ଯା ଦେବୀ ସର୍ବଭୂତେଷୁ
ଯା ଦେବୀ ସର୍ବଭୂତେଷୁ
ଏ ବର୍ଷ ଦୁର୍ଗାପୂଜା ସମୟର କଥା। ଚାରିଆଡେ କରୋନା କଟକଣା ଭିତରେ ମା'ଙ୍କ ପୂଜାର୍ଚ୍ଚନା। କିନ୍ତୁ ପ୍ରକୃତି ମା'ଙ୍କ ସ୍ୱାଗତରେ ଦିଗନ୍ତ ବିସ୍ତାରି ଦେଇଛି ସବୁଜିମା। ଚାରିଆଡେ ସବୁଜ ଧାନକ୍ଷେତ ସହ କାଶତଣ୍ଡୀର ଧବଳ ସମ୍ଭାର ମନ୍ତ୍ରମୁଗ୍ଧ କରୁଛି ଆବାଳ ବୃଦ୍ଧ ବନିତାକୁ।
ମାମାର ବାପା ଭାରତୀୟ ସେନା ବାହିନିରେ ଚାକିରି କରନ୍ତି। ଲାଦାଖର ସିଆଚେନରେ ପୋଷ୍ଟିଙ୍ଗ ଏବେ। ଚୀନ ସୈନିକଙ୍କ ଦୌରାତ୍ମ୍ୟ ସୀମାରେ ବଢିଛି। ତେଣୁ ବେଳେ ବେଳେ ଵରଷକୁ ଥରେ ବି ଛୁଟି ନେଇ ଆସି ପାରନ୍ତିନି। ମାମାର ଘରେ ତା ବୋଉ ଆଶା ଆଉ ଜେଜେ ମାଆ ରୁହନ୍ତି। ସ୍ବାମୀ ଅନୁପସ୍ଥିତିରେ ଦେହ ଓ ମନ ଭାଙ୍ଗି ପଡିଲେ ମଧ୍ୟ ଆଖିରୁ ଲୁହ ପୋଛି ଦେଇ ସବୁ କିଛି ବୁଝାବୁଝି କରେ ଆଶା।
ଚାରିଆଡ଼େ ଖାଲି ଶାଗୁଣା ଚିଲ ଆଖି। ଘରେ ପୁରୁଷ କେହି ନଥିବାରୁ ସମସ୍ତଙ୍କ ଲୋଲୁପ ଆଖି ଏ ପରିବାର ଉପରେ। ଟିକିଏ ନିରୋଳା ପାଇଲେ ଥଟ୍ଟା କରିବାକୁ ଆଗେଇ ଆସନ୍ତି ଛକରେ ଖଟି କରୁଥିବା ବଦମାସ୍ ଟୋକା ଦଳ। କିନ୍ତୁ ଆଶାର ସେ ଗମ୍ଭୀର ମୁହଁକୁ ଦେଖି କିଛି ଆଗେଇ ପାରନ୍ତିନି।
ଆଶାର ଶାଶୂ ଭାରି ଭଲ ମଣିଷଟିଏ। ବୋହୁ ଆଉ ନାତୁଣୀର ସୁରକ୍ଷା ପାଇଁ ସବୁବେଳେ ତତ୍ପର। ସାଇ ପଡ଼ିଶାର ସବୁ ବଦମାସ ଟୋକାମାନଙ୍କ ଗୁଣ ଜାଣିକି ସବୁବେଳେ ଗୋଡେ ଗୋଡେ ଜଗିଥାନ୍ତି ଆଶା ଆଉ ମାମାକୁ।
ପାଖ ଘରେ ଦୀନା ବୋଲି ଟୋକାଟେ ରହେ। ବୟସ ପାଖାପାଖି 25 ହେବ। ଭାଉଜ ଭାଉଜ ହୋଇ ସବୁ ବେଳେ ଆଙ୍କ ଘରକୁ ଆସେ। ତାର ବାରମ୍ବାର ଯିବା ଆସିବାଟା ଆଶାର ଶାଶୂଙ୍କୁ ଜମା ପସନ୍ଦ ନୁହଁ।
ଆଶାକୁ କିଛି ସେମିତି ଅନୁଭୂତ ହୁଏ ନାହିଁ। କିନ୍ତୁ ଶାଶୂଙ୍କ କଥା ହେଜରେ ରଖିଥାଏ। କଞ୍ଚା ବୟସରେ ସ୍ବାମୀ ଅନୁପସ୍ଥିତିରେ ଏ ମଣିଷ ରାକ୍ଷସଙ୍କ କବଳରୁ ନିଜକୁ କେମିତି ସିଏ ବଞ୍ଚେଇଛି ସିଏ ଜାଣିଛି।
