Satyabati Swain

Inspirational

4  

Satyabati Swain

Inspirational

ଇପ୍ସିତ ଆକାଶ

ଇପ୍ସିତ ଆକାଶ

6 mins
11


ଏଇଟା କଣ ମୋ ଇପ୍ସିତ ଆକାଶ ଥିଲା !


ଲଫାପା ଭିତରେ ମୁଦା ମୋ ଭାଗ୍ୟ !


ଲଫାପା। ହିତରେ କଣ ଅଛି !


ଖୋଲିକି ଦେଖ୍ ନା ମାଆ ।


ଛାତି ଧଡ୍ ଧଡ୍ ହେଲା ଭୟରେ।


ଶ୍ଵାସକ୍ରିୟା ଖର।


      ଲଫାପା ଭିତରେ କଣ ଅଛି !  ସେଥିରେ ଅଛି କି  ମୁଦା ମୋ ଖୁସି ଓ ସ୍ୱପ୍ନ ! ମୁକୁଳା ଆକାଶ ଛାତିଟେ ମୋତେ  ଅପେକ୍ଷା କରିଛି ଉଡାଣ ଭରିବାକୁ !


   ମୋତେ  ମିଳିବାକୁ ଥିବା ମାନ୍ୟବର କୋର୍ଟଙ୍କ ଡିଭୋର୍ସ ପେପର୍ ନାହିଁ ତ ସେଥିରେ !


      ଓଃ ମୋ ଉପରେ ବି ଗୋଟେ ଡିଭୋର୍ସି ଷ୍ଟାମ୍ପ ବାଡେଇ ଦେଲା କି କୋର୍ଟ  !

      

       ଛିଃ ଡିଭୋର୍ସି ଜୀବନ ମୋର ଇପ୍ସିତ ନ ଥିଲା। ଭଲ ଲାଗେନି ମୋତେ ଡିଭୋର୍ସ ନେଉଥିବା ପତି ପତ୍ନୀ । କେଉଁଠୁ ଡିଭୋର୍ସ  ନିଅନ୍ତି ସେମାନେ ! ଦେହରୁ ! ମନରୁ ! ନା ଜୀଵନରୁ ! ସତରେ ସେମାନେ ପରସ୍ପରକୁ ଭୁଲି  ଆଗକୁ ବଢ଼ନ୍ତି ନା ବୁଝାମଣା କରନ୍ତି ଜୀବନ ସହ ?ବିଷେଇ ଯାଉଥିଲା ମୋ ମନ କାହାର ଡିଭୋର୍ସ କଥା ଶୁଣିଲେ। ଭାବୁଥିଲି ଯାଇ ବୁଝାନ୍ତି ସେଇ ନିର୍ବୋଧ ମଣିଷଙ୍କୁ ଡିଭୋର୍ସ ନ ନେବା ପାଇଁ । ଗୋଟିଏ ଦସ୍ତଖତ କଣ ଲିଭେଇ ଦିଏ ଯୁଗ୍ମ ଜୀବନର ବିତେଇଥିବା ଏକାନ୍ତ ମୁହୂର୍ତ୍ତର ଅନୁଭବ ! କେମିତି ଲିଭାଏ  ଗୋଟିଏ ଦସ୍ତଖତ କୋଟିଏ କ୍ଷଣ  ସାଥୀ ହୋଇ ଜୀଇଁଥିବା କଥା,ବ୍ୟଥା ! ଖାଲି  ଖିଆଲ ଓ ଜିଦି ନେଇ ନର୍କ କରି ଦିଅନ୍ତି ଖୁସିର ଜୀବନ ! କାହିଁକି ଏତେ ପତଳା ଓ ଦୁର୍ବଳ  ଆଜିର ଦାମ୍ପତ୍ୟ ବନ୍ଧନ ?ବିଶ୍ବାସ କି ଭରସା କାହାର କାହାକୁ ନାହିଁ ! ଟିକିଏ କଥାରେ ଦସ୍ତଖତଟିଏ ମାରି କାଟି କୁଟି ଥୋଇ ଦିଅନ୍ତି ସୁନ୍ଦର ଜୀବନ!

