Satyabati Swain

Inspirational

4  

Satyabati Swain

Inspirational

ଆଫେୟାର୍

ଆଫେୟାର୍

9 mins
11



    ନିମିଷକ ପାଇଁ ଭୂମିକମ୍ପ ହେଲା ମୋ ଭିତରେ ନିଳାଞ୍ଜନଙ୍କ ପ୍ରଶ୍ନ ଶୁଣି।


    ଏ ବି ଭି କିଏ ? ତୁମର ତା ସହିତ ସମ୍ପର୍କ କଣ ?

ସାରା କଲେଜରେ ଗୁଞ୍ଜରଣ ହେଉଛି ବିଭି ସହ ତୁମର ଆଫେୟାର ଚାଲିଛି ? ଏହା କଣ ସତ ? ନୀଲୁ ପ୍ରଶ୍ନ କଲେ ମୋତେ।


     ମାଟି ଫାଟି  ଯାଉଥିଲା ଏବଂ ମୁଁ ଗଳି ପଡିଲି ଯେମିତି ତା ଆଁ ରେ ନୀଲୁ ( ନିଳାଞ୍ଜନ)ଙ୍କ ପ୍ରଶ୍ନରେ।


ଆଫେୟାର କାହାକୁ କୁହନ୍ତି ନୀଲୁ ?


   ଭୁଲେଇବାକୁ ଚେଷ୍ଟା କରନି। ପ୍ରକୃତ ସତ୍ୟ କଣ ଜାଣିବାକୁ ଚାହେଁ ।


     ଯେଉଁ ନୀଲୁ ତା ଭଲ ପାଇବାକୁ ଅବିଶ୍ବାସ କରିପାରେ ସେ ସତ୍ୟକୁ ସତ ବୋଲି ଭାବିବେ ତ ?


     ବେକାର କଥା ଛାଡ। ଜବ୍ କଲା ପରେ ତୁମେ ଖୁବ୍ ବଦଳି ଯାଇଛ ଟିପି । ଶେଷକୁ ଛାତ୍ର ସହ ...ଛିଃ।


    ଚୁପ୍ କର। ନଚେତ୍ ମୋ ହାତ ତୁମ ଗାଲରେ ପାଞ୍ଚ ଆଙ୍ଗୁଠି ବସେଇବାକୁ ଡ଼ରିବନି।


    ଆରେ ବାବା ନାକ ଅଗରେ ରାଗ ! ସେଥିପାଇଁ କହୁଛି ତ ସତଟା କୁହ ।



  ଏଇ କଲେଜରେ ଜବ୍ ପାଇବାର ମାତ୍ର ବାଇଶି ଦିନ ହୋଇଥାଏ। ସେଦିନ ମୁଁ କମନ୍ ରୁମରୁ ଫିଜିକ୍ସ ଲେକଚର୍ ଥିଏଟର ଯାଉଥାଏ। କେହି ଜଣେ ମୋତେ ନାଲି ଲଙ୍କା କହି ଚାଲି ଗଲା।


ନାଲି ଲଙ୍କା !


    ଅପମାନ ଏବଂ ରାଗରେ ଗୋଟା ସୁଦ୍ଧା ଥରୁଥିଲି । କେତେ ସାହସ ! ମୋରି ପାଖ ଦେଇ ଯାଉଯାଉ ଫୁସ୍ କିନା କହି ଦେଇ ଚାଲିଗଲା ନାଲି ଲଙ୍କା ! "


