇବା ସହିତ ଅତିଥି ସତ୍କାର କଲେ ।

  ତା’ପରେ ଆସିବାର କାରଣ ଆଗନ୍ତୁକମାନଙ୍କୁ ପଚାରିବାରୁ ସେମାନେ କହିଲେ, “ପ୍ରଥମେ ଆପଣ ନିଜ ବିଷୟରେ କୁହନ୍ତୁ । ଆପଣଙ୍କ ବିଷୟରେ ଲୋକମାନେ ଏଭଳି ସବୁ ମନ୍ତବ୍ୟ ଦେବାର କାରଣ କ’ଣ?”

  ସରପଞ୍ଚ କହିଲେ, “ମୋର ପରିବାର ବହୁତ ବଡ, ସେଥିରେ ଅନେକ ପ୍ରବୃତ୍ତିର ଲୋକ ଅଛନ୍ତି । ଆପଣମାନେ ବାଟରେ ଦେଖି ଆସିଥିବା ହଳୁଆମାନେ ହେଲେ ମୋର ଚାରିପୁଅ । ସେମାନେ କାମ କରିବାକୁ ଚାହାନ୍ତି ନାହିଁ । ସବୁବେଳେ କଳିତକରାଳରେ ବ୍ୟସ୍ତ ରହନ୍ତି । କୂଅପାଖରେ ଥିବା ମହିଳାମାନେ ମୋର ବୋହୂ । ସେମାନେ ପରସ୍ପରର ଗହଣା ଗାଣ୍ଠିକୁ ଦେଖି ଈର୍ଷାପରାୟଣ ହୋଇ ଟିକିଏ ଟିକିଏ କଥାରେ ଗଣ୍ଡଗୋଳ ଭିଆଇଥାନ୍ତି । ଏଭଳି ଅମାନିଆ ପୁଅବୋହୂଙ୍କ କଥା ମୁଁ ଆଦୌ ଶୁଣେନାହିଁ ବୋଲି ସେମାନେ ମୋ ଉପରେ ଅସନ୍ତୁଷ୍ଟ । ଆଉ ଯେଉଁ ବୁଢୀଟି ଦୁଆରେ ବସି ରହିଥିଲା ସେ ମୋର ସ୍ତ୍ରୀ, ଯିଏ ପ୍ରତିଦିନ ମୋ ସହିତ ଝଗଡା କରେ ତୀର୍ଥଯାତ୍ରାରେ ଯିବ ବୋଲି । ତା’ର କଥାରେ ରାଜି ନ ହେବାରୁ ସେ ଏଭଳି କଥା କହୁଛି ।”

  ଏଥର ଆଗନ୍ତୁକମାନେ ବୁଝିଗଲେ ଯେ, ଏଭଳି ସମସ୍ୟା ସବୁ ଘରେ, ସବୁ ଗାଆଁରେ ରହିଛି । ସେ ସବୁକୁ ପ୍ରଥମେ ସମାଧାନ ନ କରି ଯିଏ ଅନ୍ୟର ସମସ୍ୟା ସମାଧାନ କରିବାକୁ ମନ ବଳାଏ, ସେଭଳି ଲୋକ ଏଇ ସରପଞ୍ଚଙ୍କ ଭଳି ହାସ୍ୟାସ୍ପଦ ହେବାକୁ ହୁଏ । 

 ସୁତରାଂ ପ୍ରତ୍ୟେକ ବ୍ୟକ୍ତି ଧୈର୍ଯ୍ୟ, ସହନଶୀଳତା ଗୁଣରେ ନିଜର ଘରର ସମସ୍ୟା ପ୍ରଥମେ ସମାଧାନ କରିବା ଉଚିତ୍ ।



Rate this content
Log in

Similar oriya story from Inspirational