      

    କିନ୍ତୁ କି ଚରମ ଦୁର୍ଗତି ଦେଖ ଯେଉଁ ଡିଭୋର୍ସ ମୋର ନିହାତି ନାପସନ୍ଦ ମୁଁ ନିଜେ ଗଳି ପଡୁଛି ସେଇ ଖାଇରେ!ଆତ୍ମା ଅନୁମୋଦନ କରୁ ନାହିଁ  ଡିଭୋର୍ସ ଗ୍ରହଣ କରି ନେବାକୁ ! କାହିଁକି ନେଉଛି ଏ ଡିଭୋର୍ସ ! କଣ ଏ ସମାଜ  ଭୟରେ ! ନା ଜେ.କେ. ଙ୍କ ଅତ୍ୟାଚାରରୁ ନିଜକୁ ବଂଚାଇଁବା ନେଇ !

         

    କାହିଁକି ଡରୁଛି ଏତେ ! ମୋର କଣ ଦୋଷ ଅଛି ଏ ଡିଭୋର୍ସରେ ?

          

      କିନ୍ତୁ କିଏ ବୁଝିବ ଏ କଥା ? ସମସ୍ତେ କହିବେ ଝିଅଟାର ସବୁ ଦୋଷ । ଗୋଟିଏ ହାତରେ ତାଳି ବାଜେ କି ? ପୁରୁଷ ପୁଅ ତାଙ୍କ ମନ ନେଇ ଚଳିଥାନ୍ତା ନା । ଦେଖେଇ ହେଲା।ସତରେ ଯେମିତି ବିଲକୁଲ ଦେହ ଭୋଗ ଇଚ୍ଛା ନ ଥିବ ୟାର । ଯୋଗୀ ମୁନୀ ହେବାର ଥିଲା ତ ବାହା ହେଉଥିଲା କାହିଁକି ? ଏ ଲୋକ ବି ନା ।ବେକାର ମାନସିକତା। କେତେ ଦେଖେଇ ଶିଖେଇ କୁହନ୍ତି !

         

     ଦେହ କଷ୍ଟ ଛାଡ଼ ସେ ମୋର ପତି ଏ ଦେହ ଉପରେ ତାଙ୍କର ଅଧିକାର ଅଛି।କିନ୍ତୁ ଯେଉଁ ଦୁଇ ଦୁଇଟି ଭୃଣ ହତ୍ୟା କଲେ ସେଇଟା କଣ ତାଙ୍କ ଅଧିକାର ? କିଏ ସହିବ ଏ ସବୁ ? ପଳେଇ ନ ଆସି ଥିଲେ ତୃତୀୟ ସନ୍ତାନ  କଣ ଏ ଦୁନିଆ ଆଲୁଅ ଦେଖି ପାରିଥାନ୍ତା ! ହେ ଭଗବାନ! କଣ ହୋଇଥାନ୍ତା ମୋର ! କୋଟି ଧନ୍ୟବାଦ ପ୍ରଭୁ ସେଇ ପଶୁଟାଠାରୁ ମୋତେ ମୁକ୍ତି ମିଳିଛି ।

         

    ମୁକ୍ତି ମିଲିଗଲା ଜାଣି ବି ଖୁସି ନାହିଁ କାହିଁକି ? ଗୋଟେ ସ୍ତ୍ରୀକୁ ସତରେ କେହି ବୁଝି ପାରିଲେନି ଏଯାଏ।କେବେ ବୁଝିବ ଏ ସମାଜ କୌଣସି ଝିଅ  ଭାଙ୍ଗିବା ମତଲବରେ ପରିଚୟ ବଦଳେଇ ବୋହୁ ହୋଇ ନଥାଏ । ହୁଏତ ତାକୁ କିଛି ପରସ୍ଥିତି ବାଧ୍ୟ କରିଥାଏ ଡିଭୋର୍ସ ନେବାକୁ। ଡିଭୋର୍ସି ପ୍ରତି ନକରାତ୍ମକ ଦୃଷ୍ଟି ଭଙ୍ଗୀ ଏ ଲୋକ ଗୁଡ଼ାଙ୍କର ମୋର ହଜମ ହୁଏନି। ମୋ ପ୍ରତି ବି ସେମାନେ ସେମିତି ଟିକ୍କା ଟିପ୍ପଣୀ ଦେବେ ! ଡିଭୋର୍ସିଟା କହି ତାଛଲ୍ୟ କରିବେ !