     କମନ ରୁମ୍ ରେ ବସି ଭାବିଲି ମେଞ୍ଚଡ଼ ପିଲାଟାକୁ ଦଣ୍ଡ ନ ଦେବା ଯାଏ ମନଶାନ୍ତି ହେବ ନାହିଁ । ପ୍ରିନିସ୍ ପାଲଙ୍କୁ ଏକଥା ଜଣେଇବାକୁ ପଡିବ। ଟିପି ସହ ଲାଗୁଛି ! ବି ପି ବଢ଼େଇ ଦେବିରେ ପୁଅ । ଆରେ ...ଜାଣିନାହିଁ ସେ ନାଗୁଣି ଲାଙ୍ଗୁଡ଼ରେ ହାତ ମାରିଛି। ଭାବୁଛି ନୂଆ ତ ଯାହା ନାହିଁ ତା କହିଦେବ। ହଉରେ ପୁଅ ରହ ତୋ ଚେହେଲି ଯଦି ନ ଛଡେଇଛି ମୋତେ ଚିହ୍ନିବୁ । ହିରୋ ଦେଖେଇ ହେଉଛୁ ନାଇଁ ? ପଢିବା ନାଁ ରେ ଗୁଲି, ଖଟି କରିବାକୁ କଲେଜ ଆସୁଛୁ ?

        ଏହି ସମୟରେ କେମେଷ୍ଟ୍ରିର ସିପ୍ରା ବିଶୋଇ ମାମ୍ କମନ୍ ରୁମ୍ କୁ ପଶି ଆସୁଆସୁ କହିଲେ, କଣ ହେଲା କି ଟିପି ? ମୁହଁଟା ତୁମର ନାଲି ଖଡା ପରି ଦିଶୁଛି ?


     ମୁହଁ ଫୁଲେଇ କହିଲି , "ଆପଣ ବି ନା ମାମ୍  ସେ ମେଞ୍ଚଡ଼ ପରି କହିଲେଣି ?"


ମେଞ୍ଚଡ଼ ! କେଉଁ ମେଞ୍ଚଡ଼ କଥା କହୁଛ !


    ହଁ ମ ସେଇ କଣ ତ ତା ନାଁ  ? ମୋରି ପ୍ରାଟିକାଲ୍ ଗ୍ରୁପ ପିଲାଟା।ପ୍ଲସ୍ ଥ୍ରୀ ଦ୍ଵିତୀୟ ବର୍ଷ।ଏକଦମ ଡହରାକୁ ବାଳୁଙ୍ଗା।ନକନକ  ନହକା ଗୋରା ଚେହେରାକୁ ତାଳ ଗଛ ପରି ଡେଙ୍ଗା। ବଡ଼ ମୁଣ୍ଡିଆଟା କିନ୍ତୁ। ତାକୁ ଦେଖିଲେ ଆମ ଗାଁ ଫସଲ କିଆରୀ ପାଳଭୂତ ମନେ ପଡେ। ଠେଙ୍ଗା ଅଗରେ ଉଗୁଡା ହୋଇଛି ଯେମିତି ଗୋଟେ ଧଳାରେ ଆଖି ନାକ କରା ହାଣ୍ଡି।


ଓହୋ ବି ଭି !  କଣ କହିଲା କି !


ମାମ୍ ଙ୍କ ସ୍ୱରରେ ଭୟର ଆଭାସ।


ବିଭି ! କିଏ ସେ ? ଆପଣ ଏମିତି ଡରୁଛନ୍ତି ?


