ଅନିଲ କୁମାର ଲେଙ୍କା

Tragedy Inspirational

3  

ଅନିଲ କୁମାର ଲେଙ୍କା

Tragedy Inspirational

## ଭଦ୍ର-ମୂଖା ##

## ଭଦ୍ର-ମୂଖା ##

3 mins
308



ହେଇଟି ମମତା ବୋଉ, କୁଆଡେ ଗଲକି ? ଆରେ ଗୋସେଇଁ ଆଜ୍ଞା ଆଳତୀ ଆରମ୍ଭ କଲେଣି। ମା ଠାକୁରାଣୀଙ୍କ ଘଣ୍ଟ ମାଦଳ ବାଜିଲାଣି। ଚଉଁରା ମୂଳେ ସଂଜବତୀ ଲଗେଇବା ବେଳ ପରା ଗଡିଲାଣି। କେତେ ବେଳେ ଲଗେଇବ କି? ଗୋବିନ୍ଦ ଦାଦା ହୁରି ପକଉଥାଏ। 


ଓହୋ ଏ ଝିଅଟା କୁଆଡେ ଯାଇଛି କେଜାଣି, ତାର ବି ଦେଖା ନାହିଁ। 


ସେ ନଈ ଆଡ଼େ ଯାଇଛି ଆସୁଥିବ, ତମେ ଖାଲିଟାରେ ଯାହା ଘରଟାକୁ ଉଠାଉଛ ପକାଉଛ। ମମତା ବୋଉ ବିରକ୍ତ ହୋଇ କହିଲା।

ଏ କଥା ଗୋବିନ୍ଦ ଦାଦା ଶୁଣିଥିବ କି ନାହିଁ, ବିକଟାଳ କାନ୍ଦଣା ଶୁଣି ଧଡ ପଡ ହୋଇ ପଦାକୁ ଆସି ଦେଖନ୍ତି, ମମତା ଚୁଟି ଆଲୁରା ବାଲୁରା, ପିନ୍ଧା କପଡା ଚିରି ଯାଇଛି, ଦେହ ହାତ ଧୂଲି ମାଟିରେ ବୋଳି ହୋଇଛି। 


ତାକୁ ଧରି ହଲେଇ ହଲେଇ ବାସନ୍ତୀ ଖୁଡୀ ପଚାରୁଛି- କୋଉଠି ମୁହଁ କଳା କରିକି ଆସିଚୁ ଲୋ ପୋଡ଼ା ମୁହିଁ, କିଏ ତୋର ଏ ଦଶା କରିଛି ?

ଝିଅକୁ ଏମିତି ଅବସ୍ଥାରେ ଦେଖି ଗୋବିନ୍ଦ ଦାଦା ଆସି ତା ଦେହରେ ପିନ୍ଧା ଗାମୁଛା ଘୋଡେଇ ଦେଇ ପଚାରିଲେ, କହ କିଏ ତୋର ଏ ଅବସ୍ଥା କରିଛି ? ତାକୁ ଜୀବନ ରୁ ମାରିଦେବି, କହ ତା ନାଆଁ ? 


ମମତା କ୍ଷଣ ଗମ୍ଭୀର କଣ୍ଠରେ ତାର ଏ ଅବସ୍ଥା ପାଇଁ ସାନ ଗୋସେଇଁ ଦାୟୀ ବୋଲି କହିଲା। ଝିଅ ପାଟିରୁ ସାନ ଗୋସେଇଁ ନା ଶୁଣି ଚଡ଼କ ମାରିଲା ପରି ମୁଣ୍ଡ ରେ ହାତ ଦେଇ ଥମ୍ କିନା ବସି ପଡିଲେ ଗୋବିନ୍ଦ ଦାଦା।


ଘଟଣା କ'ଣ ବୋଲି ବାସନ୍ତୀ ଖୁଡୀ ପଚାରିବାରୁ ମମତା କହିଲା, ନଈ ପଠାରୁ ଫେରିଲା ବେଳେ ସାନ ଗୋସେଇଁ ମୋ ପାଟିକୁ ଚାପି ଧରି ଆଖୁ କିଆରୀକୁ ଟାଣି ନେଇ ଜୋର୍ ଜବରଦସ୍ତ କରିବାକୁ ଆରମ୍ଭ କଲା। ମୁଁ ଅଟକେଇବାରୁ ମୋ ଚୁଟିକୁ ଧରି ମାଡ ବି ମାରିଲା। ମୁଁ ଯେତେବେଳେ ଚିତ୍କାର କରିବାକୁ ଲାଗିଲି ମୋ ପାଟିକୁ ସେ ମାଡି ବସିଲା। ଆଉ ମଦ ଗନ୍ଧର ପାଟିରେ ମୋତେ ଅକଥା କହିଲା… ଆଉ ତା'ପରେ--- କାନ୍ଦିବାକୁ ଲାଗି ଥାଏ ମମତା


