ଅନିଲ କୁମାର ଲେଙ୍କା

Inspirational Children

2  

ଅନିଲ କୁମାର ଲେଙ୍କା

Inspirational Children

ଅତିରୁ ଇତି

ଅତିରୁ ଇତି

2 mins
121


--ଅନେକ ବର୍ଷ ତଳର କଥାଟିଏ। ଗୋଟିଏ ଗାଁରେ ଦୁଇଭାଇ ବାସ କରୁଥିଲେ। ନିଜ ନିଜର କର୍ମ ଅନୁସାରେ ସମୟ କ୍ରମେ ବଡଭାଇ ଜଣକ ବଡଧନୀ ପାଲଟି ଯାଇଥିଲା ବେଳେ ସାନଭାଇ ଅତ୍ୟନ୍ତ ଗରିବ ହୋଇଯାଇଥିଲା। ଦୁହେଁ ଗୋଟିଏ ମାଆ ପେଟର ଦୁଇଭାଇ ହୋଇଥିଲେ ମଧ୍ୟ ସାନଭାଇର ଦାରିଦ୍ର୍ୟତାକୁ ବଡଭାଇ ଘୃଣା କରୁଥାଏ। କଥା କଥାରେ ଲୋକଙ୍କ ଆଗରେ ଦେଖାଇ ଶିଖେଇ ନାନା କୁତ୍ସାଟନା କରିବାକୁ ବି ପଛାଉ ନଥାଏ। ସାନ ଭାଇ କର୍ମକୁ ଆଦରି ସବୁ ସହିଯାଉଥାଏ।


--ସାନଭାଇ ଏମିତି ଦୁଃଖ କଷ୍ଟରେ କେତେ ଦିନ ବା ଚଳିବ? ଭାବିଲା କାହାଠାରୁ କିଛି ଟଙ୍କା କରଜ ଆଣି ବ୍ୟବସାୟ କରି ନିଜ ପରିବାର ପୋଷଣ କରିବ। ହେଲେ ତା’ର ଏଭଳି ଦୀନହୀନ ଅବସ୍ଥା ଦେଖି କେହି ତାକୁ ଟଙ୍କାଟିଏ ବି ଦେଲେ ନାହିଁ।


--ଶେଷରେ ସାନଭାଇ ବଡଭାଇ ପାଖକୁ ଯାଇ ତା’ର ଅଭିପ୍ରାୟ ଜଣାଇଲା । ମାତ୍ର ସେ ଟଙ୍କା ଦେବ କ’ଣ ତାକୁ ଗଳାଧକ୍କା ଦେଇ ଘରୁ ବିଦା କରିଦେଲା ।


 --ଏବେ ସାନଭାଇ ମନ ଦୁଃଖରେ ଘରକୁ ଫେରୁଛି ବାଟରେ ଦେଖିଲା ଏକ ମନ୍ଦିର। ସେହି ମନ୍ଦିର ପ୍ରାଙ୍ଗଣରେ ଜଣେ ସାଧୁବାବା ଈଶ୍ୱରଙ୍କୁ ଧ୍ୟାନ କରୁଥାନ୍ତି। ସେଇଠି ସାଧୁବାବାଙ୍କ ଆଗରେ ବସିଗଲା ସାନଭାଇଟି। କିଛି ସମୟ ପରେ ସାଧୁବାବା ଆଖି ଖୋଲିଲା ବେଳକୁ ଦେଖିଲେ ଲୋକଟିକୁ। ତତ୍ କ୍ଷଣାତ୍ ସେ ହାତଯୋଡି ସାଧୁବାବାଙ୍କୁ ତା’ର ଦୁଃଖ ଜଣାଇଲା।


--ସାନଭାଇର କଥା ଶୁଣି ସାଧୁବାବାଙ୍କ ମନରେ ଦୟାହେଲା। ସେ ତାଙ୍କର କମଣ୍ଡଳୁ ଭିତରୁ ଗୋଟିଏ ପାତ୍ର ବାହାର କରି ସାନଭାଇକୁ ଦେଲେ ଓ କହିଲେ, “ବତ୍ସ ! ଏଇ ପାତ୍ରଟିକୁ ନିଅ। ଏହା ଏକ ଯାଦୁପାତ୍ର। ଏହା ଉପରେ ହାତରଖି ଯାହା ମାଗିବ, ତୁମକୁ ସବୁ ମିଳିଯିବ। ହେଲେ ତୁମର ଯେତିକି ଲୋଡା ସେତିକି ମାଗିବ। ବେଶୀ ଲୋଭ କରିବ ନାହିଁ। ଆଉ ମନେରଖ, ମୁଁ ତୁମକୁ ଗୋଟିଏ ମନ୍ତ୍ର ଶିଖାଇ ଦେଉଛି। ସେହି ମନ୍ତ୍ର ଉଚ୍ଚାରଣ କରିବାମାତ୍ରେ ପାତ୍ରରୁ ଜିନିଷ ବାହାରିବା ବନ୍ଦ ହୋଇଯିବ।


