ପାପ
ପାପ
ସମସ୍ତେ କହୁଥିଲେ ବୁଢ଼ାଟା କିଛି ପାପ କରିଛି । ନଲେ ଏତେ ଘାଣ୍ଟି ହେଲାଣି ଜୀବନ ଯାଉନି!!ଦେଖିବ ନର୍କ ପୁରେ ୟାକୁ ଠାବ ମିଳିବ ନାହିଁ । ଯମ ଦୂତ ମାନେ ବାନ୍ଧି ନେବେ,ତତଲା ଟକ୍ଟକ୍ ଫୁଟୁଥିବା ତେଲ କଡେଇରେ ପକାଇ ଦେବେ । କିଏ କହୁଥିଲା କରତ ଆଣି ଦି ଫାଳ କରି ଚିରିବେ । ଘୁହ ଖାତରେ ପକେଇବେ । ଯମକୁ କୁଷ୍ଠ ରୋଗ । ତା ଗୋଡ଼ରୁ ସବୁବେଳେ କାଳେ ପୂଜ ରକ୍ତ ଝରୁଥାଏ ପୁଳେ ପୁଳେ । ତାକୁ ହିଁ ଏ ବୁଢ଼ାଟା ଚାଟିବ ବୋଧେ । ଲୁଚେଇ କିଛି ପାପ ଯଦି କରିଛି କହି ଦେଇନି ହେତୁ ବୁଡା ଟା । କଲ ବଲ କରି ବଉଁଶ ଯାକଙ୍କୁ ଘାଟୁଛି ।
ଏମିତି କେତେ ଝିଙ୍ଗାସି କହୁଥାନ୍ତି ସାହି ଭାଇ । ତାଙ୍କ ସହିତ ପାଳି ଧରୁ ଥାଆନ୍ତି ବୁଢାଟିର ନିଜ ଲୋକେ । ବୋହୁ ସିଧା ସିଧା ମନା କରି ଦେଲାଣି ଆଉ ଘୁହ ମୁତ ଧୋଇ ପାରିବ ନାହିଁ । ତୁମ ବାପା ତୁମେ କର ।
ଜୀବନ ବେଳେବେଳେ ଏମିତି ଦୋ ଛକରି ଠିଆ କରିଦିଏ । ବିଶ୍ୱାସ ନକରୁଥିବା କଥାକୁ ମଣିଷ ପରିସ୍ଥିତି ପଡିଲେ ବିଶ୍ୱାସ କରିବାକୁ ବାଧ୍ୟ ହୁଏ । ଆଜି ପବିତ୍ର ବାବୁ ଙ୍କର ସେଇ ଦ୍ଵନ୍ଦ । ସତରେ କଣ ତାଙ୍କ ବାପା ପାପ କରିଛନ୍ତି? ଜୀବନ ଯାଉନି କାହିଁକି? ଲୋକେ ବାଧ୍ୟ କରୁଛନ୍ତି ବାପାଙ୍କୁ ପଚାର ସେ କି ପାପ କରିଛନ୍ତି?କହିଦେଲେ ପାତକ ଛାଡ଼ିଯିବ । ତାହେଲେ ଯାଇ ଜୀବନ ଯିବ । ନଲେ ଏମିତି ଘାଣ୍ଟି ହେଉଥିବ ଯମ ଜମା ଛୁଇଁବ ନାହିଁ ।
ସାହସ କୁଳାଇ ପାରୁ ନଥିଲା ପବିତ୍ରବାବୁଙ୍କର କେମିତି ପଚାରିବେ ତାଙ୍କ ବାପାଙ୍କୁ ସେ ପାପ କରିଛନ୍ତି କି ନାହିଁ । ସିଏ ଜାଣନ୍ତି ତାଙ୍କ ବାପା ବହୁତ ଭଲ ମଣିଷ । ଅନ୍ୟର ଦୁଃଖ ସୁଖର ସାଥି । ଭାରି ପରୋପକାରୀ । ସେ ଜାଣିଛନ୍ତି ତାଙ୍କ ବାପା କୋଟିଏ ଲୋକରେ ଗୋଟିଏ । ସେ ପୁଣି ପାପ !
ସବୁ ଜାଣି ବି ପବିତ୍ର ବାବୁଙ୍କ ମନ ମସ୍ତିଷ୍କ ରେ ଏ ଲଢେଇ କାହିଁକି ? କାହିଁକି ସନ୍ଦେହ କରୁଛନ୍ତି ନିଜ ବାପାଙ୍କୁ । ଏଇଥି ପାଇଁ ନୁହେଁ ତ ଆଉ ସେବା କରିବାକୁ କାହାର ଆନ୍ତରିକତା ବା ଧୈର୍ଯ୍ୟ ନାହିଁ । ନାକ ଟେକିଲେଣି ଗନ୍ଧକୁ ସମସ୍ତେ,ସେ ବି ।
ମନେ ପଡ଼ିଲା ଛୁଆ ବେଳେ ତାଙ୍କର ହାର୍ଟରେ ଗୋଟିଏ କଣା ଥିଲା । ହାର୍ଟ ଅପରେସନ୍ ହୋଇଥିବାରୁ ବାପା ଓ ବୋଉ ତିନି ଚାରି ବର୍ଷ ମରି ମରି ତାକୁ ଜଗି ବସିଥିଲେ । ଖାଇବା ପିଇବା ଶୋଇବା ସବୁ ସୁଖକୁ ତୁଛ କରି ସେମାନେ ଜଗିଥିଲେ ତାକୁ । ଯମ ମୁହଁରୁ ଛଡାଇ ଆଣିଲା ପରି ଆଣିଥିଲେ । ଅଥଚ ଛଅ ମାସ ହୋଇ ନାହିଁ ବାପା ଘରେ ପଡ଼ିବା କେତେ କଳ୍ପନା ଜଳ୍ପନା ଚାଲିଛି ତାଙ୍କ ଘରେ,ବାହାରେ ଓ ତାଙ୍କ ଭିତରେ ।
ସବୁଠୁ ବଡ଼ ଓ ଆଶ୍ଚର୍ଯ୍ୟ କଥା ଏମାନେ କେହି ତାଙ୍କ ରକ୍ତର ବାପା ମା ନଥିଲେ । ରାତି ଅଧରେ ନାଳ କଡୁ ପାଇଥିଲେ ତାଙ୍କୁ । ଏ କଥା କେବେ କଦବା ପବିତ୍ର ବାବୁଙ୍କ ସାଙ୍ଗର ବାପା ମା କୁହନ୍ତି । କିନ୍ତୁ ଦିନେ ଏଇ ବାପା ଓ ବୋଉ ପବିତ୍ର ବାବୁଙ୍କୁ ଜଣାଇବାକୁ ଦେଇ ନାହାନ୍ତି ସେ ତାଙ୍କ ନିଜ ପୁଅ ନୁହନ୍ତି । କାଳେ ନିଜ ଛୁଆ ହେଲେ ବି ପବିତ୍ର ଠାରୁ ସେହ୍ନ କମ୍ ହୋଇଯିବ,ତାଙ୍କ ନିଜ ପିଲା ପବିତ୍ର ବାବୁଙ୍କ ସେହ୍ନରେ ଭାଗ ବସିବ,ସେଥିପାଇଁ ବୋଉ ପରିବାର ନିୟନ୍ତ୍ରଣ ଅପରେସନ୍ ହୋଇ ପଡ଼ିଥିଲା । କେମିତି ପଚାରିବ ସେଇ ବାପାଙ୍କୁ ବାପା ତୁମେ ପାପ କରିଛ ?
ଏମିତି ଭାବୁ ଭାବୁ ବାପାଙ୍କୁ ଲାଗି ଢୁଳେଇ ପଡିଛନ୍ତି ପବିତ୍ର ବାବୁ । ବାପା ମହେନ୍ଦ୍ର ଚୌଧୁରୀ ଜୁଳୁ ଜୁଳୁ ଅନେଇଁଲେ ଟିକେ ପୁଅ ମୁହଁକୁ । ଭାରି କରୁଣ ଲାଗିଲା ବାପାଙ୍କୁ । ଜୀବନ ତାଙ୍କର ଯାଉନି କାହିଁକି?କାହିଁକି ତାଙ୍କ ପୁଅଟି ଏତେ କଷ୍ଟ ସହୁଛି । ହେ ଯମ ଦେବତା କୁଆଡେ ଅଛ ତୁମେ । ନିଅ ଶୀଘ୍ର ତୁମ ପାଖକୁ । ପୁଅଟି ତାଙ୍କର ସନ୍ତୁଳି ହୋଇ ଗଲାଣି । ଅଫିସ୍ କାମକୁ ମହେନ୍ଦ୍ର ବାବୁଙ୍କ ଘୁହ ମୁତ ଧୋଇବା ଖୁଆଇବା,ଶେଜ କରିବା ସବୁ କରୁଛି । ବୋହୁ କରି ପାରିବ ନାହିଁ ସଫା ମନା କରିଦେଲା । ଆହା ପୁଅଟି ତାଙ୍କର କି ହଇରାଣ ନ ହେଉଛି ।
ଲୋକଙ୍କ କଥା ମହେନ୍ଦ୍ରବାବୁଙ୍କ କାନରେ ପଡେ । କହି ନ ପାରିଲେ ବି ବୁଝି ପାରନ୍ତି । ସେ ବି ଖୋଜନ୍ତି ସତରେ କଣ ସେ ପାପ କରିଛନ୍ତି । ଯଦି କରିଛନ୍ତି ତାର ନାମ କଣ?କାହାକୁ ପାପ କୁହାଯାଏ?କାହିଁକି ତାଙ୍କ ଜୀବନ ଯାଉନି ।
ରମା ବୋଉ ରାହା ଧରି କାନ୍ଦୁଥିଲା ତା ଗେରସ୍ତ ହଠାତ୍ ପଡି ଚେତା ଶୁନ୍ୟ ହୋଇ ଯାଇଛି । କିଏ ଟିକେ ମେଡ଼ିକାଲ ନିଅ । ସମସ୍ତେ ଆହା ଚୁ ଚୁ କରୁଥିଲେ । କିନ୍ତୁ କେହି ନେଉ ନଥିଲେ । ତାକୁ ମହେନ୍ଦ୍ର ବାବୁ ମେଡ଼ିକାଲ ନେଇ ବଞ୍ଚାଇ ଦେଲେ ସେଇ ଟା ପାପ କି । ନନ୍ଦୁ ଝିଅର ବର କୋଡିଏ ହଜାର ନିଅଣ୍ଟ ଯୌତୁକ ଟଙ୍କା ଯୋଗୁଁ ବେଦିରୁ ଫେରି ଯାଉଥିଲା,ତାକୁ ସାହାଯ୍ୟ କରିବାରୁ ଝିଅ ବାହାଘରଟା ହୋଇଗଲା । ସେଇ ଟା ପାପ କି?
ପଞ୍ଝାଏ ଟୋକା ସୁଦାମ ଝିଅକୁ ବୁଦା ମୂଳକୁ ଟେକି ନେବା ବେଳେ ନିଜ ହାତ ଭାଙ୍ଗି ଇଜ୍ଜତ ରଖିବା ଆଉ ପାପ ନୁହେଁତ!ପାପ ନୁହେଁତ ଗୋଟିଏ ଅବୈଧ ସନ୍ତାନକୁ ବିଲୁଆ କୁକୁର ମୁହଁରୁ ଟାଣି ଆଣି ସମସ୍ତ ଭିତରେ ଜଣେ ବାବୁ ଅଫିସର କରିବା । ସେଇ ପିଲାଟା ପାଇଁ ଜୋର୍ ଜବରଦସ୍ତ ସ୍ତ୍ରୀ ଟାକୁ ପରିବାର ନିୟନ୍ତ୍ରଣ ଅପରେସନ୍ କଲାରୁ କଣ ତାର ହେଲା କ୍ୟାନସର୍ ହୋଇ ସେଇଥିରେ ମଲା ଏଇଟା ଆଉ ପାପ କି??