    କୁହନ୍ତୁ ନାହିଁ ଟି ପି ସେ ବିଶ୍ୱ ବିବେକ ଓରଫ  ବି ଭି କଥା। ନାଁ ଟି ତାର ବିଶ୍ୱ ବିବେକ ନ ଦେଇ ଜୟୀ,ନରି କି କପିଳ ଦେଇଥିଲେ ହୋଇଥାନ୍ତା । ଏମିତି କଥା କହିବି ହସେଇ ହସେଇ ବେଦମ୍ କରିଦେବ। ସେ କଲେଜରେ କାହାକୁ ଛାଡେନି।ଲୋକଲଜ୍ୟା କରିଦିଏ ଅନେକ ସମୟ ରେ। ଏମିତିକି ପ୍ରିନିସ୍ ପାଲ୍ ଙ୍କୁ ନିଧି ବୁଢା   ନାଁ ଦେଇଛି। ପ୍ରତି ଲେକଚର୍ ଙ୍କ ଏକୋଇଶିଆ କରି ନାଁ ଦେବା ତାର ଏକ ଚିରା ଚରିତ ଅଭ୍ୟାସ।। ସୋସିଓଲୋଜି ରାଜୁ ନାୟାର କଳାକୁ ଗେଡା ଏଣୁ ସେ ଗୁଣ୍ଠୁଣୀ ହାତୀ। ବିରେନ ରାୟ କପି ଧରିବାରେ ଓସ୍ତାତ୍ ଯେଣୁ ସେ ଚିଲ, ବି ଦାଶଙ୍କର ହାଣ୍ଡିଭଳି ପେଟ ତ ତାଙ୍କୁ ମାଇନ୍ସ ଟେନ ମଥ୍  ନାଁ ଦେଇଛି। ଟିକାରାମ ସାରଙ୍କର ମୋଟା ନିଶ ହେତୁ ସେ ଚନ୍ଦନ ଦସ୍ୟୁ ବିରପାନା , ବିଶ୍ବାଳ ସାର୍ ଙ୍କ ଘାଗଡା କଣ୍ଠ ବୋଲି ଫଟା ବଇଁଶୀ,  ନିର୍ମାଲ୍ୟ ସାରଙ୍କୁ ଦେଶୀ ହିରୋ, ମୋତେ କୁହେ ଗାଁଓ କି ଗୋରୀ, ବିଧିକା ମାମ୍ ରୋଗିଣୀଟା ବୋଲି ଧଦଟା ପୋଲ, ରାଜେଶ୍ୱରୀ ମାମ୍ ବ୍ରାହ୍ମଣୀ ବେଙ୍ଗ ତାଙ୍କର ଥାକୁଲ୍ ଥାକୁଲ୍ ଶରୀର ନା।  ଫମ୍ପା ମାଠିଆ, ଘଣ୍ଟି, ରଫ୍ ଖାତା  ଏପରି କେତେ ଅଦ୍ଭୁତ ନାଁ ସେ ଖଞ୍ଜି କି ଦିଏ। ପିଲାମାନେ ଏଇ ନାଁ ରେ ଫୁସ୍ ଫାସ ହୋଇ ହସାହସି ହୁଅନ୍ତି।ଅବଶ୍ୟ ଯାହାକୁ ଯେଉଁ ନାଁ ଦିଏ ପୁରା ସେ ବ୍ୟକ୍ତିକୁ ଖାପ୍  ଖାଇଯାଏ। ହୁସିଆର ଥିବେ। ଲାଗିବେନି ତା ସହ।କିମ୍ବା ତା ନାଁ ରେ ଅଭିଯୋଗ କରିବା କଥା ତ ଆଦୋୖ ଚିନ୍ତା କରିବେନି।


    କଣ କହୁଛନ୍ତି ! ପ୍ରିନିସ୍ ପାଲ୍ ଙ୍କ ସହ ସମସ୍ତଙ୍କୁ ଏମିତି କହୁଛି ! କେହି ପ୍ରତିବାଦ କରୁ ନାହାନ୍ତି !


      ବରଂ ତା କଥାରେ ସମସ୍ତେ ହସି ଦିଅନ୍ତି।ତୁମେ ଯେମିତି ଭାବୁଛ ସେ ପିଲାଟା ପ୍ରକୃତରେ ସେଇଆ ନୁହେଁ । ହସେଇବାରେ  ଧୁରନ୍ଧର। କେହି କେହି ତାକୁ କପିଳ ଶର୍ମା କମେଡି ନାଇଟ ବୋଲି ବି କୁହନ୍ତି। ବଦମାସି କରେ କିନ୍ତୁ ଖରାପ ପିଲା ନୁହେଁ। ବହୁତ ମେଧାବୀ ଛାତ୍ର । କେରିକେଚର କରିବାରେ ମାହିର।


     ଏହା ଅର୍ଥ ଏଇଆ ଯେ ଭଲ ପିଲା ବୋଲି ବଦମାସି କରିବ ! ଲେକଚର୍ ମାନଙ୍କୁ ବି ଛାଡିବିନି କମେଟ୍ ମାରିବ !