--ସାନଭାଇ ଏଥର ପାତ୍ରଟିକୁ ଧରି ଖୁସିମନରେ ଘରକୁ ଫେରିଲା। ପାତ୍ର ଉପରେ ହାତରଖି ଖାଦ୍ୟପେୟ, ପୋଷାକପତ୍ର, ସୁନାଗହଣାଗାଣ୍ଠି, କୋଠାବାଡି ଆଦି ଯାହା ଦରକାର ସବୁ ମାଗିଲା ଓ ସଙ୍ଗେ ସଙ୍ଗେ ପାଇଗଲା ମଧ୍ୟ। ସାନଭାଇର ଚାଳଘରଟି ରାତାରାତି କୋଠାଘରରେ ପରିଣତ ହୋଇଯିବାରୁ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ସାନଭାଇର ଆଉ କୌଣସି ଜିନିଷରେ ଅଭାବ ରହିଲା ନାହିଁ।


 --ଏହା ଦେଖି ବଡଭାଇ ମନରେ ଈର୍ଷା ଜାତ ହେଲା। ଏହାର କାରଣ ଜାଣିବା ପାଇଁ ସେ ସାନଭାଇକୁ ଗୋଟି ଗୋଟି କରି ସବୁ କଥା ପଚାରିଲା। ସତେଯେପରି ଆଜ୍ଞାବହ ଭାଇଟି ପରି ବଡଭାଇକୁ ସବୁ ସତକଥା କହିଦେଲା ସାନଭାଇ। ଏସବୁ ଯାଦୁପାତ୍ରର କରାମତି କହିବାରୁ ବଡଭାଇ ଏହି ପାତ୍ରଟିକୁ ସାନଭାଇଠାରୁ ମାଗି ଆଣିଲା। ତା’ର ଲୋଭ ହେଲା ଆହୁରି ସମ୍ପତି ପାଇବା ଲାଗି।


-- ଘରେ ପହଞ୍ଚି ସ୍ତ୍ରୀକୁ ସବୁକଥା କହି ଦୁହେଁ ବସିଗଲେ ଅଧିକ ଧନରତ୍ନ ପ୍ରାପ୍ତି ଆଶାରେ। ବଡଭାଇ ପାତ୍ରଟି ଉପରେ ହାତରଖି ଟଙ୍କା, ସୁନା ମାଗିଲା। ତହୁଁ ଟଙ୍କାସୁନା ବାହାରି ଗଦା ହୋଇଗଲା, ଏବେ ଟଙ୍କା ସୁନା ପାହାଡ ଭଳି ଗଦା ହୋଇଗଲାଣି, ମାତ୍ର ବନ୍ଦ ହେଉ ନାହିଁ। କାରଣ ବନ୍ଦହେବା ମନ୍ତ୍ର ବଡଭାଇକୁ ଜଣା ନଥିଲା। ସାନଭାଇ ତା’ ପାଖରେ ନାହିଁ, ମନ୍ତ୍ର କଥା କହିବ କିଏ? ଶେଷରେ ସ୍ୱାମୀ ସ୍ତ୍ରୀ ଦୁହେଁ ସେହି ଟଙ୍କା ସୁନା ପାହାଡ ଭିତରେ ପୋତିହୋଇ ମରିଗଲେ।


--ଅତି ଲୋଭରୁ ବଡଭାଇର ଏଭଳି ଦଶାହେଲା ବୋଲି ଲୋକମାନେ କୁହାକୁହି ହେଲେ । ଆଉ ନିଷ୍କପଟ ହୃଦୟଧାରୀ ସାନଭାଇ ଜୀବନସାରା ଖୁସିରେ ରହିଲା !



Rate this content
Log in

Similar oriya story from Inspirational