ଗୋସେଇଁଙ୍କ ଭାରି ଡାକ.. ଚାରି ଖଣ୍ଡ ମଉଜା ଲୋକ ତାଙ୍କୁ ମାନନ୍ତି। ତାଙ୍କୁ ଗୁହାରି କଲେ ସେ ଠିକ୍ ନିଷ୍ପତ୍ତି କରିବେ। ଗୋବିନ୍ଦ ଦାଦା ଗାଁ ସଭାରେ କାକୁତି କରିବାକୁ ଭାବିଲା। 


ନିର୍ଦ୍ଦିଷ୍ଟ ଦିନ ଗାଁ ସଭା ବସିଲା ମମତାକୁ ନ୍ୟାୟ ଦେବା ପାଇଁ। ବଡ ଗୋସେଇଁ ସବୁ ଶୁଣିଲେ। ଏବେ ତାଙ୍କର ନିଷ୍ପତ୍ତିର ସମୟ। ସମସ୍ତ ଗାଆଁ ଲୋକ ଅପେକ୍ଷା କରିଥାନ୍ତି ନିଷ୍ପତ୍ତି ଶୁଣିବାକୁ ।


ଗୋସେଇଁ ବିଚାର ଆରମ୍ଭ କହିଲେ- ନିୟମ ଅନୁସାରେ ଇଜ୍ଜତ୍ ଲୁଟିଥିବା ପୁଅ ହିଁ ସେ ଝିଅକୁ ବିବାହ କରିବ। କିନ୍ତୁ ତମେ ହଉଛ ଜାତିରେ ଛୋଟ ତେଣୁ ସେଥିପାଇଁ ମୁଁ ହାତ ଯୋଡୁଛି ଏ ବିବାହ ହୋଇ ପାରିବନି। କିନ୍ତୁ କଥା ଦଉଛି ଏ ଝିଅର ବିବାଘର ଖର୍ଚ୍ଚ ଗୋସେଇଁ ଘର ବହନ କରିବେ। ଆଉ ଏଇ ଦୁଷ୍କର୍ମର ଶାସ୍ତି ପାଇଁ ପୁଲିସ ହାତରେ ସାନ ଗୋସେଇଁକୁ ଦିଆଯିବ। ସେଠି ଯାହା ଆଇନ୍ ଦଣ୍ଡ କରିବ।


ଏ କଥା ଶୁଣି ସାଧୁ ସାଧୁ ଶବ୍ଦରେ ସମସ୍ତେ ଗୋସେଇଁକୁ ବାହା ବାହା ଦେଲେ। 


ଗୋବିନ୍ଦ ଦାଦା କିନ୍ତୁ ଏ ନିଷ୍ପତ୍ତିରେ ଖୁସି ନଥିଲେ। ଭାରି ଚିନ୍ତା ଓ କଷ୍ଟରେ ଝିଅକୁ ଧରି ଫେରୁ ଥାଏ। ମନରେ ଅନେକ ପ୍ରଶ୍ନ। କଣ କରିବ ଛୋଟ ଜାତି ନା। ନହେଲେ ପଚାରି ଥା'ନ୍ତା। ଆମେ ଜାଣିଛୁ ପୁଲିସ ବାଲା ଖାଲି ନା କୁ ବାନ୍ଧି ନେବେ। ଆମେ ତ ମୂରୁଖ ଲୋକ। କୋର୍ଟ କଚେରୀ ନା ଶୁଣିଲେ ଡର। ସେଇଠିକି ଯିବ କିଏ ମକଦ୍ଦମା ଲଢିବ କିଏ ? ଦି ଚାରି ମାସରେ ସେଇ ଦୋଷୀ ପୁଣି ଆସି ଖୋଲା ରେ ଆଉ ଗୋଟେ କାଣ୍ଡ କରୁଥିବ !



