STORYMIRROR

ଅନିଲ କୁମାର ଲେଙ୍କା

Inspirational Children

3  

ଅନିଲ କୁମାର ଲେଙ୍କା

Inspirational Children

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

2 mins
259

--ଜଣେ ବ୍ୟବସାୟୀ ପାଖରେ ଗୋଟିଏ ଘୋଡା ଥିଲା ତା ସହିତ ଗୋଟିଏ ଗଧ ମଧ୍ୟ ଥିଲା। ଉଭୟ ପଶୁ ହେଲେ ବି ଘୋଡାଟି ସବାର ପାଇଁ ଆଉ ଗଧଟି ବୋଝ ବୋହିବା ପାଇଁ ବ୍ୟବହାର ହେଉଥିଲେ। ସେ ବେପାରୀ ଘୋଡାରେ ବସେ ଆଉ ଗଧ ଉପରେ ବୋଝ ଲଦି ଗାଁ କୁ ଗାଁ ବୁଲି ବୁଲି ଚଦର/ବେଡସିଟ୍ ସବୁ ବିକୁଥିଲା। ମାଲିକ ଘୋଡାକୁ ବହୁତ ସ୍ନେହ ଶ୍ରଦ୍ଧା କରିବା ସଙ୍ଗେ ସଙ୍ଗେ ତା’ର ଖାଦ୍ୟାପେୟର ଉପଯୁକ୍ତ ଯତ୍ନ ନେଉ ଥିଲା । କିନ୍ତୁ ଗଧ କଥା ବେଶୀ ଚିନ୍ତା କରୁ ନଥିଲା।


--ଥରେ ସେ ବେପାରୀ ଜଣକ ଘୋଡା ଉପରେ ସବାର ହୋଇ ଗଧ ପିଠିରେ ବୋଝ ଲଦି ଅଲଗା ଗାଁକୁ ଯାଉଥିଲେ। ସେଦିନ ବୋଝ ଟିକେ ଅଧିକ ଥିଲା। ଗଧ ଏତେ ବୋଝ ଲଦି ନ ଥିଲା ଆଗରୁ। ତା’ଛଡା ରାସ୍ତା ସବୁ ଆବଡା ଖାବଡା ଥିଲା । ତେଣୁ ଏଭଳି ରାସ୍ତାରେ ଗଧଟି ଅତି ସତର୍କ ଭାବରେ ଯାଉ ଥିଲା ।


--କିଛି ବାଟ ଗଲାପରେ ଗଧ ବ୍ୟସ୍ତ ହୋଇକି କହିଲା, "ଘୋଡା ଭାଇ ମୋର ଏତେ ବୋଝରୁ ତୁମେ ଟିକେ ବୋଝ ମୋ ଠାରୁ ନିଅ। ଆଉ ମୁଁ ଏତେ କଷ୍ଟରେ ଚାଲି ପାରୁ ନାହିଁ। ତୁମେ ମୋର ଏତିକି ଉପକାର କଲେ ମୁଁ ଜୀବନ ସାରା ତୁମର ଉପକାରକୁ କେବେ ଭୁଲିବି ନାହିଁ। ଆଉ କଥା ଦେଉଛି ଜୀବନ ସାରା ତୁମର ସେବା ମୁଁ କରିବି।"


--ଏକଥା ଶୁଣି ଘୋଡା ଚିଡି ଉଠି କହିଲା – "ତୁମେ କ’ଣ କହୁଛ? ଗଧ ଛୁଆ। ମୁଁ କେବେ ବୋଝ ବୋହିବା କାମ କରିଛି ଯେ ଆଜି ତୁମେ କହିବା ସଙ୍ଗେ ସଙ୍ଗେ ମୁଁ ତୁମର ବୋଝ ବୋହିବା କାମ କରିବି। ଖବରଦାର୍ ଏଭଳି କଥା ଆଉ କେବେ କହିବ ନାହିଁ। ଦେଖିଛ ତ ମୋର ଖାତିରଦାରି କେମିତି ହେଉଛି।"