     ଦେଖ ଟିପି ତୁମେ ନୂଆନୂଆ ଏ ପିଞ୍ଜରାରେ ପଶିଛ। ଆସ୍ତେ ଲଆସ୍ତେ ସବୁ ଜାଣିଯିବ ।ପ୍ରତ୍ୟେକ କଥା ତୁମର ମଧ୍ୟ ଦେହ ସୁଆ ହୋଇଯିବ । ଆଜିକାଲି ପିଲା କଣ ପିଲା ହୋଇ ଅଛନ୍ତି ! ନିଜକୁ ହିରୋ ,ଡନ୍ ଏମିତି କେତେ କଣ ଭାବୁଛନ୍ତି ପରା। ସ୍କୁଲ ଛୁଆଙ୍କୁ ପାରି ହେଉନି; ଏ ତ କଲେଜ ପିଲା। ଏ କଲେଜର ଭିତର କଥା ତୁମେ କିଛି ଜାଣିନ।ପିଲା ଲୋକ ତୁମେ। ରକ୍ତ ଗରମ ସମୟ । ଟିକ୍କା ଟିପ୍ପଣୀ ଦେହରେ ଯିବନି । କିନ୍ତୁ ସବୁ କଥାକୁ ସକାରାତ୍ମକ ଢଙ୍ଗରେ ନେଇ ହସି ଦେଲର ଭଲ।  ଶୁଣି ଅଣ ଦେଖା କର । ଏ କାନରେ ପୁରେଇ ସେ କାନରେ ବାହାର କରିଦିଅ। ନଚେତ୍ ଅସୁବିଧାରେ ପଡିପାର।


ଅସୁବିଧା ! 


     ଅବିବାହିତ ଝିଅ ତୁମେ। ଏଇ ମାତ୍ର ଚାକିରି ଜୀବନ ଆରମ୍ଭ କରିଛ। ଅର୍ଥ ଓ ପ୍ରତିଷ୍ଠା ଅନେକ କିଛି କରି ପାରେ କେରେଇ ପାରେ ବି । 


 ଅର୍ଥ ! ପ୍ରତିଷ୍ଠା !


     ଏ କଲେଜର ପ୍ରାଣପ୍ରତିଷ୍ଠାତା ବିଭି ବାପା ବିଶାଳ ଧ୍ୱଜ । ଏବେ ସିନା ସରକାରୀ ହୋଇଗଲା । ଆଗରୁ ବିଭି ବାପା ହିଁ ଏ କଲେଜର ସର୍ବେସର୍ବା ଥିଲେ। ଯେଉଁ ଜମି ଉପରେ ଏତେ ବଡ଼ କଲେଜ ଠିଆ ହୋଇଛି ସେ ଜମି ବି ବି ଭି ବାପାଙ୍କର। ସରକାରୀ ହେଲେ ବି ଏ କଲେଜର କୌଣସି କାମ ବିଭି ବାପା ବିଶାଳ ଧ୍ୱଜଙ୍କୁ ନ ପଚାରି ହୁଏନି। ବିଶାଳ ସାର୍ ଙ୍କର ନାଁ ଅନୁସାରେ ହୃଦୟ ଓ କାମ। ମାତ୍ର ଏ ବିଭି ଯେପରି ପରୋପକାରୀ ସମାଜସେବୀ ଅମାୟିକ ବ୍ୟକ୍ତି ତାଙ୍କ ପୁଅ ହୋଇ ଭି ବି ଏମିତି କେମିତି ହୋଇଛି ; ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ତୁମକୁ କିଛି କହିଲା କି ?


