STORYMIRROR

Satyabati Swain

Tragedy

4  

Satyabati Swain

Tragedy

ସ୍ୱପ୍ନରେ ଦିନେ

ସ୍ୱପ୍ନରେ ଦିନେ

4 mins
10

ଆଖିରେ ନିଆଁ ବର୍ଷା

ନିଃଶ୍ବାସରେ ବାତ୍ୟା।

ହାତ ମୁଠାଟି ଟାଙ୍ଗିଆ ଧରିବା ଭଙ୍ଗୀରେ ।

ଛିନ୍ନ ଛତ୍ର ମୁକୁଳା କେଶ।

ଭୟାନକ ମୋର ବେଶ। ସାକ୍ଷାତ ଦେବୀ କାଳୀ।

      ପୁରା ଜୀବନ୍ତ ଚଣ୍ଡୀ ରୂପକୁ ଦେଖି ମୋ ପିଲା ଦିଇଟା ଭୟରେ ଜଡ଼ସଡ଼। ମୋର ଏପରି ରୂପ ସହ ସେମାନଙ୍କର ପ୍ରଥମ ଭେଟ। ଏତେ ଝଡ଼ ଝଞ୍ଜା ମୋ ଉପରେ ବହି ଯାଇଥିଲେ ବି ପିଲାଙ୍କ ଆଗରେ ଦିନେ ବି କାନ୍ଦିନି କେବେ। ସେମାନେ ସବୁବେଳେ ମୁହଁରେ ସ୍ମିତ ହସ ଫୁଟାଇ ନିରବ ରହୁଥିବା ମାଆକୁ ଦେଖି ଆସିଛନ୍ତି । ଆଜି ମୋ କାଳୀ ରୂପକୁ ମେଘ ଘଡଘଡି ରଡି ଶୁଣି ସେମାନେ କଣ ଡରି ଯାଆନ୍ତେ ନାହିଁ !। ପଣ କରିଛି ପିଲାଙ୍କୁ ଯେ କୌଣସି ବ୍ୟୟରେ ମଣିଷ କରିବି। ସିଙ୍ଗଲ ମଦର ହୋଇ ମଧ୍ୟ କେବେ ବାପାର ଅଭାବ ବୋଧ କରେଇ ଦେବିନି।ସକାରାତ୍ମ ଉର୍ଜା ସେମାନଙ୍କ ଭିତରେ ଭରିବି। ପିଲା ପ୍ରଥମେ ମାଆ ଓ ପରିବାରରୁ ସମସ୍ତ ସୁଗୁଣ ସଂସ୍କାର ଶିକ୍ଷା କରିଥାଏ। ସେଇଥିପାଇଁ ପାଇଁ ତ ପରିବାର ଜୀବନର ପ୍ରଥମ ବିଦ୍ୟାଳୟ ଏବଂ ମାଆବାପା ଆଦ୍ୟ ଗୁରୁ। ଯେଉଁ ପରିବାରରେ ଶାନ୍ତି ଶୃଙ୍ଖଳା,ସ୍ନେହ ,ସରାଗ,ଆଦର,

ସମ୍ମାନ ,ପାରସ୍ପରିକ ବୁଝାମଣା ଓ ପ୍ରେମ ଭର୍ତ୍ତି ସେ ଘରର ପିଲା ସେତିକି ମାନସିକ ,ଆବେଗିକ ଓ ଶାରୀରିକ ସ୍ଥରରେ ସେତିକି ସୁସ୍ଥ ,ଶାନ୍ତ,ସଂସ୍କାରୀ।

     ବାପା ସୁଖ ତ ସେମାନଙ୍କ କପାଳ ରେ ବିହି ଲେଖିନି। ମୋ ସଂସାର ଦୁଇ ଚକିଆ ଗାଡିର ଆଗ ଚକ ନାହିଁ। ଗୋଟିଏ ମାତ୍ର ପଛ ଚକରେ ମୁଁ ମୋ ପିଲାଙ୍କୁ ବସାଇ ବିଶ୍ୱଭ୍ରମଣ କରି ଜୀବନ ଜୀଇଁବା ଜ୍ଞାନ ଦେବାକୁ ବଦ୍ଧ ପରିକର। ମୋ ମନ ଜାଣି ଛୁଆ ଦୁହେଁ ସେମିତି ବି ଗୁଣର ହୋଇଛନ୍ତି। ଲୁଲୁଟା ଟିକେ କ୍ଷଣ କୋପି ଜିୟା ଅତି ନିରୀହ ଶାନ୍ତ କୋମଳ। ଲୁଲୁ ଗୁଣଟି କେମିତି ଛାଡିବ ତା ଅଜାଣତେ ମୋତେ କିଛି କରିବାକୁ ହେଉଛି। ପିଲା ତା ଖରାପ କି ଭଲ ଗୁଣ ବିଷୟରେ ନିଜେ ସଚେତନ ନ ହେବା ଯାଏ ପ୍ରତି ପରିବାର ଏବଂ ବାପାମାଙ୍କ କର୍ତ୍ତବ୍ୟ ତାକୁ ତା ଅଜାଣତରେ ଏପରି ପରିବେଶ ଓ ପରିସ୍ଥିତି ସୃଷ୍ଟି କରିବା ଯେ ସେ ନିଜେ ନିଜେ ନିଜକୁ ସୁଧାରି ନେଉଥିବ      ସଂକ୍ଷେପରେ ସମାଜକୁ ଦୁଇ ଜଣ ସୁସ୍ଥ ଚିନ୍ତା ,ଚେତନା ଓ କାର୍ଯ୍ୟ ପୋଷଣ କରୁଥିବା ନାଗରିକଙ୍କୁ ଭେଟି ଦେବା ପାଇଁ ଏବେ ମୁଁ ତପସ୍ୟା ରତ। ଦିନେ ବଡ ହୋଇ ଯେଉଁମାନେ ରାଷ୍ଟ୍ର ନିର୍ମାଣରେ ସହଯୋଗ କରିବେ।

ଲୁଲୁ ଓ ଜିଆ କିନ୍ତୁ ଭୟଭୀତ ହୋଇ ମୋତେ ମାଡି ବସି ଡାକ ଛାଡିଲେ ମଉସା, ଜେଜେମା ଦଉଡି ଆସ। 

ମାଆର କଣ ହୋଇ ଯାଉଛି।

      ମାଆ ତ ସ୍ଲିପିଂ ଟାଵଲେଟ୍ ନେଇ ମୃତ ବତ୍ ଶୋଇ ରହୁଛନ୍ତି ଅହରହ। ଡାକ୍ତରଙ୍କ ଆଶଙ୍କା ସତ ହେଉଥିଲା ସମୟ କ୍ରମେ। ମାଆ କେତେବେଳେ କେମିତି ହିଂସ୍ର ଆଚରଣ କରୁଛନ୍ତି। କିଛି ନଥିବ ହଠାତ୍ କଣ ହେବ କେଜାଣି ଯାହା ହାତ ପାଆନ୍ତାରେ ପାଇବେ ଇଆଡ଼କୁ ସିଆଡ଼କୁ ଫିଙ୍ଗିବେ। ଲୁଲୁ ବ୍ୟତୀତ ଯିଏ ତାଙ୍କ ପାଖକୁ ଯିବ ରକ୍ଷା ନାହିଁ। ଯାହା ଧରିଥିବେ ତାକୁ ହିଁ ଲକ୍ଷ୍ୟ କରି ଫିଙ୍ଗିବେ। ଥରେ ତ ଖାଇବା ପ୍ଲେଟ ନର୍ସ ଉପରକୁ ଏମିତି ଫିଙ୍ଗିଲି ଯେ ଆଖିଟିଏ ନଷ୍ଟ ହେଉ ହେଉ ଅଳ୍ପକେ ରକ୍ଷା ପାଇଗଲା । ଅପରେସନ ହେଲା ତାର ଆଖି।ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଲା।ଟଙ୍କା ଯାଉ ପଛେ ଆଖିଟି ତ ଭଲ ହୋଇଗଲା। ଏଣୁ ଆଉ କେଉଁ ନର୍ସ ମାଆଙ୍କ ଯତ୍ନ ନେବାକୁ ରାଜି ହେଲେ ନାହିଁ। ମେଣ୍ଟାଲ ହସ୍ପିଟାଲରୁ ଜଣେ