--ବିଚରା ଗଧ–ଆଉ କିଛି କହିଲା ନାହିଁ କେବଳ ଆଖିରୁ ଅଶ୍ରୁ ଗଡାଇଲା। ରାସ୍ତାରେ ଚାଲିବା ତା ପକ୍ଷରେ ଅସମ୍ଭବ ହୋଇ ପଡିଲା। ନିଜର ଭାରସାମ୍ୟ ହରାଇ ସେ ରାସ୍ତା କଡରେ ଥିବା ଖାଲ ମଧ୍ୟରେ ଗଧଟି ଅଚାନକ ପଡି ଗଲା। ଆଉ ପଡିବା ସଙ୍ଗେ ସଙ୍ଗେ ତା’ର ଗୋଟିଏ ଗୋଡର ହାଡ ଭାଙ୍ଗିଗଲା।


-- ବେପାରୀ ଜଣକ କ’ଣ କରିବ ଏଥର? ସେ ସଙ୍ଗେ ସଙ୍ଗେ ଗଧ ପିଠିରୁ ସବୁ ବୋଝ ବାହାର କରି ଘୋଡା ପିଠିରେ ଲଦିଲା। ତା’ପରେ ଗଧକୁ ମଧ୍ୟ ସେହି ଘୋଡାର ପିଠି ଉପରେ ଲଦି ଦେଲା। ଘୋଡା ଏତେ ଓଜନ ବୋହିବାରେ ଅକ୍ଷମ ଥିଲା ତଥାପି ସେ ବହୁ କଷ୍ଟରେ ତାହାକୁ ବୋହିବାକୁ ଲାଗିଲା।


--ଏବେ ଅସୁବିଧା ଆସି ଥିବାରୁ ଘୋଡାର ସବୁ ଅଭିମାନ ନିମିଷକ ମଧ୍ୟରେ ଉଭେଇ ଗଲା। ସେ ପଶ୍ଚାତାପ କରୁ କରୁ ଭାବି ନେଲା କି–ହାୟ ଏଇଟା ତ ବହୁତ ଖରାପ କଥା ହେଲା। ମୁଁ ଏତେ ଭାରି ବୋଝକୁ କେମିତି ନେଇ ଚାଲିବି? ବିଚରା ଗଧ କହି ଥିଲା–ବାସ୍ ଅଳ୍ପ କିଛି ବୋଝ ତୁମେ ଲଦି ଚାଲ। ଯଦି ମୁଁ ସେତେବେଳେ ଗଧର କଥାରେ ରାଜି ହୋଇଥାନ୍ତି ତେବେ, ସେ ଗାତରେ ନଥାନ୍ତା କି ଏହି ପାହାଡ ପରି ମାଲ୍ ପତ୍ର ମୋତେ ବୋହିବାକୁ ପଡିନଥାନ୍ତା।


--ତେବେ ଯାହା ତ ହୋଇ ଯାଇଛି ଯାଇଛି, ଏବେ ପଶ୍ଚାତାପ୍ କଲେ ଫଳ କ’ଣ ମିଳିବ? ମୋର ଆଗରୁ ଭାବିବାର ଥିଲା ଯେ ଗଧର କିଛି ବୋଝ ମୁଁ ଯଦି ବୋହି ଥାନ୍ତି ତେବେ ଆଜି ମୋତେ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡି ନଥାନ୍ତା। ମୋର କର୍ତ୍ତବ୍ୟ ଥିଲା ଗଧକୁ ସାହାଯ୍ୟ କରିବା। ଦୁର୍ବଳର ଦୁଃଖକୁ କିଛି ପରିମାଣରେ ଲାଘବ କରିବା। ତାଙ୍କ ହାତ ସହିତ ହାତ ମିଳାଇ ସାହାଯ୍ୟ କରିବା। ତେବେ ବର୍ତ୍ତମାନ ମୋର ପ୍ରାୟଶ୍ଚିତ କରିବା ହିଁ ସାର ହେବ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational