ଭୋକ
ଭୋକ
ଘୋ ଘୋ ପୃଥିବୀ
ଖାଁ ଖାଁ ମନ ଦାଣ୍ଡ
ନିର୍ବାସନ ଭୋଗୁଛି ସ୍ୱପ୍ନ
ଆଶା ବୋଝେଇ ଡଙ୍ଗା ପ୍ରସ୍ତୁତ
ଶୁଖିଲା କିନ୍ତୁ ନଈ।
ସେ ଆସିଲା
ଭୋର ହସିଲା
ଜହ୍ନ ଚୁପ୍ କି ତାରା କାନେ କହିଲା
ଏଇ ଦେଖ ମେଘ ଏବେ କାନ୍ଦିବ
ନଈ ଉଛୁଳିବ
ଅକାତ କାତ ପାଣି
ଅକ୍ଳେଶରେ ଡଙ୍ଗା
ନଈ ପାରିହେବ।
ଦର୍ପଣ କିନ୍ତୁ କହିବ
କେତେ ସଜାଉଛୁ ଜୁଡା
ନାଉଛୁ କଜଳ
ମଥାନ ଉପରେ ସୂର୍ଯ୍ୟ
ଭୂଗୋଳରେ ଦେଖ୍ କେତେ ଭାଙ୍ଗ !
ଇସ୍ ! ମାଆ କି ଚମତ୍କାର କବିତା ଲେଖୁଛୁ !
ଟିକେ ହସିଲି । କଲମ ଧରିଲେ କଣ ସବୁ ଏମିତି ଲେଖି ହୋଇଯାଏ କେଜାଣି ? ଏଗୁଡ଼ାକ କଣ କବିତା ?ଗୁଡାଏ ସ୍ୱପ୍ନର ଭୋକ ମୋ ଭିତରେ ଅଛି ତ ..
ସ୍ୱପ୍ନର ଭୋକ!
ହଁ ତୋ ଭିତରେ ଯେମିତି ଲୁଚି ରହିଛି ଡିଯାଇନର ହେବା ସ୍ୱପ୍ନ । ସେଇଟା ଭୋକ ନୁହେଁ କି ? ତମାମ ଜୀବନ କେବଳ ଭୋକ ଆଉ ଭୋକର ସେଟ୍ ଟିଏ।
ଓଃ ! ମୋ ମୁଣ୍ଡ ଟିଣ ମାଆ । କଣ ଦୁର୍ବୋଧ୍ୟ କଥା ଗୁଡାଏ କହୁ ଯେ । ତୁ କଣ ଜୀବନରେ କିଛି ହଜେଇଛୁ ?ଅପ୍ରାପ୍ତି ତୋତେ କ୍ଷତ ବିକ୍ଷତ କରନ୍ତି !
ବାଃ ! କେତେ କଥା ବୁଝି ଗଲୁଣି ତୁ ?
ଆର୍ଜୁ ମୋ ଝିଅ ;ମୋର ସର୍ବଶ୍ରେଷ୍ଠ ବନ୍ଧୁ। ଦ୍ଵାଦଶ ଶ୍ରେଣୀ ଛାତ୍ରୀ । ତା ବାବା ଚାହାନ୍ତି ଗୋଟେ ବଡ଼ ଅଫିସର ହେଉ। ତାର ଇଚ୍ଛା ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଡିଜାଇନର ଟିଏ ହେବାକୁ। ବାପ ଝିଅ ଦୁହେଁ ଦୁହିଙ୍କର ଜୀବନ। କିନ୍ତୁ ଏଇ ଗୋଟିଏ କଥାରେ ଦୁହିଙ୍କର ମତ ମିଳେନି। ଆର୍ଜ୍ଜୁ ତା ବାବାର ମସ୍ତିଷ୍କ ପାଖ ଥିଲା ବେଳେ ମୋ ହୃଦୟ ପାଖରେ ଥାଏ। ପ୍ରତିଦିନ ଶୋଇବା ପୂର୍ବରୁ ମୁଁ ଡାଇରୀ ଲେଖେ ଏବଂ ସେ ପଢେ। ଆମେ ଦୁହେଁ ନିଜ ନିଜ ମନ କଥା ଖୋଲା ଖୋଲି ହେଉ। ସେ ତା ବଏ ଫ୍ରେଣ୍ଡ୍ କିଷ୍ଣା ବିଶ୍ବାଳ: କେବି, କଲେଜ ତଥା ଲେକଚର୍ ମାନଙ୍କ କଥା ମୋ ସହିତ ବିନା ଦ୍ବିଧାରେ ବାନ୍ତିପାରେ। ମୁଁ ଆମ ଅଫିସର ସିଭି ସାର୍ ଯିଏ ମୋ ସହ ଟିକେ ଗପିବାକୁ ପ୍ରତିଦିନ ଦୁଇ ଚାରି କପ୍ କପି ମୋ ଉପରେ ଶ୍ରାଦ୍ଧ କରିନ୍ତି କହି ବହେ ହସୁ ଦୁହେଁ। ସେ ମୋ ପାଖରେ କିଛି ଲୁଚାଏନି କି ମୁଁ ତା ପାଖରେ।
ମାଆ ! ଗୋଟିଏ କବିତା ସଂକଳନ କରିବା। ତୋ କବିତା ପଢିଲେ ଯେ କେହି କହିବ ତୁ କାହାକୁ ପ୍ରେମ କରୁଛୁ ? କେହି ଅଛନ୍ତି କି ତୋ ଜୀବନରେ ? ମୋ ବାବାଙ୍କୁ ଛାଡି ଅନ୍ୟ କେହି ?