ନାଲି ଲଙ୍କା।


   ପିଲାଟା ନାମ କରଣକୁ ମାନିବାକୁ ପଡିବ । ତୁମକୁ ଠିକ୍ ନାଁ ହିଁ  ଦେଇଛି। ବାବାରେ ନାକ ଅଗରେ ତୁମ  କି  ରାଗ ! ରାଗିଲେ ସତରେ ନାଲି ଲଙ୍କା ପରି ଦିଶ । ମୁଁ ତ ଭାବିଥିଲି ତୁମକୁ ପାତି ମାଙ୍କେଡି ଡାକିବ। ରକ୍ଷା ତୁମକୁ ଭଦ୍ର ନାଁଟିଏ ଦେଇଛି। 


     ମାମ୍ ଆପଣ ମୋତେ ବି ଏମିତି କହୁଛନ୍ତି ! ଯାଅନ୍ତୁ ଆପଣଙ୍କ ସହ ଆଉ କଥା ହେବିନି।


      ଆରେ ମୋ ସହ କଥା ହେବା ବନ୍ଦ କରିବା ପରିବର୍ତ୍ତେ ନିଜକୁ ଆଗ ସଜାଡ। ଟିକେ ଟିକେ କଥାରେ ଭୟଙ୍କର ରାଗିବା ଛାଡିଦିଅ।


     ବେଲ୍ ପଡିବାରୁ ମାମ୍ ଓ ମୁଁ କ୍ଳାସକୁ ଗଲୁ। ଯୋଗକୁ ଆଜି ଫିଜିକ୍ସ ଦ୍ଵିତୀୟ ବର୍ଷ ପିଲାଙ୍କ ପ୍ରଥମ ଗ୍ରୁପ ପ୍ରାଟିକାଲଥିଲା । ସେଇ ଗ୍ରୁପଟି ବିଭି ଗ୍ରୁପର ପ୍ରାଟିକାଲ ଗ୍ରୁପ। । ଦେଖିବା ପିଲାଟିର ମତି ଗତି ପରୀକ୍ଷା କରି ନେବି ଆଜି।


ବିଶ୍ୱ ବିବେକ ; ଖୁବ୍ ସୁନ୍ଦର ନାଁ ଟିଏ ତୁମର।


ଧନ୍ୟବାଦ । ଟିପି ବି ଖୁବ୍ ସୁନ୍ଦର ନାଁ ମାମ୍।


    ଶୁଣିଲି ତୁମେ କୁଆଡେ ସବୁ ଅଧ୍ୟାପକ ଅଧ୍ୟାପିକାଙ୍କ ଏକୋଇଶିଆ କରି ନାମ ଦେଉଛ ? ହସେଇବାରେ ଏକ ନମ୍ବର।


      ମୋତେ କିନ୍ତୁ କେହି  ନାଁ ଦେବା ପାଇଁ ପାଉଣା ଦିଅନ୍ତି ନାହିଁ। ମୋ ନାଁ ଶୁଣି ନିଜକୁ ସଜାଡି ନିଅନ୍ତି ,ସୁଧାରୀ ନିଅନ୍ତି ନିଜ ଭିତରର ଦୋଷ ଦୁର୍ବଳତା।


ସତେ ! ତେବେ ତ ତୁମକୁ ନନା ଡାକିବି।


ନନା ବାନା ପିନା ମୋର ଏସବୁ କିଛି ଦରକାର ନାହିଁ।


କାହିଁକି ?


ମୋର ସୁନ୍ଦର ନାଁ ଟି ଅଛି ବି ଭି ; ବିଶ୍ୱ ବିବେକ।


    ଆରେ ବାଃ ନିଜ ବେଳକୁ ନାଁ। ଅନ୍ୟ ମାନଙ୍କର କଣ ନାଁ ନଥାଏ ?


      ଆପଣଙ୍କୁ କୋଶ୍ଚିନ୍ ବକ୍ସ ଡାକିଲେ ଠିକ୍ ହେବ ।କେତେ ପ୍ରଶ୍ନ କରୁଛନ୍ତି ମାମ୍ ?