ବହୁ କଷ୍ଟରେ ମୋଟା ଅଙ୍କର ଦରମା ନେଇ ଆସୁଛି।

      ମାଆଙ୍କୁ ଆୟତ୍ତ କରିବାର ଅନ୍ୟ କୌଣସି ପନ୍ଥା ନ ଥିବାରୁ ଦିନ ସାରା ତାଙ୍କୁ ନର୍ସଟି ଜଗେ ଏବଂ ରାତି ଦଶରେ ଖୁଆଇ ପିଆଇ ମେଡ଼ିସିନ୍ ସହ ସ୍ଲିପିଙ୍ଗ ଟାବ୍ଲେଟ ଦେଇ ଚାଲିଯାଏ। ଆଗ ନର୍ସ ପରି ରାତିରେ ରୁହେ ନାହିଁ। ଅବଶ୍ୟ ଆକ୍ରମଣନ୍ତାକ ବ୍ୟବହାର କ୍ଵଚିତ କରନ୍ତି।କିନ୍ତୁ ଲୁଲୁକୁ ଦେଖିଲେ, ତୁ ଆସିଛୁ ମୋ ଧନ ମୋ ରାଜା ମୋ ମନୁ କହି କୋଳେଇ ନିଅନ୍ତି। ବୋଧେ ନାତି ଲୁଲୁକୁ ପୁଅ ମନୁ ବୋଲି ତାଙ୍କ ଅବଚେତନ ମନ ଧରି ନେଇଛି। ଲୁଲୁଟା ବି ବୟସ ତୁଳନାରେ ଉଚ୍ଚତା ଓ ଚେହେରା ଅଧିକ ବଢି ଯାଇ ଠିକ୍ ତା ବାପା ପରି ଦିଶୁଛି। ଆହା ପୁଅ ପାଗେଳି ମାଆଟାକୁ ଯିଏ ଯେତେ କହିଲେ ବି ପାଗଳ ଖାନାକୁ ମୁଁ କୌଣସି ଦିନ ପଠେଇ ଦେବାକୁ ରାଜି ହୋଇନି। ଏମିତିରେ ଆଉ କେତେ ଦିନ ବଞ୍ଚିବେ। ଆମରି ଗହଣରେ ରାହନ୍ତୁ।ପିଲାଙ୍କ ସହ ପିଲା ହୁଅନ୍ତୁ। ମୋ ମାଆ ହୋଇ ମୋର କାନ ମୋଡି ଆକଟ କରି ସଂସାରୀ ଜ୍ଞାନ ଦିଅନ୍ତୁ । ଏତିକି ଖୁସି କଣ କମ୍ କି ?

      ଏଣୁ ମାଆ କଣ ଲୁଲୁ ଓ ଜିୟାଙ୍କ ଡାକ ଶୁଣି ଦଉଡି ଆସନ୍ତେ !

      ଡ୍ରାଇଭିଂ ସହ ଘରର ଗୋଟିଏ ଲୋକ ପରି କାମ କରନ୍ତି ଜଗୁମଉସା ।ଏତେ ସକାଳୁ କଣ କଣ ହେଲା କହି ସେ ହାଉଳି ଖାଇ ଦଉଡି ଆସି ମୋ ଉଗ୍ର ଚଣ୍ଡୀରୂପ ଦେଖି କ୍ଷଣେ ଥମ୍ କି ଠିଆହୋଇ ଗଲେ।

        ଝାଳରେ ଗୋଟା ସୁଦ୍ଧା ଗାଧୋଇ ପଡ଼ି ବରଡା ପତ୍ର ପରି ଥରୁଥିଲା ମୋ ସର୍ବାଙ୍ଗ ଶରୀର।ମୋ ଉପରେ ହାମୁଡ଼ି ପଡି ଭୋ ଭୋ ହୋଇ କାନ୍ଦୁଥିଲେ ଛୁଆ ଦୁଇଟି।