ଟିକେ ହସିଲି। ଏମିତି କେହି ଗୋଟିଏ ମଣିଷ ପାଇବୁନି ଆର୍ଜ୍ଜୁ; ଯେ ପ୍ରେମରେ ନଥାଏ । ଅପ୍ରକାଶ୍ୟ ହେଲେ ବି କେହି ତ ମନ ଭିତରେ ସଭିଙ୍କର ଥାଏ ।
ସଭିଙ୍କର ! ଏମିତି କି ତୋର ?
ହଁ ନିର୍ଭୀକ ଥିଲା ମୋ ଉତ୍ତର।
ଓଃ ସେଥିପାଇଁ ବାବାଙ୍କୁ ଏତେ ଲୋଡୁନୁ ?
ଲୋଡ଼େନି ! ତୋ ବାବା ମୋତେ ଲୋଡ଼ନ୍ତି ତ ? ଆଚ୍ଛା କହିଲୁ ଲୋଡ଼ିବା ଅର୍ଥ କଣ ?
ସବୁବେଳେ ପ୍ରତି କଥାରେ ଜଣକୁ ଖୋଜିବା।
ଖୋଜିବାକୁ ଦେଖିଛୁ ?
ଦେଖିବି କେମିତି ? ସେ ତ ଅଦୃଶ୍ୟ ଅନୁଭବର କଥା। ଜଣକ କାର୍ଯ୍ୟକଳାପରୁ ଜାଣିହୁଏ ଜଣେ ଜଣକୁ କେତେ ଖୋଜୁଛି।
ତୁ କେମିତି ଜାଣିଲୁ ବିଡ଼ି ( ବାଦଲ ଦାଶ) ଙ୍କୁ ମୁଁ ଖୋଜୁନି ? ସେ ମୋ ହୃଦୟର ଧକଧକ୍ ଶବ୍ଦ। ଚାକିରି ଜୀବନ ବୋଲି ଆମେ ଗ୍ରହଣ କରିନେଇଛୁ ଦୂରତା । ସେ କଳାହାଣ୍ଡିରେ ତ ତୋତେ ଗୋଟିଏ ସୁନ୍ଦର ଭବିଷ୍ୟତ ଦେବାପାଇଁ ମୁଁ ଭୁବନେଶ୍ବରରେ। ତୋର ପାଇଁ ଆମର ଏ ତପସ୍ୟା। ଦେହ ସିନା ଦୂରରେ ମନ କିନ୍ତୁ ପରସ୍ପର ପାଖରେ।
ତାହେଲେ କିଏ ଅଛି ତୋ ଜୀବନରେ ଯିଏ ମୋ ବାବା ସ୍ଥାନ ନେଉଛି ? କାହା ପାଇଁ ତୋର ଏମିତି ସବୁ କବିତା ଲେଖି ହୋଇଯାଉଛି ?