         

     ଆରେ ବାୟଣୀଟା  ସବୁବେଳେ କି ଭାବନାରେ ବୁଡୁଛୁ ? ଈଶ୍ୱରଙ୍କ ଉପରେ ଭରସା ରଖ। ଖୋଲିକି ଦେଖେ ତ ଲଫାପାରେ ଅଛି କଣ ?

         

    ଲାଜରା ହୋଇ କହିଲି, ନାଇଁ ନାଇଁ ବାପା (ଶଶୁର )କିଛି ନାହିଁ। ଖୋଲୁଛି।


ଏଁ ....ଏ କଣ ? ଏମ୍ ଏସ୍ ସି  ଆଡ଼ମିଶନ ଫର୍ମ !ପଢିବି ମୁଁ !


       ପାଠରେ ସିନା ଧୁରନ୍ଧର ନୁହେଁ ଗଧ ବି ତ ନୁହେଁ ନା ?ଗାଁ ପାଖ କଲେଜରେ ଯେଉଁ ଯାଏ ଥିଲା ପଢ଼ିଲି। ଆଜିକାଲି ଝିଅମାନଙ୍କ ସହ ଯେଉଁ ଦୁଷ୍କର୍ମ ହେଉଛି ସେ କଥା ଭାବି ବାପାମାଆ ଆଉ ସହର ଛାଡିଲେ ନାହିଁ ପଢିବାକୁ।ପାଠରେ ଡୋରି ବାନ୍ଧି ବସିଲି। ବିଇଡ଼ି କରିବାକୁ ଚାହିଁଲି ତ ବାପା କହିଲେ ଶିକ୍ଷିତ ତ ହେଲୁ। ଚାକିରି ବାକିରି ତୋର କଣ ହେବ ? ମୁଁ କଣ ଏମିତି ସେମିତି ଜ୍ବାଇଁ ହାତରେ ତୋତେ ଟେକି ଦେବି ଯିଏ ତୋ ଖର୍ଚ୍ଚ ଉଠେଇବାକୁ ଅସମର୍ଥ ହୋଇଥିବ ? ଦେଖିବୁ ଗହ ଗହ ରୋଜଗାର କରୁଥିବା ଜ୍ବାଇଁ କରିବ ତୋ ବାପା। ତୁ କାହିଁକି ସେ ଚାକିରି ଝାମେଲାରେ ପଶିବୁ ? ଘର ଗୋଟାକ ଯାକ କାମ ସାରି ଚାକିରିକୁ ଯିବୁ କାନରେ ନାକରେ ପୁରେଇ। ନା ଶାଶୁଘର ଲୋକ, ନା ସ୍ୱାମୀ ନା ପିଲାଙ୍କ ଦାୟିତ୍ୱ ଠିକ୍ ରେ ନେଇ ପାରିବୁ ?ଖୁବ୍ ହନ୍ତସନ୍ତ ହେବୁ। ଏଣୁ ଆମର ଚାକିରି ଦରକାର ନାହିଁ।

      

କିନ୍ତୁ ବାପା ସ୍ୱାବଲମ୍ବୀ ହେବା କଣ ଭୁଲ୍ ?


     ନା ଭୁଲ୍ ନୁହେଁ କିନ୍ତୁ ସେଥିରେ ଜୀବନ ନ ଥାଏ । ଚାକିରିଆ ଝିଅଟି କେଉଁ କୁଳର ହୋଇ ପାରେନାହିଁ।ନା ଘରର ନା କାର୍ଯ୍ୟାଳୟର । ଯଦି ସ୍ୱାବଲମ୍ବୀ ହେବାକୁ ଚାହୁଁଛୁ ଘରେ ବସି ଅନେକ କାମ କରି ପାରିବୁ। ତୋତେ ସହର ପଠେଇ ମୁଁ ନିଦକ ହୋଇ ପାରିବି ନାହିଁ। ବାସ୍।ଉପଯୁକ୍ତ ପାତ୍ର ଦେଖି ତୋତେ ହାତକୁ ଦୁଇ ହାତ କରିଦେଲେ ମୋର ବଡ଼ ଭୟଟିଏ ଦୂର ହେବ। ତୋ ସ୍ୱାମୀ ପ୍ରତିକ୍ଷଣ ତୋତେ ସୁରକ୍ଷା ଦେବ। ବିଲକୁଲ ଭଲ ନୁହେଁ ଏବର ସମୟରେ ମାଆ। 


       ସବୁ ବାପା ଯଦି ଏମିତି ହେବ ତ କୌଣସି ଝିଅ ନିଜ ସ୍ୱପ୍ନର ଉଡାଣ ଭରି ପାରିବେ ନାହିଁ ?