କିନ୍ତୁ ମାମା ତ ଛ’ ବର୍ଷର ଛୁଆଟିଏ। ବୋଧ ଶକ୍ତି ଆସିନି। ଝିଅ ସହିତ କଥାଆଳରେ ବିଭିନ୍ନ କଥା ଆଶା ଜଣାଏ। କାହାକୁ ଦେହରେ ହାତ ଲଗେଇ ଦେବୁନି, ଅଜଣା ଲୋକ କିଛି ଦେଲେ ନେବୁନି ଓ ଏକୁଟିଆ କୁଆଡେ ବି ଯିବୁନି। ଏମିତି କେତେ କଣ।
କୋମଳମତୀ ନିଷ୍ପାପ ଛୁଆଟିଏ ଦୁନିଆ ବିଷୟରେ କିଛି ବି ଜାଣିନି। ତା ମୁଣ୍ଡରେ ଏତେ ସବୁ କଥା ପୁରେଇବାକୁ ଭଲ ଲାଗେନି ତାକୁ, ତଥାପି କେମିତି ଏତେ ବଡ଼ ଦୁନିଆରେ ତାକୁ ସୁରକ୍ଷିତ କରି ରଖିବ ସେଇ ଚିନ୍ତାରେ ସେ ବ୍ୟସ୍ତ ହୋଇ ପଡେ।
ସେଦିନ ମହାଷ୍ଟମୀ ଦୁର୍ଗାପୂଜା। ସକାଳୁ ଭୋରରୁ ଉଠି ଗାଧୋଇ ପାଧୋଇ ବ୍ରତ ରଖିଛି ଆଶା। ପଡୋଶୀ ଦୀନାଙ୍କ ଘରେ ନବରାତ୍ରି ଅବସରରେ ସେଦିନ ବଡ ପୂଜା ଥାଏ। ପୂଜାରେ ଆସିବ ବୋଲି କହି ଯାଇଥାଆନ୍ତି ଦୀନା ବୋଉ। ଆଉ ସେଇଠି ପ୍ରସାଦ ଖାଇକି ଯିବାକୁ ବି।
ଏ କଣ ! ମାମା ର ପାଟି ଜମା ଶୁଭୁ ନ ଥାଏ । ରୋଷେଇ ଘରୁ ବାହାରି ଚାରି ଆଡେ଼ ଆଖି ବୁଲେଇ ଦେଲା ଆଶା। ହେଲେ ମାମା କୋଉଠି ନାହିଁ । ଯାଇକି ଶାଶୂଙ୍କୁ ପଚାରିଲା । ଶାଶୂ ଭୟରେ କହିଲେ, ଇଲୋ ଇଲୋ ଆଉ ଟିକେ ଆଗରୁ ସେ ଦୀନା ଆସି ତାକୁ ଡାକୁ ଥିଲା ତାଙ୍କ ଘରକୁ। ପଛରେ ତୋ ସାଙ୍ଗରେ ଯିବ କହି ମୁଁ ମନା କରି ଦେଇ ଥିଲି । ତାଙ୍କ ଘରକୁ ପଳେଇଲାନି ତ ଆଉ !
ଦୀନା ଘରେ ବହୁତ ଜାକଜମକରେ ପୂଜାବିଧି ଚାଲିଥାଏ। ଘରେ ଲୋକ ଗତାଗତ। ମା'ଙ୍କ ସ୍ୱାଗତରେ ଶଙ୍ଖ ଘଣ୍ଟ ହୁଳହୁଳି ହେଉଛି। ରଙ୍ଗବେରଙ୍ଗ ଫୁଲ ଓ ଆଲୋକ ରେ ଘର ଝଲସି ଯାଉଛି। ଆଶା ଯାଇ ଦୀନାଙ୍କ ପୁରା ଘରଟା ଯାକ ଦେଖିଲା ହେଲେ ମାମାକୁ ପାଇଲାନି।
ବୋଧେ ବାଡ଼ିପଟେ ଛୁଆଙ୍କ ସହିତ ଖେଳୁଥିବ ଭାବି ବାଡ଼ିପଟକୁ ଗଲା। ନା ଏଠି ବି ନାହିଁ। କୁଆଡେ ଗଲା ? ମନଟା ଟିକେ ଦବିଗଲା ଆଶାର।
ଆଶାର ଶାଶୂ ବ୍ୟସ୍ତ ବିବ୍ରତ ହେଇ କହି ପକେଇଲେ- ଦୀନା କାହିଁ , ସେ ବାଡିପଡା ଜାଣି ଥିବ ମୋ ଛୁଆଟା କାହିଁ !