        ମଉସା ଏପରି ଦୃଶ୍ୟ ଦେଖି ଚକିତ । ତାଙ୍କ ମଥାର ତିନିଗାର କହୁଥିଲା ସେ ଘୋର ଚିନ୍ତା ସଂକଟରେ ପଡି ଯାଇଛନ୍ତି। ଗଦ୍ ଗଦ୍ ହୋଇ କହୁଛନ୍ତି, କଣ ହେଲା ଛୁଆ ମାଆ ? ମହା ମହା ବିପଦରେ ତୁମେ ସାହସର ସହ ସମସ୍ତ ଝଡ଼କୁ ପାର ହୋଇଛ ।ଆଜି ପୁଣି କଣ ହେଲା ? ଏତକ କହି ମୋ ମୁହଁକୁ ଆଞ୍ଜୁଳା ଆଞ୍ଜୁଳା ପାଣି ଛାଟିଦେଲେ।

       ତାପରେ ମୁଁ ଆଖି ବୁଜି ନୀରବରେ କିଛି ସମୟ ପଡି ସ୍ୱପ୍ନ କଥା ମନେ ପକେଇ ଶୀତେଇ ଉଠିଲି। କି ଭୟଙ୍କର ଥିଲା କାଲିର ରାତି ଏବଂ ମୋ ଜୀବନର ଦ୍ଵିତୀୟ ପ୍ରହର ଶେଷର ସ୍ୱପ୍ନ ! ସ୍ୱପ୍ନରେ ମନୋଜ ଅର୍ଥାତ୍ ମନୁର ଦୁଇ ହାତ ଗୋଡ଼ ଟାଙ୍ଗିଆରେ ହାଣିକହୁଛି ପାଗେଳି ମାଆ, ଦୁଇ ଦୁଇଟି ଛୁଆ, ଘର ସଂସାର,ବନ୍ଧୁ ବାନ୍ଧବ ସବୁ ମୋ ବେକରେ ଓହଲାଇ ଅନ୍ୟ ସ୍ତ୍ରୀ ରଖି ସୁଖ ଭୁଞ୍ଜୁଛୁ ? ଅମଣିଷ ମନେ ପଡେନି ତୋର ମାଆ କଥା ଯିଏ ତୋରି କୃତକର୍ମ ପାଇଁ ଆଜି ପାଗେଳି। ମୁଁ କଣ ସୁନ୍ଦରୀ ନୁହେଁ ? ସ୍ତ୍ରୀ ସୁଖ ଦେବାକୁ ଅଯୋଗ୍ୟ ? କାହିଁକି ତେବେ ମୋତେ ଏତେ ଦୁଃଖ ଦେଲୁ ? ମୋତେ ଓ ମୋ ଛୁଆଙ୍କୁ କନ୍ଦାଇ ତୁ ହସଖୁସିରେ ବଞ୍ଚିବୁ ? ଦେଖ ତୋପରି ନୃଶଂସକୁ ମୁଁ କି ଶାସ୍ତି ଦେଉଛି କହି ଟାଙ୍ଗିଆରେ ଚୋଟ ପରେ ଚୋଟ ପକେଇ ଚାଲିଥିଲି।ଶେଷରେ ନିଜ ବେକକୁ ବି ଗୋଟେ ଚୋଟ ପକେଇ ପଡିଲି ଗଛ କାଟିଲା ପରି।

       ପିଲା ଓ ମଉସା ଆଉଁସି ଦେଉ ଦେଉ ପଚାରୁଥିଲେ କଣ ହେଲା ? କଣ ହେଲା ?

କିଛି ନାହିଁ ଭୟଙ୍କର ଦୁଃସପ୍ନଟିଏ ଦେଖିଲି।

    ହା ହା ମାଆ ସ୍ୱପ୍ନ । ସ୍ୱପ୍ନ ଦେଖି ତୋର ଏ ଅବସ୍ଥା ! ସତ ହୋଇଥିଲେ କଣ ହୋଇଥାନ୍ତା ! ମଜାରେ କହିଲା ଲୁଲୁ। ତୁ ଏତେ ଡରୁଆ ମାଆ ।


Rate this content
Log in

Similar oriya story from Tragedy