          

     ମୁଁ କାହା କଥା କହୁ ନାହିଁ ।ମୁଁ କେବଳ ମୋ କଥା ଆଉ ତୋ କଥା କହୁଛି।ତୁ ଯେମିତି ସୁନା କଣ୍ଢେଇ ପରି ହୋଇଛୁ ତୋତେ ମୋ ପାଖରୁ ଛାଡି ମୁଁ ଶାନ୍ତିରେ ନିଃଶ୍ବାସ ନେଇ ପାରିବି ନାହିଁ। ତୁ ମୋତେ ବାଧ୍ୟ କରନା ସହର ଯାଇ ପଢିବାକୁ ।

             ହୁଏତ ଅଧିକ  ପଢି ସ୍ୱାବଲମ୍ବୀଟିଏ ହୋଇଥିଲେ ଏବେକୁ କାମରେ ଆସିଥାନ୍ତା। ବାପା ଏବେ ନିଜ ଭୁଲ୍ ବୁଝି ପାରି ଅନୁତାପ କରୁଛନ୍ତି। ହୁଏତ ମୋ କଥା ଶୁଣିଥିଲେ ଅନ୍ତତଃ ମୁଁ ଏବେ ପ୍ରତି କଥାରେ ଅନ୍ୟ ଉପରେ ନିର୍ଭର କରି ନଥାନ୍ତି। 

             

    ହସ ଲାଗିଲା ଯେଉଁ ଭୟ ମୁଣ୍ଡରୁ ଉତ୍ତରିବା ପାଇଁ ମୋତେ ବାହା ଦେଲେ ପୁଣି ଯିଏ ମୋ ସୁରକ୍ଷା ଦେବ ବୋଲି ସେ ନିଶ୍ଚିତ ହୋଇଥିଲେ ସେହି ତ ଯେତେବେଳେ ଚାହିଁଲା ଧର୍ଷଣ କଲା । କଣ ଲାଭ ହେଲା ମୋର ? ନା ପାଠ ପଢି ପାରିଲି ନା ସୁରକ୍ଷିତ ଜୀବନ! 


ଆରେ କଣ ବାରମ୍ବାର  ଷ୍ଟାଚ୍ୟୁ ହୋଇ ଯାଉଛୁ  ତପସ୍ୟା ?


        ବାପା ବାହାରକୁ ଗଲେ ମୋ ପ୍ରତି ପରା ବିପଦ ଅଛି କହୁଥିଲେ ? ପୁଣି କଲେଜ କେମିତି ଯିବ ଗୋଟିଏ  ପିଲାର ମାଆ ହୋଇ ?

         ତୁ ଏ ଫର୍ମଟି  ସମ୍ପୂର୍ଣ୍ଣ ପଢିନୁ। ଆଗ ପରି ଆଉ କଣ ପ୍ରାଟିକାଲ୍ ବିଷୟକୁ ପ୍ରାଇଭେଟ ଭାବେ ପରୀକ୍ଷା ନ ଦେବା ବ୍ୟବସ୍ଥା ଅଛି କି ? ଘରେ ବସି ଯେ କୌଣସି ବିଷୟ ଡ଼ିଷ୍ଟାଣ୍ଟ କୋର୍ସରେ ପଢି ପାରିବ।ଅନ୍ ଲାଇନ୍ କ୍ଳାସ ବି କରି ପାରିବ। ମାତ୍ର କିଛିଟା କ୍ଳାସ ଓ ପରୀକ୍ଷା ଦେବାକୁ ପଡିବ । ଏଣିକି ବିଶ୍ବାସ  ତ ସ୍କୁଲ ଯିବ । ତୁ ଦିନସାରା କଣ କରିବୁ ? ଭାବିଲି ନାଁ ଲେଖେଇ ଦେଲେ  ପିଲାର ଅନୁପସ୍ଥିତ ସମୟ ଭଲରେ କଟି ଯିବ।

            ବାପା ! କିଏ କୁହେ ଶାଶୁଶଶୁର ଜନ୍ମିତ ବାପା ମାଆ ହୋଇ ପାରନ୍ତି ନାହିଁ !