ଦୀନା ବୋଉ ରାଗି ଯାଇ କହିଲେ, ମାମା ଏଇଠି ଥିଲା ତ, ଯିବ କୁଆଡେ ? ଆଉ ମୋ ପୁଅକୁ କାହିଁକି ଏମିତି କହୁଛ ?
ଆଶାର ଶାଶୂ ଆଉ ଦୀନା ବୋଉର ଝଗଡା ଆରମ୍ଭ ହୋଇଗଲା ।
ମନକୁ ପାପ ଛୁଇଁଲା ଆଶାର। ତରତର ହୋଇ ବାଡି ପଛପଟେ କ୍ଷେତ ଆଡ଼କୁ ଦୌଡ଼ି ଯାଇ ପହଁଚିଲା ମାଳମାଳ ଫୁଟିଥିଵା କାଶତଣ୍ଡୀ ଭେଡା ପାଖରେ।
ହେଲେ ଏ କଣ ! ଗୋଟେ କଣକୁ ତଳେ ପଡି ଛାଟିପିଟି ହୋଉଛି ମାମା । ଜାମା ପଟା ଛିଣ୍ଡି ଯାଇଛି, କେଶ ଅସ୍ତ୍ୟ ବ୍ୟସ୍ତ। ଦୀନା ହାତରେ ତା ପାଟି ଟାକୁ ଚାପି ଦେଇ ତା ସାଙ୍ଗରେ ଦୁଷ୍କର୍ମ କରିବାକୁ ଚେଷ୍ଟା କରୁଥାଏ ।
ଆଶା ଏ ସବୁ ଦେଖି ହତବାକ୍। ହଠାତ୍ ତା ମୁଣ୍ଡକୁ କିଛି ଆସିଲାନି। ପାଖରେ ପଡିଥିବା ଧାନକଟା ଦା' ଉପରେ ନଜର ଗଲା ଆଶାର। ଅତ୍ୟଧିକ ରାଗ ଜରଜରରେ ଦୀନା ଉପରେ ଆକ୍ରମଣ କରି ରକ୍ତ ଜୁଡୁବୁଡୁ କରିଦେଲା। ତଳୁ ଉଠେଇ ମାମାକୁ କୁଣ୍ଢେଇ ପକେଇଲା ଆଶା।
ପାଟିତୁଣ୍ଡ ଶୁଣି ସାଇ ପଡିଶା ଲୋକେ ଆଶି ପହଞ୍ଚିଲେ। ଏ ସବୁ ଦେଖି ଶୁଣି ଚମକି ପଡିଲେ ସମସ୍ତେ। ଦୀନାର ରକ୍ତ ଜୁଡୁବୁଡୁ ଶରୀର ପଡିଛି। କିଛି ସମୟ ଭିତରେ ସବୁକିଛି ବୁଝି ପାରିଲେ ସମସ୍ତେ ।
ସମସ୍ତେ ବୁଝିପାରିଥିଲେ ଯେ ଆଜି ଆଶା ଭିତରେ ସ୍ବୟଂ ମହିଷାମର୍ଦ୍ଦିନୀ ମା' ଆବିର୍ଭାବ ହୋଇଛନ୍ତି। ପଛପଟୁ ସମସ୍ତେ ମୁଣ୍ଡିଆ ମାରି ଗୁଣୁଗୁଣୁ ହେଉଥିଲେ ।
""ଯା ଦେବୀ ସର୍ବଭୂତେଷୁ ‘ଶକ୍ତି’ ରୂପେଣ ସଂସ୍ଥିତା
ନମଃସ୍ତସ୍ୟେ ନମଃସ୍ତସ୍ୟେ ନମଃସ୍ତସ୍ୟେ ନମୋ ନମଃ ।