ବିଦେହୀ,ଅନାମିକା ଅଚିହ୍ନା କେହି ଜଣେ।ସ୍ୱପ୍ନରେ କଳ୍ପନାରେ କେବଳ ତାର ଅସ୍ତିତ୍ୱ । ବାସ୍ତବତାରେ ସେ ଶୁନ୍ୟଦେହୀ।
ଏ କି କଥା ମୁଁ ବୁଝି ପାରୁନି ମାଆ? କିନ୍ତୁ ଚମତ୍କାର କବିତା କେମିତି ଉତ୍ତୁରୁଛି କାହାର ଅସ୍ତିତ୍ୱ ନଥାଇ ?
ମନେ ମନେ କହିହେଲି କବିତା କାହିଁକି ହେବ ! ମୋ ନିଜ କଥା ଲେଖି ହୋଇଯାଏ ଯାହା ମୁହଁ ପ୍ରକାଶି ପାରେନି କଲମ ତା ଡାଇରୀ ଛାତିରେ ଉତ୍ତାରି ଦିଏ। ମୁଁ ଯଦି କବୀ ହେବି ତ କବି ମାନେ କରିବେ କଣ ?
ତୁ କଣ ମୋତେ ସନ୍ଦେହ କରୁଛୁ ଆର୍ଜ୍ଜୁ ?
ସନ୍ଦେହ ନୁହେଁ ଜିଜ୍ଞାସା । ପ୍ରତି ମଣିଷ ମନ ସତରେ ଗୋଟେ ଅପଢ଼ା ବହି କି ?
ବ୍ୟସ୍ତ କାହିଁକି ହେଉଛୁ ?ବୟସ ଏବଂ ଅନୁଭୂତି ତୋତେ ସବୁ ବୁଝାଇଦେଵ । ଯା ବହୁତ ରାତି ହେଲାଣି ଶୋଇପଡ।
ଆର୍ଜ୍ଜୁ ସୁନା ପିଲା ପରି ଶୋଇପଡ଼ିଲା।ଡାଇରୀ ଲେଖା ସରିଲେ ବି ନିଦ ହେଲା ନାହିଁ।ଇଅର ଫୋନ୍ ଦେଇ ଶ୍ରୀମାଙ୍କ ଧିମା ଟିୟୁନିକ୍ ଶୁଣୁଶୁଣୁ ଶୋଇବାକୁ ଚେଷ୍ଟା କଲି। ଛାତିଏ ଅସ୍ତବ୍ୟସ୍ତତା ଛଟପଟ କରୁଥିଲେ।ଝାପ୍ସା ମୁହଁ କେତୋଟି ମୋ ଚାରିପଟେ। ଛାଇ ଛାଇଆ ଦରନିଦ।
ବିଲୋଳ ହସ ଧାରେ ଓଠରେ ପିନ୍ଧି ଉଜ୍ଜ୍ୱଳ ମୁହଁଟି ଡାକିଲା ନୀଳଶୈଳ!
କିଏ ତୁମେ ? କଣ ବାଣ୍ଟୁଛ ?
ମଣିଷଙ୍କ ହୃଦୟରେ ପ୍ରେମ।
ପ୍ରେମ !
ହୁଁ । କେହିଜଣେ କହିଥିଲେ ଶରୀର ନଶ୍ଵର। ଏଇ ଅଛି ଏଇ ନାହିଁ।ଆତ୍ମା ଅମର। ସେଇଆକୁ ପ୍ରେମ କର। ଭୋଗ ନୁହେଁ ତ୍ୟାଗରେ ପ୍ରେମ ଅଧିକ ସ୍ୱର୍ଗୀୟ। ଏଇ ମନ୍ତ୍ରଟି ମଣିଷ ମାନଙ୍କୁ ବାଣ୍ଟୁଛି । ଏ ପ୍ରାର୍ଥିବ ସତ୍ତାରୁ ନିଜକୁ ଦୁରେଇ ନେଇ
ଗଭୀର ପ୍ରଶାନ୍ତିର ଜୀବନ ଜୀଉଁଛି। ବନାରସ ହିନ୍ଦୁ ୟୁନିଭରସିଟିର ଚୈତନ୍ୟମୟୀ ଭାଓଲିନ ବାଦିକା
ତୁମେ ପଲଟିକାଲସାଇନ୍ସର ପି ଏଚ ଡି ଛାତ୍ର ସିଭି (ସାଫଲ୍ୟ ବିଶ୍ବାଳ) ତ ! ତୁମର ସେ କେହି ଜଣକ ବୋଧେ ମୁଁ ନୀଳଶୈଳ ; ନି, ସାଇକୋଲୋଜିର ଅଧ୍ୟାପିକା !