ତିନି ଚାରି ଦିନ ହେବ ଲୋକଙ୍କ ଟୁପ୍ ଟାପ୍ କଥା ଶୁଣି ମହେନ୍ଦ୍ର ବାବୁ ଯେଉଁ ବାଲି, ଶାଗୁ କି ହରଲିକ୍ସ୍ ପାଣି ଟୋପେ ପିଉ ଥିଲେ ଆଉ ଜାଣି ଜାଣି ପିଉ ନାହାନ୍ତି । ସେ ମୁକ୍ତି ଚାହାନ୍ତି । ହେ ଯମ ଦେବତା ନେଇ ଯାଅ,ଏ କଷ୍ଟରୁ ତାଙ୍କୁ ମୁକ୍ତି ଦିଅ । ତଣ୍ଟି ଶୁଖି ଯାଉଛି । ପାଣି ପାଣି ହେଉଛନ୍ତି ଖନେଇଁ ଖନେଇଁ ମହେନ୍ଦ୍ର ବାବୁ । ସେ ଭାବୁଛନ୍ତି ସେ ଡାକୁଛନ୍ତି । କିନ୍ତୁ ଶବ୍ଦ ହିଁ ବାହାରୁ ନାହିଁ ।
ଆଖି ପତା ବୁଜି ବୁଜି ହୋଇ ଆସୁଛି । ସେ ଦେଖି ପାରୁଛନ୍ତି କେହି ଜଣେ ଆଞ୍ଜେଲ ତାଙ୍କୁ ହାତ ବଢ଼ାଇ ଡାକୁଛନ୍ତି । ଆ ଆ କହୁଛନ୍ତି । ତାଙ୍କ ଭିତରୁ ଆତ୍ମା ବାହାରି ଯାଉଛି ଆକାଶ ଆଡକୁ,ବୋଧେ ସ୍ୱର୍ଗକୁ । ତାଙ୍କ ଶରୀରଟି ପଡିଛି । ସେ ଖୁସିରେ ଆତ୍ମହରା । ଆରେ ପବିତ୍ର ଦେଖ୍ ଧନ ତୋ ବାପା ନର୍କକୁ ନୁହେଁ ସ୍ୱର୍ଗକୁ ଯାଉଛି । ସେ ପାପ କରି ନାହାନ୍ତି । ଓଃ କି ପରମ ତୃପ୍ତି,ଆନନ୍ଦ!!ଆତ୍ମା ସେଇ ଆଞ୍ଜେଲ ଆଡକୁ ଯାଉଛି । କିଛି ସମୟ ପରେ କାଠ ପରି ଶରୀର ଟା ପବିତ୍ର ବାବୁଙ୍କ ପାଖରେ ଜାକି ଜୁକି ଶୋଇଛି ।
ପବିତ୍ର ବାବୁ ଢୁଳାଉ ଢୁଳାଉ ମୁଣ୍ଡଟି ବାଡେଇ ହୋଇ ଗଲା ଠୋ କରି କାନ୍ଥରେ । ହଠାତ୍ ଉଠି ପଡି ସେ ଡାକିଲେ ବାପା ଆ ଆ...... । ବାପା କିନ୍ତୁ ଆଞ୍ଜେଲ ସହ ଉଡି ଯାଉଥିଲେ ସ୍ୱର୍ଗକୁ ମାଟି ଶରୀର,ମାୟା ମୋହ,ପୃଥିବୀ ଛାଡି ।