      ଆଚ୍ଛା ନିଜ ଉପରକୁ ପଡିଲା ବେଳକୁ କେମିତି ଖସିଯିବ ଉଣ୍ଡୁଛୁ, ନାଇଁ ,ଭାରି ଚାଲାକ୍ ତ ?


       କଣ କରନ୍ତି ଯେମିତି ସେମିତି ବଞ୍ଚିଗଲେ ଯାଏ।  ହସିବା କିମ୍ବା ହସେଇବା ଗୋଟିଏ ବାହାନା ମାତ୍ର।


ବାହାନା ! କାହିଁକି ?


    ଛାଡ଼ନ୍ତୁ ମାମ୍। ସେ ସବୁ ମୋର ବ୍ୟକ୍ତିଗତ କଥା। ଆପଣ ଜାଣି କି ଲାଭ ପାଇବେ ?


ଶୁଣିବାକୁ ମୋର କିନ୍ତୁ ଇଚ୍ଛା। କହିପାର।


    କାହିଁକି ଶୁଣିବାକୁ ଇଚ୍ଛା ? ଶୁଣି ଆହା କହିବ ? ଦୟା ଦେଖାଇବ ? ରାଗିଗଲା ତତ୍ କ୍ଷଣାତ୍ ସେ । ମୁହଁଟି ନାଲି ଚହ ଚହ ।


  କେତେ ଲଙ୍କା ଖାଅ କି ବିଶ୍ୱ, ମୁହଁଟି ରାଗରେ ପୁରା ନାଲି ଲଙ୍କା ଦିଶୁଛି ?


    ହଠାତ୍ କ୍ରୋଧ ଶାନ୍ତ କରି କହିଲା, ବୁମେରାଙ୍ଗ ଶବ୍ଦ। ମୋରି ଶବ୍ଦ ମୋ ଉପରେ ପ୍ରୟୋଗ ?


      ତା ମୁଣ୍ଡଟି ସାଉଁଳେଇ କହିଲି ଆରେ ନାଇଁରେ ବୋକା !

ତୁମେ ମୋତେ ଭଲ ଲାଗ। ମୋ  ବଡ଼ ଭାଇଙ୍କ ପୁଅ ଲିପୁ ଠିକ୍ ତୁମ ବୟସର । ସେଥିପାଇଁ ଆପଣାର ଲାଗ ତ ପଚାରିଦେଲି।


    ମାମ୍ ! ଦରଦ କଣ୍ଠର ଅବ୍ୟକ୍ତ କଷ୍ଟଟି ତାର ମୋ ଛାତିକୁ ଦୋହଲାଇ ଦେଲା  ।


      ହେଉ ଥାଉ ବିଶ୍ୱ। ପରେ କେବେ ତୁମ ମନ କହିଲେ କହିବ। ଏଥର କ୍ଳାସକୁ ଯିବା।


     ସେ ଦିନ ସେ କ୍ଳାସରୁ ଝଡ଼ ପରି ଚାଲିଗଲା। ମୋତେ ଖରାପ ଲାଗିଲା ଏତେ କଥା ପଚାରିବାରୁ । ମୋର ସମସ୍ତ କ୍ଳାସ ସରିଲା ତିନିଟା ପନ୍ଦରରେ। ତରବର ହୋଇ ସ୍କୁଟିଟି ଷ୍ଟାଣ୍ଡରୁ ଆଣି ଷ୍ଟାର୍ଟ କଲା ବେଳକୁ ମୋ ଆଗରେ ବିଶ୍ୱ ଠିଆ। ଭୟ ଲାଗିଲା କାଳେ  ପିଇପାଇ କି ଆସି କିଛି ଗଣ୍ଡ ଗୋଳ କରିବନି ତ ?


     ପୁଣି କଣ ହେଲା ? ମୁଁ କଣ ସରକାର ହୋଇଛି ଅଭିଯୋଗ ଫର୍ଦ୍ଦ ବାଢି ରାସ୍ତା ରୋକ କରିବାକୁ ଆସିଛ ?