କିଛି ଉତ୍ତର ନ ଦେଇ ଅପସରି ଗଲା ଛାଇ ମଣିଷ।
ପୁଣି କେହି ଡାକିଲା ,ନୀଳ !
କିଏ ?
ରାଧା ମୁହଁ ତୁମ ମୁହଁ କେମିତି ହେଲା ଭାବୁଛ କି ?
କିଏ ତୁମେ ? ମୋ ମୁହଁ ରାଧା ପରି ତ ମୋତେ ଏକମାତ୍ର ଜଣେ କୁହେ ! ତୁମେ ଏ କଥା କେମିତି ଜାଣିଲ ?
ମୋ ସ୍ୱର ବି ପାସୋରି ଦେଲୁଣି ?
ଦୁଃଖିତ। ମନେ ପକାଇ ପାରୁନି।
ଝଙ୍କାର ଦାସ।
ଜିଡି !ମୋ ପିଲା ଦିନ ସାଙ୍ଗ !
ହଁ ସେହି ତୋର ଜିଡି ଯାହାକୁ ତୁ ଖବର ବାଳୁଙ୍ଗାରୁ ଶାନ୍ତଶିଷ୍ଟ ପିଲାଟେ କରି ଦେଇଛୁ।
ମୁଁ ଉଁ !
କେମିତି ?
ମନେ ପକା। ତୋରି କଥା ମୋ ଭିତର ବାଳୁଙ୍ଗା ପଣକୁମାରିଦେଲା। ପ୍ରେମ ହିଁ ମୋତେ ଦସ୍ୟୁରୁ ସତେକି ମଣିଷ କଲା। ତୁ କେମିତି ସବୁ ଭୁଲିଗଲୁ !
ଅର୍ଥାତ୍ ସଂସାର କରି ମଧ୍ୟ ରାଧା ଡାକୁଥିବା ତୋର ଏ ନୀଳକୁ ଭୁଲିନୁ ?
ମୋ ମିସେସ୍ ଦେଵଦାସୀ: ଡିଡ଼ି ଭିତରେ ମୋ ବେକାବୁ ମନ ତୋତେ ଖୋଜେ ନୀଳ ।
ଅନ୍ୟାୟ କରୁଛୁ ଡ଼ିଡ଼ି ପ୍ରତି । ତା ବିଶ୍ୱାସରେ ଖେଳୁଛୁ।ଏକତରଫା ପ୍ରେମର କଣ ଆୟୁ ଥାଏ? ତୋର ଏ ଗୁଣ ପାଇଁ ତୋତେ କେବେ କ୍ଷମା କରିପାରିବି ନାହିଁ ଜିଡି। ଯା ପଳା ମୋ ଆଖି ସାମାନାରୁ । କରୁଣ ଆଖି ଦୁଇଟି ଏତେ ବଡ଼ ହୋଇଗଲା ଯେମିତି ମୋତେ ଗିଳି ପକେଇବ। ଧଡ଼କିନା ଉଠି ବସିଲି।
ସ୍ୱପ୍ନ ଦେଖୁଥିଲି ନା ଫୋନ୍ ରେ କଥା ହେଉଥିଲି !
ନା ତ ଫୋନ୍ ସାଢ଼େ ବାରଠାରୁ ବନ୍ଦ।
ଭୋର ହୋଇ ଆସୁଥିଲା। କେହି ଡୋର୍ ନକ୍ କଲା।
ବନ୍ଦ କରି ଦେଲି ଡାଇରୀ।
ଆର୍ଜ୍ଜୁ ଉଠି ୱାସ୍ ରୁମ୍ ଯାଉଥିଲା ତ ଆଖି ମଳିମଳି ଡୋର୍ ଖୋଲି ଉଲ୍ଲସିତ ହୋଇ କହିଲା ବା ....ବା !
ବନ୍ଦ ହୋଇଗଲା ମନ ସିନ୍ଦୁକ।
ଟେବୁଲ ଉପରେ ଖୋଲା ଡାଇରୀର ପୃଷ୍ଠା ଉଡୁଥିଲେ ଫଡ୍ ଫଡ୍।
ସିଭି କହିଲେ ଭିଷଣ ଭୋକ।
ତରବରରେ ପ୍ରସ୍ତୁତ କରୁଥିଲି ଖାଦ୍ୟ ସହ ନିଜକୁ।