ଗୋବିନ୍ଦ ଦାଦା ର କଥା ସତ ହେଲା। ସାନ ଗୋସେଇଁ ନିର୍ଦୋଷରେ ଖଲାସ଼୍ ହେଲା। କିନ୍ତୁ ଗାଆଁ ସାହି ପଡିଶାରେ ଗୋବିନ୍ଦ ଦାଦାର ପରିବାର ଯେମିତି ଆହୁରି ଛୋଟ ହୋଇଯାଇଥିଲେ। ସବୁଠୁ କଷ୍ଟକର ହୋଇଯାଇଥିଲା ମମତା ପାଇଁ, ତାକୁ ଯେମିତି ଦିନକୁ ଦିନ ନୂଆ ନୂଆ ନାଆଁ ମିଳି ଯାଇଥିଲା-କଳଙ୍କିନୀ, ଚରିତ୍ରହୀନା, ବାରଙ୍ଗନା ଆଉ କେତେ କ'ଣ। ବଜାର ଘାଟ ଦୂର କଥା, ଘରୁ ଗାଁ ଦାଣ୍ଡ କୁ ବାହାରିବା କଷ୍ଟସାଧ୍ୟ ଥିଲା ସେ ଅବଳାଟି ପାଇଁ।


ଗାଁ ଠାରୁ କାହିଁ କୋଉ ଦୂରରେ ମାଳତୀର ବହୁ କଷ୍ଟରେ ବାହାଘର ହେଇଗଲା ଯୋଉଠି ମଲେ ଦୁଇ ଦିନ ଲାଗିଯିବ ଖବର ଆସିବ ପାଇଁ। ତା ମାନେ ନୁହେଁ ଗୋବିନ୍ଦ ଦାଦା ଖୋଜି ନଥିଲେ ଗାଁ ପାଖା ପାଖି ! କିନ୍ତୁ କଣ କରିବ ତୁଣ୍ଡ ବାଇଦ ସହସ୍ର କୋଷ।


ଘଟଣାକୁ ୫-୭ ବରଷ ବିତି ଗଲାଣି, ଲୋକଙ୍କ ମନରୁ କଥା ବି ଲିଭି ଯିବନି। କିନ୍ତୁ ଗୋବିନ୍ଦ ଦାଦା କାନ୍ଦି କାନ୍ଦି ତଣ୍ଟି ଛିଡ଼ାଇ ପାଟି କରିକି କହୁଛି । ହେଲେ କିଏ ଶୁଣିବ ତା କଥା। ସମସ୍ତେ ତା ଆଜି ସାନ ଗୋସେଇଁ କୁ ମଦିର ର ପ୍ରଧାନ ଗୋସେଇଁ ବନେଇବାରେ ବ୍ୟସ୍ତ। 


ସେ ମା ଠାକୁରାଣୀ ବି କିଛି କହୁନି। ଯୋଉ ହାତରେ ସେ ଝିଅଙ୍କ ବସ୍ତ୍ର ଅଲଗା କରିଛି, କଳଙ୍କିନୀ/ଚରିତ୍ରହୀନା ସଜେଇଛି, ସେ କେମିତି ମା ଠାକୁରାଣୀ କୁ ବସ୍ତ୍ର ଦେବ ? ଗୋଟେ ପ୍ରକୃତ ଚରିତ୍ରହୀନ ପାଖରୁ କେମିତି ସେ ପୂଜା ପାଇବ ?


ଏଇତ ଦୁନିଆ ର ଅବୈଧ ରୂପ, ସମାଜର ମାନ ଦଣ୍ଡ ଅମଣିଷଙ୍କ ହାତରେ !


ଯଦି ସମୟ ଥାଉ ଥାଉ ଆମେ ପ୍ରଶ୍ନ ନକରିବା ନିଜ ଅଧିକାର ନ ଜାଣିବା ଓ ସାବ୍ୟସ୍ତ ନ କରିବା, ତା ହେଲେ ଗୋବିନ୍ଦ ଦାଦା ଓ ମମତା ପରି ଅଲୋଡା ହୋଇଯିବା। ମୁଣ୍ଡେଇବା ସବୁ ଅପବାଦ କିଛି ପଇସା ବଦଳରେ। ଆଉ ଗୋସେଇଁ ପରି ଭଦ୍ର ମୁଖା ପିନ୍ଧା ଚରିତ୍ରହୀନ ମାନେ ଏମିତି ଭକୁଆ ବନଉଥିବେ। କିଞ୍ଚିତେ ଦେଇ ମେଞ୍ଚାଏ ଖାଉଥିବେ ! ଅନ୍ଧାରରେ ନାରୀଙ୍କ ବସ୍ତ୍ରହରଣ କରୁଥିବେ ଓ ଆଲୁଅରେ ମା ଠାକୁରାଣୀଙ୍କୁ ବସ୍ତ୍ର ଚଢଉଥିବେ… 


ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଏହାର କଣ ବିରୋଧ ହେବା ଉଚିତ୍ ନୁହେଁ କି !


Rate this content
Log in

Similar oriya story from Tragedy