ଆପଣ ଯାହା ଶୁଣିବାକୁ ଚାହୁଁଥିଲେ, ଶୁଣିବେ ନାହିଁ ?


     ଘର ଲେଉଟାଣିମନ। ତରବର ହେଉଥାଏ । ଏତିକି ବେଳକୁ ତାକୁ କହିବାକୁ ଇଚ୍ଛା ହେଉଛି।


ହେଉ ଆସ ମାଲବାର ଯିବା।ଚା ପିଇବା ସହ କଥା ହେବା।


      ନା ଆପଣ ଏଇଠି ଶୁଣନ୍ତୁ। ମୁଁ ଜଣେ ଅନାଥ ।ବିଶାଳ ଧ୍ୱଜ ମୋ ବାପା ନୁହଁନ୍ତି। କିନ୍ତୁ ମୁଁ ତାଙ୍କର ଜନ୍ମିତ ପୁଅ।


ଇଏ କେମିତି କଥା ?


      ସେଇ ତ ରହସ୍ୟ। ବାପା କୋଟି ପତି ମୁଁ କପର୍ଦକ ଶୁନ୍ୟ। ସହର ଛାତିରେ ବଡ଼ କୋଠା ତାଙ୍କର ମୁଁ କିନ୍ତୁ ହଷ୍ଟେଲ ଚାରିପାଖ କାନ୍ଥର ରୁମ୍ ନମ୍ବର ଟୁ ରେ ବିତାଏ ମୋ ତମାମ ଛୁଟି।


କିନ୍ତୁ କାହିଁକି ?


   ମାଆକୁ ଡିଭୋର୍ସ ଦେବା ସହ ମୋର ବି ଡିଭୋର୍ସ ହୋଇ ଯାଇଛି।


ଆଉ ମାଆ ?


ସେ .... ବାଙ୍ଗାଲୋରରେ ପ୍ଲାଷ୍ଟିକ କମ୍ପାନୀର ସି ଓ ଇ ଙ୍କ ମିସେସ୍ । 


ଓଃ...


    ଓଃ ନୁହେଁ କୁହନ୍ତୁ ମୋର ଦୋଷ କଣ ? ବାପା ଓ ମାଆ ଉଭୟେ ଡିଭୋର୍ସ ନେଇ ନୂଆ ସଂସାରରେ ବ୍ୟସ୍ତ ଥିଲା ବେଳେ ମୁଁ ଏକୁଟିଆ କାହିଁକି ?  ବାପା ସତ ହେଉ କି ମିଛ ଭଲ ପାଆନ୍ତି। ମୁଁ ତାଙ୍କ ପୁଅ କହି ବୁଲନ୍ତି। କିନ୍ତୁ ମୋ ସାବତ ମାଆ ଭୟରେ ମୋତେ କୋଳେଇ ନିଅନ୍ତିନି କିମ୍ବା ମୋ ଅଧିକାର ମୋତେ ଖୋଲା ଖୋଲି ମିଳେନି। ଆଉ ମାଆ ବୟସ୍କ ଅଜା ଆଈଙ୍କ ଜିମା ଦେଇ ତା ନୂଆ ସଂସାରରେ ବ୍ୟସ୍ତ ।