        

       ମାନସିକତାରେ ମାଆ । ଲୋକଙ୍କ ମନୋବୃତ୍ତି କିଏ କଣ କରି ପାରିବ।ହଁ  ଶାଶୁ ଶଶୁରଙ୍କର ବି ଭୁଲ୍ ରହୁଛି। ମୋତେ ଦେଖ୍ ମୁଁ ଜାଣିଥିଲି ମୋ ଗୁଣ ମଣୀ ପୁଅ ତୋଫାନ ମେଧାବୀ ଛାତ୍ର ହୋଇପାରେ, ବଡ଼ ଅଫିସର ହୋଇପାରେ କିନ୍ତୁ ଭଲ ପୁରୁଷ ନୁହେଁ । ସେ ହୋଇ ପାରିବ ନାହିଁ ଜାଣି ବି ତୋ ପରି ଏକ ସରଳ ଝିଅର ଜୀବନ ନଷ୍ଟ କଲି କି ନାହିଁ।ଏଣୁ ମୁଁ ଏବେ ମୋ ଅପରାଧର ପ୍ରାୟଶ୍ଚିତ କରୁଛି।

           

   ଆପଣ ଜାଣିଥିଲେ ! କେମିତି ! ଯଦି ଜାଣିଥିଲେ ତାହେଲେ ନିଜ ପସନ୍ଦ କରି ପୁଅ ପାଇଁ ବୋହୁ କାହିଁକି ଆଣିଲେ ? 

          

     କ୍ଷମା କରିଦେ ନା ଏ ବୁଢା ପୁଅକୁ। ଭାବିଲି ଅବାଟରେ ଯାଇଥିବା ପୁଅଟା ହୁଏତ ତୋ ପରି ସରଳ ସୁନ୍ଦର ଗୁଣର ଜୀବନ ସାଥିଟିଏ ପାଇଲେ ସୁଧୁରୀ ଯିବ । ବାପାମାଆ ଗୁଡାକ ଭାରି ସ୍ୱାର୍ଥପରରେ ମାଆ । ନିଜ ଖୁସି ପାଇଁ ତୋ ପରି ଝିଅଙ୍କ ଜୀବନ ନଷ୍ଟ କରି ଦିଅନ୍ତି। ମୋ ଆକଳନ କିନ୍ତୁ ଭୁଲ୍ ହୋଇଗଲା। ତୋଫାନ ତାର ଉଗ୍ର ରୂପ ଛାଡିଲା ନାହିଁ । ମାଆରେ ! ମୋ ଯୋଗୁଁ ଉଜୁଡି ଯାଇଥିବା ତୋ ଜୀବନ କ୍ଷେତରେ ଏବେ ତ ବାଡ଼ ଦେବା ଚେଷ୍ଟାରେ ମୁଁ ।

           

      ଦୀର୍ଘଶ୍ଵାସଟିଏ  ପିଞ୍ଜରା ଠେଲି ମୋତେ କେବଳ କ୍ଷତାକ୍ତ କଲେ। କାହାକୁ ଦୋଷ ଦେବି ଯେତେବେଳେ ମୋ ଭାଗ୍ୟ ,ସମୟ ମୋର ନୁହେଁ। ଶଶୁର ଯେତିକି କରୁଛନ୍ତି ସେତକ ଯଦି ନ କରୁଥାନ୍ତେ ମୋ ଅବସ୍ଥା କଣ ହୋଇ

ଥାନ୍ତା ! 


     ଲଫାପଟି ଖୋଲି ଫର୍ମ ପୂରଣ କରିଦେଲି ; ହଁ ମୁଁ ପଢିବି।



Rate this content
Log in

Similar oriya story from Inspirational