    ମୋ ଉଜୁଡ଼ା ଶୈଶବ, କ୍ଷତାକ୍ତ କୈଶୋର ଆଉ ଏଇ ଅସହାୟତା ପୂର୍ଣ୍ଣ ବର୍ତ୍ତମାନ ମୋର କେଉଁଥି ପାଇଁ ?  ଅପରାହ୍ନର ଛକରେ ଠିଆ ଅଜା ଆଈ ମୋ ପେଟ ଭରିବା ପାଇଁ ଓ ମୋତେ ମଣିଷ କରିବା ପାଇଁ ପାନଦୋକାନଟିଏ କରିଛନ୍ତି। ଅଜା ଚୂନ  ଲଗାଇ ପାନ ଖିଲ ଭାଙ୍ଗିଭାଙ୍ଗି ଦୁଇଟି ଆଙ୍ଗୁଠି ଏବେ ଘାଆ  ହୋଇଯିବାରୁ କଟା ହୋଇଛି। ହଁ ପଢା ଦାୟିତ୍ୱ ବିଶାଳ ଧ୍ୱଜ ତୁଳାନ୍ତି । ମୋର ଅର୍ଥ ନୁହେଁ ବାପା ମାଆ ଲୋଡ଼ା। ମୁଁ ପୂର୍ଣ୍ଣ ପରିବାରର ସମସ୍ତ ସ୍ନେହ ମମତା ଚାହେଁ। କାହିଁକି ମିଳୁନି ଏସବୁ ମୋତେ ?


 ବିଶ୍ୱ ! 


     ମୋ ପାଖରେ କୌଣସି ଉତ୍ତର ନଥିଲା ବିଶ୍ୱ ପାଇଁ। କେବଳ ଦୀର୍ଘଶ୍ବାସଟିଏ ମୋ ଛାତି ପଞ୍ଜାରର ଏଣେତେଣେ ପଶି ଅଣନିଃଶ୍ଵାସୀ କରି ଦେଲା। ବିଶ୍ୱ ପିଠି ଥାପୁଡ଼େଇ କହିଲି ତୁମେ ବି ଦେଖେଇ ଦିଅ ବିନା ବାପାମାଆରେ ନିଜକୁ ଗଢି ପାରିଛି। 


ମାମ୍ ! ଆପଣ ମୋ ପିଉସୀ ହେବେ !


ପିଉସୀ !


   ଟିକେ ଭାବି କହିଲି ହଁ ତୁମେ କିନ୍ତୁ ମୋ ପୁତୁରା ଲିପୁ ହେବାକୁ ପଡିବ?


    ମାମ୍ କହି ସେ ମୋତେ କୁଣ୍ଢେଇ ପକାଇ ଲୁହ ଲୁହ ହୋଇଗଲା। ସେହିଦିନୁ ସେ ମୋତେ ଖୁବ୍ ଭଲପାଏ,ସମ୍ମାନ ଓ ଶ୍ରଦ୍ଧା କରେ। ସେହି ଦିନଠାରୁ ସ୍ନେହ କାଙ୍ଗାଳ ପିଲାଟା ଟିକେ ଆଦର ସରାଗ ପାଇ ମୋ ପାଖ ଛାଡେନି।


  କୁହ ନିଲୁ ! ଏହାର ନାମ କି ଆଫେୟାର୍ !


ସରି ,ମୋର ତୁମକୁ ସନ୍ଦେହ କରିବାର ନ ଥିଲା ଟିପି।


ସରି ତୁମେ କାହିଁକି କହୁଛ ନୀଲୁ ବରଂ ସରି ମୁଁ କହୁଛି।


ତୁମେ ସରି କହିବ !


      ସତ୍ୟା ସତ୍ୟ ନ ଜାଣି ଉଡା କଥାରେ  ସନ୍ଦେହ କରୁଥିବା ପୁରୁଷକୁ ମୁଁ ମୋ ଜୀବନସାଥୀ କରି ପାରିବନି ନିଲୁ,ସରି ।


    ଟିପି ! ଏଇ ସାମାନ୍ୟ କଥାରେ ତୁମେ ଏପରି ନିଷ୍ପତ୍ତି ନେବା  କଣ ଠିକ୍ ହେବ ? ଆମର ଏନ୍ ଗେଜେମେଣ୍ଟ୍ ସରି ଯାଇଛି ଯେ ?


     ଥ୍ୟାଙ୍କ୍ ଗଡ୍  ତୁମ ସହ ମୋର ମ୍ୟାରେଜ ହୋଇନି। ନଚେତ୍




 




      




Rate this content
Log in

Similar oriya story from Inspirational